Unknown

 

 

 

 

 

 

 

 

 

ଯୋଗବିଦ୍ୟା

ଚିନ୍ତାମଣି ମହାନ୍ତି

 

ପ୍ରଥମ ପରିଚ୍ଛେଦ

 

ବଜ୍ରବାହୁ ବେବର୍ତ୍ତା ପଟ୍ଟନାୟକ ସ୍ଥାନୀୟ ଜମିଦାରଙ୍କ ପ୍ରଧାନ କର୍ମଚାରୀ । ଆଧୁନିକ ଜମିଦାର ହୋଇଥିଲେ, ତାଙ୍କ ସର୍ବଶ୍ରେଷ୍ଠ କର୍ମଚାରୀର ପଦ ମେନେଜର, ଦେବାନ, ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ଏହିଭଳି ଗୋଟିଏ କିଛି ରଖିଥାଆନ୍ତେ; ମାତ୍ର ଜମିଦାର ଘର ପୁରୁଣା ବୋଲି ସେହି ପୁରୁଣାକାଳିଆ ବେବର୍ତ୍ତା ପଦ ଚଳି ଆସୁଅଛି । ବେବର୍ତ୍ତା ଘର ଗୋଟାଏ ଖାନ୍‌ଦାନ୍‌ ବୁନିଆଦ ଘର ବୋଲି ପ୍ରସିଦ୍ଧ । ତାଙ୍କର ଯେତେ ଧନ-ସମ୍ପତ୍ତି ଅଛି, ଅନେକ ଜମିଦାର ଆଖ୍ୟାଧାରୀଙ୍କର ତେତେ ନାହିଁ । ବଜ୍ରବାହୁଙ୍କର ପିତା, ପିତାମହ, ପ୍ରପିତାମହ, ବୃଦ୍ଧ ପିତାମହ, ଅତିବୃଦ୍ଧ ପିତାମହ ପ୍ରଭୃତି ସମସ୍ତେ ଏହି ବେବର୍ତ୍ତା ପଦ ଭୋଗ କରିଆସି ଅଛନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ଜମିଦାରଙ୍କୁ ସନ୍ତୁଷ୍ଟ କରି ଗାଁ ଗଣ୍ଡା, ବାଗ ବଗିଚା, ବୃତ୍ତି-ବାଡ଼ି ପୁରସ୍କାର ପାଇଥିଲେ । ବଡ଼ଲୋକ ବଶୀକରଣ ମହାମନ୍ତ୍ର-ଚାଟୁବାକ୍ୟଦ୍ୱାରା ସେମାନେ ପୁରସ୍କୃତ ହୋଇନାହାନ୍ତି । ପ୍ରକୃତ ଯୋଗ୍ୟତା ଦେଖାଇ ପୁରସ୍କାର ପାଇ ଅଛନ୍ତି । ପରର ପ୍ରତିଧ୍ୱନି ହୋଇ ପରଗୋଡ଼ ଧରି ବଡ଼ଲୋକ ହେବା ସେମାନଙ୍କ ବଂଶର ସ୍ୱଭାବ ବିରୁଦ୍ଧ । ଯୋଗ୍ୟତା ଦେଖାଇ ପ୍ରଶଂସା ବା ପୁରସ୍କାର ଲାଭକୁ ସେମାନେ ପୌରୁଷ ଜ୍ଞାନ କରନ୍ତି । ଜମିଦାର ବଂଶ ଗୁଣଗ୍ରାହୀ ଏବଂ ଉଦାରମନା । ସାମାନ୍ୟ ଗୁଣ ଦେଖିଲେ ତାହା ପୁରସ୍କୃତ କରନ୍ତି । ବ୍ରଜବାହୁଙ୍କ ପଣଗୋସାପ ନରହରି ବେବର୍ତ୍ତା ଭୂମି ମାପିବା କାର୍ଯ୍ୟରେ ଖୁବ୍‌ ଦକ୍ଷ ଥିଲେ । ଦିନେ ଜମିଦାର ଗୋଟାଏ ପ୍ରଶସ୍ତ ବଗିଚା ଦେଖାଇ କେତେ ଜମି ହେବ ବୋଲି ତାଙ୍କୁ ପଚାରିଲେ । ନରହରି ବଗିଚା ଚାରିପାଖରେ ବୁଲିଆସି ମୁହେଁ ମୁହେଁ ନଳ ଭାଙ୍ଗି ଯାହା କହିଲେ, ପଦିକାରେ ମାପିବାଦ୍ୱାରା କ୍ଷେତ୍ରଫଳ ଠିକ୍‌ ତେତିକି ହେଲା । ଏଥିରେ ଜମିଦାର ସନ୍ତୁଷ୍ଟହୋଇ ସେହି ବଗିଚାଟି ତାଙ୍କୁ ପୁରସ୍କାର ଦେଲେ । ଆଉ ଜଣେ; ଜମିଦାର ଦୀର୍ଘ ଦେଢ଼ କାହାଣ, ପ୍ରତି ଦେଢ଼ କାହାଣରେ ନଳ ଭାଙ୍ଗି ତିନିଗୁଣ କରିଥିଲେ; ମାତ୍ର ବଜ୍ରବାହୁଙ୍କ ଗୋସାପ ସାଧୁ ବେବର୍ତ୍ତା କହିଲେ–‘‘ଦୀର୍ଘ ଦେଢ଼ କାହାଣ ପ୍ରତି ଦେଢ଼ କାହାଣରେ ଦୁଇଗୁଣ୍ଠ ଚାରି ବିଶ୍ୱା ଜମି ହେବ–ତିନିଗୁଣ୍ଠ ନୁହେଁ । ଜମିଦାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ–‘‘ଦେଢ଼ରେ ଦେଢ଼ ଗୁଣିଲେ କଅଣ ତିନି ହେବ ନାହିଁ ।’’ ବେବର୍ତ୍ତା କହିଲେ, ‘‘ନା ଆଜ୍ଞା, ଦୁଇ କାହାଣ ଚାରିପଣ ହେବ-। ଦେଢ଼ଶର ଦେଢ଼ଗୁଣ କଅଣ ତେବେ ତିନିଶହ ହେବନାହିଁ ?’’ ଏବେ ଜମିଦାରଙ୍କର ଭ୍ରମ ଦୂର ହେଲା, ସେ ଆନନ୍ଦିତ ହୋଇ ବେବର୍ତ୍ତାଙ୍କୁ ଖଣ୍ଡେ ଗାଁ ପୁରସ୍କାର ଦେଲେ । ଆମ୍ୱ ବଗିଚା ‘‘କୁତ’’ କରିବା ବିଷୟରେ ବଜ୍ରବାହୁଙ୍କ ପିତା ଅଦ୍ୱିତୀୟ ଦକ୍ଷ ଥିଲେ, ଯେଉଁ ଗଛରେ; ଯେତେ ଆମ୍ୱ ଅଛି ବୋଲି ସେ କହନ୍ତି, ତୋଳି ଦେଖିଲେ ଠିକ୍‍ ତେତିକି ହୁଏ । ଏହି ଗୁଣର ପୁରସ୍କାରସ୍ୱରୂପ ଜମିଦାର ତାଙ୍କୁ ଗୋଟାଏ ଘୋଡ଼ା ଦାନ କରିଥିଲେ । ବେବର୍ତ୍ତା ବଂଶ ଏହିପରି ଯୋଗ୍ୟତା ଦେଖାଇ ଉପଯୁକ୍ତରୂପେ ପୁରସ୍କୃତ ହେଉଥିଲେ ।

 

ବର୍ତ୍ତମାନ ଜମିଦାର ଅନ୍ତର୍ଯ୍ୟାମୀ ରାୟ ପୌଢ଼ ବୟସ୍କ; ମାତ୍ର ବୟସରେ ପୌଢ଼ ହେଲେ ହେଁ ଅନତୀତ ଯୌବନ ପରି ଦେଖାଯାଆନ୍ତି । ହାତରେ ମାଳା ଝୁଲି ଏବଂ ତୁଣ୍ଡରେ ହରିନାମ ଲାଗି ରହିଥାଏ । ସେ କଥା କହୁଁ କହୁଁ ମଝିରେ ମଝିରେ ‘‘ହରି ଭରସା’’ ଲଗାଇ ବାକ୍ୟକୁ ଅଳଙ୍କାର ଦାନ କରନ୍ତି । ପ୍ରତି କାଗଜ ପତ୍ରରେ ନିଜର ସ୍ୱାକ୍ଷର ତଳେ ‘‘ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ ସେବକ’’ ବୋଲି ଲେଖନ୍ତି । ଏହା ତାଙ୍କର ନିଜ ପ୍ରତି ନିଜ ଦତ୍ତ ଉପାଧି । ଦେହଟି ବୈଷ୍ଣବ ଧର୍ମର ଗୋଟିଏ ବିଜ୍ଞାପନ ସ୍ତମ୍ଭ । ସେଥିରେ ନାନା ତୀର୍ଥର ତିଳକ ଛପା ସାଇନ୍‌ବୋଡ଼ ପରି ଲାଗିଅଛି । ଧର୍ମର ଧ୍ୱଜାରୂପେ ମସ୍ତକରେ ଚୂରକି ଫର ଫର ହୋଇ ଉଡ଼ୁଅଛି । ଜମିଦାରୀର ଆୟ ଯଥେଷ୍ଟ । ରାଜକର ଏବଂ ସମସ୍ତ ଖର୍ଚ୍ଚ ଯାଇ ବର୍ଷରେ ଦଶ ପନ୍ଦର ହଜାର ଟଙ୍କା ବଳିପଡ଼େ । ସେଥିରୁ କେତେ ମାଲିମକଦ୍ଦମାରେ ଉଡ଼ିଯାଏ–କେତେ ସଞ୍ଚିତ ରହେ । ଥରେ ଗୋଟାଏ ବରଗଛ ସକାଶେ ଅନ୍ୟ ଜଣେ ଜମିଦାରଙ୍କ ସଙ୍ଗରେ ତାଙ୍କର ବିବାଦ ହେଲା । ଗଛଟା ଦୋସମାଳି ଜାଗାରେ ଥିଲା; ତେଣୁ ଉଭୟ ଜମିଦାର ଦାବୀ କଲେ । ଶେଷରେ ମକଦ୍ଦମା ଲାଗିଲା । ତେତେବେଳେ ଅନ୍ତର୍ଯ୍ୟାମୀ ରାୟ ବିପକ୍ଷକୁ ଲକ୍ଷ୍ୟ କରି କହିଥିଲେ–‘‘ଓଃ, କେତେ ଟଙ୍କା ସେ ରଖିଛି ଯେ, ମୋ ସଙ୍ଗରେ ମାମଲା ଲଢ଼ିବ । ଆଣୁନି ଭଲା, ତା ଟଙ୍କା ଆଉ ମୋ ଟଙ୍କା ସେହି ଗଛ ଡାଳରେ ଟାଙ୍ଗିଦେବା, କାହା ଟଙ୍କା ଭାରରେ ଡାଳ ବେଶି ତଳକୁ ଝୁଙ୍କି ଆସିବ ଦେଖିବା ।’’ ଏହି ସଦର୍ପ ଉକ୍ତିରୁ ଲୋକେ ଅନୁମାନ କରନ୍ତି–ତାଙ୍କର ଢେରଟଙ୍କା ଅଛି । ଦାନ, ଧର୍ମ ପ୍ରଭୃତି ସତ୍କାର୍ଯ୍ୟରେ ଜମିଦାର ବାବୁ କୃପଣ ନୁହଁନ୍ତି; ଏହା ବୋଲିବା ବାହୁଲ୍ୟ ମାତ୍ର ।

 

ଜମିଦାର ଅନ୍ତର୍ଯ୍ୟାମୀ ରାୟ ଖୁବ୍‌ ଆସନଭାରୀ ଲୋକ । ତାଙ୍କୁ ଦେଖିଲେ ଅପରାଧୀର ଆତ୍ମା ଥରିଉଠେ । ଜମିଦାରୀ ପରିଚାଳନ ଭଳି ବିଦ୍ୟା, ବୁଦ୍ଧି ତାଙ୍କର ଥିଲାନାହିଁ; ମାତ୍ର ମୁହଁଟାଣ ଯଥେଷ୍ଟ ଥିଲା । ସେହି ମୁହଁଟାଣ ବିଦ୍ୟାଟି ତାଙ୍କର ଅଯୋଗ୍ୟତାକୁ ଢାଙ୍କି ରଖିଥିଲା । କି ପ୍ରଜା କି କର୍ମଚାରୀ ସମସ୍ତଙ୍କୁ ସେ କଥାରେ ଶାସନ କରି ରଖିଥିଲେ । ସେ ସବୁବେଳେ ଭୂରୁଡ଼ି ଦେଖାଇ କହନ୍ତି–‘‘ମୁଁ ସବୁ ଜାଣେରେ ବାବା, ସବୁଜାଣେ, ହରି ଭରସା । କିଏ କେଉଁଦିନ କେତେବେଳେ କେଉଁଠାରେ କାହାଠାରୁ କଅଣ ନେଲା, ତାହା ମୁଁ ଜାଣେ ହରି ଭରସା, ମୋର ସହସ୍ରେ ଆଖି; ମାତ୍ର କିଛି କହେନାହିଁ । ଯେଉଁଦିନ ଯାହାକୁ ଧରି ବସିବି, ସେହିଦିନ ତାକୁ ପାର କରିବି, ହରି ଭରସା ।’’ କିନ୍ତୁ କାର୍ଯ୍ୟତଃ କାହାକୁ କେବେ ପାର କରିଥିବାର କେହି ଜାଣନ୍ତି ନାହିଁ । ଦୈନିକ ଖର୍ଚ୍ଚ ଖାତାରେ ସ୍ୱାକ୍ଷର କଲାବେଳେ ଖୁବ୍‌ ଗୋଟାଏ ଆତ୍ମପ୍ରତିଷ୍ଠା ଅନୁଭବ କରି କର୍ମଚାରୀଙ୍କ ମୁହଁକୁ ଚାହିଁ ମୁରୁକି ମୁରୁକି ହସି କହନ୍ତି–‘‘ଅଧଲାଟେ ଊଣା ହେଲେ ଧରି ପକାଇବି, ହୁଁ, ମୁଁ ଆଉ କେହି ନୁହେଁ ଯେ–ହରି ଭରସା, ମୋତେ ଠକାଇବା କାଠିକ୍‍ର ପାଠ, ହରି ଭରସା । ସମସ୍ତଙ୍କୁ ଠକାଇପାର–ହରି ଭରସା । ଆମ ବାପା, ଗୋସାଇଁ ବାପାଙ୍କୁ ଠକାଇ ପାରିଥିବ, ସେମାନେ ମୋଟା ବୁଦ୍ଧିଆ ଥିଲେ, ହରି ଭରସା; ମାତ୍ର ଆମ ବୁଦ୍ଧି ଆଖିବାଳଠାରୁ ସରୁ, ଆମେ ଉଡ଼ନ୍ତା ଚଢ଼େଇର ପର ଗଣିଦେଇପାରୁଁ, ହରି ଭରସା । ଆମ ଆଖିରେ ଧୂଳି ପକାଇବା ସହଜ ନୁହେଁ, ହରି ଭରସା । ଆମେ କିଏ ଜାଣ ତ ? ଆମେ-ଅ-ନ୍ତ-ର୍ଯ୍ୟା-ମୀ-ରା-ୟ, ହରି ଭରସା । ଏ ପୂନେଇରେ ସେ ପିଠା ନାହିଁରେ ବାପା, ହରି ଭରସା ।’’ କର୍ମଚାରୀମାନେ କର୍ତ୍ତାଙ୍କର ପୌଢ଼ୀ ଶୁଣି ମୁହଁରେ ଖୁବ୍‍ ଟେକିଟାକି ପ୍ରଶଂସା କରନ୍ତି । କେହି କେହି କହନ୍ତି–‘‘ହଜୁରଙ୍କୁ ପୁଣି କିଏ ଠକାଇବ; ସେପରି ମୁଣ୍ଡ ଏ ଦୁନିଆରେ କାହାର ଅଛି ? ହଜୁର ଖାଉନ୍ଦ, ହଜୁରଙ୍କୁ ଠକାଇଲେ କି ସାତ ଜନ୍ମରେ ପାର ଅଛି-? ହଜୁର ଜମିଦାର–ନାଗ ସାପ, ଯେ ସେହି ନାଗ ସାପକୁ ଚାଳିବ, ତାହାର କଅଣ ଆଉ ରକ୍ଷା ଅଛି ? ଲେଉଟି ପଡ଼ି ଫଁ କିରି ଚୋଟେ ମାରିଲେ ସବୁ ଶେଷ । ସବୁ କରିବ ପଛେ; ମାତ୍ର ପ୍ରଭୁ ପାଖରେ ଦ୍ରୋହୀ ହେବନାହିଁ–ସେ ପାପର ପ୍ରାୟଶ୍ଚିତ୍ତ ନାହିଁ । ଆମ ଛପନ ପୁରୁଷରେ ଏକା ନିମକହାରାମି ନାହିଁ ହଜୁର । ଆମ ବାପେ ଥିଲେ ଯେ, ମରିବାବେଳେ ମୋତେ ଗୋଡ଼ ଛୁଆଇଁ ରାଣ ଦେଇଗଲେ । କହିଲେ–‘‘ଖବରଦାର, କେବେ କାହାରିଠାରୁ କଡ଼ାଏ କଉଡ଼ି ଲାଞ୍ଚ ନେବୁନାହିଁ-।’’ ମୁଁ ସେହିଦିନୁ ପିତୃଆଜ୍ଞା ମାନି ଲାଞ୍ଚ ନେବା ଛି କରି ଦେଇଛି ।’’ କର୍ମଚାରୀମାନେ ଏହିପରି ଚାଟୁବାକ୍ୟଦ୍ୱାରା ନିଜର ସାଧୁତା ପ୍ରମାଣ କରନ୍ତି; ମାତ୍ର ମନେ ମନେ ହସି ଜମିଦାରଙ୍କୁ ଅନ୍ତଃସାରଶୂନ୍ୟ ଜାଣି ନିର୍ଭୟ ହୋଇ ଆପଣାର ଉଦର ପୃଥୁଳ କରନ୍ତି । କେବଳ ବେବର୍ତ୍ତାଙ୍କ ଜମିଦାରଙ୍କର ଏ ବ୍ୟର୍ଥ ଆତ୍ମଶ୍ଳାଘ ଭଲ ଲାଗେ ନାହିଁ, ଠିକ୍‌ କଙ୍କଡ଼ାବିଛା ବିନ୍ଧିଲାପରି ଲାଗେ, ସେ ମନେ ମନେ କହନ୍ତି–‘‘ଯାହା କହନ୍ତି–ଶୂନ୍ୟ ଘଟର ଶବ୍ଦ ବେଶି, ତାହା ସତକଥା । ଆଚ୍ଛା, କେଉଁ ଗୁଣରେ ଏତେ ପ୍ରଶଂସା ? ସାତ ଆଉ ପାଞ୍ଚ ମିଶାଇବାକୁ ହେଲେ ତ ଆଙ୍ଗୁଳି ନ ଗଣିଲେ ଚଳେନାହିଁ–ପୁଣି ଦସ୍ତଖତଟା ତ ପିଲାଙ୍କ ଯୁକ୍ତାକ୍ଷର ଲେଖିବା ପରି କଷ୍ଟକର–ସେଥିରେ ଅକ୍ଷର ଥାଏ, କି ତାହା ଖାଲି ରେଖାର ସମଷ୍ଟି ସେ କଥା ମା ସରସ୍ୱତୀଙ୍କର ଅଗୋଚର, ଏଇଥିରେ ପୁଣି ଏତେ ବଢ଼େଇ ! ଯାହାର ଅର୍ଥ ଅଛି ସେ ମନରେ କରେ ବ୍ରହ୍ମାଣ୍ଡର ଗୁଣଯାକ ବଳେ ବଳେ ଆସି ତାହା ଗୋଡ଼ତଳେ ମୁଣ୍ଡ ଗୁଞ୍ଜନ୍ତି । ସବୁକାର୍ଯ୍ୟ ଅର୍ଥ ସାପେକ୍ଷ ସତ୍ୟ, ପୃଥିବୀରେ ସାନବଡ଼ ଯେତେ କାର୍ଯ୍ୟ ହୋଇଅଛି, ସେ ସମସ୍ତର ମୂଳରେ ଅର୍ଥ ବିଦ୍ୟମାନ, ଏହା କେହି ଅସ୍ୱୀକାର କରୁନାହିଁ; ମାତ୍ର ଅର୍ଥ ସାହାଯ୍ୟରେ ଗୁଣ ଉପାର୍ଜନ କରିହୁଏ ସିନା–କିଣାଯାଏ ନାହିଁ । ଘର ଭିତରେ ତ ଫତୁରୀର ସୀମା ନାହିଁ, ସେ ଦିନ କିଲଟର ସାହେବଙ୍କ ଆଗରେ ପାଟି ଆଫା ଆଫା ହୋଇଗଲା କାହିଁକି ? ସାହେବ ପଚାରିଲେ–‘‘କି ବାବୁ ଭଲ ଅଛ ? ଆଉ ଏ ଘୋଡ଼ାପରି ବୋଝେ ଦାନ୍ତ ନିସୁଡ଼ି ଦେଇ କହିଲେ କଣ ନା–‘‘ସଲାମ ସାଇବ ଆପଣ କାଲି ଆସିଲ ପରା ? ଆମର ପୁରୁଣା ଘର ପୁରୁଣା ବଂଶ, ମରହଟ୍ଟା ଅମଳ ଆଗରୁ ଆମର ଜମିଦାର । ଆମ ବାପ ଖୁବ୍‌ ମାଲ ସାଧନା କରୁଥିଲେ–ତାଙ୍କ ବାହାମୂଳିଟାମାନ ଏଡ଼େ ଏଡ଼େ ମୋଟ–ସେ ଦିନରେ ଦଶସେର ଦୁଧ ଖାଉଥିଲେ । ଆଉ ଆମ ପଣଗୋସାପେ ଯେଉଁ ଖଣ୍ଡା ଧରି ଯୁଦ୍ଧ କରୁଥିଲେ; ତିନିଜଣ ଜବର ଭେଣ୍ଡିଆ ତାକୁ ଟେକି ପାରିବେ ନାହିଁ । ଗନ୍ତାଘରେ ଗୋଟାଏ ପୁରୁଣା ଲୁହା ଧନୁ ଥିଲା, ତେରସ୍ତା ସନ ତାକୁ ଭାଙ୍ଗି ଫାଳ ଗଡ଼ାଗଲା ଯେ–ମୁଠୁଣିଏ ଲମ୍ୱର ତିନିଗଣ୍ଡା ଫାଳ ହେଲା ।’ ସାହେବ କଅଣ ପୁରୋହିତ ହୋଇ ଆଙ୍କର ପିତୃଶ୍ରାଦ୍ଧ କରିବାପାଇଁ ଆସିଥିଲେ ଯେ, ତାଙ୍କ ଆଗରେ ଏ ସାତପୁରୁଷର ଗୁଣ ଗାରିମା ବଖାଣୁ ଥିଲେ । ସେ ବି ହସି ହସି ଖୁବ୍‌ ଦି କଥା କହିଛନ୍ତି । କହିଲେ–‘‘ବାବୁ, ତମେ ତ ତମ ବଂଶର ଖଣ୍ଡେ ଇତିହାସ । ପୂର୍ବ ପୁରୁଷର ସେହି ସୁଖ୍ୟାତିକୁ ବିକି ଭାଙ୍ଗି ଖାଇ ତମେ ମଉଜରେ ଅଛ, ଏହା ଭଲକଥା ।’’ ଏହା କଅଣ ସାମାନ୍ୟ ଅପମାନ ? ପୁଣି ସାହେବ ପଚାରିଲେ–‘‘ତମରି କେତେଖଣ୍ଡ ଗାଁ ନଈବଢ଼ିରେ ଧୋଇଯାଇଛି, ଆଉ ପ୍ରଜା ରକ୍ଷାପାଇଁ ତମେ କଅଣ କରିଛ ? ଜମିଦାର ବାବୁ ଏଥି କି ଉତ୍ତର ଦେଲେ କଅଣ ନା–ସେ ସବୁକଥା ଆମ ବେବର୍ତ୍ତା ପଟ୍ଟନାୟକେ ଜାଣନ୍ତି ।’’ ଭାଗ୍ୟକୁ ମୁଁ ସେଠାରେ ଥିଲି ବୋଲି ସିନା କଥାଟାକୁ ଭିନ୍ନମାର୍ଗରେ ନେଇ ବୁଝାଇ ଦେଲି-। ନଚେତ୍‌ ସାହେବ କଅଣ ମନରେ କରିଥାଆନ୍ତେ । ମୁଁ ହାତଯୋଡ଼ି କହିଲି–‘‘ହଜୁର ଆମ ଇଲାକାର ଦଶଖଣ୍ଡ ଗାଁର ଧାନ ଧୋଇ ଯାଇଛି । ସେଥିପାଇଁ ଏ ବର୍ଷର କର ପ୍ରଜାମାନଙ୍କୁ ଛାଡ଼ି ଦିଆଯାଇଅଛି । ଆଗାମୀ ରବିଫସଲ ପାଇଁ ବିହନ ଦିଆଯିବ । ପ୍ରଜାଙ୍କର ଦୁଃଖସୁଖ ଶୁଣି ଆମ ଜମିଦାର ଢେର କାନ୍ଦିଛନ୍ତି । ଅବଧି ତାଙ୍କ ମନ ଭଲନାହିଁ । ସେ ଆହାର ନିଦ୍ରାଛାଡ଼ି ସବୁବେଳେ ପ୍ରଜାଙ୍କ କୁଶଳ ଭାବୁଛନ୍ତି ।’’ ଏହିପରି ଚାରିକଥା କହି ସାହେବଙ୍କୁ ବୋଧ କରିଦେଲି । ନ ହେଲେ ଫଳ ବଡ଼ ବିଷମ ହୋଇଥାନ୍ତା । ଯାହାଙ୍କୁ କଥା କହି ଆସୁନାହିଁ, ସେ ପୁଣି ବଡ଼େଇ କରି କହୁଛନ୍ତି ଯେ–ଆମକୁ କେହି ଠକାଇ ପାରିବ ନାହିଁ । ଆଚ୍ଛା, ‘‘ଦେଖେଁ ଭଲା କିମିତି ନ ଠକିବ ।’’ ବଜ୍ରବାହୁ ବେବର୍ତ୍ତା ପଟ୍ଟନାୟକ ଏହିପରି ଭାବି ଦିନେ ଖର୍ଚ୍ଚ ଖାତାରେ ନିଜେ ଖର୍ଚ୍ଚ ଲେଖି ଦସ୍ତଖତ କରାଇବା ପାଇଁ ଜମିଦାରଙ୍କ ପାଖକୁ ନେଇଗଲେ । ସେଥିରେ ଖର୍ଚ୍ଚର ହିସାବ ଏହିପରି ଲେଖାଥିଲା–

 

ସନ ୧୩୧୫ ସାଲ କକଡ଼ା ମାସ ଦି ୧୨ ନ

 

ରବିବାରର ଘର ଖର୍ଚ୍ଚ

ଟ ୧୯ ମଇଧ୍ୟେ

ଖଦୀ ଦୁଇ ଯୋଡ଼ାକୁ

ଟ ୮୧

ପରିବା, ମାଛ ଓଗେର

ଟ ୦୪.୫୦

ଅଳଙ୍କାର ମରାମତ

ଟ ୦୩.୫୦

ଦାନ ଖଏରାତ

ଟ ୨୯

ବାଜେଖର୍ଚ୍ଚ

ଟ ୫୯

ମୋଟ

ଟ ୩୮୧

 

ଜମିଦାର ବେବର୍ତ୍ତାଙ୍କୁ ଦେଖି ପଚାରିଲେ, ‘‘କି ହୋ, ତୁମେ ଖାତା ଦସ୍ତଖତ୍‌ କରାଇବାକୁ ଆଣିଛ, ଗୁମାସ୍ତା କୁଆଡ଼େ ଗଲା କି ?’’ ବେବର୍ତ୍ତା କହିଲେ–‘‘ଆଜ୍ଞା, ମୁଁ ତାକୁ ଗୋଟାଏ କାମରେ ପଠାଇଛି ।’’ ତହୁଁ ଜମିଦାର ଗୋଟାଏ ଅପୂର୍ବ ଦସ୍ତଖତ କରି ଖାତା ଖଣ୍ଡ ବେବର୍ତ୍ତାଙ୍କ ହାତକୁ ବଢ଼ାଇ ଦେଇ ପୂର୍ବ ଅଭ୍ୟାସ ମତେ କହିଲେ–‘‘ଦେଖିଲ ସାଙ୍ଗେ ସାଙ୍ଗେ ଆଖି ବୁଲାଇଦେଇ ହିସାବଟା ବୁଝିନେଲି, ହୁଁ ମୋତେ ଠକାଇବା ସହଜ ନୁହେଁ ।’’ ବେବର୍ତ୍ତା କିଛି ନ କହି ଟିକିଏ ହସି ଦେଲେ ଏବଂ ଖାତାର ପୃଷ୍ଠା ଲେଉଟାଇବାକୁ ଲାଗିଲେ । ଜମିଦାର ପଚାରିଲେ ‘‘କି, ହସିଲ କାହିଁକି ?’’ ବେବର୍ତ୍ତା ଟିକିଏ ଅପ୍ରସ୍ତୁତ ହେଲାପରି ହୋଇ ଧୀର ସ୍ୱରରେ କହିଲେ ‘‘ହିସାବଟା ଭୁଲରେ ଦୁଇଗୁଣ ହୋଇଗଲା । ଗୁମାସ୍ତା ମୋଟ ଖର୍ଚ୍ଚ ତଳେ ତଫସିଲ ଲେଖିଥିବାରୁ ମୁଁ ଭୁଲରେ ଦୁହିଁଙ୍କି ମିଶାଇ ଦେଲି ।’’ ଅନନ୍ତର ବେବର୍ତ୍ତା ଜମିଦାରଙ୍କୁ ଖର୍ଚ୍ଚ ପୃଷ୍ଠା ଦେଖାଇ କହିଲେ ‘‘ଏହି ଦେଖିବା ହେଉନ୍ତୁ–ଗୁମାସ୍ତା ଲେଖିଛି ଆଜିର ମୋଟ ଖର୍ଚ୍ଚ ୧୯ ଟଙ୍କା ମଇଧ୍ୟେ ଅମୁକ ଏତେ–ଅମୁକ ଏତେ ଇତ୍ୟାଦି ।’’ ଜମିଦାର ଆଶ୍ଚର୍ଯ୍ୟ ହୋଇ କହିଲେ–‘‘କଅଣ ? ଏ ତ ମୋଟ ଖର୍ଚ୍ଚ, ଆଉ ଏ ତାହାର ତଫସିଲ, ମଝିରେ ପୁଣି ଗୋଟାଏ ମଇଧ୍ୟେ କଅଣ ? ଓଃ, ଏହିପରି ତେବେ ଠକାନ୍ତି । ତୁମେ ବୋଲି ସିନା କହିଲ, ଆଉ କେହି ହୋଇଥିଲେ ତ ଉଣେଇଶ ଟଙ୍କା ମାରିନେଇ ଥାଆନ୍ତା । ମୁଁ ଜାଣେପରା–ତୁମପରି ବିଶ୍ୱାସୀ ଆଉ କେହି ନୁହନ୍ତି । ସମସ୍ତେ ଚୋର–କଟାଚୋର, ନିମକହାରାମ । ଆଚ୍ଛା ବେବର୍ତ୍ତା ତୁମକୁ ଗୋଟାଏ ସୁଆରି ପୁରସ୍କାର ଦିଆଗଲା ।’’ ବେବର୍ତ୍ତା ଖୁସିହୋଇ ଜମିଦାରଙ୍କୁ ଗୋଟାଏ ଲମ୍ୱା ଦଣ୍ଡବତ କରି କାର୍ଯ୍ୟନ୍ତରରେ ପ୍ରସ୍ଥାନ କଲେ । ସେହିଦିନଠାରୁ ଜମିଦାରଙ୍କର ଆତ୍ମଶ୍ଳାଘ ବନ୍ଦ ହେଲା–ତାଙ୍କର ଉପଯୁକ୍ତ ଶିକ୍ଷା ମଧ୍ୟ ହେଲା । ଗର୍ବ ଗଞ୍ଜନବାନା ବେବର୍ତ୍ତା ତାଙ୍କର ଗର୍ବ ଭାଙ୍ଗିଦେଲେ ।

 

ଜମିଦାର ବାବୁଙ୍କର ଜମିଦାର ସୁଲଭ ଗୁମାନ ଏବଂ ଅଭିମାନ ହେତୁ ବେବର୍ତ୍ତା କିଞ୍ଚିତ ଅସନ୍ତୁଷ୍ଟ ହେଲେ ହେଁ ପ୍ରଭୁବୋଲି ତାଙ୍କୁ ଭକ୍ତିସମ୍ମାନ କରନ୍ତି । ଅନ୍ନପୁଷ୍ଟାଙ୍କୁ ହେୟ ମଣିବା ଘୋର ଅକୃତଜ୍ଞତା, ଏ ନୀତି ବେବର୍ତ୍ତାଙ୍କର ଅଜ୍ଞାତ ନ ଥିଲା । ଜମିଦାରଙ୍କର ଅନେକ ସଦ୍‌ଗୁଣ ମଧ୍ୟ ଥିଲା-। ତାଙ୍କର ଉଦାରତା ଦାନଶୀଳତା, ସହୃଦୟତା ଏବଂ ଅତିଥିସତ୍କାର ଶତମୁଖରେ ପ୍ରଶଂସିତ । ଯେ ତାଙ୍କ ଘରେ ଥରେମାତ୍ର ଆତିଥ୍ୟ ଗ୍ରହଣ କରିଅଛି, ସେ ତାଙ୍କର ଆଦର-ସୌଜନ୍ୟ ଜୀବନରେ ଭୁଲିପାରିବ ନାହିଁ । ସ୍ପଷ୍ଟବାଦିତା ତାଙ୍କ ସ୍ୱଭାବର ବିଶେଷତ୍ୱ । ସେ ପର ଦୁଃଖରେ ସହାନୁଭୂତି ପ୍ରକାଶ କରନ୍ତି । ପ୍ରଜାପୀଡ଼ା ତାଙ୍କ କୋଷ୍ଠୀରେ ନାହିଁ । ଧର୍ମ କାର୍ଯ୍ୟରେ ସେ ମୁକ୍ତହସ୍ତ । ଏତେଗୁଣ ଯାହାର ଅଛି, ତାହାର ଟିକିଏ ଗର୍ବ ବା ଅଭିମାନ ତେତେ ଦୋଷାବହ ନୁହେଁ । ମନୁଷ୍ୟ ମାତ୍ରେ ସୁଗୁଣ ଦୁର୍ଗୁଣର ଆଧାର । ଏକାଧାରେ ସୁଗୁଣ ବା ଏକାଧାରରେ ଦୁର୍ଗୁଣ ଏ ସଂସାରରେ ଦୁର୍ଲଭ । ଯେଉଁଠାରେ ଦେଖ, ଦୋଷ ଗୁଣ ମିଶାମିଶି ହୋଇଅଛି । ଅମୃତ ମଧ୍ୟରେ ବିଷ ଅଛି, ବିଷ ମଧ୍ୟରେ ବି ଅମୃତ ଅଛି । ପଙ୍କ ମଧ୍ୟରେ ଜଗତର ଶୋଭାସଦ୍ମ ପଦ୍ମ ଥାଏ, ଆଉ ପବିତ୍ର ତୀର୍ଥ ଜଳରେ ପ୍ରାଣୀହିଂସାକାରୀ ହାଙ୍ଗର କୁମ୍ଭୀର ଥାଆନ୍ତି । ଭଲ ମନ୍ଦ ମିଶି ଏ ସଂସାର; ସୁତରାଂ ଭଲ ମନ୍ଦ ସବୁଥିରେ ଅଛି ଏବଂ ଥିବ।

 

ବଜ୍ରବାହୁ ବେବର୍ତ୍ତା ଜମିଦାରଙ୍କର କର୍ମଚାରୀ ମନ୍ତ୍ରୀ ଏବଂ ପ୍ରତିନିଧି । ଜମିଦାରୀ କାର୍ଯ୍ୟରେ ତାଙ୍କ ଦକ୍ଷତା ଅସଧାରଣ । ତାଙ୍କ ଅମଳରେ ଜମିଦାରୀର ଆୟ ଅନେକ ବଢ଼ିଅଛି । ଏ ହେତୁ ଜମିଦାର ତାଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସବୁ ଭାର ତାଙ୍କ ଉପରେ ନ୍ୟସ୍ତ କରିଅଛନ୍ତି । ସେ ମଧ୍ୟ ବିଶ୍ୱାସୀ ଭାବରେ କାର୍ଯ୍ୟ କରନ୍ତି । ତାଙ୍କ କଥା ଜମିଦାର ଏଡ଼ି ପାରନ୍ତି ନାହିଁ । ସ୍ଥୂଳତଃ ବେବର୍ତ୍ତା ହିଁ ଜମିଦାର ଏବଂ ଜମିଦାର ତାଙ୍କ ହସ୍ତର କ୍ରୀଡ଼ାପିତୁଳା; କିନ୍ତୁ ଏହା ବୋଲି ବେବର୍ତ୍ତା ଦୁଇ ହାତରେ ଭୋଜନ କରନ୍ତି ନାହିଁ । ତାଙ୍କର ଦକ୍ଷିଣ ହସ୍ତର ସମ୍ପର୍କ ସୀମାବନ୍ଧ । ଆଉ ଉତ୍କୋଚ ବା କେଉଁଠାରେ ନାହିଁ ? ମିଠେଇଖିଆ, ପାନଖର୍ଚ୍ଚ, ବକସିସ୍‌ ପ୍ରଭୃତି ବିବିଧ ନାମରେ ସେ ସର୍ବତ୍ର ବିଦ୍ୟମାନ । ତାହାର ଶକ୍ତି ମଧ୍ୟ ଦୁର୍ଜୟ । ବଶୀକରଣର ଅମୋଘ ମହାମନ୍ତ୍ର ତାହାପରି ଆଉ ନାହିଁ । ସେ ଯାହାହେଉ ବେବର୍ତ୍ତା ପଟ୍ଟନାୟକେ ଜମିଦାରଙ୍କ ପୂର୍ଣ୍ଣ କ୍ଷମତାପ୍ରାପ୍ତ ସର୍ବପ୍ରଧାନ କର୍ମଚାରୀ । କ୍ଷମତା ଅସୀମ; ମାତ୍ର ସେ କ୍ଷମତାର ଦୁର୍ବ୍ୟବହାର କରନ୍ତି ନାହିଁ । ସମସ୍ତେ ତାଙ୍କୁ ଭୟ ଅପେକ୍ଷା ଭକ୍ତି କରନ୍ତି । ଆମ୍ବ ପଣସ ଦିନେ ଆମ୍ୱ, ପଣସ, ଅନ୍ୟ ଦିନରେ ପରିବା କିମ୍ୱା ମାଛ ପ୍ରଭୃତି ଜମିଦାର ଘରକୁ ପାଞ୍ଚଭାର ଆସିଲେ ବେବର୍ତ୍ତାଙ୍କ ଘରକୁ ତିନିଭାର ଆସେ, ଜମିଦାରଙ୍କୁ କେହି ଦଶ ଟଙ୍କା ସଲାମୀ ଦେଲେ ବେବର୍ତ୍ତାଙ୍କୁ ଦଶ ସୁଉକା ଦିଏ; ଏଟା ତାଙ୍କର ବନ୍ଧା ରେଟ ।

 

ଜମିଦାରଙ୍କର ଏକମାତ୍ର ପୁତ୍ର ସତ୍ୟଭୂଷଣ । ବହୁ କଷ୍ଟରେ କୌଣସି ପ୍ରକାରରେ ମାଇନର ପାସ୍‌ କରିଅଛି । ଏତିକିରେ ସେ ସଙ୍ଗୀମାନଙ୍କ ସହିତରେ ଇଂରାଜୀରେ କଜିଆ କରେ । ଭୃତ୍ୟମାନଙ୍କୁ ଇଂରାଜୀରେ ଗାଳି ଦିଏ । ଏହିପରି ଅନେକ କର୍ତ୍ତବ୍ୟ ସେ ଇଂରାଜୀରେ କରେ । ତାହାର ବୁଦ୍ଧି ଖୁବ୍‌ ସୂକ୍ଷ୍ମ କିନ୍ତୁ ବିଦ୍ୟାରୂପ କଠିନ ପଦାର୍ଥରେ ତାହାର ମୁନ ଭୁକିପାରେ ନାହିଁ–ଭାଙ୍ଗିଯାଏ କିମ୍ୱା ମୋଡ଼ି ହୋଇଯାଏ । ଏଣିକି ତାକୁ କିଛି ସଂସ୍କୃତ ପଢ଼ାଇବା ପାଇଁ ଜମିଦାରଙ୍କ ଇଚ୍ଛା । ଦିନେ ସେ ଜଣେ ପଣ୍ଡିତ ନିଯୁକ୍ତ କରିବା ସକାଶେ ବେବର୍ତ୍ତାଙ୍କୁ ଆଦେଶ ଦେଲେ । ବେବର୍ତ୍ତା କହିଲେ ‘‘ନା–ଆଜ୍ଞା, ସେ କଂ-ମଂ-ଯଂରୁ କଅଣ ମିଳିବ ? ଛି ଛି, ସେ ମାଇପାଠ । ଜମିଦାର ପୁଅ, ସାହେବ ସୁବାଙ୍କ ସଙ୍ଗରେ କଥା କହିବ, ଇଂରାଜୀ ନ ହେଲେ କି ହୁଏ ।’’ ଜମିଦାର କହିଲେ ‘‘ହେଉ, ଇଂରାଜୀ ପଢ଼ିବ । ଦିନ ପଳାଇ ଯାଉନାହିଁ, ଉଛୁଣି କେତେଦିନ ସଂସ୍କୃତ ପଢ଼ୁ, ତେଣିକି ଦେଖାଯିବ । ସଂସ୍କୃତ ମାଇପାଠ ନୁହେଁ–ଦେବବିଦ୍ୟା ।’’ ବେବର୍ତ୍ତା ଦେଖିଲେ ଜମିଦାରଙ୍କର ପ୍ରତିଜ୍ଞା ଅଟଳ, ସେ ବାଧା ମାନିବ ନାହିଁ; ସୁତରାଂ ପ୍ରଭୁଙ୍କ ପ୍ରସ୍ତାବରେ ସମ୍ମତ ହୋଇ ଆତ୍ମଗୌରବ ଅକ୍ଷତ ରଖିଲେ–ଏହାହିଁ ବିଜ୍ଞୋଚିତ କାର୍ଯ୍ୟ ।

•••

 

ଦ୍ୱିତୀୟ ପରିଚ୍ଛେଦ

 

ସଂସ୍କୃତ ବିଦ୍ୟା ସଙ୍ଗରେ ବେବର୍ତ୍ତାଙ୍କର ବୈରତା ଥିଲାନାହିଁ, ତାହା ଅର୍ଥକାରୀ ନୁହେଁ ବୋଲି ତାକୁ ଭଲ ପାଉ ନ ଥିଲେ । ସେ କହନ୍ତି–‘‘ସଂସ୍କୃତ ଯେଡ଼େ ଜ୍ଞାନକାରୀ ବିଦ୍ୟା ହେଉ ପଛେ, ଜ୍ଞାନରେ କି ପେଟ ପୂରିବ ? ଯେଉଁ ବିଦ୍ୟାରେ ପେଟ ଥଣ୍ଡା ହେବ, ସେହି ବିଦ୍ୟା ପଢ଼ିବା ଉଚିତ । ଉଦର ନ ପୂରିଲେ ଜ୍ଞାନ କାହୁଁ ଆସିବ । ଭାଗବତରେ ଅଛି–‘‘ଯାବତ ନ ପୂରେ ଉଦର, ତେବତ ଜ୍ଞାନ କାହିଁ ମୋର ।’’ ସହସ୍ରେ ଜ୍ଞାନଗର୍ଭ ସଂସ୍କୃତ ଶ୍ଳୋକ ଗିଳିଲେ ତ ଆଉ ପେଟ ପୂରିବ ନାହିଁ । ଏ କାଳରେ ସଂସ୍କୃତ ପଢ଼ିବା ଆଉ ଦାରିଦ୍ର୍ୟକୁ ଆମନ୍ତ୍ରଣ କରିବା ଏକା କଥା । ଦରିଦ୍ର ହୃଦୟ ଯେ ଅନନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ, ଏହା କେହି ମନାକରୁନାହିଁ; ମାତ୍ର ସେ ସୌନ୍ଦର୍ଯ୍ୟର ଗ୍ରାହକ ଜଗତରେ ବିରଳ । ଦାରିଦ୍ର୍ୟ ସକଳ ଶକ୍ତି ନଷ୍ଟ କରିଦିଏ ।’’ ବେବର୍ତ୍ତାଙ୍କର ଏ ମତ ଠିକ୍‌ ହୋଇପାରେ; ମାତ୍ର ଉପସ୍ଥିତ କ୍ଷେତ୍ରରେ ସମୀଚୀନ ନୁହେଁ । ଜମିଦାର ପୁତ୍ର ସଂସ୍କୃତ ପଢ଼ି ଅଧ୍ୟାପନା ବୃତ୍ତି ଧରିବ ନାହିଁ ଯେ-ଗରିବ ହୋଇଯିବ; ସୁତରାଂ ଏହା ତାଙ୍କ ଆପତ୍ତିର କାରଣ ହୋଇ ନ ପାରେ । ଆପତ୍ତିର ଅନ୍ୟ ଗୂଢ଼ କାରଣ ଥିଲା । ଆମ୍ଭେମାନେ ବହୁ ଅନୁସନ୍ଧାନରେ ତାହା ଆବିଷ୍କାର କରିଅଛୁଁ । ବେବର୍ତ୍ତାଙ୍କ ପୁଅ ତାରାନାଥ ଜମିଦାର ପୁତ୍ର ସତ୍ୟଭୂଷଣ ସଙ୍ଗରେ ମାଇନର ପାସ କରିଅଛି । ସତ୍ୟଭୂଷଣ ସହରରେ ରହି ଇଂରାଜୀ ପଢ଼ିଲେ ତାହାପାଇଁ ବସା, ଚାକର, ପୂଜାରୀ ପ୍ରଭୃତିର ବ୍ୟବସ୍ଥା ହୁଅନ୍ତା । ତାରାନାଥ ତାହା ସଙ୍ଗରେ ରହି ବିନା ଖର୍ଚ୍ଚରେ ସେହି ବ୍ୟବସ୍ଥାର ଅଂଶ ଭୋଗ କରନ୍ତା । ଖାଲି ସ୍କୁଲର ଦରମା ଗଣ୍ଡାକ ହାତରୁ ପଡ଼ନ୍ତା; ମାତ୍ର ଆପାତତଃ ସେ ସୁବିଧା ହେଲାନାହିଁ–ସମୟାନ୍ତରେ ହେବାର ଆଶା ରଖି ବେବର୍ତ୍ତା ପଣ୍ଡିତ ନିୟୋଗରେ ମନୋଯୋଗୀ ହେଲେ । ପଣ୍ଡିତ ସକାଶେ ସମ୍ୱାଦ ପତ୍ରରେ ବିଜ୍ଞାପନ ଦିଆଗଲା । ଅନେକ ତର୍କ ବିତର୍କ ବାଦ ପ୍ରତିବାଦ କଟାକଟି ପରେ ଏହିପରି ବିଜ୍ଞାପନ ଲେଖାଗଲା–

 

‘‘ମାସିକ ଆଠଟଙ୍କା ବେତନରେ ଜଣେ କାବ୍ୟତୀର୍ଥ ଉପାଧିଧାରୀ ପଣ୍ଡିତ ଆବଶ୍ୟକ । ପ୍ରାର୍ଥୀ ସଂସ୍କୃତ ବିଦ୍ୟାରେ ଖୁବ୍‌ ପ୍ରବୀଣ ହୋଇଥିବେ, ପୌଢ଼ ହୋଇଥିବେ ଏବଂ ବଳିଷ୍ଠ ହୋଇଥିବେ । ତାଙ୍କର ହସ୍ତାକ୍ଷର ଭଲଥିବ । ଖୋରାକି ଓ ବାସସ୍ଥାନ ସ୍ୱତନ୍ତ୍ର ଦିଆଯିବ ।’’

 

ଏ କଅଣ ପାଠକ ହସିଲେ କାହିଁକି ? ଆପଣ ପରା ମନେ ମନେ ଭାବୁଛନ୍ତି–‘‘ଆଠଟଙ୍କା ଦରମାକୁ ପୁଣି ଏତେ କଟକଣା ! ଆଉ ପଣ୍ଡିତେ ବଳିଷ୍ଠ ହେବେ କାହିଁକି ? ସଂସ୍କୃତ ସଙ୍ଗରେ ଯୁଦ୍ଧ କରିବେ, ନା ଶିଷ୍ୟ ସଙ୍ଗରେ ମାଲ ସାଧିବେ ?’’ ଆପଣ ଯଦି ଏହିପରି ଭାବିଥାଆନ୍ତି, ତେବେ ଭୁଲ୍‌ କରି ଅଛନ୍ତି । ବଳିଷ୍ଠ ହେବାର କାରଣ କଅଣ କି-ସଂସ୍କୃତ ବଡ଼ ଟାଣ ପାଠକୁ ଟାଣ ଗୁରୁ ଦରକାର । ଗୋଟାଏ ଚେମା, ସନ୍ଥିଆ ବା ମଢ଼ିଆ, ଶୁକୁଟା ଲୋକ ହେଲେ ସେ ତ ଅଧେ ଦିନ ରୋଗରେ ମରିବ; ଆଉ ପାଠ ପଢ଼ାଇବ କଅଣ ? ଏହିପରି ଗଭୀର ଗବେଷଣା କରି ଜମିଦାରୀ ମସୁଧାରେ ବିଜ୍ଞାପନ ଲେଖାଯାଇଥିଲା । ଆପଣ ମର୍ମ ନ ବୁଝି ଉପରେ ଉପରେ ଭାସିବୁଲି ପଦେ ଅଖାଡ଼ୁଆ କଥା ହାଣିଦେଲେ ଚଳିବ କିପରି ?

 

ଯଥା ସମୟରେ କେତେଖଣ୍ଡ ଦରଖାସ୍ତ ଆସିଲା । ବେବର୍ତ୍ତା ସେଥିମଧ୍ୟରୁ କେତେଖଣ୍ଡ ବାଛି ଜମିଦାରଙ୍କ ପାଖକୁ ନେଇଗଲେ । ଜମିଦାର ତେତେବେଳେ ସନ୍ଧ୍ୟା ସାରି ମାଳି ଜପୁଥିଲେ । ଅଫିମ ନିଶା ପ୍ରବଳ ଭାବରେ ଘାରି ଆସୁଥାଏ । ମାଳ ଝୁଲି ଥରକୁ ଥର ହାତରୁ ଖସିପଡ଼ୁଥାଏ, ମନ୍ତ୍ରଉଚ୍ଚାରଣ ବିଶୃଙ୍ଖଳ ହୋଇଯାଉଥାଏ । ବେଳେ ବେଳେ ଚେତନା ଆସି ଯାଉଥାଏ, ଜମିଦାର କଞ୍ଜନୟନ ଉନ୍ମୀଳନ କରି ତକିଆଟାକୁ ଘୋଷାରି ଆଣି ତାହା ଉପରେ ହାମୁଡ଼େଇ ପଡ଼ୁଥାଆନ୍ତି । ବାସୁଆ ଭଣ୍ଡାରୀ ସାଆନ୍ତଙ୍କୁ ବାଦସାହୀ ନିଶାରେ ଭୋଳ ହେବାର ଦେଖି ଗୋଡ଼ଘଷା ଛାଡ଼ି ବାହାରକୁ ଆସି ସଟକେ ପିକା ଟାଣି ନେଉଥାଏ । ସାଆନ୍ତେ ଜଡ଼ିତ କଣ୍ଠରେ ‘ବାସୁଆରେ’ ବୋଲି ଡାକିଲେ ଧାଇଁଆସି ଗୋଡ଼ତଳେ ବସିପଡ଼ି ମୁରୁକି ମୁରୁକି ହସି କହେ-‘‘ଆଜ୍ଞା-ମଣିମା, ମୁଁ ଗୋଡ଼ ଘଷୁଛି ପରା ।’’ ଏଠାରେ କହିରଖିବା ଉଚିତ ଯେ, ଜମିଦାରଙ୍କ ଶ୍ୱାସରୋଗ ହେତୁ ସେ ପ୍ରତ୍ୟେହ ଅର୍ଦ୍ଧତୋଳା ଅଫିମର ସଦ୍‌ବ୍ୟବହାର କରନ୍ତି । ବେବର୍ତ୍ତା ଜମିଦାରଙ୍କ ସମ୍ମୁଖରେ ବସି ଦରଖାସ୍ତଗୁଡ଼ିକ ବାହାର କରି କହିଲେ ‘‘ଏହି କେତେଖଣ୍ଡ ଦରଖାସ୍ତ ଆସିଥିଲା ସେଥିମଧ୍ୟରୁ ମୁଁ ଖଣ୍ଡେ ବାଛି ରଖିଛି । ଦରଖାସ୍ତକାରୀଙ୍କର ନାମ-ସ୍ମୃତିଧର କାବ୍ୟତୀର୍ଥ । ସେ ନ୍ୟାୟରେ, ତର୍କରେ ବି ଉପାଧି ପାଇଛନ୍ତି । ତେବେ ଗୋଟାଏ କଥାରେ ଟିକିଏ ସନ୍ଦେହ ହେଉଛି । ତାଙ୍କର ଅକ୍ଷର ଭଲ କି ମନ୍ଦ କିମିତି ଜଣାଯିବ । ନିଜର ଅକ୍ଷର ଭଲ ହୋଇ ନ ଥିଲେ ଅନେକେ ଅନ୍ୟ ହସ୍ତରେ ଦରଖାସ୍ତ ଲେଖାଇ ପଠାନ୍ତି । ଜମିଦାର ତେତେବେଳେ ମର୍ତ୍ତ୍ୟରେ ଥିଲେ ନାହିଁ–ସ୍ୱର୍ଗପୁରରେ ଅପ୍‌ସରୀମାନଙ୍କର ନୃତ୍ୟ ଦେଖୁଥିଲେ । ବେବର୍ତ୍ତାଙ୍କ କଥା ଶୁଣି ହଠାତ୍‌ ସେଠାକୁ ଖସିପଡ଼ି ଅର୍ଦ୍ଧସ୍ପଷ୍ଟ ଅର୍ଦ୍ଧଅସ୍ପଷ୍ଟ ସ୍ୱରରେ କହିଲେ–‘‘ତାଙ୍କୁ ଚିଠି ଲେଖି ଦିଅ, ତାଙ୍କର ଅକ୍ଷର ଭଲ ବୋଲି ସେ ଡାକ୍ତର ସାର୍ଟିଫିକେଟ ଦିଅନ୍ତୁ’’ ବେବର୍ତ୍ତା ଏହା ଶୁଣି ବୁଝିପାରିଲେ ଯେ, ପ୍ରଭୁଙ୍କ ଉପରେ କୃଷ୍ଣଚନ୍ଦ୍ରଙ୍କର ପ୍ରଭାବ ପୂର୍ଣ୍ଣମାତ୍ରାରେ ବିକାଶ ଲାଭ କରିଅଛି; ନଚେତ୍‌ ଭଲ ଅକ୍ଷର ସକାଶେ ଡାକ୍ତର ସାର୍ଟିଫିକେଟର ବ୍ୟବସ୍ଥା ହୋଇ ନ ଥାନ୍ତା । ଜମିଦାର ଅଫିମ ନିଶାରେ ଅନେକ ସମୟରେ ଏହିପରି ଅସମ୍ୱନ୍ଧ ପ୍ରଳାପ କରନ୍ତି । ଦିନେ ଦୋଳିଆ ପାଇକ ଆସି ପଚାରିଲା–‘‘ବେବର୍ତ୍ତା କହିଲେ ଉକୁରା କଚେରୀରୁ ଯେଉଁ ଟଙ୍କା ଆସିଛି, ତାହା କଅଣ ହବ ?’’ ଜମିଦାର ତେତେବେଳେ ଚଉଦଭୁବନ ଦେଖୁଥିଲେ, କହିଲେ–‘‘ମାଛରେ ପକାଇ ଝୋ-ଳ-କ-ର । ପାଇକ ହସି ହସି ଚାଲିଗଲା । ଆଉଦିନେ ସୁଲୀ କେଉଟୁଣୀ ଆସି କାନ୍ଦି କାନ୍ଦି କହିଲା–‘‘ମୋ ପୁଅ, ମାଇପ ବୁଦ୍ଧିରେ ପଡ଼ି ମୋତେ ଘରୁ କାଢ଼ିଦେଲା, ହଜୁର ଏକଥା ବୁଝ । ସେ ରାଣ୍ଡଝିଅ ରାଣ୍ଡ ହାଣ୍ଡିଖାଈ ମୋତେ ଦି’ଆଖିରେ ଦେଖିପାରୁ ନାହିଁ-ଆପେ ଖାଇବ–ବାପଘରକୁ ବୋହିବ, ଆଉ ମୁଁ ତୋରାଣୀ ପିହାଣେ ମାଗିଲେ ‘‘ବାର ଭ୍ରାନ୍ତିରି’’ ଗାଳିଦେବ । ପୁଣି ମୋ ନା’ରେ ଲଗାଇ ଯୋଟାଇ ଘଇତା ଆଗରେ କହିବ । ସେ କୁଢ଼ୀ ମାଇପ ସୁଆଗିଆ କିଛି ନ ବୁଝି ନ ସୁଝି ମୋତେ ତୁହାକୁ ତୁହା ଘରୁ କାଢ଼ିଦବ । ତମକୁ ଜୁହାର ହଉଛି ସାଆନ୍ତେ, ସେ ଅଳ୍ପାୟିଷକୁ ଡକାଇ ମୋର ବାଟ ମୋତେ ନିଆରା କରିଦିଅ-।’’ ଜମିଦାର ତେତେବେଳେ ପ୍ରଭାସ କ୍ଷେତ୍ରରେ ଯଦୁବଂଶୀୟମାନଙ୍କର ଯୁଦ୍ଧ ଦେଖୁଥିଲେ-। ସୁଲୀକୁ କହିଲେ–‘‘ଏଁ, ତୋ ନିଶ କିଏ ଉପାଡ଼ିଲା’’ ନିଶାବେଳେ ଜମିଦାର ଏହିପରି କେଉଁ କଥାରେ କଅଣ କହି ପକାନ୍ତି; ସୁତରାଂ ହସ୍ତାକ୍ଷର ସକାଶେ ଡାକ୍ତର ସାର୍ଟିଫିକେଟର ବ୍ୟବସ୍ଥା ବିଚିତ୍ର ନୁହେଁ । ବେବର୍ତ୍ତା ଆଉ କିଛି ନ କହି ପଣ୍ଡିତ ନିଯୁକ୍ତି ବିଚାର ଅନ୍ୟଦିନକୁ ରଖି ସେଠାରୁ ପ୍ରସ୍ଥାନ କଲେ ।

 

ଜମିଦାରକୁମାର ସତ୍ୟଭୂଷଣ ସୁଶ୍ରୀ, କମକାନ୍ତ ଏବଂ ମିଷ୍ଟଭାଷୀ । ଅଧରରେ ମଧୁରହାସ୍ୟ ସବୁବେଳେ ଲାଗି ରହିଥାଏ । ସତ୍ୟଭୂଷଣ ଖୁବ୍‌ ଖେଳ-କୌତୁକ ପ୍ରିୟ, ଅଧିକାଂଶ ସମୟ ତାହାର ସେହିଥିରେ ଅତିବାହିତ ହୁଏ । ସେ ବଡ଼ ଚୁଙ୍ଗୁଚୁଙ୍ଗୁଆ ଏବଂ ଚଞ୍ଚଳମତି; ମାତ୍ର ଅଭିମାନ, ଆଡ଼ମ୍ୱରଶୂନ୍ୟ । ଜମିଦାର ପୁଅ ବା ଭାବୀ ଜମିଦାର ବୋଲି ତାହାର ଅଣୁମାତ୍ର ଗର୍ବନାହିଁ । ଯେଉଁମାନେ ତାହାର ବନ୍ଧୁ, ସେହିମାନେ ପ୍ରଜା କିନ୍ତୁ ସେ ସେମାନଙ୍କ ସଙ୍ଗରେ ଆନନ୍ଦରେ ମିଳାମିଶା କରେ । ସେମାନଙ୍କ ସଙ୍ଗରେ ବଇଞ୍ଚି ପକାଏ, ଗୁଡ଼ି ଉଡ଼ାଏ, କାମ୍ପା ବସାଇ ବୁଲବୁଲ ପକ୍ଷୀ ଧରେ, ପିଞ୍ଜରା ବୁଣେ ଏବଂ ଆହୁରି ଅନେକ କାର୍ଯ୍ୟକରେ । ଚଗଲାମି ଆଉ ଫେଚକାମିରେ ସେ ଡବଲ ପୁରସ୍କାର ପାଇବାର ଯୋଗ୍ୟ । ସେ କେବେ କାହାର କ୍ଷତି କରେନାହିଁ କିମ୍ୱା କାହାରି ପ୍ରତି ଅସଦ୍‌ବ୍ୟବହାର କରେନାହିଁ–ସବୁବେଳେ ଆନନ୍ଦମୟ; ତାହାର ବୁଦ୍ଧି ଖୁବ୍‍ ପ୍ରଖର; ମାତ୍ର ସେ ପଢ଼ାଶୁଣାରେ ମନ ଦିଏ ନାହିଁ । ସେ ଦାୟିତ୍ୱ ସେ ସତୀର୍ଥମାନଙ୍କୁ ଦେଇ ନିଶ୍ଚିନ୍ତ, ନିର୍ବିକାର ଚିତ୍ତରେ ମନଫୁଲଣା ଗୀତଗାଏ । ଗୋଟାଏ କଠିନ ରୋଗ ତାକୁ ଆକ୍ରମଣ କରିଥିଲା, ତାହା ଆଉ କିଛିନୁହେଁ–ପେଟ କଅଣ ହୁଏ । ସେ ଖାଏନାହିଁ, ପିଏନାହିଁ, କୁଡ଼ି କଚାଡ଼ି ହୁଏ, ନ ହେଲେ ଶୋଇରହେ । ପଚାରିଲେ କହେ-ପେଟ କଅଣ ହେଉଛି । ପେଟ କଅଣ ହୁଏ, ସେ ଜାଣେନାହିଁ, କିନ୍ତୁ କଅଣ ହୁଏ । ଏ ବଡ଼ ବିଷମ ରୋଗ, ବୈଦ୍ୟର ଅସାଧ୍ୟ, ଯେ ହେତୁ ବୈଦ୍ୟଶାସ୍ତ୍ରରେ ସବୁ ରୋଗର ଚିକିତ୍ସା ଅଛି; ମାତ୍ର ପେଟ କଅଣ ହେବା ରୋଗର ଔଷଧ କଥା ଦୂରେଥାଉ, ନାମ ମଧ୍ୟ ନାହିଁ । ଜ୍ୱର, ସର୍ଦ୍ଧି, କାଶ ପ୍ରଭୃତି ବାହ୍ୟିକ ଲକ୍ଷଣରୁ ଚିହ୍ନା ଯାଏ; ମାତ୍ର ପେଟ କଅଣ ହେବାର ବାହ୍ୟିକ ଲକ୍ଷଣ କିଛି ନାହିଁ; ସୁତରାଂ ସେ ଅଚିହ୍ନା ରୋଗ । ସେ ଦୁରନ୍ତ ରୋଗ ଅନ୍ୟ ସମୟରେ ଥାଏନାହିଁ–ପାଠପଢ଼ିବାବେଳେ କେଉଁଠୁ କେଜାଣି ବିଦ୍ୟୁତ୍‌ ଗତିରେ ଧାଇଁ ଆସେ ଏବଂ ସୁକୁମାର ଜମିଦାର ପୁତ୍ରକୁ ମାଡ଼ିବସି କାବୁ କରି ରଖେ । ଅନେକ ନବନୀତ କୋମଳ ପିତୁଳା ଧନୀ ବା ଜମିଦାର ପୁତ୍ରଙ୍କୁ ଏ ଦାରୁଣ ରୋଗ ଆକ୍ରମଣ କରେ । ଏ ରୋଗର ଉପଯୁକ୍ତ ଔଷଧ ଆଜିଯାଏ ଆବିଷ୍କୃତ ହୋଇନାହିଁ । କେହି କେହି କହନ୍ତି ପାଞ୍ଚଣ (ପାଚନ)ଦ୍ୱାରା ଏ ରୋଗ ଭଲ ହୁଏ; ମାତ୍ର ଯେଉଁଠାରେ ପାଞ୍ଚଣର ପ୍ରବେଶଧିକାର ନାହିଁ, ସେଠାରେ ରୋଗ ଅସାଧ୍ୟ ।

 

ଯଥାସମୟରେ ସ୍ମୃତିଧର କାବ୍ୟତୀର୍ଥ ଆସି ଉପସ୍ଥିତ ହେଲେ । ତାଙ୍କୁ ଉପଯୁକ୍ତ ବସା, ସଞ୍ଚା ଦିଆଗଲା । ଲୋକଟି ଉଜ୍ଜ୍ୱଳ ଗୌରକାନ୍ତ, ନ-ସ୍ଥୂଳ ନ-ଖର୍ବକାୟ ମସ୍ତକରେ କୃଷ୍ଣ ଶୁକ୍ଳ ମିଶ୍ରିତ କେଶ ପୌଢ଼ତ୍ୱର ପରିଚୟ ଦେଉଅଛି । ନାସିକା ପ୍ରକାଣ୍ଡ, ପ୍ରତ୍ୟହ ତହିଁକି କୁଣ୍ଡିଏ ନାସ ଲୋଡ଼ାହୁଏ-। ଦକ୍ଷିଣ ହସ୍ତର ତର୍ଜନୀରେ ଯାଉଁଳି ତମ୍ୱା ମୁଦି । ପଣ୍ଡିତେ ଅନୁଚ୍ଚଭାଷୀ, ମାତ୍ର ମୁଖର-। କଥା କହିବାର ଭଙ୍ଗୀରୁ ଗର୍ବ ସହିତ ରସିକତା ଫୁଟିଉଠେ । ବୟୋଧର୍ମ୍ମରେ ଟିକିଏ ଅବସନ୍ନତା ଆସିଗଲାଣି । ଧ୍ୟାନ ପୂଜାଦିର ମାତ୍ରା ମଧ୍ୟ ବଢ଼ି ଉଠିଲାଣି । କାବ୍ୟତୀର୍ଥେ ବିଦ୍ୱାନ୍‌, ଉଚ୍ଚମନା ଏବଂ କ୍ରିୟାନିଷ୍ଠ ବ୍ରାହ୍ମଣ । ଜମିଦାର ଘରେ ତାଙ୍କର ଆଦର ଗୌରବ ଯଥେଷ୍ଟ ହେଲା । ତାଙ୍କୁ ପ୍ରତ୍ୟହ ଯେଉଁ ସଞ୍ଚା ଦିଆଯାଏ, ସେଥିରୁ ଅଧାଅଧି ବଳିପଡ଼େ । ପୂନେଇଁ ପର୍ବରେ ବି ଚାରିପଇସା ତାଙ୍କର ଉପୁରି ଲାଭ ହୁଏ । ପଣ୍ଡିତେ ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ହୋଇରହିଲେ । ସତ୍ୟଭୂଷଣ ତାଙ୍କ ନିକଟରେ ପଢ଼ିବାକୁ ଲାଗିଲା । ଶିଷ୍ୟର ଗୁରୁଭକ୍ତି ଦେଖି ପଣ୍ଡିତଙ୍କର ଆନନ୍ଦର ସୀମା ରହିଲା ନାହିଁ-। ପଣ୍ଡିତଙ୍କର ଯେତେବେଳେ ଯାହା ଆବଶ୍ୟକ, ସତ୍ୟଭୂଷଣ ତାହା ଯୋଗାଇଦିଏ । ନିଜେ ମଧ୍ୟ ନାସ ଘୁଣ୍ଟାଠାରୁ ପରିବା କଟା ପର୍ଯ୍ୟନ୍ତ ଅନେକ କାମ କରେ । ପଣ୍ଡିତେ ଟିକିଏ ଅଧିକ ପରିମାଣରେ ରସନା ଭକ୍ତ । ଛାତ୍ର ତାହା ଜାଣି ଉପାଦେୟ ଷଡ଼ରସର ବ୍ୟବସ୍ଥାରେ ସର୍ବଦା ତତ୍ପର ଥାଏ । ନାନା ପ୍ରକାର ଆଚାର, ନାନା ପ୍ରକାର ବଡ଼ି, ପିଠାପଣା ପ୍ରଭୃତି ପଣ୍ଡିତଙ୍କୁ ଆଣି ଦିଏ । ଜମିଦାର ଘରକୁ ଗାଁ-ଗଣ୍ଡାରୁ ଅନେକ ପଦାର୍ଥ ଆସେ, ସେଥିରେ ପ୍ରଥମ ଭାଗ ପଣ୍ଡିତଙ୍କର । ପଣ୍ଡିତେ ଖଣ୍ଡେ ମଳିଆଲୁଗା ପିନ୍ଧିଥିଲେ ସତ୍ୟଭୂଷଣ ଆଖିରେ ତାହା ସହ୍ୟ ହୁଏନାହିଁ । ସେ କହେ–‘‘ପଣ୍ଡିତ ମହାଶୟ, ଛି ଛି, ଆପଣ ଏହି ଲୁଗା ପିନ୍ଧିଛନ୍ତି ନା ?’’ ତହୁଁ ଯାଇଁ ଘରୁ ମାଣିଆବନ୍ଦୀ ବା ଶାନ୍ତିପୁରୀ ଲୁଗା ଯୋଡ଼ାଏ ଆଣି ପଣ୍ଡିତଙ୍କୁ ଦିଏ । ଏହି ପରିଭାବରେ ପଣ୍ଡିତେ ଶିଷ୍ୟଠାରୁ ଅନେକ ପଦାର୍ଥ ଉପହାର ପାଆନ୍ତି । ସତ୍ୟଭୂଷଣ ସବୁବେଳେ ଗୁରୁପୂଜାରେ ନିଯୁକ୍ତ ଥାଏ; ସୁତରାଂ ବିଦ୍ୟାପୂଜାକୁ ସମୟର ଅଭାବ । କେବେ ଗୋଟାଏ ଦୁଇଟି ଶ୍ଳୋକ ଆବୃତ୍ତି କଲେ ଯଥେଷ୍ଟ । ପଣ୍ଡିତେ ତାହାର ଏ ଭାବ ଦେଖି ମନେମନେ କହିଲେ–‘‘ଟୋକାଟାର ବୁଦ୍ଧି ଭଲ; ମାତ୍ର ପାଠରେ ମନ ନାହିଁ । ତାକୁ ତାଡ଼ନା କଲେ ଫଳ କିଛି ହେବନାହିଁ; ଅଥଚ ମୋର ନିଜର କ୍ଷତି ଯଥେଷ୍ଟ ହେବ । ପଢ଼ିଲେ ପଢ଼ୁ, ନ ପଢ଼ିଲେ ନାହିଁ, ତାହାର ମନ । ଆଉ ଏ ଜାତୀୟ ଜୀବଙ୍କର ତ ଚିରକାଳ ଏହିପରି ସୌଖିନ ପଢ଼ା, ପଢ଼ି ଅବା କଅଣ କରିବେ ? ପେଟ ପୋଷିବା ଲାଗି ଚାକିରି କରିବାକୁ ତ ଯିବେ ନାହିଁ । ଏମାନେ ଜ୍ଞାନର୍ଜନ ପାଇଁ ପାଠପଢ଼ନ୍ତି ନାହିଁ; ଅନ୍ୟାନ୍ୟ ବିଳାସ ବ୍ୟସନ ପରି ପାଠପଢ଼ାକୁ ବି ଗୋଟାଏ ମଉଜ ମଣନ୍ତି; ମାତ୍ର ଯେଉଁ ବିଳାସ ବ୍ୟସନରେ ରସନାହିଁ, ତାହା ଏମାନଙ୍କର ରୁଚିକର ହେବ କିପରି । ବିଦ୍ୟାଶିକ୍ଷା ପରି ଶୁଷ୍କ ବିଷୟରେ କି ଏମାନଙ୍କର ମନ ଲାଗିବ । ନ ଲାଗୁ, ସେଥିରେ ମୋର କ୍ଷତି କଅଣ ? ମୋତେ ତ କେହି ତଣ୍ଡି ବାନ୍ଧି ନେବ ନାହିଁ । ସର୍କାରୀ ଟୋଲ ହୋଇଥିଲେ ହାକିମ ହୁକୁମା ଆସି ପରୀକ୍ଷା କରନ୍ତେ; ମାତ୍ର ଏଠି ତ ସେ ଭୟନାହିଁ-। ଏଠି କେହି ଦେଖୁଛି, ନା ପଚାରୁଛି । ତେବେ ମୋର ଏବେ ଚିନ୍ତା କାହିଁକି ।’’ ପଣ୍ଡିତେ ଏହିପରି ଭାବି ସେବା ପୂଜା ଆହାର ଏବଂ ଦୀର୍ଘ ନିଦ୍ରା ପଦରେ ଆତ୍ମ ସମର୍ପଣ କଲେ । ସତ୍ୟଭୂଷଣକୁ ପ’ବାର ଯୋଗ ଘଟିଲା; ଅତଃପର ତାହାର ପାଠ ଅଚଳ ଗତିରେ ଅଗ୍ରସର ହେବାକୁ ଲାଗିଲା ।

 

ଦେଖୁଁ ଦେଖୁଁ ବର୍ଷେ କାଳ ଅତୀତ ହୋଇଗଲା । ଏଥି ମଧ୍ୟରେ ପଣ୍ଡିତେ ଜମିଦାରଙ୍କର ଦେହଘସିଆ ହୋଇଗଲେଣି । ସେ ପ୍ରତ୍ୟହ ସନ୍ଧ୍ୟା ସମୟରେ ଜମିଦାରଙ୍କ ବୈଠକଖାନାକୁ ଯାଆନ୍ତି । ଲମ୍ବା ଲମ୍ୱା ପଟାହାରିଆ ଆଶୀର୍ବାଦ ଶ୍ଳୋକ ଆବୃତ୍ତି କରି ଜମିଦାରଙ୍କୁ ମୁଗ୍‌ଧ କରିଦିଅନ୍ତି । କଥା ପ୍ରସଙ୍ଗରେ କେତେ ଦାୟିକା ଦୃଷ୍ଟାନ୍ତ, କେତେ ପରିହାସ ଶ୍ଳୋକର ଅବତାରଣା ହୁଏ । ପଣ୍ଡିତେ ଏରୂପେ ସୁନ୍ଦର ଭଙ୍ଗୀରେ ସଜାଇ କଥା କହନ୍ତି ଯେ, ଜମିଦାରେ ହସି ହସି ନାକେଦମ ହୋଇଯାଆନ୍ତି । ସେ ପଣ୍ଡିତଙ୍କ ସଙ୍ଗରେ ବାକ୍ୟାଳାପ କରି ଅତ୍ୟନ୍ତ ଆମୋଦ ଏବଂ ଆନନ୍ଦ ଉପଭୋଗ କରନ୍ତି । ହାସ୍ୟ କୌତୁକରେ ପଣ୍ଡିତେ ଲୀଳା ସୁଆଙ୍ଗର ଦ୍ୱାରୀକୁ ପରାସ୍ତ କରିପାରନ୍ତି । ଜମିଦାରଙ୍କର ପ୍ରିୟ ହେତୁ ସେ ସାଧାରଣର ସମ୍ଭ୍ରାନ୍ତ ପାତ୍ର ହୋଇଉଠିଲେ । ଏଥିରେ ତାଙ୍କର ନିଜଠାରେ ମଧ୍ୟ ନିଜର ଗୌରବ ବହୁଗୁଣ ବଢ଼ି ଉଠିଲା । ଜମିଦାରଙ୍କ ସଙ୍ଗରେ ତାଙ୍କର ଅନେକ କଥା ହୁଏ; ମାତ୍ର ପୁଅର ପଢ଼ାଶୁଣା କଥା ଜମିଦାର କେବେ ହେଲେ ତାଙ୍କୁ ପଚାରନ୍ତି ନାହିଁ, କି ସେ ମଧ୍ୟ ସେ ପ୍ରସଙ୍ଗ ଉତ୍‌ଥାପନ କରନ୍ତି ନାହିଁ ।

 

ବେବର୍ତ୍ତାଙ୍କୁ ସମସ୍ତେ ଭୟ, ଭକ୍ତି କରନ୍ତି; ମାତ୍ର କରନ୍ତି ନାହିଁ–କେବଳ ପଣ୍ଡିତେ । ବେବର୍ତ୍ତା କିଛି କହିଲେ ପଣ୍ଡିତେ ତାଙ୍କୁ ଫାଙ୍କାଡ଼ି ବତେଇ ଦିଅନ୍ତି । କି ଶୁଭ କ୍ଷଣରେ ଦୁହିଙ୍କର ଦେଖା ହୋଇଥିଲା କେଜାଣି ଭେଟ ହେଲାକ୍ଷଣି ଦୁହେଁ ବିତଣ୍ଡାରେ ଲାଗିଯାଆନ୍ତି । ଦିନେ ବେବର୍ତ୍ତା ପଚାରିଲେ–‘‘ହଇକି ହେ ପଣ୍ଡିତେ, ତୁମେ ତ ବର୍ଷେ ହେଲା ରହିଲ, ବାବୁଙ୍କର ସଂସ୍କୃତ ପଢ଼ା କେତେ ହେଲା ?’’ ପଣ୍ଡିତେ ଗୋଟାଏ ସଗର୍ବ ବକ୍ର ଦୃଷ୍ଟି ନିକ୍ଷେପ କରି କହିଲେ-‘‘ଓଃ, ବଥ ନ ବଥଉଣୁ ଆବୁ ବଥେଇଲାଣି । ତୁମକୁ କାହିଁକି ସେ କଥା ଚିନ୍ତା ଲାଗିଛି ହେ ? ତୁମେ ନିଜ ଅରଟ କାନିରେ ତେଲ ଦିଅ ।’’ ବେବର୍ତ୍ତା ଧୀର ଅବିଚଳିତ ସ୍ୱରରେ କହିଲେ–‘‘ମୁଁ ଜମିଦାରଙ୍କର ପ୍ରଧାନ କର୍ମଚାରୀ, ସବୁ ବିଷୟର ତତ୍ତ୍ୱନେବା ମୋର କର୍ତ୍ତବ୍ୟ ।’’ ପଣ୍ଡିତେ ଭିଣି ଭିଣି ହୋଇଉଠି ତାଚ୍ଛଲ୍ୟ ପ୍ରକାଶପୂର୍ବକ କହିଲେ–‘‘ଓଃ, ପ୍ରଧାନ କ-ର୍ମ-ଚା-ରୀ, ନା କ-ର୍ମ-ପା-ଞ୍ଚ ! ଭାରିତ କର୍ତ୍ତବ୍ୟନିଷ୍ଠ, ମୋ ଉପରେ ହୁକୁମ ଚଲାଇବାକୁ ତୁମେ କିଏ ହେ ? ତୁମେ ଯେପରି, ମୁଁ ବି ସେପରି । ମୁଁ ଜମିଦାରଙ୍କର ଅଧିନ–ତୁମର ଅଧୀନ ନୁହେଁ । ଜମିଦାର ମୋତେ ବର୍ତ୍ତନ ଦିଅନ୍ତି, ତୁମର ମୁଁ କିଛି ଖାଏନାହିଁ ଯେ–ଡରିବି ।‘‘ ବେବର୍ତ୍ତା ଦେଖିଲେ ବିଜୟାଭକ୍ତ ପଣ୍ଡିତଙ୍କର ନିଶା ମଗଜକୁ ଉଠିଯାଇ ଅଛି–ନେତ୍ର ମନ୍ଦାରଫୁଲର ରକ୍ତିମା ଧାରଣ କରିଅଛି । ଏ ଅବସ୍ଥାରେ ତାଙ୍କୁ ଆଉ ଅଧିକା କିଛି କହିବା ଭଲ ନୁହେଁ; ସୁତରାଂ ନୀରବରେ ପୃଷ୍ଠଭଙ୍ଗ ଦେଲେ ।

 

ସତ୍ୟଭୂଷଣଙ୍କର ପୁସ୍ତକ, କାଗଜ କଲମ ପ୍ରଭୃତି ଯେତେବେଳେ ଯାହା ଦରକାର, ବେବର୍ତ୍ତାଙ୍କୁ ତାହା ଜଣାଇବା ସକାଶେ ପଣ୍ଡିତଙ୍କ ପ୍ରତି ଜମିଦାରଙ୍କର ଆଦେଶ ଥିଲା । ଉପରୋକ୍ତ ଘଟଣାର କେତେଦିନ ପରେ ବେବର୍ତ୍ତା ପଣ୍ଡିତଙ୍କର ଖଣ୍ଡିଏ ପତ୍ର ପାଇଲେ । ପତ୍ରରେ ଏହିପରି ଲେଖା ଥିଲା-‘‘ଶ୍ରୀଯୁକ୍ତ ବ୍ୟବହର୍ତ୍ତା ମହାଶୟ, ସତ୍ୟ ବାବୁଙ୍କର ଖଣ୍ଡେ ଉପକ୍ରମଣିକା ବ୍ୟାକରଣ ଦରକାର; ଅତଏବ ଅନତିବିଳମ୍ୱେ ତାହା ଅଣାଇଦେବା ସକାଶେ ଏ ପତ୍ରରେ ଜଣାଇବାର ହେଲା-। ଇତି–ଶ୍ରୀସ୍ମୃତିଧର କାବ୍ୟତୀର୍ଥ ।’’ ବେବର୍ତ୍ତା ପତ୍ରଖଣ୍ଡି ଲେଉଟାଲେଉଟି କରି ବାରମ୍ୱାର ପାଠକଲେ, ମାତ୍ର ବ୍ୟବହର୍ତ୍ତା ଶବ୍ଦର ଅର୍ଥ ଗ୍ରହଣ କରିପାରିଲେ ନାହିଁ, ତାଙ୍କ ମନରେ ଘୋର ସନ୍ଦେହ ଜାତହେଲା । ଏହି ସନ୍ଦେହ ଭଞ୍ଜନ ସକାଶେ ସେ ସ୍ଥାନୀୟ ମାଇନର ସ୍କୁଲର ହେଡ଼ପଣ୍ଡିତ ମୁଗୁନି ଶର୍ମାଙ୍କର ଦ୍ୱାରସ୍ଥ ହେଲେ । ମୁଗୁନି ତାଙ୍କର ସଙ୍ଗାତ, ଦୁହିଙ୍କର ଅଭେଦ ପ୍ରୀତି । ଶର୍ମା ବ୍ୟବହର୍ତ୍ତା ଶବ୍ଦର ଅର୍ଥ ବାହାର କରିବାକୁ ବସିଗଲେ । କିଛିକ୍ଷଣ ଚିନ୍ତାକରି କହିଲେ–‘‘ବ୍ୟବହର୍ତ୍ତା ଶବ୍ଦ ହୁ-ଧାତୁରୁ ହୋଇଅଛି, ତହିଁ ପୂର୍ବରେ ବି ଏବଂ ଅବ୍‌ ଦୁଇଟା ଉପସର୍ଗ ଅଛି, ସେ ଧାତୁର ବିଶେଷ ଅର୍ଥ ବୁଝାଇବ । ଅର୍ଥାତ୍‌ ହୁ ଧାତୁର ଅର୍ଥ ହରଣ କରିବା, ବା ଚୋରିକରିବା ଯେ ହରଣ କରେ ସେ ହର୍ତ୍ତା-ଫଳିତାର୍ଥ ଚୋର । ତେଣୁ ବ୍ୟବହର୍ତ୍ତା ଅର୍ଥ–ବିଶେଷ ଚୋର, ଅର୍ଥାତ୍‌ ଅତିଚୋର । ଯାହାକୁ କହନ୍ତି କଟା ଚୋର ।’’ ଏହା ଶୁଣି ବେବର୍ତ୍ତାଙ୍କ ମୁଖ ବର୍ଷଣୋନ୍ମୁଖ ମେଘପରି ଗଭୀର ହୋଇ ଆସିଲା-ନେତ୍ରରେ ରୋଷ ବିଦ୍ୟୁତ ସ୍ଫୁରିତ ହେବାକୁ ଲାଗିଲା–ହୃଦୟରେ ଆହତ ଅଭିମାନର ତୁମୂଳ ତୋଫାନ ବହିଗଲା; ମାତ୍ର ବର୍ଷା ବା ବଜ୍ରପାତ ହେଲା ନାହିଁ । ପଣ୍ଡିତେ ସେଠାରେ ଉପସ୍ଥିତ ଥିଲେ ହୋଇଥାଆନ୍ତା । ବେବର୍ତ୍ତା ଗର୍ଜିଉଠି କହିଲେ–‘‘କଅଣ, ମୋତେ କହିଛି ଚୋର । ବ୍ରାହ୍ମଣ ପିତାପାଣି ଆଉଟାର ଏତେ ହଲକ୍‌ ? ଆଚ୍ଛା, ଯଦି ନ କାଢ଼େ ତେବେ ମୋ’ ନା’ ବଜ୍ରବାହୁ ବେବର୍ତ୍ତା ପଟ୍ଟନାୟକ ନୁହେଁ ।’’ ବେବର୍ତ୍ତାଙ୍କର ଏହି ପ୍ରତିଜ୍ଞା ପୂରଣ ସୁବିଧା ମଧ୍ୟ ଅଳ୍ପଦିନ ମଧ୍ୟରେ ମିଳିଗଲା । କଲେକ୍‌ଟର ସାହେବ ଗସ୍ତରେ ଆସିଲେ । ଜମିଦାର ପୀଡ଼ାର ଛଳନା କରି ତାଙ୍କୁ ଦେଖାଦେଲେ ନାହିଁ । ବେବର୍ତ୍ତା ପରିଚର୍ଯ୍ୟାର ଭାର ଗ୍ରହଣ କରି ସାହେବଙ୍କ ପାଖକୁ ଯାଇଥିଲେ । ସାହେବ ଫେରିଗଲା ପରେ ବେବର୍ତ୍ତା ଆସି ଜମିଦାରଙ୍କୁ କହିଲେ–‘‘ସାହେବ ଭାରି ରାଗିଲେ; କହିଲେ–ତୁମ ଜମିଦାରଙ୍କ ପୁଅ ଇଂରାଜୀ ପଢ଼ୁନାହାନ୍ତି, ଆଇନ କାନୁନ୍‌ ଜାଣିବେ କିପରି-? ଜମିଦାରଙ୍କୁ କହିବ, ତାଙ୍କ ପୁଅଙ୍କୁ ଯଦି ଇଂରାଜୀ ନ ପଢ଼ାନ୍ତି, ତେବେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଜମିଦାର ବୋଲି ସ୍ୱୀକାର କରିବେ ନାହିଁ ।’’ ଏହା ଶୁଣି ଜମିଦାରଙ୍କର ଫାକାସି ଉଡ଼ିଗଲା, ସେ ବେବର୍ତ୍ତାଙ୍କୁ ପଚାରିଲେ–‘‘ତମେ କଅଣ କହିଲ ?’’ ବେବର୍ତ୍ତା କହିଲେ–ମୁଁ କହିଲି–‘‘ନା–ହଜୁର, ଆମ ବାବୁ ଇଂରାଜୀ ପଢ଼ିବେ ! ଆଜି ହେଲା ପନ୍ଦର ତାରିଖ । ଆସନ୍ତାମାସ ପହିଲାରେ ସେ କଲିକତାରେ ପଢ଼ିବେ । ଆମର ସେଠି ଲୋକ ଅଛନ୍ତି, ସେ ତତ୍ତ୍ୱ ନେବେ । ହଜୁର ଆରଥର ଗସ୍ତକୁ ଆସିଲେ ଆମ ବାବୁ ହଜୁରଙ୍କ ସଙ୍ଗରେ ଇଂରାଜୀରେ କଥା କହିବେ । ଏହା ଶୁଣି ସାହେବ ଭାରି ଖୁସିହୋଇ ହସିଲେ ।’’ ଜମିଦାର ଏହାଶୁଣି ବେବର୍ତ୍ତାଙ୍କୁ କୁଣ୍ଢାଇ ପକାଇ କହିଲେ–‘‘ଖୁବ୍‌ ବୁଦ୍ଧି କରିଛ, ସାବାସ୍‌, ନ ହେଲେ କି ବେବର୍ତ୍ତା । ହେଉ, ସଂକ୍ରାନ୍ତି ପାଖରୁ ପଣ୍ଡିତଙ୍କୁ ଯବାବ ଦେଇ ସତ୍ୟକୁ କଲିକତା ପଠାଇବାର ବ୍ୟବସ୍ଥା କର ।’ ବେବର୍ତ୍ତା ଯେ ଆଜ୍ଞା କହି ଆନନ୍ଦରେ ପ୍ରସ୍ଥାନ କଲେ । ହତଭାଗ୍ୟ ପଣ୍ଡିତ ସାଧୁଭାଷା ପ୍ରୟୋଗ କରି ଚାକିରି ଖଣ୍ଡି ହରାଇ ବସିଲେ ।

•••

 

ତୃତୀୟ ପରିଚ୍ଛେଦ

 

ମନୁଷ୍ୟର ପରମାୟୁ ସ୍ୱଳ୍ପ; ସେଥିରୁ ନିଦ୍ରାଅଧେ ପାନ କରେ–ଆଳସ୍ୟରେ କିଛି ଯାଏ–ବିଶ୍ରାମରେ କିଛି ଯାଏ, ଆଉ କେତେଟା ଦିନ ମାତ୍ର ସେ ସଂସାରରେ ବଞ୍ଚିରହେ । ଏଥିରେ ପୁଣି ପରସ୍ପର ପ୍ରତି ଏତେ ଅହନ୍ତା, ମନୁଷ୍ୟ ଚିରାୟୁ ହୋଇଥିଲେ କି ନୁହନ୍ତା ? ବେବର୍ତ୍ତା ପଣ୍ଡିତଙ୍କୁ କୌଶଳରେ କାଢ଼ିଲେ, ତାଙ୍କର ସାଧୁ ଶବ୍ଦ ବି ତାଙ୍କୁ କାଳ ହେଲା । ସେ ଅପାତ୍ରରେ ପଣ୍ଡିତପଣ ଦେଖାଇବାକୁ ଗଲେ କାହିଁକି ? ଶବ୍ଦ-ବ୍ରହ୍ମ, ତାହାର ଅପବ୍ୟବହାର କଲେ; ସୁତରାଂ ଅପମାନ କଲେ । ହାତେ ହାତେ ଫଳ ପାଇଲେ । ପଣ୍ଡିତ ହୋଇ ସେ କଅଣ ଜାଣନ୍ତି ନାହିଁ–‘‘ଶାକ, ଶାଳ୍ମଳୀ ବକାରଣ’’ ଯୋଗେ ପ୍ରତିଭା-ପ୍ରଭାକର ମହାକବି କାଳିଦାସଙ୍କର କି ଦୁର୍ଗତି ହୋଇଥିଲା । ସେ ଯାହାହେଉ ବେବର୍ତ୍ତାଙ୍କର ଗୋଟିଏ ଜୟପତାକା ଉଡ଼ିଲା । କର୍ମଚାରୀମାନଙ୍କ ନାମରେ ଜମିଦାରଙ୍କ ପାଖରେ ପଦେ ଅଧେ କହିବା ପଣ୍ଡିତଙ୍କର ଗୋଟାଏ ରୋଗ ଥିଲା, ସେଥିଲାଗି କେହି କେହି ତାଙ୍କ ପ୍ରତି ପ୍ରସନ୍ନ ନ ଥିଲେ; ଏବେ ସେମାନେ ବେବର୍ତ୍ତାଙ୍କୁ ଧନ୍ୟବାଦ ନ ଦେଇ ରହିପାରିଲେ ନାହିଁ । ବେବର୍ତ୍ତାଙ୍କର ବୈର ନିର୍ଯ୍ୟାତନ ହେଲା । ବିନା ଖର୍ଚ୍ଚରେ ପୁଅକୁ ପଢ଼ାଇବାର ଆଶା ମଧ୍ୟ ସଫଳ ହେଲା । ଏକ ଢେଲାରେ ଦୁଇପକ୍ଷୀ ଶୀକାର ଲାଭ ସାମାନ୍ୟ ନୁହେଁ । ତାଙ୍କର ମୁଖ ସାଫଲ୍ୟଗୌରବରେ ଉଜ୍ଜ୍ୱଳ ଦିଶିଲା, ସହକର୍ମୀଙ୍କଠାରୁ ଧନ୍ୟବାଦ ପାଇ ଅଧରରେ ହାସ୍ୟରେଖା ମୃଦୁ ମୃଦୁ ଖେଳିବାକୁ ଲାଗିଲା । ସେ ହାସ୍ୟ ବଡ଼ ସୁନ୍ଦର, ବୃଷ୍ଟିଧୌତ ସଜଳ ପ୍ରକୃତି ସୂର୍ଯ୍ୟକିରଣରେ ହସିଉଠିଲେ ଏହିପରି ସୁନ୍ଦର ଦିଶେ ।

 

ବେବର୍ତ୍ତାଙ୍କର ଆନନ୍ଦର ସୀମାନାହିଁ, ଉଦ୍ଦେଶ୍ୟ ତରୁ ଫଳବାନ୍‌ ହେଲେ କିଏବା ଆନନ୍ଦ ଲାଭ ନ କରେ ? ସେ ବିରାଟ ଉତ୍ସାହରେ ଆୟୋଜନରେ ଲାଗିପଡ଼ି ଅଛନ୍ତି । ଜମିଦାର ପୁଅ କଲିକତାରେ ରହି ପଢ଼ିବ, ତାହା ସଙ୍ଗରେ ଚାକର କିଏ ଯିବ–ପୂଜାରୀ କିଏ ଯିବ, କି କି ଲୁଗାପଟା, ବାସନ ବିଛଣା ଇତ୍ୟାଦି ଯିବ ଏହି ସବୁ ବ୍ୟବସ୍ଥାରେ ସେ ମହାବ୍ୟସ୍ତ । ସଙ୍ଗରେ ଯେଉଁ ଲୋକେ ଯିବେ ସେମାନେ ବି ଆନନ୍ଦିତ । ଜମିଦାର ପୁଅ ସଙ୍ଗରେ ରହିବେ–ହାଟ ବଜାର ଖର୍ଚ୍ଚରୁ ଚାରି ପଇସା ବଞ୍ଚାଇ ‘‘ଉପୁରି’’ ରୋଜଗାର କରିବେ ସୁତରାଂ ଖୁସି ହେବା ସ୍ୱାଭାବିକ । ଆଉ ସବୁଠାରୁ ଆନନ୍ଦିତ ସତ୍ୟଭୂଷଣ, ତାକୁ ନିଶ୍ୱାସ ମାରିବାକୁ ଅବସର ନାହିଁ । ଯାହାକୁ ଦେଖୁଛି, ତାକୁ କହୁଛି–ମୁଁ କଲିକତା ଯିବି ।’’ ଗାଁରେ ବୁଲି ବନ୍ଧୁମାନଙ୍କୁ ଖୋଜି ଖୋଜି ସେ ଏହି ଆନନ୍ଦ ସମ୍ୱାଦ ବିତରଣ କରୁଅଛି । ପାଠ ନାମ ଶୁଣିଲେ ଯାହାକୁ ବିଷମଜ୍ୱର ମାଡ଼ିବସେ ତାହାର ଏ ଆନନ୍ଦ କାହିଁକି ? କଲିକତା ସହର ଦେଖିବ, ବୁଲିବ, ମଉଜ କରିବ, ଏହାହିଁ ତାହାର ଆନନ୍ଦର କାରଣ । ସତ୍ୟଭୂଷଣ ଯାଇ ନିଜର ଜନନୀକୁ ଏ ଶୁଭ ସମ୍ୱାଦ ଜଣାଇଲା । ଜମିଦାର ଗୃହିଣୀ ବୃନ୍ଦାବତୀ ପୁଅର କଥା ଶୁଣି ତାଟକା ହୋଇ କହିଲେ–‘‘ବାୟାଟା କଅଣ କହୁଛୁରେ, କଲିକତାରେ ରହି ପାଠପଢ଼ିବୁ ? ଦୂର ସାହାସିଆଟା ।’’ ସତ୍ୟଭୂଷଣ କହିଲା-‘‘ହଁ-ମା, ମିଛ ନୁହେଁ–ମୁଁ କଲିକତାରେ ପଢ଼ିବି, ସବୁ ଠିକ୍‌ ହେଲାଣି । ମୋ କଥା ମିଛ ହେଲେ ତୁ ବାବାଙ୍କୁ ପଚାରିବୁ ।’’ ସତ୍ୟଭୂଷଣ ଏତିକିମାତ୍ର କହି ଘରର ଅନ୍ୟ ସମସ୍ତଙ୍କୁ ଏକଥା କହିବା ସକାଶେ ଚଞ୍ଚଳ ଗତିରେ ଅନ୍ୟତ୍ର ଚାଲିଗଲା । ବୃନ୍ଦାବତୀଙ୍କର ମନ ଗୋଳାଇ ଘାଣ୍ଟି ହେଲା, ସେ ମନେ ମନେ ଭାବିଲେ–‘‘ସତେ କଣ ପୁଅ କଲିକତା ଯିବ, ସେଠି କି ପାଠପଢ଼ିବ, କେଜାଣି ତା ବାପ ତ ଏକବୁଝା, ଯାହା ବୁଝିଥିବେ ସେଇଆ, ଆଉ କାହା କଥା ରହିବ ନା କିଏ କହିବ ।’’ ଏହି ସମୟରେ ପଞ୍ଚୁଆ ଭଣ୍ଡାରୀ ଆସି କହିଲା, ‘‘ଶୁଣିଲଣି ମା ସାଆନ୍ତାଣିଏ, ବାବୁ କଲିକତାରେ ରହି ପଢ଼ିବେ, ସାଙ୍ଗରେ ମୁଁ ଯିବି, ଆଉ ବେଙ୍ଗୀ ବ୍ରାହ୍ମଣ ପୂଜାରୀ ହୋଇ ଯିବ । ବେବର୍ତ୍ତା କହିଲେ କହିଲେ ମୁଁ ଆଜି ଘରକୁ ଯାଇ ମୋ ମା ଭାଇଙ୍କି କହିଆସିବି, କାଲି କଲିକତା ଯିବାକୁ ହେବ ।’’ ବୃନ୍ଦାବତୀଙ୍କ ମୁହଁ ଶୁଖିଗଲା, ତାଙ୍କ ତୁଣ୍ଡରୁ କଥା ବାହାରିଲା ନାହିଁ, ସେ କେତେବେଳେ ଯାଏ କଅଣ ଭାବି ପଞ୍ଚୁଆକୁ କହିଲେ-‘‘ପଞ୍ଚୁ, ତୁ ବେବର୍ତ୍ତାଙ୍କୁ ମୋ ପାଖକୁ ଡାକି ଆଣ ।’’ ପଞ୍ଚୁଆ ଆଦେଶ ପାଳନ କରିବାକୁ ଗଲା । ବଜ୍ରବାହୁ ବେବର୍ତ୍ତା ବୃନ୍ଦାବତୀଙ୍କର ଧର୍ମପୁଅ, ସେ ତାଙ୍କୁ ଲଜ୍ଜା କରନ୍ତି ନାହିଁ ।

 

ଦଣ୍ଡକ ପରେ ବେବର୍ତ୍ତା ଆସି ଭୂମିରେ ମୁଣ୍ଡ ଲଗାଇ ବୃନ୍ଦାବତୀଙ୍କୁ ଦଣ୍ଡବତ କଲେ । ବୃନ୍ଦାବତୀ ତାଙ୍କୁ ଆଶୀର୍ବାଦ କରି ବସିବାକୁ କହିଲେ–ପଞ୍ଚୁଆ ଖଣ୍ଡେ କମ୍ୱଳ ଆଣି ଆଗରୁ ବିଛାଇ ଦେଇଥିଲା । ବେବର୍ତ୍ତା ସେଥିରେ ବସିଲା ପରେ ଜମିଦାର ଗୃହିଣୀ ପଚାରିଲେ–‘‘ସତ୍ୟର କଲିକତା ଯିବାର କଥା କଅଣ ବାପ, ତମେ ତ ଜାଣିଥିବ ? ଶୁଣିଲାବେଳୁ ମୋ ପେଟ ହାଲୁ ହାଲୁ ହେଉଚି-।’’

 

ବେବର୍ତ୍ତା–ହଁ ମା, ସେ କଲିକତାରେ ଇଂରାଜୀ ପଢ଼ିବେ ।

ବୃନ୍ଦାବତୀ–କି, ସେ ତ ଇଂରାଜୀ ପଢ଼ିଛି, ଆଉ ବେଶି ନ ପଢ଼ିଲେ କଅଣ ହେବ ।

 

ବେବର୍ତ୍ତା–ବେଶି ନ ପଢ଼ିଲେ ସାଇବସୁଉବାଙ୍କ ସଙ୍ଗରେ କଥା କହିବେ କିମିତି, ଇଂରାଜୀ ଆଇନ ବହି ପଢ଼ି ବୁଝିବେ କେମିତି ? ଜମିଦାର ପୁଅ, ଜମିଦାରୀ ସମ୍ଭାଳିବେ ତ ।

 

ବୃନ୍ଦାବତୀ–ତମ ମଉସା ତ ଇଂରାଜୀ ପଢ଼ି ନାହାନ୍ତି କି ତମେ ବି ତ ପଢ଼ିନାହଁ, ଫେର ଜମିଦାରୀ ଚଳଉଚ କେମିତି ? ନା, ବାପ ତମେ ସେ କଥା ବନ୍ଦ କର । ଅଠର ବର୍ଷର ଅଣ୍ଡା ଖଣ୍ଡକ, ସେ ଯାଇ ବିଦେଶରେ ରହିବ, ମୁଁ ଭଲା କେମିତି ଦିହ ଧରି ରହିବି ?

 

ବେବର୍ତ୍ତା ମୃଦୁ ହସି ମନେ ମନେ କହିଲେ–‘‘ହାୟରେ ଅବୋଧ ମାତୃହୃଦୟ, ସରଳତା, କୋମଳତା ଆଉ ସ୍ନେହକୁ ଛାଙ୍କି ବିଧାତା ତୋତେ ନିର୍ମାଣ କରିଛି । ଅଠର ବର୍ଷର ପୁଅ ହେଲା–ଅଣ୍ଡା, ଆଉ କେତେ ବର୍ଷର ହେଲେ ଭେଣ୍ଡା ହେବ–ସତୁରି, ନା ଅଶୀ । ମା ଆଖିରେ ପୁଅ ସବୁଦିନେ ଶିଶୁ ।’’ ଅନନ୍ତର ବେବର୍ତ୍ତା କହିଲେ–‘‘କଅଣ କରାଯିବ ମା, ବାବୁଙ୍କୁ କଲିକତା ପଠାଇବାକୁ ମଉସା ସାଆନ୍ତଙ୍କର ଇଚ୍ଛା ନୁହେଁ କି ମୋର ବି ଇଚ୍ଛା ନୁହେଁ । କିଲଟର ସାହେବ କହିଲେ, ଆମେ କଅଣ କରିବୁଁ ।’’

 

ବୃନ୍ଦାବତୀ–ତମେ ଯାଇ ସାଇବଙ୍କୁ କହିଲେ କଅଣ ସେ ମାନନ୍ତେ ନାହିଁ ?

ବେବର୍ତ୍ତା–ସେ ଜିଲାର ହାକିମ, ମୁଁ ବା କିଏ ଯେ ମୋ କଥା ସେ ମାନିବେ ?

 

ବୃନ୍ଦାବତୀ–ଆଚ୍ଛା, ଗୋଟିଏ କଥା କଲେ ହୁଅନ୍ତା ନାହିଁ । ହାକିମଙ୍କ ତଳେ ତ ଅର୍ଦ୍ଦଳି ହାକିମ ଥିବ । ତା ହାତରେ ମାହାର୍ଦ୍ଦ କୁଥୁଳି ଦେଇ ଆଉ କିଛି ପାନ ଖାଇବାକୁ ଯାଚି ଯେବେ ତାକୁ କହନ୍ତ, ସେ ଯାଇ ସାଇବଙ୍କୁ ବୁଝାଇ କହନ୍ତା–‘‘ଆପଣ ହଜୁର, ତା ମାର ସେ ଗୋଟିକ ପୁଅ, ସେ ହାତରେ ଖାଇ ଜାଣିନାହିଁ, ତାକୁ ନ ଦେଖିଲେ ତା ମା-ର ଆଖି ଫୁଟିଯିବ, ସେ କାନ୍ଦି କାନ୍ଦି ମରିଯିବ-।’’ ତେବେ କଅଣ ସାଇବ ଦୟା ବହନ୍ତେ ନାହିଁ ? ତାଙ୍କର ତ ପୁଣି ପୁଅ ଝିଅ ଥିବ, କିଏ ଗୋରୁ ଚରେଇଲେ ସେ ମଣିଷ ଚରଉଚନ୍ତି । ଏହା କଅଣ ସେ ବୁଝନ୍ତେ ନାହିଁ ? ମୋର ତ ମନ ଡାକୁଛି, ସେ କହନ୍ତେ–‘‘ନା ସେ ପିଲା ତା ମାକୁ ଛାଡ଼ି କୁଆଡ଼େ ଯିବ ନାହିଁ ।’’ ତମେ ସେହି ଅର୍ଦ୍ଦଳି ବାବୁକୁ ଧରି ଏତିକି କର ବାପ, ଯେତେ ଟଙ୍କା ଖର୍ଚ୍ଚ ହେବ ମୁଁ ଦେବି, ତମ ମଉସା ସାଆନ୍ତେ ତାହା ଜାଣିବେ ନାହିଁ । ମୋ ରାଣତି ବାପ ମୋ ମୁଣ୍ଡ ଖାଇବ, ତମ ଶାଶୁ ଶଶୁର ରାଣ ।

 

ବେବର୍ତ୍ତା–ନା ମା, ତାହା ହୋଇ ପାରିବ ନାହିଁ, ହାକିମ ଯାଏ, ହୁକୁମ ଯାଏ ନାହିଁ; ଯେତେ ଚେଷ୍ଟା କଲେ ବି ସାହେବଙ୍କର ହୁକୁମ ବଦଳିବ ନାହିଁ । ଆଉ ତମେ ଏଡ଼େ ଛାନିଆ କାହିଁକି ହେଉଛ ମା ? ବାବୁ ଏକୁଟିଆ ଯିବେ ନାହିଁ, ଆମ ତାରାନାଥ ଯିବ, ଆଉ ବି କେହି ଯାଇ ପାରନ୍ତି ତାହା ଠିକ୍‌ ହୋଇନାହିଁ । ସମସ୍ତେ ଏକ ସଙ୍ଗରେ ରହି ପଢ଼ିବେ, ପୂଜାରି ଚାକର ଥିବେ, ଆଉ ଭୟ କଅଣ ? ଆମର ଏଠୁ ଆଠଦିନକୁ ଆଠଦିନ ଲୋକ ଯାଇ ଦେଖି ଆସିବେ, ଇସ୍କୁଲ ପୂନେଇ ପର୍ବକୁ ଛୁଟି ହେଲେ ଘରକୁ ଚାଲିଆସିବେ; ତମେ କିଛି ଚିନ୍ତା କରନାହିଁ ମା’ । ସବୁଦିନେ ତ କଲିକତାରେ ରହିବେ ନାହିଁ; ବର୍ଷେ କି ଦିବର୍ଷ । ଠାକୁରଙ୍କ ଦୟାରୁ ଦେଖୁଁ ଦେଖୁଁ କାଲି କି ପହରି ଦିଟାବର୍ଷ କଟିଯିବ । ବେବର୍ତ୍ତା ଏହିପରି ନାନା କଥା କହି ବୃନ୍ଦାବତୀଙ୍କୁ ପ୍ରବୋଧ ଦେଇ ସେଠାରୁ ପ୍ରସ୍ଥାନ କଲେ ।

 

ସାଧାରଣ ହିନ୍ଦୁ ରମଣୀମାନେ ସ୍ୱାମୀଙ୍କୁ ଯେପରି ଭୟ କରନ୍ତି ବୃନ୍ଦାବତୀ ମଧ୍ୟ ସେହିପରି କରନ୍ତି । ଦୋଷ କେବଳ ଏତିକି ଯେ ସ୍ୱାମୀଙ୍କର ଅନେକ କଥାର ସେ ସଦ୍ୟ ପ୍ରତିବାଦ କରନ୍ତି; କିନ୍ତୁ ବୁଦ୍ଧିମତୀ ସ୍ତ୍ରୀମାନେ ତାହା କରନ୍ତି ନାହିଁ । ସ୍ୱାମୀଙ୍କର ଭୁଲଭ୍ରାନ୍ତି ସେମାନେ ସମୟାନ୍ତରରେ ସଂଶୋଧନ କରନ୍ତି । ସେମାନେ ଜାଣନ୍ତି–କଠୋର ପ୍ରକୃତିକୁ କଠୋର ପ୍ରକୃତିଦ୍ୱାରା ଶାସନ କରିହୁଏ ନାହିଁ । କଠୋର ପ୍ରକୃତି କୋମଳ ପ୍ରକୃତିଦ୍ୱାରା ଶାସିତ ହୁଏ । ଯେଉଁଠାରେ ପୁରୁଷର କଠୋର ପ୍ରକୃତିରେ ନାରୀର କଠୋର ପ୍ରକୃତି ପ୍ରତିଯୋଗୀ ହୋଇଉଠେ, ସେଠାରେ ଫଳ ବିଷମୟ ହୁଏ । ଅନେକ ନାରୀଙ୍କର ସ୍ୱଜାତିସୁଲଭ କୋମଳ ସ୍ୱଭାବ ଦାମ୍ଭିକତା ଏବଂ ସହବାସ ପ୍ରଭୃତି ଦୋଷରେ କଠୋର ହୋଇଉଠେ । ଯେଉଁ ଗୃହରେ ଏଥିର ଦୃଷ୍ଟାନ୍ତ ମିଳେ, ସେ ଗୃହ ଅରଣ୍ୟଠାରୁ ଭୟଙ୍କର । ଅନ୍ତର୍ଯ୍ୟାମୀ ରାୟ ଜମିଦାର, ବୃନ୍ଦବତୀ ମଧ୍ୟ ଜଣେ ଜମିଦାରର କନ୍ୟା, ଅଧିକନ୍ତୁ ତାଙ୍କର ପିତା ସମସ୍ତ ଜମିଦାରୀ ନାତିକୁ ଦାନ କରିଅଛନ୍ତି । ସେ ଜମିଦାରୀର ଆୟ ଆନ୍ତର୍ଯ୍ୟାମୀ ରାୟଙ୍କ ଜମିଦାରୀର ଆୟ ଅପେକ୍ଷା ଅଧିକ । ଏହି ହେତୁ ବୃନ୍ଦବତୀଙ୍କର ଟିକିଏ ଦାମ୍ଭିକତା ଥାଏ; ମାତ୍ର ସେଥିଲାଗି ସେ ସ୍ୱାମୀଙ୍କର ଅବାଧ୍ୟ ହୁଅନ୍ତି ନାହିଁ କିମ୍ୱା ତାକୁ ହତାଦାର କରନ୍ତି ନାହିଁ । ଅନ୍ତର୍ଯ୍ୟାମୀ ମଧ୍ୟ ସହଧର୍ମ୍ମିଣୀଙ୍କର ଏହି ସକାରଣ ଦର୍ପଟିକ ସହଜରେ ଜୀର୍ଣ୍ଣ କରି ନିଅନ୍ତି; ସୁତରାଂ ଦୁହିଁଙ୍କ ମଧ୍ୟରେ ଅବନି ଘଟେ ନାହିଁ । ଜମିଦାର କଚେରୀ କାମ ସାରି ଅନ୍ତଃପୁରକୁ ବିଜେ କଲେ । ବୃନ୍ଦାବତୀ ତାଙ୍କର ଆହାରାଦି ପରିଚର୍ଯ୍ୟାରେ ଲାଗିଗଲେ । ଭୋଜନାନ୍ତେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ପରିହାସ, ଗାର୍ହସ୍ଥ୍ୟ ଇତିହାସ ପ୍ରଭୃତି ନାନାକଥା ହେଲା । ତହିଁପରେ ବୃନ୍ଦାବତୀ ପଚାରିଲେ–‘‘ସତେ କଅଣ ପୁଅ କଲିକତା ପଢ଼ିବାକୁ ଯିବ ?’’

 

ସ୍ୱାମୀ–ହଁ, ସେହିପରି ବନ୍ଦୋବସ୍ତ କରିଛି । ଘର ନ ଛାଡ଼ିଲେ ତାହାର ପାଠ ହେବନାହିଁ, ଏଠି ବାର ଲୋକଙ୍କ ସାଙ୍ଗରେ ପଡ଼ି କୁଆଳିଆ ହୋଇ ବୁଲିଲା । ଆଜି ସେହି କଥା ମୁଁ ତୁମକୁ କହିଥାଆନ୍ତି, ତୁମେ ତ ଆଗରୁ ଶୁଣିସାରିଲଣି ।

 

ସ୍ତ୍ରୀ–କି, ପାଠ ତାହାର କଣ ହେବ ?

 

ସ୍ୱାମୀ–ଆଚ୍ଛା କଥା ପଚାରିଲ ସତ୍ୟ ମା, ପାଠ କଅଣ ହୁଏ ? ରାନ୍ଧିବାଢ଼ି ଖାଆନ୍ତି ପରା-!

 

ସ୍ତ୍ରୀ–ନା ରାନ୍ଧିବାଢ଼ି ନ ଖାଆନ୍ତୁ ପଛେ ବିକି ଭାଙ୍ଗି ଖାଆନ୍ତି । ମୋ ପୁଅ ତ ଚାକିରୀ କରି ପେଟ ପୋଷିବ ନାହିଁ, ତେବେ ତାର ପାଠ କଅଣ ହେବ ?

 

ସ୍ୱାମୀ–ନ ପଢ଼ିଲେ ଜମିଦାରୀ ବୁଝିବ କିପରି ?

 

ସ୍ତ୍ରୀ–ଇଂରାଜି ପାଠ ନ ପଢ଼ିଲେ କଅଣ ଜମିଦାରୀ ବୁଝି ହୁଏନାହିଁ ? ମୋ ଶଶୁର ଗୋସାଇଁ ଶଶୁର, କେହି ତ ସେ ପାଠ ପଢ଼ି ନ ଥିଲେ; ସେମାନେ ଜମିଦାରୀ ବୁଝୁଥିଲେ କିମିତି ? ଆଉ ତୁମେ ବି ତ ଇଂରେଜି ପଢ଼ିନାହଁ, ତୁମ ଜମିଦାରୀ କଣ ଆଉ କିଏ ବୁଝୁଛି ?

 

ସ୍ୱାମୀ–ଆମକଥା ଛାଡ଼, ଆମେ ତ ଠାସକରେ ମାରି ନେଇପାରୁ । ଏ କାଳର ପିଲେ କି ଆମପରି ଚାଲଖ ଚତୁର ହେବେ ? ଆମେ ଇଂରେଜି ନ ପଢ଼ିଲେ କଅଣ ହେଲା, ସାହେବସୁଉବାଙ୍କ ସଙ୍ଗରେ ହିନ୍ଦୀରେ କଥାବର୍ତ୍ତା କରୁଁ, ଏକାଳିକା ପିଲାଙ୍କର ହିନ୍ଦୀରେ ତୁଣ୍ଡ ଲେଉଟିବ ନା ? ବିଦେଶ ଗଲେ ଆଖି ଫିଟିଯିବ, କେତେକଥା ଦେଖିବ, ଶିଖିବ, ଆଉ ଘର କୋଣରେ ବସିରହିଲେ କଅଣ ହେବ ?

 

ସ୍ତ୍ରୀ–ଯା ହଉ, ମୁଁ ମୋ ପୁଅକୁ କେବେ କେଉଁଠିକି ଛାଡ଼ିବି ନାହିଁ । ଦୁଧ ଟିକିଏ ଶୀତଳ ହୋଇଗଲେ ସେ ଛୁଏଁ ନାହିଁ–ସାଙ୍ଗେ ସାଙ୍ଗେ ଦହି ବୁଲା ଯିବ, ନହୁଣୀ ବାହାରିବ, ମରାଯିବ, ତେବେ ଯାଇଁ ଘିଅଟିକ ସେ ଖାଇବ । ମହନଭୋଗଟିକ ଅଠା ଅଠା ହେବ ନାହିଁ–ଖୁବ୍‌ ଝୁର୍‌ ଝୁର୍‌ ହେବ, ମିଠା ଟିକିଏ ବେଶି ହବ, ମାଛ ଖୁବ୍‍ କଡ଼୍‍ କଡ଼୍‍ ହୋଇ ଭଜା ହୋଇଥିବ, ସେଥିରେ କଣ୍ଟା ନ ଥିବ, ତେବେ ବକଟେ ଖଣ୍ଡେ ଖାଇବ । ତାକୁ ଏତେ ଭାନ୍ତିରି କିଏ କରିଦେବ । ତା ମନ କିଏ ଜାଣିବ, ଖାଇବା ପିଇବା କିଏ ଦେଖିବ । ନା ନା, ଯିବ ତ ଯିବ, ଉଛୁଣି ଏତେ ତରତର କାହିଁକି ? ଆଉ ପାଞ୍ଚବର୍ଷ ଯାଉ, ଦଶବର୍ଷ ଯାଉ, ଏବେ ତ ଜମାରୁ ଅଠରବର୍ଷର ଛୁଆଖଣ୍ଡେ, କଅଣ ବୁଢ଼ା ହୋଇଗଲାଣି ନା ହଡ଼ା ହୋଇଗଲାଣି; ତାହାର କଅଣ ପଢ଼ିବା ବେଳ ଗଡ଼ି ଗଲାଣି ? ଯମଧର୍ମ ବଞ୍ଚାଇ ରଖିଥିଲେ ନ ପଢ଼ି କୁଆଡ଼େ ଯିବ ?

 

ସ୍ୱାମୀ–ତୁମେ ଏତେ ଅସ୍ଥିର ହୁଅନାହିଁ । ତାହାଠାରୁ ସାନ ପିଲାମାନେ ବିଦେଶରେ ରହି ପଢ଼ୁଛନ୍ତି, ମୁଁ ସବୁ ଠିକ୍‌ କରିଦେବି, କିଛି ଅଭାବ ହେବନାହିଁ, ତୁମେ ଚିନ୍ତା କରନାହିଁ ।

 

ସ୍ତ୍ରୀ–ମୁଁ ତେବେ ସାଙ୍ଗରେ ଯାଏଁ ?

 

ସ୍ୱାମୀ–ତାହା କି ହୁଏ, ରାୟ ବଂଶର ବୋହୂମାନେ ଚୌକାଠ ବନ୍ଧ ଡେଇଁ ପଦାକୁ ବାହାରି ନାହାନ୍ତି । ବୁଢ଼ୀ ହୋଇ ମରିଛନ୍ତି–ବାପଘର ସୁଦ୍ଧା ଦେଖି ନାହାନ୍ତି । ତୁମେ ଘରୁ ଗୋଡ଼ କାଢ଼ିଲେ ଯେ ଏ ବଂଶର ଶିରଶ୍ଛେଦ ହୋଇଯିବ । ଆଉ ତୁମେ ଯାଇ ବା ଅଧିକ କଅଣ କରିବ ? ପୂଜାରି, ଚାକର ଯିବେ, ବେବର୍ତ୍ତାଙ୍କ ପୁଅ ତାରା ଯିବ, ସେମାନେ କଅଣ ତତ୍ତ୍ୱ ନେବେ ନାହିଁ ?

 

ସ୍ତ୍ରୀ–ତାରା ଯିବ ?

ସ୍ୱାମୀ–ହଁ ସେବି ରହି ପଢ଼ିବ ।

ସ୍ତ୍ରୀ–ତେବେ ଆମ ରଙ୍ଗକୁ ପଠାଇଲେ ତ ଭଲ ହୁଅନ୍ତା !

ସ୍ୱାମୀ–ରଙ୍ଗ, ରଙ୍ଗ କିଏ ?

 

ସ୍ତ୍ରୀ–କିହୋ ଆମ ରଙ୍ଗାଧର–ତୁମ ପିଇସୀ ପୁଅ ଭାଇଙ୍କର ପୁଅ । ଆମଛଡ଼ା ତାହାର ଆଉ କିଏ ଅଛି ? ପିଲାଟି ବଡ଼ ସୁଦାର–ପିମ୍ପୁଡ଼ିକୁ ମର ବୋଲି କହିବ ନାହିଁ । ପେଟରୁ ଜନ୍ମକଲା ପୁଅ ପରି ମୁଁ ତାକୁ ଶରଧା କରେ । ସେ ବି ଚାରି ଅକ୍ଷର ପଢ଼ନ୍ତା ଆଉ ସମସ୍ତେ ଏକାସାଙ୍ଗରେ ରହନ୍ତେ । ସତ୍ୟର ରଙ୍ଗର ଖୁବ୍‌ ଭାବ । ଦୁହେଁ ଦୁହିଁଙ୍କୁ ଜୀବନ ପରି ଭଲ ଦେଖିପାରନ୍ତି । ସେ ଗଲେ ମୁଁ ଆଉ ଏତେ ଚିନ୍ତା କରନ୍ତି ନାହିଁ ।

 

ସ୍ୱାମୀ–ଓହୋ, ରଙ୍ଗାଧର କଥା କହୁଛ ? ହଁ ସେ ତ ମାଇନର ପାସ କରି ଘରେ ବସିଛି-। ଥରେ ସେ ଡାକ୍ତରି ପଢ଼ିବ ବୋଲି ମୋତେ କହୁଥିଲା । ଆଚ୍ଛା ତେବେ ସେ ଯାଉ, ତାହାର ପଢ଼ିବା ଖର୍ଚ୍ଚ ମୁଁ ଦେବି । ଆମ ସତ୍ୟ, ବେବର୍ତ୍ତାଘର ତାରା ଆଉ ଗଙ୍ଗାଧର ତିନିହେଁ ଏକା ସାଙ୍ଗୀ; ସେମାନେ ଏକାଠି ରହିଲେ ଭଲହେବ । ତେବେ ମୁଁ ଯାଏଁ, ରଙ୍ଗାଧରକୁ ଆଣିବାକୁ ଲୋକ ପଠାଇବା ଦରକାର ।

 

ଅନନ୍ତର ଜମିଦାର ଉଠି ସଦର କଚେରୀ ଆଡ଼କୁ ଗଲେ । ଯାଉଁ ଯାଉଁ ବୃନ୍ଦାବତୀ ପଛରୁ ଡାକି କହିଲେ–‘‘ଆଉ ଗୋଟାଏ କଥା ଶୁଣ । ପୁଅ ଅନୁକୂଳ କରି ବାହାରିବା ଆଗରୁ ସଦର ଦୁଆର ପିଣ୍ଡାରେ କଳସୀଏ ଦହି ଗୋଟାଏ ଆମ୍ୱ ଡାଳୁଆ ପକାଇ ରଖି ଦେବାକୁ କାହାରିକୁ କହିବ ଆଉ ଗୋଟାଏ ବାଛୁରୀ ଲଗା ଦୋହଳ ଗାଈ ଡାହାଣ ପାଖରେ ବନ୍ଧାହେବ ।’’ ଜମିଦାର ‘‘ହଁ, ସେହିପରି ହେବ’’ ବୋଲି କହି ଚାଲିଗଲେ ।

•••

 

ଚତୁର୍ଥ ପରିଚ୍ଛେଦ

 

ସତ୍ୟଭୂଷଣ, ତାରାନାଥ ଏବଂ ରଙ୍ଗାଧର ତିନିହେଁ କଲିକତାରେ ରହି ପଢ଼ୁ ଅଛନ୍ତି । ରଙ୍ଗାଧର ଡାକ୍ତରୀ ପଢ଼େ, ଅନ୍ୟ ଦୁହେଁ ଏନ୍‌ଟ୍ରାନ୍‌ସ ପଢ଼ନ୍ତି । ତିନିଙ୍କ ମଧ୍ୟରେ ଖୁବ୍‍ମେଳ । ପରସ୍ପର ଅକପଟ ଅକୃତ୍ରିମ ସୌହାର୍ଦ୍ଦ୍ୟରେ ଆବଦ୍ଧ । ସତ୍ୟଭୂଷଣ କଲିକତା ଦେଖି ଯଥେଷ୍ଟ ଆମୋଦ ଉପଭୋଗ କରୁଅଛି । ତାହାର ସଦା ହାସ୍ୟମୟ ଚିରସୁନ୍ଦର ମୁଖ ନୂତନ ଆନନ୍ଦରେ ସମୁଜ୍ଜ୍ୱଳ । ତାହାର ବଡ଼ଲୋକୀ ଭାବ ନାହିଁ; ସୁତରାଂ ବନ୍ଧୁ ଦୁହିଙ୍କୁ ନିଜପରି ଜ୍ଞାନକରେ । ତାରାନାଥ ତାକୁ ତୁମେ ବୋଲି ସମ୍ୱୋଧନ କରିବାରୁ ଦିନେ ସେ ଭାରି ବିରକ୍ତ ହୋଇ କହିଲା-‘‘କି ରେ ତାରା, ତୁ କଲିକତା ଆସି ଦେଢ଼ଦିନ ଭିତରେ ତ ଖୁବ୍‌ ଶିଷ୍ଟାଚାର ଶିଖିଗଲୁଣି । ଅଜୁଁ ତ ଏଡ଼େ, ପାଣି ବର୍ଷିଲେ ହେବୁ କେଡ଼େ ? ଛି, ତୋର ଏ କି ଅଧଃପତନ ଘଟିଲାରେ ? ମୁଁ ପରା ତୋର ସଙ୍ଗୀ ? ଦୁହେଁ କେତେ ଖେଳୁଥିଲେ, କେତେ ମରାମରି ଲାଗୁଥିଲେ, ତାହାସବୁ ଭୁଲିଗଲୁ ? ଆଜି ମୋତେ କହୁଛୁ–ତୁମେ ? ତୁ ଗୋଟାଏ ନିରାଟ ଗଧ ।’’ ତାରାନାଥ କହିଲା–‘‘ତୁମେ ପରା ଆମ ଜମିଦାର, ଆମେ ତୁମର ପ୍ରଜା, ବିଶେଷତଃ କଲିକତାରେ ତୁମେ ଆମର କର୍ଣ୍ଣଧାର; ଏପରି ଅବସ୍ଥାରେ ତୁମ ପ୍ରତି ସମ୍ମାନ ଦେଖାଇବା କି ମୋର ଉଚିତ ନୁହେଁ ?’’ ସତ୍ୟଭୂଷଣ ହୋ ହୋ ହୋଇ ହସିଉଠି କହିଲା–‘‘ନା ଭାଇ, ମୁଁ ଜମିଦାର ନୁହେଁ କି କର୍ଣ୍ଣଧାର ବି ନୁହେଁ । ଆଚ୍ଛା କହିଲୁ ଭଲା ମୁଁ କେବେ ତୋର କର୍ଣ୍ଣ ଧରିଥିଲି ଯେ କର୍ଣ୍ଣଧାର ହେଲି ? ଭଲଗତି ଅଛି ତ ତୁ ବୋଲି କହ, ନ ହେଲେ ଗାଲରେ ଖୁନ୍ଦା ବସିବ ।’’ ସତ୍ୟଭୂଷଣ ଏହା କହି ତାରାନାଥକୁ ଖୁନ୍ଦା ମାରିବାକୁ ଉଞ୍ଚାଇଲା । ତାରାନାଥ ନିରୁପାୟ ହୋଇ କହିଲା–‘‘ନା, ଆଉ ତୁମେ କହିବି ନାହିଁ, ଆଜିଠାରୁ ତୁ ବୋଲି କହିବି ।’’ ସେହି ଦିନଠାରୁ ତିନିବନ୍ଧୁ ପରସ୍ପରକୁ ତୁ ବୋଲି ସମ୍ୱୋଧନ କରନ୍ତି । ତିନିହେଁ ଏକ ବୟସୀ, ଏକ ପ୍ରାଣ, ଏକହୃଦୟ ।

 

ସତ୍ୟଭୂଷଣ ଟିକିଏ ଖାଦ୍ୟପ୍ରିୟ । ସମୟାଭାବରୁ ଦିନବେଳେ ବତ୍ରିଶ ବ୍ୟଞ୍ଜନ, ଚୌଷଠୀ ଭଜାର ସୁବିଧା ହୁଏ ନାହିଁ । ଶୁଖିଲା ରୁଖିଲା ଯାହାହେଉ ଦୁଇଗୁଣ୍ଡା ନାକରେ କାନରେ ଗୁଞ୍ଜିଦେଇ ସ୍କୁଲକୁ ଯାଏ; ମାତ୍ର ରାତିରେ ଭୋଜନଟା ଖୁବ୍‌ ଚୌରସିଆ ହୁଏ । ସେ ନିଜେ ରୋଷାଇଶାଳାରେ ବସି ପୂଜାରିକୁ ଫରମାସ କରି ମନୋମତ ଖାଦ୍ୟ ପ୍ରସ୍ତୁତ କରାଏ । ପୂଜାରିର କୌଣସି କାର୍ଯ୍ୟରେ ଅପଟୁତା ଦେଖିଲେ, ସେ ନିଜେ ଯାଇ ତାହା କରିପକାଏ । ସୂପକାର ବିଦ୍ୟାରେ ଭୀମ କିମ୍ୱା ନଳରାଜାଙ୍କୁ ମଧ୍ୟ ତାର ସମକକ୍ଷ ବୋଲି ସେ ସ୍ୱୀକାର କରେ ନାହିଁ ।

 

ସ୍କୁଲରୁ ଆସି ଜଳଖିଆ ଖାଇସାରି ତିନିବନ୍ଧୁ ବୁଲିବାକୁ ଯାଆନ୍ତି । ଯାନ ବାହାନ ଭଡ଼ାକରି ବୁଲିବାକୁ ଯିବା ଭଲ କି ଚାଲିକରି ଯିବା ଭଲ, ଦିନେ ଏ ବିଷୟରେ ଆଲୋଚନା ହୋଇଥିଲା । ସତ୍ୟଭୂଷଣ ଗୋଟିଏ କ୍ଷୁଦ୍ର ବକ୍ତୃତା ଦେଇ କହିଲା–‘‘ଗୋଡ଼ରେ ଚାଲିବାଟା ଏକା ଖୁବ୍‌ ମଜାରେ, ସେଥିରେ ରକ୍ତ ସଞ୍ଚାଳନ କ୍ରିୟାର ସୁବିଧା ହେବ, ମାଂସପେଷୀ ଦୃଢ଼ ଏବଂ କର୍ମକ୍ଷମ ହେବ, ଶାରୀରିକ ପରିଶ୍ରମ ହେତୁ ସହଜରେ ଖାଦ୍ୟ ଜୀର୍ଣ୍ଣ ହେବ, ଆଉ ରୋଗୀପରି ବସ୍ତା ବନ୍ଧା ହୋଇ ଗାଡ଼ିରେ ଲଦା ହୋଇଗଲେ ଫଳ କଅଣ ? ବିଧାତା ବିଧାନ ଉପରେ କାରସାଦି କରିବା ବା ଆଇନ ଚଳାଇବା ବିଧାତାଙ୍କ ପ୍ରତି ଅବମାନନା ଛଡ଼ା ଆଉ କିଛି ନୁହେଁ । ଚାଲିବା ପାଇଁ ସେ ଗୋଡ଼ ଦେଇଛନ୍ତି । ଯଦି ଆମେ ଗୋଡ଼ ଦୁଇଟା ବ୍ୟବହାର ନ କରିବା, ତେବେ ସେ ମନରେ କଅଣ ବିଚାରିବେ ? ହୁଏ ତ ଆମ ଗୋଡ଼ର ଆବଶ୍ୟକତା ନାହିଁ ବୋଲି ଭାବି ସେ ଆମର ଗୋଡ଼ ଯୋଡ଼ାକ ଛଡ଼ାଇ ନେଇ ଆଉ କାହାକୁ ଦେଇପାରନ୍ତି; ତାହା ହେଲେ ଯେ ଆମେ ଆପଣା ଦୋଷରୁ ପଙ୍ଗୁ ହୋଇ ବସିବା । ଯେଉଁମାନେ ବଡ଼ଲୋକ ଦୁଧ, ଘିଅ ମିଷ୍ଟାନ୍ନର ଯମ, ନିପଟ ନିଖଟୁ, ଗତର କୋଢ଼ୀ, ସେହି ନହୁଣୀ ପିତୁଳାଗୁଡ଼ାକ ସିନା ଟିକିଏ ଉତ୍ତାପରେ ବରଫଖଣ୍ଡ ପରି ତରଳି ବହିଯାଆନ୍ତି । କାଠଗଡ଼ ପରି ଅନ୍ୟ ଉପରେ ବୋଝାଇ ହୋଇ ଯିବା ସେମାନଙ୍କୁ ସୁନ୍ଦର-ଆମକୁ ନୁହେଁରେ ଭାଇ ।’’ ରଙ୍ଗାଧର କହିଲା–‘‘ସେପରି ହୋଇ ଯିବା କାହାର ଅଭ୍ୟାସ, ତୋର, ନା ଆମର ?’’ ସତ୍ୟଭୂଷଣ କହିଲା–‘‘ତାହା ବଡ଼ ଲୋକଙ୍କର ଅଭ୍ୟାସ ସତ; ମାତ୍ର ମୁଁ ବଡ଼ ଲୋକ ନୁହେଁ କି ଦୁଧ ଘିଅର ବଂଶ ନିପାତ କରେ ନାହିଁ । କାହିଁ ମୁଁ ତ ବଡ଼ ବଡ଼ ଢଗରା ଚାଉଳର ଭାତ ଖାଏଁ ନାହିଁ, ତେବେ ବଡ଼ ଲୋକ ହେଲି କିପରି ? ଆଉ କଅଣ ଅବା ଖାଏଁ ? ତିନିପା ପୂରୀ, ଦେଢ଼ ସେର ଆଉଟା ଦୁଧ, ପୁଞ୍ଜାକେତେ ରସଗୋଲା ଆଉ ଅଧପାଏ ମୋହନଭୋଗ, ଏତିକି ତ ମୋର ଆହାର । ସେଥିପାଇଁ ମା ମୋତେ କହେ–‘‘ତୁ ଚଡ଼େଇପରି ଅଳ୍ପଆଧାରୀ ।’’ ତମେ ଦୁହେଁ ବି ତ ଦେଖୁଛ, ମୁଁ ଆଉ ବେଶି କଅଣ ଖାଏଁ–ହାତୀ, ନା ଘୋଡ଼ା ? ତାରାନାଥ କହିଲା–‘‘ନା, ତୁ ହାତୀ ଘୋଡ଼ା ଖାଉନାହୁଁ; ମାତ୍ର ହାତୀ ଘୋଡ଼ାର ଖାଦ୍ୟ ଖାଉ ।’’ ଏହି ପରି କଥୋପକଥନ ପରେ ଚାଲିକରି ବୁଲିବାକୁ ଯିବା ସାର ହେଲା । ତିନିବନ୍ଧୁ ପ୍ରତ୍ୟହ ସନ୍ଧ୍ୟା ପୂର୍ବରୁ ବୁଲିବାକୁ ଯାଆନ୍ତି । କେବେ ଯାଦୁଘର ଦେଖିବାକୁ ଯାଆନ୍ତି, କେବେ କାଳୀ ଦର୍ଶନ କରିବାକୁ ଯାଆନ୍ତି, କେଉଁଦିନ ଅବା ବିଡ଼ନ ଉଦ୍ୟାନ, ଗଡ଼ମାଠ, ଗଙ୍ଗାକୂଳ ଆଡ଼କୁ ବୁଲିବାକୁ ଯାଆନ୍ତି । ପଥପାର୍ଶ୍ୱସ୍ଥ ଅଧାସ୍ୱର୍ଗରୂପି ବହୁଳ ବିଶିଷ୍ଟ ସୁସଜ୍ଜିତ ଅଟ୍ଟାଳିକାରୁ ବେଣୁବୀଣା ଝଙ୍କାର ସହ ଖେମଟା ସଙ୍ଗୀତର ମଧୁର ମୂର୍ଚ୍ଛନା ଭାସି ଆସୁଥାଏ; ମାତ୍ର ସେ ଆଡ଼କୁ କେହି କାନ ଦିଅନ୍ତି ନାହିଁ । ସେମାନେ ସେ ରସର ରସିକ ନୁହଁନ୍ତି ।

 

ବୁଲିଆସିଲା ପରେ ତାରାନାଥ ଏବଂ ରଙ୍ଗାଧର ଦୀପ ଜାଳି ପଢ଼ି ବସନ୍ତି; ମାତ୍ର ସତ୍ୟଭୂଷଣ ଦେହରେ ତାହା ଚଳେନାହିଁ । ରାତିରେ କି ଗୋଟାଏ ମାରାତ୍ମକ ତଡ଼ିତ୍‌ ଶକ୍ତି ଆସି ତାହା ପୁସ୍ତକ ମଧ୍ୟରେ ଲୁଚି ରହେ, ତେତେବେଳେ ପୁସ୍ତକ ଛୁଇଁଲେ ସେ ମୂର୍ଚ୍ଛିତ ହୋଇପଡ଼େ । ଅଥବା ଏହା ଗୋଟିଏ ତାହାର ରୋଗ ହୋଇପାରେ । ତାରାନାଥ ରଙ୍ଗାଧର ବସି ପଢ଼ନ୍ତି, ସତ୍ୟଭୂଷଣ ଶଯ୍ୟାର ଆଶ୍ରୟ ଗ୍ରହଣ କରେ । ଦିନେ ତାରାନାଥ ତାକୁ କହିଲା, ‘‘ସତ୍ୟ ତୁ ଶୋଇଲୁ, ନୋଟ୍‌ ଲେଖିବୁ ନାହିଁ କି ?’’ ସତ୍ୟଭୂଷଣ ଧଡ଼ପରି ଉଠି ବସି ଅପୂର୍ବ ଭଙ୍ଗୀରେ ତାହା ଆଖି ଆଗରେ ହାତ ହଲାଇ କହିଲା–‘ତୁ ଲେଖରେ ତାରା, ବୁଜୁଳେ ପାଇବୁ । ଲକ୍ଷେ ଟଙ୍କାର ନିଦ ମାଟି ହୋଇ ଯାଉଛି । ପାଠ କଅଣ ବୈକୁଣ୍ଠକୁ ନେଇଯିବ ? ନିଦ୍ରା ଛାଡ଼ି ବିଦ୍ୟାର ଆରାଧନା, ଓଃ, ଭାରି ତ ଭକ୍ତ ? ନିଦ୍ରା କିଏ ଜାଣୁ ନା-ସେ ଦେବୀ । ତାକୁ ଚିହ୍ନିଲେ ଯାଇ ଆଉସବୁ ପଛେ । ପାଠ ଡାକୁଛି ପରା-‘‘ସବୁ ତ୍ୟଜେତ୍‌ ଆଉ ନିଦଂ କେଭେ ନ ତ୍ୟଜେତ୍‌ ।’’ ତମର ସେ ଭକ୍ତି କାହିଁରେ, ତମେ ଏ ଶ୍ଳୋକର ମର୍ଯ୍ୟାଦା ବୁଝିବ । ତାହାର ଗୌରବ ବୁଝିଥିଲା ତ୍ରେତା ଯୁଗର ସେହି କୁମ୍ଭକର୍ଣ୍ଣ ଆଉ କଳିଯୁଗରେ ବୁଝିଛି ମୁଁ । ତମେ କୁଳାଙ୍ଗାରଗୁଡ଼ାକ ମୁକ୍ତି ପାଇବ ନାହିଁରେ । ନିଦ୍ରାକୁ ସେବା କଲେ ଚତୁର୍ବର୍ଗ ମିଳେ । ବିଦ୍ୟାସେବାରେ ଗୋଟାଏ ବର୍ଗ ଖାଲି ଅର୍ଥ ମିଳେ । ତମେ ପାପୀଗୁଡ଼ାକ ସେହି ଗୋଟିଏ ବର୍ଗ ପାଇ ଏକ ବର୍ଗିଆ ହୋଇ ନରକରେ ବୁଡ଼ି ରହିବ । ମନରେ ଅଛିନା ପଣ୍ଡିତେ ସେ ଦିନ ଅର୍ଥକରି ବୁଝାଇ ଥିଲେ ପରା–ଅର୍ଥଂ ଅନର୍ଥଂ । ଯଦି ମାନବ ଜନ୍ମର କାମନୀୟ ଯେ ମୁକ୍ତି, ତାକୁ ଲଭିବାକୁ ଇଚ୍ଛା ଥାଏ, ତେବେ ସର୍ବ କର୍ମ ତ୍ୟାଗକରି ଏକାନ୍ତ ଭକ୍ତ ସହ ସର୍ବଦୁଃଖ ବିନାଶିନୀ, ସର୍ବାର୍ଥଦାୟିନୀ, ସର୍ବେଶ୍ୱରୀ ନିଦ୍ରା ଦେବୀଙ୍କ ଆରାଧନାରେ ଚିର ନିଯୁକ୍ତ ହୁଅ । ଆଉ ସବୁବେଳେ କହିହୁଅ–ସବୁଂ ତ୍ୟଜେତ୍‌, ଆଉ ନିଦଂ କେବେ ନ ତ୍ୟଜେତ୍‌ । ଏହି ପରମ ମହାମନ୍ତ୍ର ତୁମର ପ୍ରତି ନିଃଶ୍ୱାସରେ ଧ୍ୱନିତ ହେଉ ।’’ ତାରାନାଥ ହସି ହସି କହିଲା–‘‘ଆହା, କି ସୁନ୍ଦର ଶ୍ଳୋକ !’’ ସତ୍ୟଭୂଷଣ ତାହାକୁ କଟମଟ କରି ଚାହିଁ ଗମ୍ଭୀର ହୋଇ ପଚାରିଲା–‘‘କି, ମନ୍ଦ କଅଣ ହେଲା ? ଓହୋ, ଅନୁସ୍ୱାର ବିସର୍ଗ ନ ହେଲେ ପରା ଶ୍ଳୋକ ହୁଏନାହିଁ. ତେବେ ଅନୁସ୍ୱାର ତ ମୋର ଅଛି–ଖାଲି ବିସ୍ୱର୍ଗ ନାହିଁ; ସିନା ? ହେଉ, ତାହାହେଲେ ତ୍ୟଜେତ୍‌ ଜାଗାରେ ତ୍ୟାଜ୍ୟଃ କରିଦେ ।’’ ଏହି ସମୟରେ ଗୋଟାଏ ଶଙ୍ଖି ବିରାଡ଼ି ଚାକୁ ଚାକୁ କରି ଦୁଧ ପିଇଯିବାର ଦେଖି ସତ୍ୟଭୂଷଣ ବ୍ୟସ୍ତ ସ୍ୱରରେ କହିଲା–‘‘ତାରାଂ, ତାରାଂ, ବିଲ୍ଲିଂ ଦୁଧଂ ଖାତି ।’’ ତାରାନାଥ କହିଲା–‘‘ତୋତେ କାଳିଦାସ ଉପାଧି ଦେଲେ ଭଲ ହୁଅନ୍ତା ।’’ ସତ୍ୟଭୂଷଣ ମୃଦୁ ହସି କହିଲା–‘‘କାଳିଦାସ ଉପାଧି ନୁହେଁରେ-ନାମ ସିନା । କାଳିଦାସ ମୋର ଛାତ୍ର, ତାହାପରି ପିଲାଟାଏ ଦେଶ ଦୁନିଆରେ ନାହିଁ ରେ–ତାରା ।’’ ସତ୍ୟଭୂଷଣ ଏହିପରି ନାନା କୌତୁକ କରି ବନ୍ଧୁ ଦୁହିଙ୍କୁ ହସାଏ । ତାରାନାଥ, ରଙ୍ଗାଧର ପଢ଼ନ୍ତି, ସତ୍ୟଭୂଷଣ ଶୋଇଥାଏ; ମାତ୍ର ନିଦ ଭାଙ୍ଗିଲା କ୍ଷଣି ଉଠିଆସି ତାରାନାଥର ଗୋଡ଼ହାତ ଧରି କହେ–‘‘ଭାଇ, ତୋତେ ଜୁହାର ହେଉଛି, ଆଶୀର୍ବାଦ ବି କରୁଛି–ତୁ ବଞ୍ଚିଥା, ତୋର ନୋଟ ଖାତାଟା ଦେ, ମୁଁ ଉତ୍ତାରି ପକାଏଁ । କାଲି ସେ ପଣ୍ଡିତଟା କଟର କଟର ହେବ, ସତେ ଯେମିତି ବ୍ରାହ୍ମଣଟାର ହୁଣ୍ଡୀ ମୁଁ ଖାଇ ଯାଇଛି । ଦେ ଦେ, ତୁ ଡରୁଛୁ କି ଖାତା ମେଳ ହେବ ବୋଲି ? ସେ ଚିନ୍ତା ନାହିଁରେ ଭାଇ, ଜଳ ଜାଗାରେ ପାଣି, ଫୁଲ ଜାଗାରେ ପୁଷ୍ପ, ଆକାଶ ଜାଗାରେ ଗଗନ ଏହିପରି ବଦଳାବଦଳି କରି ସଜାଡ଼ି ଦେବି ଯେ, ପଣ୍ଡିତ ତ ପଣ୍ଡିତ, ତାହା ଗୁରୁଦେବ ବି ଟେର ପାଇବ ନାହିଁ-। ଜାଣୁନା ବୁଡ଼ି ପାଣି ପିଇଲେ ମହାଦେବଙ୍କର ବାପେ ବି ଜାଣିପାରିବେ ନାହିଁ । ସତ୍ୟଭୂଷଣ ତାରାନାଥ ଖାତାରୁ ନୋଟ ଉତ୍ତାରି ପକାଏ, ଏତିକିରେ ତାହାର ପାଠ ଶେଷ ହୁଏ ।

 

ସତ୍ୟଭୂଷଣ ଘରୁ ଅନେକ ପଦାର୍ଥ ଆସେ । ଅନ୍ତର୍ଯ୍ୟାମୀ ରାୟ ଜମିଦାରଙ୍କର ଅନେକ ପ୍ରଜା କଲିକତା ଯିବାଆସିବା କରନ୍ତି । ସେମାନଙ୍କଦ୍ୱାରା କଲିକତାକୁ ଦ୍ରବ୍ୟାଦି ପଠାଇବାର ସୁବିଧା ହୁଏ । ବିନା ଖର୍ଚ୍ଚରେ କାର୍ଯ୍ୟ ଚଳିଯାଏ । ଜମିଦାରୀ ଥିଲେ କେଉଁ ସୁବିଧା ବା ଅପୂର୍ବ ? କେବେ ଆମ୍ବ ବୋଝେ, କେବେ ପାକଲା କଦଳୀ କାନ୍ଧିଏ, କେବେ ନଡ଼ିଆ ଦୁଇପୁଞ୍ଜା ବା ପଣସ ଦୁଇଟା ଏହିପରି କେତେ ପଦାର୍ଥ ଆସେ । ପୂନେଇଁ ପର୍ବରେ ବୃନ୍ଦାବତୀ ହାଣ୍ଡି ହାଣ୍ଡି ପିଠା, ଖଜା ପୁଅ ପାଖକୁ ପଠାନ୍ତି । ଏକମାତ୍ର ପୁତ୍ର ବିଦେଶରେ ରହିଲେ ମାତୃହୃଦୟ କିପରି ହୁଏ, ସେ ଦୁଃଖ ଭୁକ୍ତଭୋଗୀ ଛଡ଼ା ଆଉ କେହି ଜାଣିପାରେ ନାହିଁ । ବୃନ୍ଦାବତୀ ସ୍ୱାମୀଙ୍କୁ ଲୁଚାଇ କଲିକତା ଲୋକ ପଠାନ୍ତି । ବଡ଼ି, ଆଚାର, ମୁଣ୍ଡାମାଛ ଭଜା, ସରୁ ବାସନା ଚାଉଳ ପ୍ରାୟ ପ୍ରତିମାସରେ ସେ ପୁଅ ସକାଶେ ପଠାନ୍ତି । ସମୟ ସମୟରେ ଗୋପନରେ ପୁଅର ହାତଖର୍ଚ୍ଚ ପାଇଁ କିଛି କିଛି ଟଙ୍କା ବି ପଠାନ୍ତି । ପର୍ବ ଉପଲକ୍ଷରେ ସ୍କୁଲ ବନ୍ଦ ହେଲେ ତିନିବନ୍ଧୁ ଏକ ସଙ୍ଗରେ ଘରକୁ ଆସି ପୁଣି ଯଥାସମୟରେ ଚାଲିଯାଆନ୍ତି ।

 

ମର୍ତ୍ତ୍ୟର ଅମରାବତୀ କଲିକତା ସହରରେ ସଭା ସମିତିର ବିରାମ ନାହିଁ । ଶୋକ ସଭା, ଶ୍ରାଦ୍ଧ ସଭା, ଭଜନ ସଭା, ଭୋଜନ ସଭା, ବିବାହ ସଭା, ଦେଶହିତ ସଭା, ରାଜନୀତି ସଭା ପ୍ରଭୃତି କେତେ ସକାରଣ ଅକାରଣ ସଭା ସବେଳରେ ଅବେଳରେ ବସିଯାଏ । କେତେ ବକ୍ତୃତାର ଗର୍ଜନ ତର୍ଜନ ଉଠେ । ବାଦ ପ୍ରତିବାଦର ଖଣ୍ଡଯୁଦ୍ଧ ଆରମ୍ଭ ହୁଏ । ଏହିସବୁ ବାକ୍ୟଯୁଦ୍ଧର ଶବ୍ଦସର୍କସ ଦେଖି ଦେଖି ସତ୍ୟଭୂଷଣର ପ୍ରାଣ, ମନ, ହୃଦୟ, ଆତ୍ମା, ଶରୀର ସବୁ ଏକାବେଳେକେ ଦେଶ ଆଡ଼କୁ ଝୁଙ୍କି ପଡ଼ିଲା । ସେ ଆଉ ଅପେକ୍ଷା ନ କରି ଦେଶସେବାରୂପ ଅତଳ ସମୁଦ୍ରରେ ଝାମ୍ପ ଦେଲା । ସଭା ସମିତି ପ୍ରତି ତାହାର ଭକ୍ତି ଅଚଳା ହୋଇଉଠିଲା । କେଉଁଠାରେ ସଭା ହେବ ବୋଲି ଶୁଣିଲେ ସେ ସମସ୍ତଙ୍କ ଆଗରୁ ଯାଇ ସେଠାରେ ଉପସ୍ଥିତ ହୁଏ, ବକ୍ତୃତା ଶୁଣେ, ସମସ୍ତଙ୍କ ସଙ୍ଗରେ ତାଳି ଦିଏ । ସଭା ସମିତିକୁ ଯାତାୟତ କରିବାଦ୍ୱାରା ଏଣେ ପାଠର କ୍ଷତି ହେଲା; କିନ୍ତୁ ସେଥିରେ ତାର ଶୋଚନା ନାହିଁ । ସେ ଆଉ ପୂର୍ବପରି ସ୍କୁଲକୁ ଗଲା ନାହିଁ, ନାନା ବାହାନା ଧରି ସ୍କୁଲ କମେଇ କରିବାକୁ ଲାଗିଲା । ଜୋରିମାନା ଭୟରେ ଦିନେ ଦିନେ ସ୍କୁଲକୁ ଯାଏ; ମାତ୍ର ଘଣ୍ଟାଏ ଦୁଇଘଣ୍ଟା ପରେ ପଳାଇ ଆସେ । କେଉଁଦିନ ସ୍କୁଲ ବସିବାର ଦୁଇଘଣ୍ଟା ପୂର୍ବରୁ ଯାଇ ଖରାରେ ବସି ଦେହ ଗରମ କରୁଥାଏ, ଜଣେ କେହି ମାଷ୍ଟର ଆସିଲେ ତାକୁ ଦେହ ଦେଖାଇ ଜ୍ୱର ଆସିଲାଣି ବୋଲି କହି ବସାକୁ ଚାଲିଆସେ । କେଉଁଦିନ ଅବା ମୁଣ୍ଡର ଦୁଇପାଖ ଶିରାରେ ଦୁଇମେଞ୍ଚା ଚୂନ ଲଗାଇ ଶିରଃପୀଡ଼ାର ଛଳନା କରି ଛୁଟି ନେଇ ଆସେ । ମାଷ୍ଟରମାନଙ୍କୁ ବଶ କରିବାର ଉପାୟ ମଧ୍ୟ ତାକୁ ଅଳ୍ପ ଜଣା ନୁହେଁ । କାହାରି ଶରୀର ଅସୁସ୍ଥ ହେଲେ ସେ ନ ଖାଇ ନ ପିଇ ସେବାଶୂଶ୍ରୁଷାରେ ଲାଗେ । ଜଳଖିଆ ଖୋର ମାଷ୍ଟରକୁ ସ୍ୱହସ୍ତରୁ ନାନାପ୍ରକାର ଉପାଦେୟ ଜଳଖିଆ କିଣିଦେଇ ସନ୍ତୁଷ୍ଟ କରେ । କାହାକୁ ବା ସ୍ତବ ସ୍ତୁତିଦ୍ୱାରା ବଶୀଭୂତ କରେ । ଏହିପରି ନାନା କୌଶଳରେ ସେ ସମସ୍ତଙ୍କର ମନ ରକ୍ଷା କରିଥାଏ । ‘‘ଧନ କାର୍ପଣ୍ୟ ସେବା ଫଳେ, କିବା ଅସାଧ୍ୟ ମହୀତଳେ ।’’ ମାତ୍ର ପାରେନାହିଁ କେବଳ ଜଣକୁ–ସେ ସ୍କୁଲର ହେଡ଼୍‌ ପଣ୍ଡିତ । ଧନ କାର୍ପଣ୍ୟ ସେବା କାହିଁରେ ସେ ସନ୍ତୁଷ୍ଟ ହେବାର ପାତ୍ର ନୁହନ୍ତି–କେବଳ ପାଠରେ ସେ ସନ୍ତୁଷ୍ଟ । ଏହେତୁ ତାଙ୍କ ସାଙ୍ଗରେ ସତ୍ୟଭୂଷଣର ଭଲ ବନେ ନାହିଁ । ସେ ସମୟ ସମୟରେ ପଣ୍ଡିତଙ୍କର ଚାହାଣି, କଥା, ପଢ଼ାଇବା ରୀତି, ଚାଲିଚଲଣ ପ୍ରଭୃତିର ଅବିକଳ ଅଭିନୟ କରି ସଙ୍ଗୀମାନଙ୍କୁ ହସାଏ।

 

ସତ୍ୟଭୂଷଣ ଆଉ ପୂର୍ବପରି ସନ୍ଧ୍ୟା ହେଲେ ଶୁଏ ନାହିଁ । ରାତି ଅଧ କି ତିନିପହର ଯାଏଁ ବସି ଦେଶର ଅବସ୍ଥା ଭାବେ–ସଭାସମିତି ସକାଶେ ବକ୍ତୃତା ଲେଖେ । ଦିନେ ଦିନେ ବକ୍ତୃତା ଅଭ୍ୟାସ କରୁ କରୁ ରାତି ପାହିଯାଏ । ବକ୍ତୃତା ଝାଡ଼ିବାକୁ ତାର ଭାରି ଆଗ୍ରହ; ମାତ୍ର ବକ୍ତୃତାର କି ଗ୍ରହଦୋଷ ଯେ, ସେ ତାହା ତୁଣ୍ଡରେ ଉଚ୍ଚାରିତ ହେବାକୁ ନାରାଜ । ଅନେକ ଚେଷ୍ଟାକରି ସୁଦ୍ଧା ସେ ବକ୍ତୃତା ଶବ୍ଦ ଉଚ୍ଚାରଣ କରିପାରିଲା ନାହିଁ; ସୁତରାଂ ‘ବତକ୍ତୃତା’ ବୋଲି କହେ । ତଥାପି ସତ୍ୟଭୂଷଣ ନିରୁତ୍ସାହ ହେବାର ପାତ୍ର ନୁହେଁ, ସେ ସବୁବେଳେ ବକ୍ତୃତା ସଙ୍ଗରେ ଲାଗିଥାଏ । ତେଲ ଲଗାଇବାବେଳେ ଗାଧୋଇବାବେଳେ, ଖାଇବାବେଳେ ଏମନ୍ତ କି ଯେତେବେଳେ ଟିକିଏ ଅବସର ପାଏ, ତେତେବେଳେ ସେ ବନ୍ଧୁମାନଙ୍କ ପାଖରେ ଦେଶସେବା ସମ୍ୱନ୍ଧରେ ବକ୍ତୃତା କରେ । ଦେଶପାଇଁ କାନ୍ଦିବାକୁ ଅନେକ ଚେଷ୍ଟା କରେ; ମାତ୍ର ଚକ୍ଷୁରୁ ଅଶ୍ରୁ ଝରେ ନାହିଁ । ଅଶ୍ରୁର ଏହି ଦୃଷ୍ଟ ପ୍ରକୃତି ଚିରକାଳ ଗଲାନାହିଁ । ନ ଖୋଜିବାବେଳେ ସେ ଆପେ ଆପେ ଆସେ; ମାତ୍ର ଖୋଜିଲେ ଆଦର ଖାଏ । ସତ୍ୟଭୂଷଣ ଅନେକ ଦେଶସେବକ ବନ୍ଧୁ ମଧ୍ୟ ପାଇଅଛି, ସେମାନେ ତାକୁ ବକ୍ତୃତା ଲେଖିଦିଅନ୍ତି । ସେ ତାହା ଯଥାସାଧ୍ୟ ଉଦରସ୍ଥ କରି ସଭା ସମିତିରେ ଉଦ୍‌ଗାର କରେ ।

 

ସତ୍ୟଭୂଷଣର ଏହି ଭାବାନ୍ତର ଦେଖି ତାରନାଥ ଏବଂ ରଙ୍ଗାଧର ଶଙ୍କିତ ହେଲେ । ତାହାର ଏ ଦେଶୋନ୍ନତିବ୍ରତ ତାଙ୍କ ପିତାଙ୍କର କର୍ଣ୍ଣଗୋଚର ହେଲେ ସେ ଅବଶ୍ୟ ସେଥିପାଇଁ ତରାନାଥ ଆଉ ରଙ୍ଗାଧରକୁ ଦୋଷ ଦେବେ ଏବଂ ଦାୟୀ ମଧ୍ୟ କରିବେ । ଜମିଦାରଙ୍କୁ ଏକଥା ନ ଜଣାଇଲେ ସେ ବିରକ୍ତ ହେବେ ଆଉ ଜଣାଇଲେ ସତ୍ୟଭୂଷଣ ଦୁଃଖିତ ହେବ । ସେମାନେ ଉଭୟ ସଙ୍କଟରେ ପଡ଼ିଲେ । ଉପଦେଶ ଦେଇ ସତ୍ୟଭୂଷଣକୁ ନିବୃତ୍ତ କରିବା ସହଜ କଥା ନୁହେଁ; ଏହା ସେମାନେ ଜାଣନ୍ତି । ଅଥଚ ଫଳ ବିପରୀତ ହୋଇପାରେ । କାଳେ ସତ୍ୟଭୂଷଣ କହିବ ବା ଭାବିବ ଯେ, ମୋ କାର୍ଯ୍ୟରେ ସମାଲୋଚନା କରିବାକୁ ଏମାନେ କିଏ, ଏହି ଆଶଙ୍କାରେ ସେମାନେ ମୁହଁ ଫିଟାଇ କିଛି କହିପାରନ୍ତି ନାହିଁ; ମାତ୍ର ନ କହି କେତେକାଳ ଅବା ନୀରବ ରହିବେ । ଯେଉଁ କଥା ମୁହଁ ଫିଟାଇ କହି ନ ହୁଏ, ତାହାର ବ୍ୟଥା ବଡ଼ କଷ୍ଟପ୍ରଦ । ସେହି ବ୍ୟଥା ଏତେ ଅସହ୍ୟ ହେଲା ଯେ, ଦିନେ ଆପେ ଆପେ ଏହି ଦେଶୋଦ୍ଧାର ବ୍ରତ କଥା ହଠାତ୍‌ ତାରାନାଥ ତୁଣ୍ଡରୁ ବାହାରି ପଡ଼ିଲା । ସେ କହିଲା–‘‘ସତ୍ୟ, ପାଠ ଛାଡ଼ି ତୁ ଏ କାହିଁରେ ମାତିଛୁ ? ବର୍ତ୍ତମାନ ତୋର ଏସବୁ ବିଷୟରେ ଲିପ୍ତ ହେବା ଭଲ ନୁହେଁ ।’’ ସତ୍ୟଭୂଷଣ ମୃଦୁ ହସି କହିଲା–‘‘କି ଦେଶସେବା କଅଣ ମନ୍ଦ କାର୍ଯ୍ୟ ? ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’ ଜାଣୁ ? ମାତୃସେବାଠାରୁ ପାଠସେବା ବଡ଼ ନୁହେଁରେ ତାରା ।’’ ତାରାନାଥ କିଛି କହିବା ପୂର୍ବରୁ ରଙ୍ଗାଧର କହିଲା–‘‘ହଁ ଦେଶସେବା ସବୁଠାରୁ ବଡ଼, ଏ କଥା କେହି ମନାକରୁ ନାହିଁ । ତାହା ମାନବର କର୍ତ୍ତବ୍ୟ, ଆଉ ମାନବଜୀବନର ଉଦ୍ଦେଶ୍ୟ, ଏହା କୋଟିବାର ସ୍ୱୀକାର୍ଯ୍ୟ; ମାତ୍ର ସେ ବଡ଼ ଗୁରୁତର କାର୍ଯ୍ୟ । ତୋର ଧନ ଅଛି, ଦେଶସେବା କରିପାରିବୁ; କିନ୍ତୁ ଖାଲି ଧନମନରେ ଦେଶସେବା ହୁଏନାହିଁ । ସେଥିଲାଗି କିଛି ଜ୍ଞାନ ପ୍ରୟୋଜନ ହୁଏ ଆଉ ଜ୍ଞାନ ଶିକ୍ଷାସାପେକ୍ଷ । କାମ ନ କରି ଖାଲି ହୋ ହୋ ହେଲେ କଅଣ ହେବ-? ଶିଶିରରେ କି ତୃଷା ମେଣ୍ଟିବ ?’’ ସତ୍ୟଭୂଷଣ କହିଲା–‘‘ନାରେ ରଙ୍ଗୁ, ଶିଶିରରେ ତୃଷା ମେଣ୍ଟେ ନାହିଁ–ଜଳରେ ମେଣ୍ଟେ । ଦେଶସେବାର କ୍ଷେତ୍ର ଏ ନୁହେଁ । ଗ୍ରାମକୁ ଗଲେ ଦେଶ ସେବାର ମାହାତ୍ମ୍ୟ ତୁମ ଦୁହିଙ୍କି ଦେଖାଇବି । ମୋର ଜ୍ଞାନ ନ ଥାଉ, ଶିକ୍ଷା ନ ଥାଉ, ତୁମର ତ ଥିବ, ତୁମରିଠାରୁ ତାହା ଉଧାର ନେଇ କାମ କରିବି । ଯେବେ ଉଧାର ନ ଦେବ, ତେବେ ଦାମ୍‌ ଦେଇ କିଣିନେବି । ତୁମେ ଦିଟା ମାତୃଭୂମିର କୁସନ୍ତାନ, ସାଧୁ କାର୍ଯ୍ୟରେ ପ୍ରଶ୍ରୟ ଦିଅନ୍ତ କଅଣ, ଆହୁରି ବାଧା ଦେଉଛ । ମୁଁ ଅଭିଶାପ ଦେବି । ତୁମେ ଦୁହେଁ ନିପାତ ହେବ, ନିପାତ ହେବ, ନିପାତ ହେବ । ମୁଁ କିଏ ଜାଣ ନା ? ମୁଁ ମହାମୁନି ଦୁର୍ବାସା । କୋପାନଳ, ତପାନଳ, ଶାପାନଳ ମିଶାଇ ପୋଡ଼ିଦେବିଟି । ସତ୍ୟଭୂଷଣ ଏହା କହି ହସି ହସି ସେଠାରୁ ଉଠିଗଲା ।

 

ଦିନେ ତାରାନାଥ ମନେ ମନେ ଭାବିଲା-‘‘ସତ୍ୟଭୂଷଣର ଅଦୃଷ୍ଟ ସଙ୍ଗରେ ମୋର ଅଦୃଷ୍ଟ ଏକ ସୂତ୍ରରେ ଗୁନ୍ଥା । ତାହାର ଏ ଉତ୍କଟ ଦେଶସେବା କଥା ଶୁଣିଲେ ତାହା ବାପ ଆଉ ତାକୁ କଲିକତାରେ ରଖିବ ନାହିଁ । ଏହିଠାରୁ ତାହାର ପାଠ ଶେଷ ହେବ । ମୋର ବି ସେହି ଦଶା ଘଟିବ । ଆଉ ମେଟ୍ରିକ୍ୟୁଲେଶନ ଯାଏଁ ପଢ଼ି ଇଂରାଜୀ ଟିକିଏ ସୁଙ୍ଗି ଲାଭ ଅବା କଅଣ ? ବଜାରରେ ତ ତାହାର ଦର ପିଆଦା, ଚପରାସୀ ଦରଠାରୁ ଊଣା । ବାରଦ୍ୱାରରେ ଜୀବ ବିଶେଷ ପରି ଲୁଙ୍ଗୁ ପୁଙ୍ଗୁ ହୋଇ ଅନେକଙ୍କର ଗୋଡ଼ ହାତ ଧରି ବିଡ଼ାଏ ଖୋସାମତନାମା ସଂଗ୍ରହ କରିପାରିଲେ ଦଶ ପନ୍ଦର ଟଙ୍କାର ଖଣ୍ଡେ ଚାକିରୀ ବହୁକଷ୍ଟରେ ମିଳିପାରେ । ତାହା ଅପେକ୍ଷା ରଙ୍ଗାଧର ପରି ଡାକ୍ତରୀ ପଢ଼ିବା ବରଂ ବହୁଗୁଣରେ ଶ୍ରେୟସ୍କର । ତାହା ସ୍ୱାଧୀନ ବ୍ୟବସାୟ । ସେଥିରେ ଚାରିପଇସା ରୋଜଗାରର ଆଶା ମଧ୍ୟ ଅଛି, ଅଥଚ ପରଉପକାର ବି ହେବ । ଏହାହିଁ ମୋ ପକ୍ଷରେ ସହଜ ଉପାୟ ।’’ ତାରାନାଥ ନିଜର ପିତାଙ୍କୁ ପତ୍ର ଲେଖି ତାଙ୍କର ସମ୍ମତି ଲାଭ କଲା-। ତହୁଁ ମେଟ୍ରିକ୍ୟୁଲେଶନ ଛାଡ଼ି ଡାକ୍ତରୀ ପଢ଼ିବାକୁ ଆରମ୍ଭ କଲା । ତାହା ଦେଖାଦେଖି ସତ୍ୟଭୂଷଣ ମଧ୍ୟ ଡାକ୍ତରୀ ସ୍କୁଲରେ ନାମ ଲେଖାଇଲା । ଡାକ୍ତରୀ ବିଦ୍ୟାକୁ ସହଜ ବୋଲି ମଣି ସେ ଡାକ୍ତରୀ ପଢ଼ିଲା; ମାତ୍ର କାର୍ଯ୍ୟତଃ ଦେଖିଲା ଯେ, ସେ ପଲମରୁ ଛିଡ଼ିକି ଚୁଲ୍ଲୀରେ ପଡ଼ିଅଛି । ଇଂରାଜୀଠାରୁ ଡାକ୍ତରୀ ତାକୁ ଅଧିକତର କଠିନ ବୋଧହେଲା; ମାତ୍ର ସେ ନିରୁତ୍ସାହ ହେଲାନାହିଁ କି ପଢ଼ା ଛାଡ଼ିଦେଲା ନାହିଁ । ପରୀକ୍ଷାରେ ତାହାର ବଡ଼ ଆନନ୍ଦ, ସେ ନାନା ପ୍ରକାରେ ଅର୍କ ମିଶାମିଶି କରି ରାସାୟନିକ ପରୀକ୍ଷାରେ ପ୍ରବୃତ ହେଲା । ସବୁବେଳେ ଦୁଇଟା ଗ୍ଲାସ ଧରି ଦ୍ରବ୍ୟଗୁଣ ପରୀକ୍ଷା କରେ । ଏହି କର୍ଯ୍ୟରେ ସଭା ସମିତି ସବୁ ଭୁଲିଗଲା । ବକ୍ତୃତା ଲେଖା, ବକ୍ତୃତା ଘୋଷା ସବୁ କୁଆଡ଼େ ଗଲା; କେବଳ ପରୀକ୍ଷା ଜୀବନର ବ୍ରତ ହେଲା । ସେ ଜଣେ ସନ୍ୟାସୀଠାରୁ ଶୁଣିଥିଲା–ଦ୍ରବ୍ୟଗୁଣରେ ତମ୍ୱା ସୁନା ହୋଇପାରେ । ଏବେ ସେହି ପରୀକ୍ଷାରେ ଲାଗି ଗଲା । ଆଜି ଏ ଗଛର ରସ, କାଲି ସେ ଗଛର ରସ, ଏହିପରି ହଜାର ହଜାର ବିଭିନ୍ନ ଜାତୀୟ ଗଛର ରସ ବାହାର କରି ତପ୍ତ ତାମ୍ର ପାତ୍ରରେ ପୁଟ ଦେବାକୁ ଲାଗିଲା । ଦିନେ ନୁହେଁ କି ଦୁଇଦିନ ନୁହେଁ, କ୍ରମାନ୍ୱୟରେ ଛମାସ କାଳ ଏହି ପରୀକ୍ଷାରେ ବିତିଗଲା । ବଣ-ଜଙ୍ଗଲର ଗଛ ସରିଗଲା; ମାତ୍ର ଦୁର୍ଭାଗ୍ୟର ବିଷୟ-ତମ୍ୱା ସୁନା ହୋଇପାରିଲା ନାହିଁ ।

•••

 

ପଞ୍ଚମ ପରିଚ୍ଛେଦ

 

ସତ୍ୟଭୂଷଣର ଦେଶସେବା, ଡାକ୍ତରୀ ପଢ଼ା, ରାସାୟନିକ ପରୀକ୍ଷା, ତମ୍ୱାକୁ ସୁନା କରିବାର ପ୍ରୟାସ ଏସବୁ କଥା କ୍ରମେ କ୍ରମେ ଜମିଦାରଙ୍କର କର୍ଣ୍ଣଗୋଚର ହେଲା । ପୁଅ ଉପରେ ସେ ବିରକ୍ତ ହୋଇଉଠିଲେ । ବୃନ୍ଦାବତୀଙ୍କର ଭାବନାର ସୀମା ରହିଲା ନାହିଁ । ସେ ଅବଳାର ବଳ ଅଶ୍ରୁର ଶରଣାପନ୍ନ ହେଲେ । ଦିନେ ଜଣେ ପ୍ରଜା କଲିକତାରୁ ଆସି ସତ୍ୟଭୂଷଣର କାର୍ଯ୍ୟକଳାପ ସାଳଙ୍କାରରେ ଜମିଦାରଙ୍କ ଆଗରେ ବର୍ଣ୍ଣନା କଲା । ସତ୍ୟଭୂଷର ସଙ୍ଗରେ ତାହାର କୌଣସି ପ୍ରକାର ଶତ୍ରୁତା ଥିଲା ନାହିଁ; ସୁତରାଂ ସେ ପ୍ରତିହିଂସା ପ୍ରଣୋଦିତ ହୋଇ କହିନାହିଁ । ସେ କଲିକତାରେ ଥାଇ ଦେଖୁଁ ଦେଖୁଁ ତାହାର ଜମିଦାର ପୁତ୍ର–ଭାବୀ ଜମିଦାର ଏପରି ବାଉଡୁଙ୍ଗିଆ ହୋଇଯିବ, ଏହା ସେ ସହିପାରିଲା ନାହିଁ । ସତ୍ୟଭୂଷରର ହିତ କାମନାରେ ସେ ତାହାର ଦୋଷ ପ୍ରଚାର କରିଥିଲେ । ଏହା ଅବଶ୍ୟ ସୁବନ୍ଧୁର କର୍ତ୍ତବ୍ୟ । ଜମିଦାର ହୁକା ଧରି ଗୁଡ଼ାଖୁ ଟାଣୁଥିଲେ, ପୁଅର କୀର୍ତ୍ତି କାହାଣୀ ଶୁଣି କ୍ରୋଧରେ ଫୁଲି ଉଠିଲେ । ତତକ୍ଷଣାତ୍‌ କପାଳରେ ଅସ୍ପଷ୍ଟ ଶିରାଗୁଡ଼ାକ ପୂର୍ଣ୍ଣ ରୂପରେ ଆତ୍ମପ୍ରକାଶ କରିଉଠିଲା । ସେ ଜ୍ୱଳନ୍ତ ଆଗ୍ନେୟଗିରି ପରି ଧୁମୋଦ୍‌ଗାର କରି କହିଲେ, ‘‘ଛିଃ, ଏପରି ପୁଅ ଲକ୍ଷେ ଗଣ୍ଡା ଥାଇ କି କାର୍ଯ୍ୟ ? ପିତୃ ପିତାମହଙ୍କର ନା-ପାଣି ବୁଡ଼ାଇବ, ଆଉ କଅଣ ! ଭଲା ନ ପଢ଼ିଲା ନାହିଁ, ଘରକୁ ଚାଲି ଆସନ୍ତା !’’ ଶେଷ କଥାଟା ଶୁଣି ବେବର୍ତ୍ତାଙ୍କ ଅନ୍ତ ହାଲୁ ହାଲୁ ହେଲା । କାଳେ ଜମିଦାର ସତ୍ୟଭୂଷଣକୁ କଲିକତାରୁ ଘେନି ଆସନ୍ତି, ତାହା ହେଲେ ତ ବେବର୍ତ୍ତାଙ୍କର ସର୍ବନାଶ । ଏଣେ ବହୁ କୁଟୁମ୍ୱ ସମ୍ଭାଳି ତାରାନାଥର ଶିକ୍ଷାବ୍ୟୟ ଚଳାଇବା କି ସହଜ କଥା । ଯାହାହେଉ, ସେ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି କହିଲେ, ‘‘ନା ଆଜ୍ଞା, ଆମ ବାବୁ ତ ସୁନାମୁଣ୍ଡେ, ତାଙ୍କର କାହିଁ ଚରିତ୍ର ଦୋଷ ତ କିଛି ଦେଖାଯାଉ ନାହିଁ, ଖାଲି ବାରଆଡ଼କୁ ମନ ଦେଇ ଚଗଲାମି କରନ୍ତି ସିନା ବୟସ ହେଲେ ବୁଦ୍ଧି ବସିଗଲେ ସେସବୁ କୁଆଡ଼େ ଛାଡ଼ିଯିବ । ଯେତେ ହେଲେ ସେ ବାଘର ପିଲା, ଆପେ ଆପେ ଶିକାର ଶିଖିବେ-।’’ ଏହା ଶୁଣି ଜମିଦାରଙ୍କ ଛାତି କୁଣ୍ଡେ ମୋଟ ହୋଇଗଲା । ଅନ୍ଧାକାର ରାତ୍ର ଜ୍ୟୋତ୍ସ୍ନାରେ ତିନ୍ତିଲେ ଯେପରି ଉଜ୍ଜ୍ୱଳ ଦିଶେ, ତାଙ୍କର ମୁଖ ସେହିପରି ହର୍ଷୋଜ୍ଜ୍ୱଳ ଦିଶିଲା । ତହୁଁ ସେ ଗର୍ବସୂଚି ମୃଦୁ ହାସ ବିକାଶ ପୂର୍ବକ କହିଲେ–‘‘ହଁ ବେବର୍ତ୍ତା, ଯାହା ତୁମେ କହିଲ ତାହା ଠିକ୍‌; ପିଲା କାଳରେ ସମସ୍ତେ ସେହିପରି ହୁଅନ୍ତି । ତୁମେ, ଆମେ କଅଣ ହୋଇ ନ ଥିଲେ ? ଓଃ, କେତେ ଦୁଷ୍ଟାମି ଯାଇଛି । ଭାଟଘର ପିଲା ଭାଟ, ଲାଟ ଘର ପିଲା ଲାଟ । ଯେ ଯାହା, ଶେଷରେ ସେ ତାହାହିଁ ହେବ, ଏଥିରେ ଆଉ ସଂଶୟ କଅଣ ? ଜମିଦାର ଅନ୍ତର୍ଯ୍ୟାମୀ ରାୟ ଟେକାଟେକିରେ ଖୁବ୍‌ପ୍ରିୟ । ତାଙ୍କୁ ଯେତେ ଟେକାଟେକି କରାଯାଏ ସେ ତେତେ ପ୍ରସନ୍ନ ହୁଅନ୍ତି । ବେବର୍ତ୍ତାଙ୍କ କଥା ଶୁଣି ତାଙ୍କର ତେଡ଼େ ବଡ଼ କ୍ରୋଧ ଦଣ୍ଡକେ ପାଣି ହୋଇଗଲା ।

 

କାଳର ଗତି ବଡ଼ ବିଚିତ୍ର । କାଳ ଠିକ୍‌ ସର୍ପ ପରି । ସର୍ପର ଗତି କୁଟିଳ, କାଳର ଗତି କୁଟିଳ । ସର୍ପ ବାୟୁ ପାନକରେ, କାଳ ଆୟୁଃ ପାନକରେ । ସର୍ପ ଯେପରି ଅବିଶ୍ୱାସୀ, କାଳ ବି ସେହିପରି ଅବିଶ୍ୱାସୀ । ସର୍ପର ଦୟାମାୟା ନାହିଁ, କାଳର ଦୟାମାୟା ନାହିଁ । ଯେଉଁ କାଳ କଲିକତା ପ୍ରତି ସତ୍ୟଭୂଷଣର ଆସକ୍ତି ଆଣିଥିଲା, ସେହି କାଳ ପୁଣି ବିରକ୍ତ ଆଣିଦେଲା । ସତ୍ୟଭୂଷଣକୁ ଆଉ କଲିକତା ଭଲ ଲାଗେନାହିଁ । ସେ ଏବେ କିପରି ଗ୍ରାମକୁ ଯାଇ ନିଜର ଉର୍ପାଜିତ ଗୁଣଗୁଡ଼ାକ ସେଠାରେ ପ୍ରକାଶ କରିବ, ସେଥିପାଇଁ ବଡ଼ ବ୍ୟାକୁଳ; ମାତ୍ର ଏହି ବ୍ୟାକୁଳତାର ଯନ୍ତ୍ରଣା ତାକୁ ଅଧିକ ଦିନ ସହିବାକୁ ହେଲାନାହିଁ । ଦେଖୁଁ ଦେଖୁଁ ତିନିବର୍ଷ ଅତୀତ ହୋଇଗଲା । ଡାକ୍ତରୀ ଶେଷ ପରୀକ୍ଷାର ଦିନ ଆସି ଉପସ୍ଥିତ ହେଲା । ସମସ୍ତେ ପରୀକ୍ଷା ଦେଲେ । ଯଥାସମୟରେ ଫଳ ବାହାରିଲା । ତାରାନାଥ ଏବଂ ରଙ୍ଗାଧର ପାସ କଲେ; ମାତ୍ର ସତ୍ୟଭୂଷଣ ନାମ ପାସ ତାଲିକାରେ ମିଳିଲା ନାହିଁ । ତାହା ପରୀକ୍ଷକର ଭୁଲ ହୋଇପାରେ । ପରୀକ୍ଷକମାନେ ଅନେକ ସମୟରେ ଏହିପରି ଭୁଲ କରନ୍ତି । ସେମାନେ ଭୁଲ ନ କଲେ କେହି ଫେଲ ହୁଅନ୍ତେ ନାହିଁ । ସତ୍ୟଭୂଷଣ ଭାବିଲା–‘‘ମୁଁ ନିଶ୍ଚୟ ପାସ କରିଚି, ଏଥିରେ ସନ୍ଦେହ ନାହିଁ । ପରୀକ୍ଷକର ଭୁଲରୁ ହେଉ ବା ଛାପାଖାନାର ଭୁଲରୁ ହେଉ ନାମଟି ଛପା ହୋଇପାରିନାହିଁ । ତାହା ହେଉ, ସେଥିଲାଗି କ୍ଷତି କଅଣ-? ଆଉ ପାସ ନ ହେଲେ ବା କ୍ଷତି କଅଣ ? ପାସ ଫେଲ ଏକା କଥା । ପରୀକ୍ଷାରେ କିଏ ଲେଖି ପାରିଲା ବା କିଏ ଲେଖି ନ ପାରିଲା, ସେଥିପାଇଁ ଯାଏ ଆସେ କଅଣ ? ସମସ୍ତେ ତ ଏକା ପାଠ ପଢ଼ିଛନ୍ତି । ସ୍କୁଲରୁ ଯେ ଯୋଗ୍ୟ ବିବେଚିତ ହୋଇଗଲା ସେ ପରୀକ୍ଷାରେ ଲେଖି ନ ପାରିଲା ବୋଲି କଅଣ ତାହାର ବିଦ୍ୟା ଉଡ଼ିଗଲା ?’’ ସତ୍ୟଭୂଷଣ ଏହିପରି ଅନେକ ଭାବି ମନକୁ ପ୍ରବୋଧ ଦେଲା । ମନକୁ ଆଖି ଠାରିବା ସକାଶେ ଏ ସଂସାରରେ ସାନ୍ତ୍ୱନା ବାଣୀର ଅଭାବ ନାହିଁ । ତାକୁ ଖୋଜିବାକୁ ହୁଏ ନାହିଁ । ସେ ଆପେ ଆପେ ଆସି ପହଞ୍ଚିଯାଏ । ତାରାନାଥ ଏବଂ ରଙ୍ଗାଧର ସଫଳ ମନୋରଥ ହୋଇ ଗୃହାଭିମୁଖୀ ହେଲେ । ସତ୍ୟଭୂଷଣ ମଧ୍ୟ ନିର୍ବିକାର ଚିତ୍ତରେ କଲିକତା ପରିତ୍ୟାଗ କରି ଉଚ୍ଛ୍ରିତ (ଉନ୍ନତ) ମସ୍ତକରେ ସେମାନଙ୍କର ପୁରଶ୍ଚର ହୋଇ ଗୃହଯାତ୍ରା କଲେ । କଲିକତା ପ୍ରତି ତାହାର ପୂର୍ବରୁ ବିରାଗ ଜନ୍ମିଥିଲା; ସୁତରାଂ କଲିକତା ଛାଡ଼ିବାବେଳେ କୌଣସି ପ୍ରକାର ଅତୃପ୍ତ ବାସନାର ତପ୍ତ ହାହାକାର ତାହା ହୃଦୟରେ ଦାଗ ବସାଇ ପାରିଲା ନାହିଁ । ଯଥା–ସମୟରେ ତିନିବନ୍ଧୁ ଆସି ଗ୍ରାମରେ ଉପସ୍ଥିତ ହେଲେ।

 

ତାରାନାଥ ଏବଂ ରଙ୍ଗାଧର ଚାକିରୀ କଲେନାହିଁ, ସ୍ୱ ସ୍ୱ ଗ୍ରାମରେ ଔଷଧାଳୟ ସ୍ଥାପନ କରି ବ୍ୟବସାୟ ଆରମ୍ଭ କଲେ । ଅଳ୍ପଦିନ ମଧ୍ୟରେ ସେମାନଙ୍କର ନାମ ବିଖ୍ୟାତ ହୋଇ ଉଠିଲା, ଆୟ ମଧ୍ୟ ଆଶାନୁରୂପ ହେଲା । ଏଣେ ସତ୍ୟଭୂଷଣ ଗ୍ରାମ ଛୁଇଁଲାକ୍ଷଣି ତାହାର ବକ୍ତୃତା–ବ୍ୟାଧି ପୁଣି ସଂକ୍ରମିତ ହେବାକୁ ଲାଗିଲା । ତହୁଁ ସେ ଅନେକ କାର୍ଯ୍ୟର କଳ୍ପନା କରିଗଲା । କିନ୍ତୁ କାହାକୁ ଆଗେ କରିବ, ତାହା ସ୍ଥିର କରି ନ ପାରି ଆଖୁବାଡ଼ିରେ ପଶିଲା ପରି ହେଲା । ସେ ମନେ ମନେ ଭାବିଲା–‘‘ଆରେ ଗୋଟିଏ ଗ୍ରାମୋନ୍ନତି ସମିତି ସ୍ଥାପନ କରିବା ନିତାନ୍ତ ଦରକାର । ସେହି ସମିତିକୁ ମୂଳକରି ତାହାର ଶଖା ପ୍ରଶାଖା ରୂପରେ ଅନ୍ୟ କାର୍ଯ୍ୟ କରିବାକୁ ହେବ ।’’ ତାହାର ଏ କଳ୍ପନା କାର୍ଯ୍ୟରେ ପରିଣତ ହେବାକୁ ଅଧିକ ବିଳମ୍ୱ ହେଲା ନାହିଁ । ଗ୍ରାମର ନିଷ୍କର୍ମା ଯୁବକଦଳକୁ ନେଇ ସମିତି ସ୍ଥାପିତ ହେଲା । ସମିତିର ଉପକାରିତା ବୁଝାଇବା ସକାଶେ ସତ୍ୟଭୂଷଣ ସହକର୍ମ୍ମୀମାନଙ୍କୁ ସାଙ୍ଗରେ ଘେନି ଗ୍ରାମସାରା ବକ୍ତୃତା କରି ବୁଲିଲା । ବିଲରେ, ପୋଖରୀ ତୁଠରେ, ଦୋକାନରେ ଖରା ପୁଇଁବା ସ୍ଥାନରେ–ଯେଉଁଠାରେ ପାଞ୍ଚଜଣ ଲୋକ ଦେଖିଲା, ସେହିଠାରେ ଯାଇଁ ବକ୍ତୃତା ଆରମ୍ଭ କଲା । ଗ୍ରାମୋନ୍ନତି ସମିତି ଯୋଗେ ଗ୍ରାମର ଅସୀମ ଉନ୍ନତି ହେବ; ଦୁର୍ଭିକ୍ଷ, ମଡ଼କ, ରୋଗ, ଦାରିଦ୍ର୍ୟ, ଚୋର, ଖଣ୍ଟ, ଭୂତ, ପ୍ରେତ, ଡ଼ାଆଣୀ, ଚିରକୁଣୀ କେହି ଗାଁରେ ପଶିପାରିବେ ନାହିଁ; ସମସ୍ତଙ୍କ ହାତରେ ଟଙ୍କା ପଇସା ସବୁବେଳେ ଝଣ୍ ଝଣ୍ ହେବ; ଗ୍ରାମଯାକ ପକା କୋଠାରେ ଧବଳମୟ ହୋଇଯିବ, ଆଉ କେହି ମୁର୍ଖ ରହିବେ ନାହିଁ, ସମସ୍ତେ ଭଟ୍ଟାଚାର୍ଯ୍ୟ ପଣ୍ଡିତ ହୋଇଯିବେ-। ବର୍ଷକୁ ବର୍ଷ ଗ୍ରାମର କାହାଣ କାହାଣ ଦୁପଟି, ମନୁସଫ, ଓକିଲ, ଜଜ, ବାରିଷ୍ଟର ବାହାରିବେ । ଗାଁ ଖଣ୍ଡକ କଲିକତା ସହରଠାରୁ ବଳିଯିବ । ବକ୍ତୃତାରେ ଏହିପରି ଅନେକ ଆଶାର ସ୍ୱପ୍ନ ଥାଏ । ସ୍ଥୂଳତଃ ସମିତିଟି ଖଣ୍ଡିଏ ସ୍ପର୍ଶମଣି । ତାହା ସ୍ପର୍ଶରେ ଗ୍ରାମରୂପ ଲୌହ ଶୁଦ୍ଧସୁବର୍ଣ୍ଣରେ ପରିଣତ ହେବ । କେବଳ ଏତିକି ନୁହେଁ, ବକ୍ତୃତାରେ ଆହୁରି ଅନେକ ଉଚ୍ଚଦରର କଥା ଥାଏ । ଏମନ୍ତ କି ଗ୍ରମାବାସୀମାନେ ନିଜର ଅର୍ଥରେ ରେଳ, ଜାହାଜ ପ୍ରଭୃତି ଚଳାଇ ପାରିବାର ଆଭାସ ମଧ୍ୟ ଥାଏ । ଆଉ ଅଧିକ କହିବାର ଆବଶ୍ୟକତା ନାହିଁ । ପାଠକମାନେ ବିରକ୍ତ ହେବେଣି । ଖାଲି ଏତିକି କହିଲେ ଯଥେଷ୍ଟ ହେବ ଯେ, ସ୍ୱୟଂ ସୃଷ୍ଟିକର୍ତ୍ତାଙ୍କର କୌଣସି କାର୍ଯ୍ୟ ଅସାଧ୍ୟ ଥାଇପାରେ; ମାତ୍ର ସମିତିର ଅସାଧ୍ୟ କିଛି ନାହିଁ । ଅର୍ଥାତ୍ ସମିତିରୂପ ଅଭିଧାନରେ ଅସାଧ୍ୟ ଶବ୍ଦ ନାହିଁ । ଗ୍ରାମର ଆବାଳବୃଦ୍ଧ ରୁଣ୍ଡ ହୋଇ ବକ୍ତୃତା ଶୁଣନ୍ତି, ବିସ୍ମୟରେ ସ୍ତମ୍ଭୀଭୂତ ହୋଇ ରହନ୍ତି; କିନ୍ତୁ କେହି ବୁଝନ୍ତି କି ନାହିଁ ତାହା ଆମ୍ଭମାନଙ୍କୁ ଅଜ୍ଞାତ । ତେବେ ସମସ୍ତେ ଯେ ସତ୍ୟଭୂଷଣର ପ୍ରଶଂସା କରନ୍ତି, ଏହା ମିଥ୍ୟା ନୁହେଁ । ସତ୍ୟଭୂଷଣକୁ ସେମାନେ ଗ୍ରାମର କୋଷ୍ଠୀରେ ନୂତନ ଶୁଭଗ୍ରହର ଉଦୟ ବୋଲି ଜ୍ଞାନ କରନ୍ତି । ଅନର୍ଗଳ ବକ୍ତୃତା କରି କରି ଯାତ୍ରା ପିଲାଙ୍କ ପରି ସତ୍ୟଭୂଷଣର ତଣ୍ଟି ପଚିଗଲା । ସ୍ୱର ଫିଟିବା ସକାଶେ କେତେ ଦିନଯାଏ ସେ ମହାବରୀ ବଚ କଳରେ ଯାକିଥିଲା ।

 

ପୁତ୍ରର ପ୍ରଶଂସା ଶୁଣି ପିତାମାତାଙ୍କର ହୃଦୟ ଆନନ୍ଦରେ ପୂରିଉଠିଲା । ପୁଅ ତ କୌଣସି କୁକର୍ମ ବା ଅକର୍ମ କରୁନାହିଁ–ପବିତ୍ର ଦେଶସେବାରେ ଆତ୍ମନିୟୋଗ କରିଅଛି, ଏହା ତ ଗୌରବର କଥା, ପୁଣ୍ୟର କଥା । ଏହା ପିତାମାତାଙ୍କର ବାଞ୍ଛନୀୟ; କିନ୍ତୁ ଅତିରିକ୍ତ ବକାବକି ଏବଂ ବୁଲାବୁଲିରା ପୁଅର ଦେହ ଦୁର୍ବଳ ହୋଇ ପଡୁଅଛି, ଏହା ଅବଶ୍ୟ ଅସହ୍ୟ । ସତ୍ୟଭୂଷଣ ବକ୍ତୃତାରେ ଏତେ ପ୍ରମତ୍ତ ଅଛି ଯେ, ତାହାର ସ୍ନାନ, ଆହାର, ନିଦ୍ରା ସବୁ ଅନିୟମିତ । ଭୋକ କରେ ବୋଲି ଖାଏ, ନଚେତ୍ ବକ୍ତୃତା ଖାଇ ଯଦି ଭୋକ ବନ୍ଦ ହେଉଥାଆନ୍ତା, ତେବେ ସେ ଆଉ କିଛି ଖାଇବାକୁ ଖୋଜନ୍ତା ନାହିଁ । ଦିନେ ବୃନ୍ଦାବତୀ ପୁଅକୁ କହିଲେ–‘‘ସତ୍ୟ, ତୁ ନ ଖାଇ ନ ପିଇ ତ କଣ୍ଟା ହୋଇଗଲୁଣି–ହାଡ଼ ଚାରିଖଣ୍ଡ ଗଣି ହେଲାଣି, ତୁ ଆଉ ଏତେ ବୁଲ ନା କି ବକାବକି କର ନା-। କଅଣ ଦଶ ସଭା କରୁଛୁ ପରା, ଘରେ ବସି ତାହା କର ।’’ ସତ୍ୟଭୂଷଣ ମା ମୁହଁକୁ ଚାହିଁ ମୃଦୁ ହସି କହିଲା–‘‘ଦଶସଭା କଅଣ ଲୋ ? ଦେଶସେବା କହ ।’’ ବୃନ୍ଦାବତୀ କହିଲେ–‘‘ହଁରେ ସେ ଦଶସଭା ନ ଦେଶ ସଭା କଅଣ, ତାହା ମୋ ନିଆଁ ଲଗା ତୁଣ୍ଡରେ ଆସୁନାହିଁ । ଏତେ ନ ବୁଲିଲେ କଅଣ ସେ ଦଶସଭା ଘରେ ବସି କରିହୁଏ ନାହିଁ । ତୁ ଅଣ୍ଡାଖଣ୍ଡକ ଏତେ ହୁନ୍ଦର କଉଁଠୁ ଶିଖିଲୁରେ-? ତୋ କଥା ମୋତେ ତାଟଙ୍ଗା ଲାଗିଛି । ହଉ, ତୁ ଯାହା କର ପଛେ ଘରେ ବସି କର, ଭୋଗ ରାଗ ସିଧା ସାମଗ୍ରୀ ଯାହା ଲାଗିବ ମୁଁ ସବୁ ତୁଲେଇ ଦେବି ।’’

 

ସତ୍ୟ–ହଁ, ଘରେ ବସି ଦେଶସେବା କରିବି, ତୁ ଟଙ୍କା ଦେବୁନା ?

ମାତା–କି, ଟଙ୍କା କଅଣ କରିବୁ ?

ସତ୍ୟ–ଔଷଧ କିଣିଆଣି ଗରିବ ଲୋକଙ୍କୁ ବାଣ୍ଟିବି ।

 

ମାତା–ହଉ ବାପ, ତା ପଛେ କର, ସେ ଖୁବ୍‌ ଭଲ କାମ । ଦୁଖୀ ରଙ୍କୀଙ୍କର ଉପକାର ହବ । ସେମାନେ କଲ୍ୟାଣ କରିବେ । ଠାକୁରେ ତୋତେ ଆଇଷ ଦେବେ । ଗରିବ କାଙ୍ଗାଳିଙ୍କି ଚାହିଁଲେ ତୋର ଧର୍ମ ହବରେ ବାପ । ମା ମଙ୍ଗଳା ତୋତେ ସେହି ସୁବୁଦ୍ଧି ଦଉନ୍ତୁ, କେତେ ଟଙ୍କା ହେଲେ ହେବ କହ ?

 

ସତ୍ୟ–ଦୁଇଶ ଟଙ୍କା ହେଲେ ଏବେ କାମ ଚଳିବ ।

ମାତା–ହଉ, ମୋ ବାକ୍‌ସରୁ ନେ ।

 

ସତ୍ୟଭୂଷଣ ମାତାଙ୍କ ବାକ୍‌ସରୁ ଟଙ୍କା ନେଇ କେତେକ ଡାକ୍ତରୀ ଔଷଧ କିଣି ଆଣି ଚିକିତ୍ସା ଆରମ୍ଭ କଲା । ସେ ଗୋଟାଏ ଜ୍ୱରମପା ଯନ୍ତ୍ର ଘେନି ଘରେ ଘରେ ବୁଲି ରୋଗୀ ଖୋଜି ଚିକିତ୍ସା କଲା । ଯାହା ଗୋଡ଼ରେ ଗୋଟାଏ ଘା ଦେଖିଲା, ତାକୁ ଧରିଆଣି ସାବୁନ ଓ ଗରମ ପାଣିରେ ନିଜ ହାତରେ ତାହାର ଘା ଧୋଇଦେଇ ମଲମ ଲଗାଇଦିଏ । କେହି ଦେହରେ ଲୁଗା ଘୋଡ଼ିଥିଲେ ତାକୁ କହେ–‘‘କି, କାହିଁକି ଲୁଗା ଘୋଡ଼ିଛୁ ? ଆସିଲୁ ଆସିଲୁ–ତୋ ଦେହ ଦେଖେ ।’’ ଏହା କହି ସେହିକ୍ଷଣି ତାହାର ଜ୍ୱର ମାପି ବସେ ଏବଂ ଜ୍ୱର ଥାଉ ବା ନ ଥାଉ ତାକୁ ଡାକିନେଇ ଔଷଧ ଗିଳାଏ । ସେ ଇତର ଭଦ୍ରର ଭେଦ ରଖେ ନାହିଁ । ଯେ ହେଉ ପୀଡ଼ିତ ଦେଖିଲେ ତାକୁ ସ୍ୱହସ୍ତରେ ଚିକିତ୍ସା କରେ । ତାହାର ଏହି ଗୁଣ ଦେଖି ଲୋକେ ତାକୁ ଦେବତା ତୁଲ୍ୟ ଭକ୍ତିକଲେ । ଦରିଦ୍ର ବା ନିମ୍ନଜାତୀୟ ଲୋକେ ଧନୀର ସାହଚର୍ଯ୍ୟ ପାଆନ୍ତି ନାହିଁ, ଦୈବେ ପାଇଲେ ଗୋଟାଏ ପରମ ଗୌରବ ଅନୁଭବ କରନ୍ତି । ସେମାନେ ଅଧିକ କିଛି ଖୋଜନ୍ତି ନାହିଁ, ଉଚ୍ଚ ଜାତିଙ୍କଠାରୁ ଟିକିଏ ଉଦାର ସଦୟ ବ୍ୟବହାର ପାଇଲେ ଜୀବନ ଧନ୍ୟ ମଣନ୍ତି ଏବଂ ଦାତାର ପ୍ରତିଷ୍ଠା ପ୍ରଚାରରେ ସହସ୍ରମୁଖ ହୁଅନ୍ତି । ଯାହାଙ୍କୁ ସମାଜ ଦୂରରୁ ଦେଖିଲେ ଘୃଣ୍ୟ ଇତର ପଶୁ ପରି ଦୂର୍ ଦୂର୍ କରେ, ତାଙ୍କୁ ଯେ ଟିକିଏ ଆଶ୍ୱାସନା ଦେଖାଏ ବା ହାତ ଆଉଁସା କରେ, ସେମାନେ ତାକୁ ଦେବତାର ଉପରେ ଆସନ ଦିଅନ୍ତି । ସେମାନେ ଭକ୍ତି ଦେବାକୁ ପ୍ରସ୍ତୁତ; କିନ୍ତୁ ସମାଜ ତାହା ଗ୍ରହଣ କରେ ନାହିଁ କିମ୍ବା ସେମାନଙ୍କର ସାମାନ୍ୟ ପ୍ରାପ୍ୟ ସେମାନଙ୍କୁ ଦିଏ ନାହିଁ । ଏହା ସମାଜର ଦୁର୍ବଳତା ନା ଦୁର୍ଭାଗ୍ୟ ? ମନୁଷ୍ୟ ହୋଇ ମନୁଷ୍ୟକୁ ଘୃଣାକରିବା ରୂପ କୁରୀତି ଯେଉଁ ସମାଜରେ ପ୍ରବେଶ କରେ, ସେ ସମାଜ କୀଟଦଷ୍ଟ କାଷ୍ଠ ପରି ଅନ୍ତଃସାରଶୂନ୍ୟ । ଯେ ନିଜର ହାତଗୋଡ଼କୁ ଘୃଣାକରେ, କାହାର ଦୁର୍ଗତି ଆବଶ୍ୟମ୍ଭାବୀ ଏବଂ ସେ ନିଜକୁ ନିଜେ ଦୁର୍ବଳ କରେ । ସମାଜ ଯାହାକୁ ନିମ୍ନ ଜାତି ବୋଲି ଘୃଣାକରେ, ସେହି ଏକା ସମାଜ-ବୃକ୍ଷର ବଳ୍‌କଳ । ଗଛରୁ ବଳ୍‌କଳ ଛାଡ଼ି ଗଲେ ଗଛଟା କେତେଦିନ ବଞ୍ଚିବ ? ଦୁଃଖର ବିଷୟ ଜ୍ଞାନାଭିମାନୀ ସମାଜପତିମାନେ ଏହା ବୁଝି ସୁଦ୍ଧା ବୁଝନ୍ତି ନାହିଁ । ସେମାନଙ୍କର ବିଷନିଃଶ୍ୱାସରେ ସମାଜର ସୁଖର ଉତ୍ସ ଶୁଖିଯିବ । ହାତ ମୁହଁକୁ ଆହାର ଯୋଗାଏ; ମାତ୍ର ମୁହଁ ଯଦି ହାତକୁ ଘୃଣାକରେ ତେବେ ଫଳ ଯାହା ହେବାର ତାହାହିଁ ହୁଏ ।

 

ସତ୍ୟଭୂଷଣର ଚିକିତ୍ସାଳୟରେ ରୋଗୀ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା । ଔଷଧ, ପଥ୍ୟ, ଶୁଶ୍ରୂଷା ସବୁ ମାହାଳିଆ ମିଳିବାରୁ ଦୂରବର୍ତ୍ତୀ ଗ୍ରାମର ରୋଗୀମାନେ ଆସି ରୁଣ୍ଡ ହେଲେ । ରୋଗୀ ବୃଦ୍ଧି ଅନୁପାତରେ ଖର୍ଚ୍ଚ ମଧ୍ୟ ବଢ଼ିଉଠିଲା । ସତ୍ୟଭୂଷଣ ମା ବାକ୍‌ସରୁ ଟଙ୍କା ଆଣି ଖର୍ଚ୍ଚ ଚଳାଇବାକୁ ଲାଗିଲା; ମାତ୍ର ସେଥିରେ ଏରୂପ ବିରାଟ ବ୍ୟୟସାଧ୍ୟ କାର୍ଯ୍ୟ କେତେକାଳ ଚଳିବ ? ପିତା ସେଥିପାଇଁ ବ୍ୟୟକରିବାକୁ ଏକାନ୍ତ କୁଣ୍ଠିତ । ସେ ପୁଅର ପ୍ରଶଂସା ଚାହାନ୍ତି; ମାତ୍ର ଟଙ୍କା ଦେଇ ପ୍ରଶଂସା କିଣିବାକୁ ଚାହାନ୍ତି ନାହିଁ । ବିନା ମୂଲ୍ୟରେ ହିମାଳୟ ତୁଲ୍ୟ ପ୍ରଶଂସାସ୍ତୁପ ତାଙ୍କ ଉପରେ ଚାପିଲେ ମନା କରିବେ ନାହିଁ; ମାତ୍ର ଯହିଁରେ ମୂଲ୍ୟ ଆବଶ୍ୟକ, ସେଭଳି ପ୍ରଶଂସାର ରସିକ ସେ ନୁହନ୍ତି । ଔଷଧାଳୟ ପାଇଁ ବାହାରରୁ କାହାରିଠାରୁ କଡ଼ାଏ ସାହାଯ୍ୟ ମିଳିବାର ସୁଦ୍ଧା ଆଶା ନହିଁ । ଏରୂପ ଅବସ୍ଥାରେ ସତ୍ୟଭୂଷଣର ଚାରା କଅଣ ଅଛି ? ଅର୍ଥାଭାବ ହେତୁ ଚାରିମାସ ପରେ ଔଷଧାଳୟର କାର୍ଯ୍ୟ ଆପେ ଆପେ ବନ୍ଦ ହୋଇଗଲା । ତାହା ଅର୍ଥାଭାବର ଦୋଷ, ଅନୁଷ୍ଠାତାର ଦୋଷ ନୁହେଁ ।

 

ଡାକ୍ତରଖାନା ବନ୍ଦ ହୋଇଗଲା, ରୋଗୀ ଧାଉଡ଼ି ସୁଦ୍ଧା ବନ୍ଦ ହୋଇଗଲା । ସତ୍ୟଭୂଷଣର ଆଉ କିଛି କାମ ନାହିଁ; କିନ୍ତୁ ସେ ନିଷ୍କର୍ମା ହୋଇ ବସି ରହିବାର ପାତ୍ର ନୁହେଁ । କିଛି ଗୋଟାଏ ଦେଶ ସେବା ତାହାର ଦରକାର । ଦିନେ ସମିତିରେ ପ୍ରସ୍ତାବ ହେଲା–‘ଗୋଟାଏ ପଞ୍ଚାଏତ ସଭା ଗଠିତ ହେବ, ସେଥିରେ କେତେଜଣ ସଭ୍ୟ ରହିବେ, ସେମାନେ ମାଲିମକଦ୍ଦମା ସବୁ ଭାଙ୍ଗିଦେଇ ଗରିବ ପ୍ରଜାଙ୍କୁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରିବେ ।’ ଆଉ ଦିନେ ପ୍ରସ୍ତାବ ହେଲା ଚାନ୍ଦା କରି କେତେଟା ତନ୍ତ ଅଣାଇ ଲୁଗାବୁଣା ଶିଖିବାକୁ ହେବ ।’ ଆଉ ଦିନେ ପ୍ରସ୍ତାବ ହେଲା–‘ଗୋଟାଏ ହାଟ ବସାଇବାକୁ ହେବ, ନ ହେଲେ ଅନ୍ତର୍ବାଣିଜ୍ୟର ସୁବିଧା ହେବ ନାହିଁ ।’ ଏହିପରି ଅନେକ ପ୍ରସ୍ତାବ ହେଲା; ମାତ୍ର କାର୍ଯ୍ୟରେ ଗୋଟାଏ ସୁଦ୍ଧା ଉଧାଇଲା ନାହିଁ । ତହୁଁ ସ୍ତ୍ରୀଶିକ୍ଷା ଉପରେ ଦୃଷ୍ଟି ପଡ଼ିଲା । ସଙ୍ଗେ ସଙ୍ଗେ ସମିତିରେ ପ୍ରସ୍ତାବ ମଞ୍ଜୁର ହୋଇ ଗୋଟାଏ ବାଳିକା ସ୍କୁଲ ବସାଇବାର ଧାର୍ଯ୍ୟ ହେଲା । ମାତ୍ର ପଢ଼ିବ କିଏ ? ଯେଉଁ ପଲ୍ଲୀଗ୍ରାମରେ ଶତକଡ଼ା ଅନେଶତ ଜଣ ପୁରୁଷ ନିରକ୍ଷର, ସେଠାରେ ସ୍ତ୍ରୀଶିକ୍ଷାକୁ କିଏ ଆଦର କରିବ; ସୁତରାଂ ଏ ପ୍ରସ୍ତାବ ସୁଦ୍ଧା ପୂର୍ବ ପ୍ରସ୍ତାବର ଦଶା ଭଜିଲା । ଲୋକେ କୁହାକୁହି ହେଲେ–‘‘ଏ ସବୁ ଆମର କଅଣ ହେବ, ଦାନାକନା ଛଡ଼ା ଆଉ ସବୁ ଆମର ଅଛି । ଖାଲି ଆମ ପେଟକୁ ମୁଠେ ଦାନା ଆଉ ଦେହକୁ ଖଣ୍ଡେ କନା ଯେ ଦେଇପାରିବ, ସେହି ଆମର ପ୍ରକୃତ ବନ୍ଧୁ ।’’ ଲୋକଗୁଡ଼ାଙ୍କର ଏ କି ପ୍ରକୃତି ? ସତ୍ୟଭୂଷଣ ସେମାନଙ୍କୁ କୋଠାବାଡ଼ି, ରେଲ, ଜାହାଜ ଦେବାକୁ ପ୍ରସ୍ତୁତ; କିନ୍ତୁ ସେମାନେ ମାଗୁଛନ୍ତି କଅଣ ନା, ଦାନା-କନା । ସେ ଯାଚୁଛି ପୁରି ମିଠାଇ, ଏ ମାଗୁଛନ୍ତି–କୁଣ୍ଡାପିଠା; ଦୁର୍ଭାଗ୍ୟ ଆଉ କାହାକୁ କହନ୍ତି ? ସତ୍ୟଭୂଷଣର ଉଚ୍ଚ ଧାରଣାକୁ ଏହିପରି ଏକା ପଣ୍ଡ କଲେ; କିନ୍ତୁ ସତ୍ୟଭୂଷଣ ଦମିତ ହେବା ଲୋକ ନୁହେଁ । କେତେଟା ଅନୁଷ୍ଠାନରେ ବ୍ୟର୍ଥ ମନୋରଥ ହେଲା ବୋଲି କଅଣ ସେ ହାତଗୋଡ଼ ଯୋଡ଼ି ନିରୁତ୍ସାହ ହୋଇ ବସିରହିବ ? ‘‘ଉଦ୍‌ଯୋପୀନଂ ପୁରୁଷସିଂହଂ’’, ‘‘ବରଂ କୋଡ଼ି କଚାଡ଼ି ହେବା ଭଲ; ତଥାପି ସ୍ଥିର ହୋଇ ବସିବା ଭଲ ନୁହେଁ,’’ ‘‘ବସିବାଠାରୁ କାଶିବା ଭଲ,’’ ଏହିପରି ଅନେକ ବଡ଼ ବଡ଼ କଥା ସେ ଶିଖିଛି; ସୁତରାଂ ଶକ୍ତିକୁ କ୍ଳୀବ କରି ରଖିବ କାହିଁକି ? ଏହିପରି ବାଧା ପାଇ ସତ୍ୟଭୂଷଣର ଉତ୍ସାହ ମଲା ନାହିଁ, ପ୍ରତ୍ୟୁତଃ ବଢ଼ିବାକୁ ଲାଗିଲା । ବରକୋଳି ଗଛକୁ ଯେତେ କାଟିବ, ସେ ତେତେ କୁଆଁ ଦେଇ ବଢ଼ିବ । ସତ୍ୟଭୂଷଣ ଏଣିକି ସମାଜ ସଂସ୍କାରରେ ମନୋନିବେଶ କଲା । ସମିତିରେ ପ୍ରସ୍ତାବ ହେଲା–‘ଧନୀ ଘରେ ବିବାହ କରିବାକୁ ହେବ ନାହିଁ ।’ କେତେଜଣ ଯୁବକ ଏ ପ୍ରସ୍ତାବ ଗ୍ରହଣ କରି ପ୍ରତିଜ୍ଞା କଲେ–‘ସେମାନେ ବରଂ ଅବିବାହିତ ରହି ଚିରକୌମାର ବ୍ରତ ଧାରଣ କରିବେ; ମାତ୍ର ସହସ୍ର ପ୍ରଲୋଭନରେ ସୁଦ୍ଧା ଧନିକନ୍ୟାକୁ ବିବାହ କରିବେ ନାହିଁ ।’ ତହୁଁ ପ୍ରତିଜ୍ଞାପତ୍ର ଲିଖିତ ହେଲା, ଯେଉଁମାନେ ସେଥିରେ ସ୍ୱାକ୍ଷର କଲେ, ସେଥି ମଧ୍ୟରେ ସତ୍ୟଭୂଷଣ ପ୍ରଥମ । କେହି କେହି ପଚାରିଲେ–‘‘ଧନିକନ୍ୟା ପ୍ରତି ତୁମ୍ଭମାନଙ୍କର ଏ ଆକ୍ରୋଶ କାହିଁକି, ସେମାନଙ୍କର ଅପରାଧଟା ବା କଅଣ ?’’ ସତ୍ୟଭୂଷଣ ଅଗ୍ରଣୀ ହୋଇ ଉତ୍ତର କଲା–‘‘ଧନିକନ୍ୟା ପ୍ରତି ଆମ୍ଭମାନଙ୍କର ଅଶ୍ରଦ୍ଧା ନାହିଁ କିମ୍ବା ନାରୀଜାତି ପ୍ରତି ତିଳେ ମାତ୍ର ଆକ୍ରୋଶ ନାହିଁ । ନାରୀଜାତି ମାତୃଜାତି, ଦେବୀଜାତି, ସେମାନଙ୍କ ପ୍ରତି ଅଭକ୍ତି ପ୍ରକାଶ କରିବାକୁ କିଏ ସାହସ କରିବ ? ଜାଣୁ ଜାଣୁ ସେ ମହାପାପ କିଏ କାହିଁକି କରିବାକୁ ଯିବ । ତେବେ ଏ କାଳର ନାରୀମାନେ ସମସ୍ତେ ସେହି ଦେବୀଜାତୀୟ କି ନା, ସେ ବିଷୟରେ ମୋର ସନ୍ଦେହ ଅଛି । ସେ ଯାହା ହେଉ ଧନିକନ୍ୟାକୁ ବିବାହ ନ କରିବାର କାରଣ ଏହି ଯେ, ବଡ଼ ଲୋକମାନଙ୍କର ଟଙ୍କା ଅଛି, ସେମାନେ ବେଶି ଦରରେ ଜୋଇଁ କିଣିନେଇ ଝିଅ ଦେବେ, ତେବେ ଗରିବ ଝିଅକୁ କିଏ ବିବାହ କରିବ ? ସମାଜରେ ଗରିବ ହେବା କି ଏଡ଼େ ପାପ ? ଲୋକେ ବଡ଼ଲୋକ ହେବା ପାଇଁ ବଡ଼ଲୋକ ଘରେ ବିବାହ କରନ୍ତି, ନ ହେଲେ ଅନ୍ୟକିଛି କାରଣ ନାହିଁ । ବଡ଼ଲୋକର ଝିଅ ରୂପବତୀ ହେବ, ଗୁଣବତୀ ହେବ ଆଉ ଗରିବର ଝିଅ ନିର୍ଗୁଣା ହେବ, କୁରୁପା ହେବ ବୋଲି ତ ବିଧି ବିଧାନ ନାହିଁ । ବରଂ ତୁଳନାରେ ଅଧିକାଂଶ ସ୍ଥଳରେ ବିପରୀତ ଦେଖାଯାଏ । ଗରିବ ଝିଅ ଯେଉଁ କାର୍ଯ୍ୟକୁ ଆନନ୍ଦ, ସୁଖ ବା ପୁଣ୍ୟ ମଣେ, ଧନିକନ୍ୟା ତାକୁ ଲଜ୍ଜା, ଅପମାନ ଏବଂ ଘୃଣା ଜ୍ଞାନ କରେ । କେତେଟା ଧନିକନ୍ୟା ଶାଶୁ ଶଶୁରଙ୍କୁ ସେବା କରିବାକୁ, ରନ୍ଧାବଢ଼ା କରିବାକୁ, ଗୃହକାର୍ଯ୍ୟ କରିବାକୁ ସୁଖ ମଣନ୍ତି ? ମାତ୍ର ଗରିବ କନ୍ୟା ସେହିସବୁ କାର୍ଯ୍ୟକୁ କର୍ତ୍ତବ୍ୟ ମଣି ଆନନ୍ଦ ଏବଂ ଆଗ୍ରହର ସହିତ କରେ । ଆଉକଥା ଦୂରେଥାଉ ଅନେକ ବିଳାସକ୍ରୋଡ଼ପାଳିତା ଧନିକନ୍ୟା ନିଜର ଗର୍ଭଜାତ ସନ୍ତାନ ସନ୍ତତି ପାଳନରେ ସୁଦ୍ଧା ଉଦାସୀନ । ଜନ୍ମ କଲା ପରେ ଆଉ ତାଙ୍କର କିଛି ଦାୟିତ୍ୱ ନ ଥାଏ । ଧାତ୍ରୀ ହସ୍ତରେ ସନ୍ତାନର ଜୀବନ ଗଠିତ ହୁଏ, ଧାତ୍ରୀ ସ୍ତନ୍ୟରେ ତାହାର ଶରୀର ପୁଷ୍ଟ ହୁଏ ।’’ ସତ୍ୟଭୂଷଣ ଏହିପରି ଅନେକ କଥା କହିଗଲା, ତାହା ସବୁ ଲେଖିବା ତେତେ ଆବଶ୍ୟକ ନୁହେଁ ।

•••

 

ଷଷ୍ଠ ପରିଚ୍ଛେଦ

 

ତାରାନାଥ ଓ ରଙ୍ଗାଧରର ବିବାହ ହୋଇ ଯାଇଅଛି । ସେମାନେ ଧନିକନ୍ୟା ବିବାହ କରିନାହାନ୍ତି । ଏ ବିବାହରେ ସତ୍ୟଭୂଷଣର ଚେଷ୍ଟା, ଯତ୍ନ ପୂର୍ଣ୍ଣଭାବରେ ଥିଲା । ତାରାନାଥ ଏବଂ ରଙ୍ଗାଧର ସତ୍ୟଭୂଷଣରେ ଦଳଭୁକ୍ତ ନ ହେଲେହେଁ ତାଙ୍କ ଉପରେ ତାହାର ପ୍ରଭାବ ଯଥେଷ୍ଟ ଅଛି । ସେ ଦୁହେଁ ଘରକରଣା କାର୍ଯ୍ୟରେ ଖୁବ୍ ମନୋନିବେଶ କରିଅଛନ୍ତି । କାହାର ମାଟୁଘର ତିଆରି ଲାଗିଛି, ଦାଣ୍ଡପିଣ୍ଡା ପକ୍‌କା ହେଉଛି; କାହାର ପୋଖରୀ ଖୋଳା ଲାଗିଛି, ବାଡ଼ିପରସ୍ତରେ ଅମାର ତୋଳାହେଉଛି, ଜମିକିଣା ଲାଗିଛି, ବ୍ୟବସାୟର ପ୍ରସାର ମଧ୍ୟ ଯଥେଷ୍ଟ ବଢ଼ିଅଛି । ସେ ଦୁହେଁ ପ୍ରତ୍ୟହ ସନ୍ଧ୍ୟାସମୟରେ ସତ୍ୟଭୂଷଣର ବୈଠକଖାନାକୁ ଆସନ୍ତି । ତାରାନାଥ ଏବଂ ସତ୍ୟଭୂଷଣ ଏକ ଗ୍ରାମର ଅଧିବାସୀ । ରଙ୍ଗାଧରର ଘର ଭିନ୍ନ ଗ୍ରାମରେ । ଦୁଇ ଗ୍ରାମର ବ୍ୟବଧାନ ଡାକେ ବାଟ; ଅର୍ଥାତ୍ ଏ ଗ୍ରାମରୁ ଡାକିଲେ ସେ ଗ୍ରାମକୁ ଶୁଭେ । ଅଳ୍ପ ଦୂର ହେତୁ ତିନି ବନ୍ଧୁଙ୍କର ମିଳାମିଶାରେ ସୁବିଧା ହୁଏ । ସେମାନଙ୍କର ବାଲ୍ୟପ୍ରଣୟ ଅଦ୍ୟାବଧି ଅକ୍ଷତ ଅଛି, ପରସ୍ପର ଉପରେ ପରସ୍ପରର ଅଧିକାର ମଧ୍ୟ ଅଛି । ତିନିବନ୍ଧୁ ମଧ୍ୟରେ ନାନା ବିଷୟରେ ଆଲୋଚନା ହୁଏ । ଦିନେ ଦିନେ ଅଧିକ ରାତ୍ରି ହୋଇଗଲେ ରଙ୍ଗାଧର ସତ୍ୟଭୂଷଣ ଘରେ ରହିଯାଏ । ସତ୍ୟଭୂଷଣର ଅବ୍ୟବସ୍ଥିତ ମତି ଦେଖି ବନ୍ଧୁ ଦୁହେଁ କ୍ଷୁବ୍‌ଧ ଏବଂ ବ୍ୟଥିତ । ସେମାନେ ତାକୁ ଅନେକ ସମୟରେ ଅନେକ ପ୍ରକାର ବୁଝାଇ କହନ୍ତି । ସତ୍ୟଭୂଷଣ ସେମାନଙ୍କ ଉପଦେଶ ଗ୍ରହଣ କରେ; ମାତ୍ର ପ୍ରାୟଶଃ ପ୍ରତିପାଳନ କରେନାହିଁ । ଯାହାର ମନ ଅସ୍ତ୍ରବଶ ନୁହେଁ, ଉପଦେଶ ତାହର କଅଣ କରିପାରିବ । ଉପଦେଶ ବ୍ୟର୍ଥ ହେଲା ବୋଲି ବନ୍ଧୁ ଦୁହେଁ କ୍ଷାନ୍ତ ହୁଅନ୍ତି ନାହିଁ । ସୁପାତ୍ରରେ ପ୍ରଯୁକ୍ତ ସଦୁପଦେଶ ଆପାତତଃ ବିଫଳ ହେଲେ ସୁଦ୍ଧା ତାହାର ଗୌରବ ହାନି ହୁଏନାହିଁ । ବନ୍ଧୁର ମତିସ୍ଥୈର୍ଯ୍ୟ ସକାଶେ ସେମାନେ ଉତ୍ତରୋତ୍ତର ଚେଷ୍ଟା କରନ୍ତି । ଏହାହିଁ ପ୍ରକୃତ ବନ୍ଧୁତାର କାର୍ଯ୍ୟ । ପ୍ରାଣ ମଧ୍ୟରେ ଗୋଟାଏ ପ୍ରବଳ ଟାଣ ଥିଲେ ଏହିପରି ହୋଇଥାଏ । ଦିନେ ରଙ୍ଗାଧର କହିଲା–‘‘ସତ୍ୟ, ତୁ ଯେଉଁସବୁ କାର୍ଯ୍ୟ କରିବାକୁ ବସିଛୁ, ସେଗୁଡ଼ିକ ଅତି ମହତ୍ କାର୍ଯ୍ୟ, ଆଉ ତୋର ଚିନ୍ତା, କଳ୍ପନା ମଧ୍ୟ ଖୁବ୍‍ ଉଚ୍ଚ; ମାତ୍ର ସେହି କଳ୍ପନାକୁ କାର୍ଯ୍ୟରେ ପରିଣତ କରି ଆକୃତି ପ୍ରଦାନ କରିବା ଯେ ତୋ ଶକ୍ତିର ଅତୀତ, ଏହା ତୁ ବୁଝୁନାହୁଁ କାହିଁକି ? ସେ ସବୁ କାର୍ଯ୍ୟ ମନୁଷ୍ୟର କର୍ତ୍ତବ୍ୟ; ମାତ୍ର ବହୁ ଅର୍ଥସାପେକ୍ଷ । ଖାଲି ଚିନ୍ତା, କଳ୍ପନାରେ କାର୍ଯ୍ୟ ହୋଇଯାଉଥିଲେ ମାନବ ସମାଜର ସମସ୍ତ ଅଭାବ ବହୁକାଳରୁ ପୂର୍ଣ୍ଣହୋଇ ସାରିଥାଆନ୍ତା । ତୋର କଳ୍ପନାକୁ କାର୍ଯ୍ୟରେ ପରିଣତ କରିବାକୁ ହେଲେ ପ୍ରଚୁର ଅର୍ଥ ଆବଶ୍ୟକ । କିନ୍ତୁ ତୋର ପିତା ସେଥିରେ କପର୍ଦ୍ଦକ ବ୍ୟୟ କରିବାକୁ କୁଣ୍ଠିତ । ଆଉ ତାହା ବି ତ ହେବାର କଥା । ସେମାନେ ସେ କାଳର ଲୋକ, ତୋର ଉଚ୍ଚ ଚିନ୍ତାର ଗୁରୁତ୍ୱ ସେମାନେ ବୁଝନ୍ତି ନାହିଁ, କି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ତୁ ଯେତେବେଳେ ପିତୃସମ୍ପତ୍ତିର ଅଧିକାରୀ ହେବୁ, ଅର୍ଥ ବ୍ୟୟରେ ତୋର ଅଧିକାର ଜନ୍ମିବ, ତେତେବେଳେ ଇଚ୍ଛାନୁସାରେ ଦେଶସେବା କରିପାରିବୁ । ଅର୍ଥ ବଳ ପ୍ରଧାନ ବଳ-। କେହି କହେ–ବୁଦ୍ଧିବଳ ସବୁଠାରୁ ବଡ଼, କେହି କହେ–ବାହୁବଳ ସବୁଠାରୁ ବଡ଼, କେହି ବା କହେ–ଭ୍ରାତୃବଳ ପରି ବଳ ନାହିଁ; ମାତ୍ର ତାହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଅର୍ଥବଳହିଁ ପ୍ରଧାନ ବଳ । ଉପରୋକ୍ତ ତିନି ବଳ ସାହାଯ୍ୟରେ ଅର୍ଥ ସଂଗୃହୀତ ହୁଏ; ମାତ୍ର ଅର୍ଥବଳ ସେମାନଙ୍କୁ ବଳିଯାଏ । ଅର୍ଥ ନ ହେଲେ ଲକ୍ଷେ ବକ୍ତୃତାରେ କିଛି ହେବ ନାହିଁ, କି କୋଟିଏ ସଭା ସମିତରେ ଶାଗ ସିଝିବ ନାହିଁ । କଥାରେ ଚୁଡ଼ା ତିନ୍ତେ ନାହିଁରେ ଭାଇ, ବକ୍ତୃତା କରି ଶୂନ୍ୟଗର୍ଭ ବାଷ୍ପମୟ ଶବ୍ଦସମ୍ଭାର ଗୁଡ଼ାଏ ଢାଳି ପକାଇଲେ କାହାର କିଛି ଲାଭ ହେବ ନାହିଁ ।’’ ସତ୍ୟଭୂଷଣ କହିଲା–‘‘ତେବେ ତୋର ପରାମର୍ଶ ଏହି ଯେ, ସମ୍ପତ୍ତିର ମାଲିକ ହେବାଯାଏଁ ଅପେକ୍ଷା କରିବାକୁ ହେବ । ଆଛା, ମୁଁ ଯେବେ ତେତେ ଦିନ ନ ବଞ୍ଚେ, ତେବେ କଅଣ ହେବ ? ଆଜିକଥା କାଲିକି ଅନ୍ତର ପରା ?’’ ରଙ୍ଗାଧର କହିଲା–‘‘ସଂସାର ଅନିତ୍ୟ, ସଂସାରର ସବୁ ଅନିତ୍ୟ; ମାତ୍ର ସବୁବେଳେ ସେହି ଅନିତ୍ୟତାର ସ୍ୱପ୍ନ ଦେଖିଲେ ସଂସାରରେ ଚଳିହେବ କିପରି ? ଆଜି କଥା କାଲିକି ଅନ୍ତର ବୋଲି ଜୀବନର ସବୁ କାର୍ଯ୍ୟ କଅଣ ଆଜି ଶେଷକରି ଶ୍ମଶାନରେ ଯାଇ ଶୋଇ ରହିବାକୁ ହେବ ? ଦିନକ ଭିତରେ ଗୋଟାଏ ଜନ୍ମର କାର୍ଯ୍ୟ କରିହେବା କି ସମ୍ଭବ ? ବିଶେଷତଃ ଦିନକ ମଧ୍ୟରେ କି ଗୋଟାଏ ଜାତି ଉନ୍ନତିର ଗୌରୀଶଙ୍କର ଚୂଡ଼ାକୁ ଉଠିଯିବ ? ଏକଥା ସ୍ୱପ୍ନ ଦେଖିବା କି ତ ଅସମ୍ଭବଠାରୁ ବଳି ଅସମ୍ଭବ । କାର୍ଯ୍ୟ ଯେଡ଼େ ମହତ୍ ହୁଏ, ତହିଁରେ ସମୟ ଏବଂ ଅର୍ଥବ୍ୟୟ ସୁଦ୍ଧା ସେହି ପରିମାଣରେ ଅଧିକ ହୁଏ । ଏକାଦିନକେ ମଞ୍ଜିରୁ ଗଛ ଉଠି ଫଳ ଧରେ ନାହିଁ । ଆଗେ ମଞ୍ଜିରୁ ଗଜା ବାହାରେ, ସେହି ଗଜା ଗଛ ହୋଇ କ୍ରମେ କ୍ରମେ ବଢ଼ି କେତେ କାଳପରେ ଫଳ ଧାରଣର ଅବସ୍ଥା ପ୍ରାପ୍ତ ହୁଏ-। କାର୍ଯ୍ୟ ମଧ୍ୟ ସେହିପରି ସମୟସାପେକ୍ଷ । ଆଉ ତୋର ବଞ୍ଚିରହିବା ଯଦି ଏଡ଼େ ସନ୍ଦେହଜନକ, ତେବେ ଏହି ମୁହୂର୍ତ୍ତରେ ବି ତ ତୁ ସଂସାରରୁ ଅନ୍ତର ହୋଇପାରୁ ? ତେବେ କାର୍ଯ୍ୟ କିଏ କରିବ ? ଯାହାର ଜୀବନ ଏରୂପ ଅସ୍ଥାୟୀ; ଅର୍ଥାତ୍ ମୃହୂର୍ତ୍ତେ ବି ସ୍ଥାୟୀ ନୁହେଁ, ତାହାର ଏତେ ମୂଲ୍ୟବାନ୍ ଉଚ୍ଚ କଳ୍ପନା କାହିଁକି ? ଯମ ଆସି ଯାହାର ତଣ୍ଟି ଚିପି ଧରିଲାଣି, ତାହାର ଯାତ୍ରା କରିବା ବେଶ ହେବାକୁ ଶାଧ କାହିଁକି ?’’ ସତ୍ୟଭୂଷଣକୁ ଦୁଇ ବନ୍ଧୁଯାକ ଏହିପରି ବୁଝାଇ ଶୁଝାଇ ଉପଦେଶ ଦିଅନ୍ତି । ସେ ଉପଦେଶ ଆଶୁ ଫଳପ୍ରସୁ ନ ହେଲେ ସୁଦ୍ଧା ବିଳମ୍ବରେ ହୋଇଥିଲା।

 

ପୁତ୍ରର ବିଷୟ-କର୍ମରେ ମନ ନାହିଁ, ସେ ବାର ଘାଟରେ ପାଣି ଚାଖିବୁଲୁଛି, ଆଗପଛକୁ ତାର ନଜର ନାହିଁ, ଏହିସବୁ ଦେଖି ଜମିଦାରଙ୍କର ମନ ଭାରି ବିରକ୍ତି । କିନ୍ତୁ ସହଧର୍ମିଣୀଙ୍କ ଭୟରେ ପୁଅକୁ କିଛି କହିପାରନ୍ତି ନାହିଁ । ସହଧର୍ମିଣୀକୁ ଭୟ କରି ଚାଲିବା ପ୍ରାୟ ଅଧିକାଂଶ ବଡ଼ଲୋକଙ୍କର ଗୋଟାଏ ସୁମହତ୍ ବଡ଼ପଣ । ବାହାରେ ଯେତେ ପ୍ରତାପ, ପୌରୁଷ ଥାଉପଛେ ଅନ୍ତଃ ପୁରରେ ସହଧର୍ମିଣୀଙ୍କ ନଥହଲା ମୁହଁ ପାଖରେ ସବୁ କ୍ଳୀବତ୍ୱ ପ୍ରାପ୍ତ ହୁଏ । ଜମିଦାର କ୍ୱଚିତ୍ ପୁଅ ଉପରେ ଭୟ ଭୟରେ ଟିକିଏ ମଧୁର ବିରକ୍ତ ହେଲେ ସୁଦ୍ଧା ବୃନ୍ଦାବତୀ ତାହା ସହି ପାରନ୍ତି ନାହିଁ । ପୁଅର ପଟ ଧରି ଓକିଲ ପରି ବାଣୀଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତି । ସେ କହନ୍ତି, ‘‘ସତ୍ୟ ତମର କଅଣ କଲା କି-? ସେ ତ କାହିଁ କିଛି ଅନ୍ୟାୟ, ଅକର୍ମ କରୁନାହିଁ । ପର ଉପକାରରେ ମାତିଛି, ତାହା କଅଣ ଖରାପ କାମ ? ପିଲାଲୋକ, ଗୋଟାଏ ଖେଳରେ ମାତିଛି, ବଡ଼ ଘରର ପୁଅମାନେ କେତେ ‘‘ଅଏସ୍’’ କରୁଛନ୍ତି, ତାହାର ଜାଣି ସେ ଗୋଟାଏ ‘‘ଅଏସ୍’’ । ଆଉ ସେଥିରେ ଯେବେ ତା ମନ ଖୁସିହୁଏ, ତେବେ ତାହା କରୁ । କାହାକୁ ସେ ତଣ୍ଡୁଛି ନା ବାନ୍ଧୁଛି, ନା ଅନ୍ୟ ଫେରକାମିଆ ଟୋକାଙ୍କ ପରି ଘରୁ ଟଙ୍କା-ପଇସା ନେଇ ନିଶା ପାଣିରେ ଉଡ଼େଇ ଦେଉଛି ? ତମର ତ କିଛି କ୍ଷତି କରୁନାହିଁ, ତେବେ ତୁଚ୍ଛାଟାରେ କୁଘଡ଼ି ନାହିଁ, ସୁଘଡ଼ି ନାହିଁ ସବୁବେଳେ କାହିଁକି ତା ଉପରେ ଚଳିହୁଅ ? ପିଲା ପୁଅ, ବାଳୁତ–ରତ୍ନହାର, ଛୁଆ ମୋର ନିଃଶ୍ୱାସ ପକାଇ ବୁକୁଭଙ୍ଗା ହୋଇଯିବ, ଖବରଦାର ତମେ ଆଉ ତାକୁ କିଛି କହିବ ନାହିଁ । ବଡ଼ ହେଲେ, ବୁଦ୍ଧି-ଶୁଧି ହେଲେ ବଳେ ବିଷୟ କର୍ମ ଶିଖିବ, ଆଉ କଅଣ ମା ପେଟରୁ ସମସ୍ତେ ଶିଖିଥାଆନ୍ତି ?’’ ଏକଥାର ଆଉ ଉତ୍ତର କଅଣ ଅଛି ? ସୁତରାଂ ଜମିଦାର ନୀରବ ରହନ୍ତି । ନାଗସାପ ଯେତେ ଫଁ ଫଁ ହେଉ ପଛେ, ଗୁଣିଆ ଆଗରେ କୋଚିଆ ପରି ନିରୀହ ।

 

ସତ୍ୟଭୂଷଣ ଏଣିକି ବେଶ୍ ବୁଝିପାରିଲାଣି ଯେ, ସିତାଶୀ ଚଡ଼େଇ ପରି ସେ ଯେଉଁ ଡାଳରେ ବସିବାକୁ ଯାଉଛି, ସେ ଡାଳ ଭାଙ୍ଗି ପଡ଼ୁଛି । ସେ ଅନେକ ବଡ଼ ବଡ଼ ଅନୁଷ୍ଠାନ କଲାଣି; ମାତ୍ର ଗୋଟିକର ସୁନ୍ଧା ଅସ୍ତିତ୍ୱ ନାହିଁ । ବିଫଳତାର ଗୁରୁଭାର ବହନ କରି କରି ସେ ଥକିପଡ଼ିଲାଣି । ନିର୍ବୋଧକୁ କେହି ବୁଝାଇ ପାରେନାହିଁ–ତାହାର ମନ ଏକା ତାକୁ ବୁଝାଏ । ‘‘ଆଲୋ ମଉସା, ଜଡ଼ ପଇସା’’ ଏକଥାର ଅର୍ଥ ସେ ବୁଝି ପାରିଲାଣି; ଠକି ଠକି ଶିଖିଲାଣି । ଠକିବା ପରି ଦକ୍ଷ ଶିକ୍ଷକ ଜଗତରେ ଦ୍ୱିତୀୟ ନାହିଁ । ଯାହାକୁ କେହି ଶିଖାଇ ନ ପାରନ୍ତି, ତାହାକୁ ସେ ଶିଖାଏ । ତାହା ପ୍ରଦତ୍ତ ଶିକ୍ଷା ଜୀବନରେ ଭୁଲି ହୁଏ ନାହିଁ । ସତ୍ୟଭୂଷଣ ତାହାରିଠାରୁ ଉପଯୁକ୍ତ ଶିକ୍ଷା ପାଇ ମନେ ମନେ ଭାବିଲା–‘‘ମୁଁ ଏତେ ଦିନଯାଏ କୁହୁଡ଼ିରେ ପହଁରୁଥିଲି, ତାହାର ଫଳ ପାଇଲିଣି, ଗୋଡ଼ହାତ ଭାଙ୍ଗି ଲହୁ ଲୁହାଣ ହେଲାଣି, ଏବେ ସେ ବିଦ୍ୟା ଥାଉ । ରଙ୍ଗୁ ଯାହା କହିଲା–ଅର୍ଥ ଛଡ଼ା ଗତି ନାହିଁ, ତାହା ଠିକ୍ କଥା । କାହ୍ନୁ ଛଡ଼ା କୀର୍ତ୍ତନ ନାହିଁ; ଏହା ସତ । ମୁଁ ହାଟରେ ପଶି କାହାକୁ ଖୋଜି ବୁଲୁଥିଲି; କିନ୍ତୁ ଯାହାକୁ ଖୋଜୁଥିଲି ତାକୁ ଚିହ୍ନେ ନାହିଁ–ଏ ତ ବଡ଼ ମଜାର କଥା । ମୋର କ୍ଷମତା ମୁଁ ଭଲ ବୁଝିପାରିଲିଣି । ଆଉ ଏଭଳି ବ୍ୟୟସାପେକ୍ଷ କାର୍ଯ୍ୟରେ ହସ୍ତକ୍ଷେପ କରିବା ମୋର ଉଚିତ ନୁହେଁ ।’’ ସତ୍ୟଭୂଷଣ ଏହିପରି ଅନେକ କଥା ଭାବି, ମନକୁ ପ୍ରବୋଧ ଦେଇ ସଭା ସମିତି, ବକ୍ତୃତା ପ୍ରଭୃତି ସବୁ ଛାଡ଼ିଦେଲାଣି । ଏଣିକି ସେ ପ୍ରେତତତ୍ତ୍ୱ, ଜନ୍ମାନ୍ତର ରହସ୍ୟ ଏବଂ ଯୋଗବିଦ୍ୟା ପ୍ରଭୃତି ଆଲୋଚନା କରୁଅଛି । ସେହି ସମ୍ବନ୍ଧୀୟ ପୁସ୍ତକ, ପତ୍ରିକା ଆଣି ସବୁବେଳେ ଅଧ୍ୟୟନ କରେ । ତାହାର ଉତ୍କଟ ଦେଶସେବା ରୂପକ ସଂକ୍ରାମକ ବ୍ୟାଧି ଛାଡ଼ିଗଲାଣି । ଏବେ ସେ ଅଧ୍ୟାତ୍ମିକ ଏବଂ ପାରଲୌକିକ ତତ୍ତ୍ୱାନ୍ୱେଷଣରେ ବିଭୋର । ଅଧ୍ୟୟନ ଏବଂ ଦେଶସେବା ରୂପ ତାହା ଜୀବନର ଦୁଇଟି ଅଧ୍ୟାୟ ଶେଷ କରି ସେ ଏବେ ତୃତୀୟ ଅଧ୍ୟାୟ ଆରମ୍ଭ କରିଅଛି ।

 

ଡାକ୍ତରୀ ବିଦ୍ୟାରେ ସତ୍ୟଭୂଷଣର ଦକ୍ଷତା ତାହାର ଶତ୍ରୁମୁଖରେ ସୁଦ୍ଧା ପ୍ରଶଂସିତ ହୋଇପାରନ୍ତା; ମାତ୍ର ଦୁଃଖର ବିଷୟ କି ସୁଖର ବିଷୟ କେଜାଣି ତାହାର କେହି ଶତ୍ରୁ ନ ଥିଲେ । ଯେ କାହାରି ଇଷ୍ଟ ଭିନ୍ନ ଅନିଷ୍ଟ କରେ ନାହିଁ, ତାହାର କିଏ କାହିଁକି ଶତ୍ରୁ ହେବ ? ସତ୍ୟଭୂଷଣର ବିଦ୍ୟା ଅଳ୍ପ; ମାତ୍ର ଯୋଗ୍ୟତା ଅସାଧାରଣ । କଠିନ, ଜଟିଳ ରୋଗର ଚିକିତ୍ସା ସମ୍ବନ୍ଧରେ ତାରାନାଥ ଏବଂ ରଙ୍ଗାଧର ତାହାର ପରାମର୍ଶ ଗ୍ରହଣ କରନ୍ତି । ସମୟ ସମୟରେ ତାହାର ତୀକ୍ଷ୍ଣ ପ୍ରତିଭାର ପରିଚୟ ପାଇ ତାରାନାଥ ଦୁଃଖ ପ୍ରକାଶ କରି କହେ–‘‘ସତ୍ୟ, ତୁ ଖୋସବାସିଆ ଭାବରେ ନ ପଢ଼ି ଯଦି ରୀତିମତ ପଢ଼ିଥାଆନ୍ତୁ, ତେବେ କେଉଁ ସିଭିଲସର୍ଜନ ତୋତେ ସରିହୁଅନ୍ତା ? କି ପ୍ରତିଭାକୁ ତୁ ମାଟି କରିଦେଲୁ । ତୋହରି ପରି ପ୍ରତିଭା ଯାହାର ଥିବ, ସେହି ଏକା ପାଠ ପଢ଼ିବାକୁ ମନ କରିବ ।’’ ସତ୍ୟଭୂଷଣ ବନ୍ଧୁର ଖେଦୋକ୍ତି ଶୁଣି କହେ–‘‘ତାରା, ଦରକାର ପଡ଼ିଲେ ମୋର ଏ ପ୍ରତିଭାଟା ବନ୍ଧାରଖି ମୋତେ କଣା କଉଡ଼ି କଡ଼େ ଦେବୁନା ?’’ ଅନନ୍ତର ହେରସାଙ୍ଗ ପରି ହସି ହସି କଥାଟାକୁ ଉଡ଼ାଇଦିଏ । ସତ୍ୟଭୂଷଣ ଜ୍ୱରରୋଗୀର ଦେହରେ ହାତ ଦେଇ ଉତ୍ତାପର ପରିମାଣ ଯାହା କହିଦିଏ, ବୈଜ୍ଞାନିକ ଜ୍ୱର କାଠିରେ ମାପିଲେ ଠିକ୍ ତେତିକି ହୁଏ । ଯେଉଁ ଔଷଧ ସେ ନିର୍ବାଚନ କରିଦିଏ, ତାହା ପ୍ରାୟ ବିଫଳ ହୁଏ ନାହିଁ, ପ୍ରତ୍ୟୁତଃ ବହୁ ସ୍ଥଳରେ ଆଶୁ ସୁଫଳପ୍ରଦ ହୁଏ । ଅନେକ ହତାଶ ରୋଗୀଙ୍କୁ ସେ ସାମାନ୍ୟ ମୁଷ୍ଟିଯୋଗରେ ଭଲ କରିଦେଇଅଛି ।

 

ଜମିଦାରଙ୍କର ଉଆସ ବିଷ୍ଣୁପୁର ଗ୍ରାମରେ । ପାତ୍ରପଡ଼ାରେ ତାଙ୍କର ଖମାର ଅଛି । ସେଠାରେ ଜଣେ ଗୁମାସ୍ତା ରହି ବୁଝାଶୁଝା କରେ । ସମୟ ସମୟରେ ଜମିଦାର ସେଠାକୁ ଯାଇ ରହନ୍ତି । ମାତ୍ର ଅଧିକ ଦିନ ନୁହେଁ, ତିନି ଚାରିଦିନ ପରେ ଉଆସକୁ ଫେରିଆସନ୍ତି । ଉଆସଠାରୁ ପାତ୍ରପଡ଼ାର ଦୂରତ୍ୱ ପ୍ରାୟ ଏକ କ୍ରୋଶ ହେବ । ଜମିଦାରଙ୍କ ତରଫରୁ ସେଠାରେ ତିନିପୁର ଭଲ ଘର ତିଆରି ହୋଇଅଛି, ତାହାକୁ ଖମାର ଘର କହନ୍ତି । ଭାଟ ଭିକାରୀ ବା ଅତିଥି ଅଭ୍ୟାଗତମାନଙ୍କୁ ଖମାର ଘରୁ ଚାଉଳପତ୍ର ଦିଆଯାଏ । ସେ ଭାର ଗୁମାସ୍ତା ଉପରେ ଥାଏ । ବିଶିଷ୍ଟ ଅତିଥି ସକାଶେ ଦୈନିକ ଦୁଇଅଣା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଗୁମାସ୍ତାକୁ ଦିଆଯାଇଅଛି । ଗୁମାସ୍ତା ସେହି ଦୁଇଅଣାରେ ଜମିଦାରି ମଧ୍ୟରୁ ଟଙ୍କାକର ପଦାର୍ଥ ସଂଗ୍ରହ କରି ଆଣେ । ଦିନେ ଜଣେ ସର୍ବଜ୍ଞ ଆସି ଖମାର ଘରେ ଅତିଥି ହେଲା, ତାହାର ବେଶ ସନ୍ନ୍ୟାସୀ ପରି । ଲୋଟାଚିମୁଟା ସର୍ବସ୍ୱ, ଜଟମୁକୁଟଧାରୀ, ଲେଙ୍ଗୁଟିବନ୍ତ ସନ୍ନ୍ୟାସୀ ନୁହେଁ–ମୁଣ୍ଡିତଶ୍ମଶ୍ରୁ, ବିନ୍ୟସ୍ତକେଶ, ଗୌରିକ ବସ୍ତ୍ର ପରିହିତ ସନ୍ନ୍ୟାସୀ । ଯାତ୍ରାର ମୁନିବେଶଧାରୀ ଯେପରି ପଛଆଡ଼ୁ ବାଳ ଭାଙ୍ଗି ଆଣି ଠିକ୍ କପାଳ ଉପରେ ଲୋଟଣୀ ବାନ୍ଧିଥାଏ, ସନ୍ନ୍ୟାସୀ ସେହିପରି ଗୋଟାଏ ଲୋଟଣୀ ବାନ୍ଧିଅଛି ଏବଂ ସେଥିରେ ଅର୍ଦ୍ଧବୃତ୍ତାକାରର ଗୋଟାଏ କାଠପାନିଆ ଖୋସିଅଛି । ବୟସ ପ୍ରାୟ ୪୦ରୁ ଊର୍ଦ୍ଧ୍ୱହେବ । ବର୍ଣ୍ଣ ଉଜ୍ଜ୍ୱଳ ଶ୍ୟାମ । ଆକୃତି ନ ଦୀର୍ଘ ନ ଖର୍ବ । ଶରୀର ହୃଷ୍ଟପୃଷ୍ଟ ଏବଂ ବଳିଷ୍ଠ । ସନ୍ନ୍ୟାସୀ ନିଜକୁ ସର୍ବଜ୍ଞ ବୋଲି ପରିଚୟ ଦିଏ । ଆମ୍ଭେମାନେ ସୁଦ୍ଧା ତାକୁ ସେହି ଆଖ୍ୟାରେ ଅଭିହିତ କରିବୁଁ । ସେ ସର୍ବଜ୍ଞ ହେଉ ବା ନ ହେଉ କେତେଟା ବିଦ୍ୟାରେ ତାହାର ଖୁବ୍ ଦକ୍ଷତା ଥିବାପରି ବୋଧହୁଏ । ସେ ଟୁଣା ଟାମଣା ଜାଣେ, ମନ୍ତ୍ରଯନ୍ତ୍ର ଜାଣେ; କିଛି ସାମୁଦ୍ରିକ ବି ଜାଣେ । ଭୂତ, ପ୍ରେତ, ବୀର, ବାଉତୀ, ଡାଆଣୀ, ଚିରକୁଣୀ ଛଡ଼ାଇବା ବିଷୟରେ ତାହାପରି ଜଣେ ନରଲୋକରେ ନାହିଁ ବୋଲି ସେ ଗର୍ବ କରି କହେ । କମଣ୍ଡଳୁରୁ ଗଣ୍ଡୁଷେ ପାଣି ପିଆଇ ଦେଲେ ସେଗୁଡ଼ାକ ଛାଡ଼ି ପଳାଇ ଯାଆନ୍ତି । ଆଉ ଡାଆଣୀଲୁଚାକୁ ସେ ବଡ଼ କଲବଲ କରି ଦଣ୍ଡ ଦିଏ । ଯାହାକୁ ଡାଆଣୀ ବା ପିତାଶୁଣୀ ମାଡ଼ି ବସିଥାଏ, ସେ ସର୍ବଜ୍ଞକୁ ଦେଖିଲେ ଗୋଟାଏ ପାଣି କଳସୀ ବା ମୁଠେ ମୁଣ୍ଡି ଛଞ୍ଚୁଣୀ ଦାନ୍ତରେ କାମୁଡ଼ି ଧରି ଏକ ନିଃଶ୍ୱାସରେ ନ ପଳାଇବାଯାଏ ତାକୁ ବୁଦ୍ଧିବାଟ ଦିଶେ ନାହିଁ । ସର୍ବଜ୍ଞ ଏହିପରି ଅନେକ ଆକାଶିଆ ଗଳ୍ପ କହି ଲୋକଙ୍କୁ ମୁଗ୍‌ଧ କରିପକାଏ । କପୋଳକଳ୍ପନାରେ ସ୍ୱୟଂ କପୋଳକଳ୍ପନା ସୁଦ୍ଧା ତାହାର ଶିଷ୍ୟ ପଦର ଯୋଗ୍ୟ ହେବନାହିଁ । ଗାଁ ଲୋକେ ଯାତ୍ରାକାଳୀ ପରି ଧାଡ଼ି ଛୁଟିଲେ । ସର୍ବଜ୍ଞ ସେମାନଙ୍କ ଭବିଷ୍ୟତ ଅନ୍ଧକାରରେ କଅଣ ଅଛି କହିଦେବ–ସମସ୍ତେ ଏହି ଆଶାରେ ଆଶାୟୀ । ସର୍ବଜ୍ଞ ଜଣଜଣଙ୍କର ନାମ ପଚାରି, ତାକୁ ଆଗରେ ବସାଇ ପିଲାମାନେ ପାଟିରେ ହାତଦେଇ ଆବା ଆବା ଖେଳିଲା ପରି ଦୁଇ ତିନିଥର ପାଟିରେ ହାତ ମାରି ‘‘ମା ମା’’ ଉଚ୍ଚାରଣ କରେ । ତାହାପରେ କିଛିକ୍ଷଣ ଆଖିବୁଜି ଧ୍ୟାନ କରେ । ଧ୍ୟାନ ଭାଙ୍ଗିଲେ ଅଦୃଷ୍ଟର ଭବିଷ୍ୟତ ଫଳ କହେ; ମାତ୍ର ଅତୀତ କଥା ତେତେ କହେ ନାହିଁ । ସେ କହେ–‘ଯାହା ଗତ ହୋଇଗଲାଣି, ସେକଥା କହି ଫଳ କଅଣ ? ଗତକଥା ଖତ ।’ ତେବେ କେହି ନିତାନ୍ତ ଶୁଣିବାକୁ ଜିଦ୍ କଲେ କେତେକ ସାମୁଦ୍ରିକ ବଳରେ, କେତେ ବା ଠାସକ ମାରି କହେ । ସେଥିରୁ କେତେ ସତ ହୁଏ କେତେ ମିଛ ହୁଏ । ମାତ୍ର ମିଥ୍ୟାର ଦୋଷ ସେ ଦେହକୁ ନିଏ ନାହିଁ, ତାହା ବିଦ୍ୟା ମୁଣ୍ଡରେ ଗଡ଼ାଇ ଦିଏ । ବିଦ୍ୟା ଯାହା କହିଲା, ସେ ତାହାର ପ୍ରତିଧ୍ୱନି କଲା । ତାହା ଯଦି ଭୁଲ ହୁଏ, ତେବେ ସେ ଭୁଲ ବିଦ୍ୟାର ନ ହୋଇ ତାହର କାହିଁକି ହେବ ? ଏଥିରେ ଆଉ ଯୁକ୍ତି କଅଣ ଅଛି ? ତଥାପି ଯଦି କେହି ସନ୍ଦେହ କରେ, ତେବେ କିଛିକ୍ଷଣ ନୀରବ ରହି କଅଣ ଭାବି କହେ–‘ହଁ ହଁ, ଠିକ୍ ଠିକ୍, ମୋର ଭୁଲ ହୋଇ ଯାଇଥିଲା, ମୁଁ ଗୋଟାଏ ଶୂନ ଛାଡ଼ି ଦେଇଥିଲି । ଏ ସବୁ ଅଙ୍କ ପାଠ ପରା, ଫେଡ଼ା ଗୁଣାରେ ଊଣା ଅଧିକ ହେଲେ ଫଳ ଭୁଲ ହୋଇଯାଏ । ମାଳ ମାଳ ଅଙ୍କ ମନେ ମନେ ହରିବା, ଗୁଣିବା କଅଣ ସହଜ କଥା ? ଆଉ ‘ମୁନିଋଷି ମତିଭ୍ରମ’ ମନୁଷ୍ୟ ବା କି ଛାର ।’ ଏହିପରି ଦୁଇଚାରି ପଦ କଥା କହି ନିଜର ତ୍ରୁଟିକୁ ଢାଙ୍କିନିଏ । ଭବିଷ୍ୟତ ଫଳ କହିବାବେଳେ ମୁହଁରେ ବାଟୁଳି ବାଜେ ନାହିଁ । ପାତ୍ର ଦୁଷ୍ଟିରେ ଫଳର ତାରତମ୍ୟ ହୁଏ । ସାମାନ୍ୟକୁ ସାମାନ୍ୟ ଭଳି ଏବଂ ବଡ଼ଲୋକକୁ ବଡ଼ଲୋକିଆ ଭଳି ବଢ଼ାଇ ଫୁଲାଇ ଫଳ କହେ । କିଏ ରାଜା ହେବ, କିଏ ମନ୍ତ୍ରୀ ହେବ, କିଏ ସାହୁକାର ହେବ, କିଏ ଦୀର୍ଘାୟୁ ହେବ, କିଏ ବହୁ ପୁତ୍ରବାନ୍ ହେବ, କିଏ ଅକସ୍ମାତ୍ ପୋତାମାଲ ପାଇବ, କାହା ଭାଗ୍ୟରେ ଭୂମିଲାଭ ଘଟିବ, କିଏ ରୂପବତୀ, ଗୁଣବତୀ, ସ୍ତ୍ରୀରତ୍ନ ଲାଭକରିବ, ଏହିପରି ଯାହାକୁ ଯାହା ଇଚ୍ଛା, ତାହା କହିଯାଏ । ଲୋକେ ଶୁଣି ମୁଗ୍‌ଧ, ସ୍ତମ୍ଭିତ ହୋଇଯାଆନ୍ତି । କେହି ଆଶାର ଶେଷ ପାହାଚକୁ ଉଠିଯାଇ ଚନ୍ଦ୍ରକୁ ହାତ ବଢ଼ାଏ, କେହି ନିଜକୁ ଯୋଗଜନ୍ମା ପୁରୁଷ ମଣି ଗର୍ବରେ ପାଞ୍ଚହାତ ବଢ଼ିଯାଏ । ସହାସ୍ୟରେ ପାର୍ଶ୍ୱବର୍ତ୍ତୀ ଲୋକ ପ୍ରତି କଟାକ୍ଷ ନିକ୍ଷେପ କରି ସଙ୍କେତରେ ନିଜର ସୌଭାଗ୍ୟ ଗରିମା ଜଣାଇଦିଏ । କେହି ଧନବାନ୍ ହେଲେ କଅଣ କରିବ, କାହାକୁ ଆଗେ ଜବତ୍ କରିବ, କାହା ନାମରେ ମକଦ୍ଦମା କରିବ, କାହାର ଭୂମି ଛଡ଼ାଇ ନେବ, କାହାକୁ ଗାଁଛଡ଼ା କରିବ ବା କି କି ମୂଲ୍ୟବାନ୍ ଅଳଙ୍କାରରେ ଗୃହଣୀର ଶ୍ରୀଅଙ୍ଗ ମଣ୍ଡନ କରି ଧନ୍ୟ ହେବ, ସେଥିର ଗୋଟାଏ ପ୍ରକାଣ୍ଡ ତାଲିକା ଫର୍ଦ୍ଦ ମନେ ମନେ ପ୍ରସ୍ତୁତ କରିବାକୁ ଲାଗିଲା । କେହି କାହାର ଭାବୀ ଭାଗ୍ୟୋଦୟ କଥା ଶୁଣି ମୁହଁ ଶୁଖାଇ ପକାଇଲା, ନିଜର ଦୁର୍ଭାଗ୍ୟକୁ ଏବଂ ଭାବୀ ଭାଗ୍ୟଧରକୁ ମନେ ମନେ ଅନେକ ନିନ୍ଦା କରିବାକୁ ଲାଗିଲା । ଶତ୍ରୁର ଭବିଷ୍ୟତ ଉନ୍ନତି ଶୁଣି କାହାର ପ୍ରାଣ ଶରୀର ମଧ୍ୟରେ ମୂର୍ଚ୍ଛିତ ହୋଇପଡ଼ିଲା । ଦୁଇଚାରି ଦିନ ମଧ୍ୟରେ ସର୍ବଜ୍ଞର ନାମ ଡ଼ାକ ପଡ଼ିଗଲା । ଚାରିଆଡ଼ୁ ଲୋକେ ଆସି ନିଜନିଜର ଭବିଷ୍ୟତ ଗଣାଇବାକୁ ଲାଗିଲେ । ଯାହାର ଗୋରୁ ରାତିରେ ଘରକୁ ନ ଆସିଲା, ସେ ଯାଇ ସର୍ବଜ୍ଞକୁ ପଚାରିଲା । ଯାହାର ପେଟ କାମୁଡ଼ି ଧରିଲା, ସେ ଯାଇ ସର୍ବଜ୍ଞକୁ ପଚାରିଲା । ପୁଅ ବିଦେଶରେ କିପରି ରୋଜଗାର କରୁଛି ବୋଲି ବାପ ପଚାରିଲା । କଳିହୁଡ଼ୀ ଶାଶୁ କେବେ ମରିବ ବୋଲି ବୋହୁ ଯାଇଁ ପଚାରିଲା । ଏହିପରି ନାନା ଲୋକେ ନାନା ଉଦ୍ଦେଶ୍ୟ ଘେନି ଆସିଲେ; ମାତ୍ର ଭୂତ, ଡାଆଣୀ ଛଡ଼ାଇବାର ଆମନ୍ତ୍ରଣ ଘେନି ସବୁଠାରୁ ଅଧିକ ଲୋକ ଆସିଲେ । ଭେଟି ସ୍ୱରୂପ ସର୍ବଜ୍ଞଙ୍କର କେଉଁ ଦିନ ଛପଇସା କେବେ ଦୁଇଅଣା, କେବେ ବା ନ ପଇସା ଅଧରେ ଲାଭ ହେବାକୁ ଲାଗିଲା ।

•••

 

Unknown

ସପ୍ତମ ପରିଚ୍ଛେଦ

 

ଗ୍ରୀଷ୍ମକାଳୀନ ମଧ୍ୟାହ୍ନ, ଆକାଶ ଅଗ୍ନିସମୁଦ୍ର ପରି ଭୟଙ୍କର, ରୌଦ୍ରରେଖା ତରଙ୍ଗ ଭଙ୍ଗୀରେ ନାଚି ଖେଳି ବୁଲୁଅଛି । କଦାଚିତ୍ ଗୋଟାଏ ଗୋଟାଏ ଅତି ସାହସୀ ପକ୍ଷୀ ସେହି ଅନଳ ସିନ୍ଧୁ ସନ୍ତରଣ କରି ବୃକ୍ଷରୁ ବୃକ୍ଷନ୍ତରକୁ ଉଡ଼ି ଯାଉଅଛନ୍ତି । ପୃଥିବୀ ନିସ୍ତବ୍‌ଧ, ଆକାଶ ନିସ୍ତବ୍‌ଧ; ପହଡ଼ିକିଆ ପକ୍ଷୀ ଉଚ୍ଚବୃକ୍ଷ ଚୂଡ଼ାରେ ବସି ଚୁପ ଚୁପ ଶବ୍ଦରେ ସେହି ନିସ୍ତବ୍‌ଧତାକୁ ଭୀଷଣତର କରୁଅଛି । ସେ ମଧ୍ୟାହ୍ନ-ରାଜାର ଚପରାସୀ । ସେ ସମସ୍ତଙ୍କୁ ଚୁପ୍ ଚୁପ୍ କହି ରାଜ ବିଜେ ବାର୍ତ୍ତାର ସୂଚନା ଦେଉଅଛି । ଶୋକାର୍ତ୍ତର ମର୍ମଶୋଷୀ ବିଷ ନିଃଶ୍ୱାସପରି ଉଷ୍ଣ ପବନ ବହିଯାଉଛି । ଦୁଷ୍ଟ ଡାମରାକାଉର ଭୀଷଣ କର୍କଶ ରବ କର୍ଣ୍ଣରେ ଅଗ୍ନିଶଳାକା ଖୁଞ୍ଚି ଦେଉଅଛି । ବ୍ୟାଘ୍ରର ଗନ୍ଧ ପାଇ ଶିଷ୍ଟ ପଶୁକୂଳ ଯେପରି ବଣବୁଦାରେ ଯାଇ ଲୁଚି ରହନ୍ତି, ଅନ୍ୟ ପକ୍ଷୀମାନେ ସେହିପରି ତରୁ ଶାଖାର ପତ୍ର ଉହାଡ଼ରେ ନୀରବରେ ବସି ରହିଛନ୍ତି । ସେମାନଙ୍କ ଦୃଷ୍ଟିରେ ଭୟ ବ୍ୟାକୁଳତା ବୋଳି ହୋଇଅଛି । ଏତେ ଭୀଷଣତା ମଧ୍ୟରେ ବିଶ୍ୱର ଯୌବନଶ୍ରୀ ଆତ୍ମପ୍ରକାଶ କରୁଅଛି । ପୁଣି ସେହି ଯୌବନଶ୍ରୀ ମଧ୍ୟରେ ସୌନ୍ଦର୍ଯ୍ୟର ଅନନ୍ତ ମହାକାବ୍ୟ ଉନ୍ମୁକ୍ତ ରହିଅଛି । ଏଠାରେ ଭୀଷଣତା ସୌନ୍ଦର୍ଯ୍ୟକୁ ଆଲିଙ୍ଗନ କରିଅଛି, କି ସୌନ୍ଦର୍ଯ୍ୟ ଭୀଷଣତାକୁ ଆଲିଙ୍ଗନ କରିଅଛି, ତାହା କିଏ କହିବ ? ତେବେ ଭୀଷଣତା ଯେ ସୌନ୍ଦର୍ଯ୍ୟର ଭୂଷଣ, ଏହା ଅନେକତ୍ର ପରିଲକ୍ଷିତ ହୁଏ । ନିଖିଳ ସୌନ୍ଦର୍ଯ୍ୟର ବରଭୂଷା ସୁକୁମାରୀ ସରୋଜିନୀର ପ୍ରିୟ ଭୂଷଣ ସୌରକର ସିନା । ଦାବାନଳ ନ ହେଲେ ନୈଶକାନନ ବକ୍ଷକୁ ସୁନ୍ଦର କିଏ କରିବ ? ଥାଉ ସେ କଥା । ଏହି ମଧ୍ୟାହ୍ନ ସମୟରେ ଦୂରୋତ୍‌ଥିତ ‘‘ଟପ୍ ଟପ୍ ଟପାଟପ୍’’ ଶବ୍ଦରେ ପାତ୍ରପଡ଼ା ଗ୍ରାମ କମ୍ପି ଉଠିଲା । ଦେଖୁଁ ଦେଖୁଁ ସେହି ଶବ୍ଦ କ୍ରମଶଃ ନିକଟବର୍ତ୍ତୀ ହେଲା । କିୟତ୍‌କ୍ଷଣ ପରେ ଅଶ୍ୱାରୁଢ଼ ଜମିଦାରପୁତ୍ର ସତ୍ୟଭୂଷଣ ଖମାର ଘରେ ଆସି ଉପସ୍ଥିତ ହେଲା । ସର୍ବଜ୍ଞର ପ୍ରତିଷ୍ଠା ଶୁଣି ସେ ତାକୁ ଦେଖିବାକୁ ଆସିଅଛି । ସତ୍ୟଭୂଷଣ ଖମାର ଘରକୁ ସମୟ ସମୟରେ ଆସେ । ସ୍ଥାନଟି ନିକାଞ୍ଚନ; ସୁତରାଂ ତାକୁ ଖୁବ୍‍ ଭଲ ଲାଗେ । ସ୍ଥାନୀୟ ପ୍ରାକୃତିକ ଦୃଶ୍ୟ ମଧ୍ୟ ରମଣୀୟ । ମାତ୍ର ସେ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ସତ୍ୟଭୂଷଣ ଆସେ ନାହିଁ । ଯେ ପ୍ରେତତତ୍ତ୍ୱର ଉପାସକ, ତାହାର ଗଦ୍ୟପ୍ରବଣ କଠୋର ହୃଦୟରେ ସୌନ୍ଦର୍ଯ୍ୟ କି ରେଖାପାତ କରିପାରେ । ସୌନ୍ଦର୍ଯ୍ୟ ସୃଷ୍ଟି ତାହାପାଇଁ ନୁହେଁ–ସୌନ୍ଦର୍ଯ୍ୟର ସ୍ୱତନ୍ତ୍ର ଚିହ୍ନରା ଗ୍ରାହକ ଅଛି । ନିର୍ଜନରେ ପୁସ୍ତକପାଠ କରିବା ସକାଶେ ସତ୍ୟଭୂଷଣ ସେଠାକୁ ଆସେ ଏବଂ ଥରେ ଥରେ ସପ୍ତାହେ ଦୁଇ ସପ୍ତାହ ରହିଯାଏ । ଏଣିକି ସେ ନିର୍ଜନତାର ଏକାନ୍ତ ପ୍ରିୟଭକ୍ତ ହୋଇପଡ଼ିଅଛି । ଭୂତପ୍ରେତ ଦେଖିବାକୁ ତାହାର ଭାରି ଇଚ୍ଛା । ନିର୍ଜନ ସ୍ଥାନ ନ ହେଲେ ସେମାନଙ୍କର ସାକ୍ଷାତ୍‍ ପାଇବ କିପରି ? ମାତ୍ର ଭୂତଗୁଡ଼ାକ କି ନିଷ୍ଠୁର ଯେ, ଅନେକ ସାଧ୍ୟସାଧନରେ ସୁଦ୍ଧା ତାକୁ ଦେଖା ଦିଅନ୍ତି ନାହିଁ ।

 

ଯଥାସମୟରେ ସର୍ବଜ୍ଞ ଓ ସତ୍ୟଭୂଷଣର ସାକ୍ଷାତ୍‍ ହେଲା । ଏ ସାକ୍ଷାତ୍ ଖୁବ୍ ଶୁଭବେଳାରେ ହୋଇଗଲା । ତାହାରି ଫଳରେ ଅତି ଅଳ୍ପଦିନ ମଧ୍ୟରେ ଉଭୟର ସୌହାର୍ଦ୍ଦ୍ୟ ଗାଢ଼ତର ହୋଇ ଉଠିଲା । ପ୍ରଥମ ସାକ୍ଷାତ୍‌ରେ ସତ୍ୟଭୂଷଣ ପଚାରିଲା–‘‘ତୁମେ କଅଣ ବୋଲାଅ-?’’ ସର୍ବଜ୍ଞ କହିଲା–‘‘ସ୍ୱାମୀ ବୋଲାଉଁ, ଆମେ ସର୍ବଜ୍ଞ । ଦେଖେ ଆପଣଙ୍କର ହାତ ।’’ ଅନନ୍ତର ସତ୍ୟଭୂଷଣର ହାତ ଟାଣିନେଇ ଗଭୀର ମନୋଯୋଗ ସହକାରେ ନିରୀକ୍ଷଣ କରି କଅଣ ପଢ଼ିଲା କେଜାଣି ମୁଖରେ ଯଥେଷ୍ଟ ପ୍ରଫୁଲ୍ଲତା ପ୍ରକାଶ କରି କହିଲା–‘‘ଆଃ, ଏ କଅଣ, ମୁଁ କାହାର ହାତ ଦେଖୁଛି-ମନୁଷ୍ୟର ନା ଦେବତାର ! ଏଭଳି ହାତ କି ମନୁଷ୍ୟର ହୋଇପାରେ, ନା ମୁଁ ସ୍ୱପ୍ନ ଦେଖୁଛି-? କାହିଁ, ବୟସ ତ ଆସି ବୟାଳିଶ ବର୍ଷ ହେଲା, ଆଜିଯାଏ ତ ଏଭଳି ସୁଲକ୍ଷଣବନ୍ତ ହାତ ଗୋଟାଏ ଦେଖିଲି ନାହିଁ । ଧନ୍ୟ ଧନ୍ୟ ଧନ୍ୟ ତପସ୍ୟା, ଧନ୍ୟ ଭାଗ୍ୟ ।’’ ସର୍ବଜ୍ଞ ଏତିକି କହି କିଛିକ୍ଷଣ ମୌନହୋଇ ରହିଲା । ତହିଁପରେ ସତ୍ୟଭୂଷଣର ହାତ ଛାଡ଼ିଦେଇ ମୁହଁକୁ ଚାହିଁ ମୃଦୁ ମୃଦୁ ହସି ଦୃଢ଼ସ୍ୱରରେ କହିଲା–‘‘ଅର୍ଜୁନଙ୍କ ହାତର ରେଖା ଠିକ୍ ଏହିପରି ଥିଲା । ଧନ, ମାନ, ବିଦ୍ୟା, ଜ୍ଞାନ, ଯଶ, ପୌରୁଷ କାହିଁରେ କି ବଳାଏ ଊଣା ନୁହେଁ । ଓଃ, ଆୟୁ ତ ଶତାଷ୍ଟରୁ ଅଧିକ । ବାବୁ, ଆପଣ ଜଣେ କ୍ଷଣଜନ୍ମା ପୁରୁଷ, ସ୍ୱର୍ଗର ଅଭିଶପ୍ତ ଦେବତା, ଆପଣଙ୍କ ଖ୍ୟାତି, ଗୌରବ ଦେଶରେ ଧରିବ ନାହିଁ । ଆଉ ଅଧିକ ଦିନ ନୁହେଁ–ବର୍ଷକ ପରେ ଆପଣ ଜଣେ ଅବତାର ପୁରୁଷ ହୋଇଉଠିବେ । ଆପଣଙ୍କ ପଦଧୂଳିକୁ ଲୋକେ ତୀର୍ଥଧୂଳିଠାରୁ ପବିତ୍ର ମଣିବେ, ଆଉ ସେହି ଧୂଳି ମୁଣ୍ଡରେ ବୋଳି ହେବାଲାଗି ଦେଶ ଦେଶାନ୍ତରରୁ ଲୋକେ ଧାଇଁବେ । ଆପଣଙ୍କର ଦେହଟା ଏ ଦେଶର ତୟାରି; ମାତ୍ର ସେ ଦେହରେ ବିଧାତା କେଉଁ ଉନ୍ନତ ଦେଶର ଗୋଟାଏ ଉନ୍ନତ ମସ୍ତକ ଆଣି ଲଗାଇ ଦେଇଛି । ଏଭଳି ମହାମୁଣ୍ଡ ନୀରସ ମାଟିରେ ହୋଇ ନ ପାରେ । ଆପଣଙ୍କ ଭବିଷ୍ୟତ ଫଳ ଗୋଟାଏ ମୁହଁରେ କଅଣ କହିପାରିବି ? ବିଧାତା ଯେବେ ମୋତେ ଆହୁରି ଗୋଟାକେତେ ମୁହଁ ଦେଇଥାଆନ୍ତା, ତେବେ କିଛି କହିପାରନ୍ତି । ଏତେଦିନେ ମୋର ଚକ୍ଷୁ ସାର୍ଥକ, ବିଦ୍ୟା ସାର୍ଥକ, ସାଧନା ସାର୍ଥକ ହେଲା । ଆଉ ମୁଁ ମଧ୍ୟ ସାର୍ଥକ ହେଲି ।’’ ଏହିପରି ସ୍ତୋକ ବାକ୍ୟରେ ସର୍ବଜ୍ଞ ମସଲା ମିଶାଇ ଏପରି ଗୋଟାଏ ଉପାଦେୟ ପଣା ପ୍ରସ୍ତୁତ କଲା ଯେ, ସତ୍ୟଭୂଷଣ ତାହା ପାନକରି ତୃପ୍ତି ଏବଂ ଆନନ୍ଦରେ ଆତ୍ମବିସ୍ମୃତ ହୋଇଗଲା । ପ୍ରଶଂସା ପରି ମୁଖରୋଚକ ମିଷ୍ଟାନ୍ନ କୌଣସି ଗୁଡ଼ିଆ ପ୍ରସ୍ତୁତ କରିପାରେ ନାହିଁ । ପ୍ରଶଂସା ସମସ୍ତଙ୍କୁ ମିଠା ଲାଗେ-। ସ୍ମୃତିକଲେ ଦେବତାମାନେ ସନ୍ତୁଷ୍ଟ ହୋଇ ବର ଦେଇପକାନ୍ତି । ସ୍ତବ ସ୍ତୁତିପରି ବଶୀକରଣ ମହାମନ୍ତ୍ର ସଂସାରରେ ଆଉ ନାହିଁ । ସତ୍ୟଭୂଷଣ ସେହି ନିଶାଲଡ଼ୁ ଆକଣ୍ଠ ଭୋଜନକରି ସର୍ବଜ୍ଞ ପ୍ରତି ଷୋଳକଳା ପ୍ରସନ୍ନ ହେଲା ଏବଂ ପ୍ରତିଦାନସ୍ୱରୂପ ସର୍ବଜ୍ଞର ସୁଖସୁବିଧାର ଉତ୍କୃଷ୍ଟ ବ୍ୟବସ୍ଥା କରିଦେଲା । ସର୍ବଜ୍ଞ ରାଜସମ୍ମାନରେ ରହିଲା । ସତ୍ୟଭୂଷଣ ତାହା ସହିତ ଆଳାପ ଆମୋଦରେ କାଳ ହରଣ କରିବାକୁ ଲାଗିଲା । ସର୍ବଜ୍ଞ ପ୍ରତି ତାହାର ଗୋଟାଏ ଭକ୍ତି ଜାତ ହେଲା । ତାହା କଥାରେ ବିଶ୍ୱାସ ମଧ୍ୟ ଜାତ ହେଲା । ଖମାର ଘର ପଛପରସ୍ତ ଖୁବ୍ ନିର୍ଜନ । ସେହିଠାରେ ସର୍ବଜ୍ଞକୁ ସ୍ଥାନ ଦିଆଗଲା । ସେ ପରସ୍ତକୁ ଆଉ କେହି ଯାଆନ୍ତି ନାହିଁ, ସର୍ବଜ୍ଞ ଓ ସତ୍ୟଭୂଷଣ ସେଠାରେ ରହି ବାକ୍ୟାଳାପ କରନ୍ତି । ସତ୍ୟଭୂଷଣ ଅନେକ ପୁସ୍ତକ ପତ୍ରିକାରୁ ଭୂତପ୍ରେତର କାହାଣୀ ପଢ଼ି ସର୍ବଜ୍ଞକୁ ଶୁଣାଏ । ସର୍ବଜ୍ଞ ମଧ୍ୟ ଭୂତ, ପ୍ରେତ, ଖବିସ, ବ୍ରହ୍ମଦୈତ୍ୟ ପ୍ରଭୃତିର ଅନେକ ଅଦ୍ଭୁତ ଗଳ୍ପ କହେ । କଥାକୁ ସେ ଖୁବ୍ ସଜ୍ଜିତ କରିପାରେ; ଏ ହେତୁ ତାହା କଥା ଯେତେ ଶୁଣିଲେ ତେତେ ଇଚ୍ଛା ବଢ଼ୁଥାଏ । ପ୍ରକାଣ୍ଡ ପ୍ରକାଣ୍ଡ ଭୂତଗୁଡ଼ାକୁ ସେ କେବେ କାନ ନାକ ମୋଡ଼ାଇଥିଲା, ଦୁଷ୍ଟ ଖବିସକୁ କି କୌଶଳରେ ପରାସ୍ତ କରିଥିଲା, କଞ୍ଚା ଡାଆଣୀଗୁଡ଼ାକ ତାକୁ କିପରି ଭୟ ଭକ୍ତି କରନ୍ତି, ଏହିପରି ଢେର୍‍କଥା ସେ ମାଠିମୁଠି, ବନେଇଚୁନେଇ, ରଙ୍ଗ ଦେଇ, ପୁଟ ଦେଇ ଖୁବ୍ ଆଡ଼ମ୍ବର ସହିତ ବର୍ଣ୍ଣନା କରେ । ଭୂତମାନେ ତାହାର ଆଜ୍ଞାଧୀନ । ସେମାନେ ତାହାର ଧାନ କୁଟନ୍ତି, ବିଲ ବାଛନ୍ତି, ଗୁହାଳ କାଢ଼ନ୍ତି; ଆହୁରି କେତେ କଅଣ କରନ୍ତି । ସ୍ଥୂଳତଃ ରାମାୟଣର ପ୍ରତାପୀ ରାବଣ ଯେଉଁପରି ଦେବତାମାନଙ୍କୁ ସେବାରେ ଖଟାଇଥିଲା, ଭୂତଗୁଡ଼ାକୁ ସେ ତତୋଽଧିକ ଭାବରେ ନାନା ନିକୃଷ୍ଟ କାର୍ଯ୍ୟରେ ସୁଦ୍ଧା ଖଟାଇପାରେ । ଏହିପରି କଥା ଶୁଣିବାକୁ ସତ୍ୟଭୂଷଣର ଭାରି ଆଗ୍ରହ । ସେ ଅବହିତ ଚିତ୍ତ ହୋଇ ସବୁ ଶୁଣେ ଏବଂ ଅପାର ଆନନ୍ଦ ସହ ଅସୀମ ବିସ୍ମୟ ଲାଭ କରେ । ଦିନେ ଦିନେ ପାରଲୌକିକ କଥାର ଚର୍ଚ୍ଚା ହୁଏ । ମନୁଷ୍ୟ ମଲେ କଅଣ ହୁଏ, କଅଣ କରେ, କଅଣ ଖାଏ, ଭୂତ କିଏ ହୁଏ, ଖବିସ କିଏ ହୁଏ, ଏହିସବୁ କଥାର ତତ୍ତ୍ୱାନୁସନ୍ଧାନ ଲାଗେ । ସର୍ବଜ୍ଞ ମତରେ ଅବିବାହିତ ହିନ୍ଦୁ ମଲେ ଭୂତ ହୁଏ, ଆଉ ଅବିବାହିତ ପଠାଣ ମଲେ ଖବିସ ହୁଏ । ଭୁତଠାରୁ ଖବିସ ଦୁର୍ଦ୍ଧାନ୍ତ, ଖବିସଠାରୁ ଯେ ଦୁର୍ଦ୍ଦାନ୍ତ ତାହାକୁ ସୟତାନ କହନ୍ତି । ସୟତାନଗୁଡ଼ାକ କେଉଁ ଜାତିର ଭୂତ ତାହା ଠିକ୍ ନାହିଁ । ଏହିପରି ଅନେକ କଥା ସର୍ବଜ୍ଞକୁ ଜଣା । ସେ ସବୁ ଭୂତ ପ୍ରେତର କଥା ପାଠକ ଶୁଣିଲେ ବିରକ୍ତ ହେବେ, ଭୟ ମଧ୍ୟ କରିବେ; ସୁତରାଂ ତାହା ଲେଖିବାର ପ୍ରୟୋଜନ ନାହିଁ । ସତ୍ୟଭୂଷଣ ଏଣିକି ଖମାର ଘରେ ଅଧିକ ଦିନ ରହେ । ମା କହିପଠାଇଲେ କିମ୍ବା ଯାତ୍ରାପର୍ବ ହେଲେ ଉଆସକୁ ଆସେ; ମାତ୍ର ଦିନେ ଦୁଇଦିନ ରହି ଫେରିଯାଏ । ଏହିପରି ଭାବରେ ଦେଖୁଁ ଦେଖୁଁ ଦୁଇମାସ କାଳ ଅତିବାହିତ ହୋଇଗଲା ।

 

ଦିନେ ସତ୍ୟଭୂଷଣ ପଚାରିଲା–‘‘ସ୍ୱାମୀ, ମୁଁ ଦେଖୁଛି, କୌଣସି ବିଦ୍ୟା ତୁମ୍ଭର ଅଜ୍ଞାତ ନୁହେଁ । ବୈଦ୍ୟର ଅଜଣା ଗଛ ଥାଇପାରେ; ମାତ୍ର ତୁମ୍ଭର ଅଜଣା ବିଦ୍ୟା ନାହିଁ । ଏତେ ବିଦ୍ୟା ତୁମ୍ଭେ କିପରି ଶିଖିଲ ? ବେଳେ ବେଳେ ତୁମ୍ଭ ତୁଣ୍ଡରୁ ଖୁବ୍‍ ଉଚ୍ଚ ଉଚ୍ଚ କଥା ବାହାରିପଡ଼େ, ତାହା ସାଧାରଣ ଲୋକର କଥା ନୁହେଁ । ତୁମ୍ଭର ବୟସତ ବୟାଳିଶ ବୋଲି କହୁଛ, ମୁଁ ବି ତେତିକି ଅନୁମାନ କରୁଛି । ଏତେ ଅଳ୍ପ ସମୟ ମଧ୍ୟରେ ଏତେ ବିଦ୍ୟା ପଢ଼ି ସର୍ବଜାଣ ହେଲ କିପରି ?’’

 

ସର୍ବଜ୍ଞ–ବିଦ୍ୟା କି ପଢ଼ି ଶେଷ କରି ହୁଏ ବାବୁ ! ଅକୂଳ ସମୂଦ୍ରକୁ କିଏ ସନ୍ତରଣରେ ପାରି ହେବ ? ବିଦ୍ୟା ଅନନ୍ତ; ମାତ୍ର ମନୁଷ୍ୟର ପରମାୟୁ ଅଳ୍ପ, ଅଳ୍ପରେ କି ଅନନ୍ତକୁ କଳି ହେବ ? ସମସ୍ତ ବିଦ୍ୟାର ସାର ଏକ ମହାବିଦ୍ୟା ଅଛି, ତାକୁ ସାଧନା କଲେ ସବୁ ବିଦ୍ୟା ଅନାୟାସରେ ଆୟତ୍ତ ହୁଏ । ସେହି ମହାବିଦ୍ୟାର ନାମ–ଯୋଗବିଦ୍ୟା । ଯୋଗବିଦ୍ୟାରେ ଅସାଧ୍ୟ ସାଧନ କରିହୁଏ; ଅର୍ଥାତ୍ ଯାହା ଇଚ୍ଛା ତାହା କରିହୁଏ ।

 

ସତ୍ୟଭୂଷଣ–ତୁମ୍ଭେ ଯୋଗବିଦ୍ୟା ଜାଣ ?

ସର୍ବଜ୍ଞା–ହଁ, ଜାଣେ ।

ସତ୍ୟଭୂଷଣ–ଯୋଗସାଧନ କର ?

ସର୍ବଜ୍ଞ–ହଁ, କରେ । ସେହି ଯୋଗବଳରେ ମୁଁ ସର୍ବଜ୍ଞ ।

ସତ୍ୟଭୂଷଣ–ତୁମ୍ଭେ ଏ ବିଦ୍ୟା କାହୁଁ ଶିଖିଲ ?

 

ସର୍ବଜ୍ଞ–ଆମ ଗୁରୁ ପ୍ରଭାସ ତୀର୍ଥରେ ଅଛନ୍ତି । ସେ ଯୋଗସିଦ୍ଧ ପୁରୁଷ, ଯୋଗବଳରେ ମଲା ମଣିଷକୁ ଜୀଆଇ ଦେଇପାରନ୍ତି । ସେ ଖଣ୍ଡେ ବାଘଛାଲ ଉପରେ ବସି ଭରା ନଈ ପାର ହୋଇଯାଆନ୍ତି, ବାଘଛାଲରେ ପାଣି ଲାଗେ ନାହିଁ । ଏକ ସ୍ଥାନରେ ବସି ସେ ଜଗତଯାକର କାର୍ଯ୍ୟ ଦେଖିପାରନ୍ତି । ଦୂରବର୍ତ୍ତୀ ଶିଷ୍ୟମାନଙ୍କର ଭଲ ମନ୍ଦ ଜାଣିପାରନ୍ତି, କେହି ରୋଗ ବା ବିପଦରେ ପଡ଼ିଲେ ସେ ତତ୍‌କ୍ଷଣାତ ଆସି ତାକୁ ସେଥିରୁ ମୁକ୍ତ କରିଦିଅନ୍ତି ।

 

ସତ୍ୟଭୂଷଣ–ଆଛା, ତୁମକୁ କେବେ ବିପଦରୁ ଉଦ୍ଧାର କରିଛନ୍ତି ?

ସର୍ବଜ୍ଞ–ହଁ, ଅନେକ ଥର ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି ।

ସତ୍ୟଭୂଷଣ–କିପରି ?

 

ସର୍ବଜ୍ଞ–ଥରେ ମୁଁ ଯୋଗସାଧନ କରୁ କରୁ ଅନ୍ୟମନସ୍କ ହୋଇପଡ଼ିଲି । ସେଥିରେ ଶରୀର ମଧ୍ୟରେ ବାୟୁର କ୍ରିୟା ବିଶୃଙ୍ଖଳ ହୋଇଗଲା । ତହୁଁ ମୋର ପେଟଟା ଧାନ ଓଳିଆ ପରି ଫୁଲିଗଲା । ମୁଁ ଅଳିଚଳି ନ ପାରି ବହୁତ କଷ୍ଟ ପାଇଲି, ଏମନ୍ତ କି ବଞ୍ଚିବାର ଆଶା ଛାଡ଼ି ବସିଲି । ଗୁରୁଦେବ ସର୍ବଦର୍ଶୀ, ଯୋଗବଳରେ ମୋର ଅବସ୍ଥା ଦେଖି ଦୟା ବହି ମୋ ପାଖରେ ଆସି ଉପସ୍ଥିତ ହେଲେ ଏବଂ କମଣ୍ଡଳରୁ ଶାନ୍ତିବାରି ମନ୍ଦାଏ ପିଆଇ ଦେଇ ମୋତେ ଭଲ କରିଦେଇ ଗଲେ । ଆଉଥରେ ଜଣକ ସଙ୍ଗରେ ମୋର ଆତ୍ମା ବଦଳ ହୋଇଯାଇଥିଲା, ଗୁରୁଦେବ ସେଥିର ଆସି ମୋତେ ସେ ବିପଦରୁ ଉଦ୍ଧାର କରିଥିଲେ ।

 

ସତ୍ୟଭୂଷଣ–ଆତ୍ମା କିପରି ବଦଳ ହେଲା ?

 

ସର୍ବଜ୍ଞ–ମୋର ଜଣେ ସଙ୍ଗାତ ଥିଲା, ତାହାର ମୋର ଖୁବ୍ ଆଳାପ । କେହି କାହାରି କଥା ଭାଙ୍ଗି ପାରୁନାହିଁ । ଦିନେ ସେ ମୋତେ କହିଲା, ‘‘ସଙ୍ଗାତ, ସ୍ୱର୍ଗ ଦେଖିବାକୁ ମୋର ଭାରି ଇଚ୍ଛା । ତୁମେ ଯୋଗବିଦ୍ୟା ଜାଣ, ଯୋଗବଳରେ ମୋତେ ସାଙ୍ଗରେ ନେଇଯାଇ ଥରେ ଦେଖାଇ ଆଣନ୍ତ ।’’ ମୁଁ କହିଲି–‘ସେପରି ହୋଇପାରିବ ନାହିଁ । ତେବେ ଆଉ ଗୋଟାଏ ଫିକର କଲେ ହେବ-। ମୋର ଆତ୍ମ ତୁମକୁ ଦେଲେ ତୁମେ ମୋହରି ଯୋଗବଳରେ ନିଜେ ଯାଇ ଦେଖି ଆସିପାରିବ । ମନୁଷ୍ୟର ସ୍ଥୂଳ ଶରୀର ମଧ୍ୟରେ ସୂକ୍ଷ୍ମ ଶରୀର ଅଛି, ତାହାର ନାମ ଆତ୍ମାପୁରୁଷ । ସେ ପୁରୁଷର ଆକାର କେଡ଼େ କ୍ଷୁଦ୍ର ତାହା କହିହେବ ନାହିଁ । ତାହାକୁ କେହି ଦେଖିପାରନ୍ତି ନାହିଁ । ସେ କେବଳ ଯୋଗ ବଳରେ ଦୃଷ୍ଟିଗୋଚର ହୁଏ । ମନୁଷ୍ୟ ଶୋଇଥିଲାବେଳେ ସେହି ସୂକ୍ଷ୍ମପୁରୁଷ ନାସାରନ୍ଧ୍ରରେ ବାହାରି ଆସି ବାହାରେ ଖେଳିବୁଲେ । ତେତେବେଳେ ମନୁଷ୍ୟ ନିଶ୍ଚେଷ୍ଟ । ସୂକ୍ଷ୍ମ ପୁରୁଷ ବାହାରେ ଯାହା ଯାହା କରେ ମୁନଷ୍ୟ ନିଶ୍ଚେଷ୍ଟ ଅବସ୍ଥାରେ ତାହାସବୁ ସ୍ୱପ୍ନ ଦେଖେ । ସେ ଚଢ଼େଇ ପରି ଆକାଶରେ ଉଡ଼ିପାରେ, ଜଳରେ, ମାଛ ପରି ପହଁରି ଯାଇପାରେ, ନିଆଁ ଭିତରେ ପଶି ଅକ୍ଷତ ଅବସ୍ଥାରେ ବାହାରି ଆସିପାରେ । କେତେବେଳେ ଗଛକୁ ଚଢ଼ିଯାଏ, କେତେବେଳେ ବଣ ଭିତରେ ପଶିଯାଏ, କେତେବେଳେ ବା ତଳେ ଏଣେ ତେଣେ ଦୌଡ଼ିବୁଲେ । ଅବ୍ୟକ୍ତବାକ୍ ଶିଶୁ ପରି ଯାହା ଦେଖେ ତାହା ପାଟିରେ ପୁରାଇଦିଏ । ସେ କାହାକୁ ଭୟ କରେନାହିଁ–ସାପକୁ ଧରି ପକାଏ, ବାଘକୁ ମାଡ଼ିବସେ । ଏହିରୂପେ ଯଦୃଚ୍ଛା କାର୍ଯ୍ୟ କରିବୁଲେ । କିନ୍ତୁ ସେ ବଡ଼ ସାବଧାନ । କେହି ସୁପ୍ତ ମନୁଷ୍ୟକୁ ଛୁଇଁ ଦେବା ପୂର୍ବରୁ କିମ୍ବା କୌଣସି ଶବ୍ଦ ହେବା ପୂର୍ବରୁ ସେ ଅତିକ୍ଷିପ୍ର ଗତିରେ ଆସି ଶରୀର ଭିତରେ ପଶିଯାଏ । ତହୁଁ ମନୁଷ୍ୟ ଚେଇଁଉଠେ । ସେ ଯେତେବେଳଯାଏଁ ବାହାରେ ଥାଏ, ତେତେବେଳଯାଏଁ ମନୁଷ୍ୟର ଆତ୍ମାନୁଭୂତି ଥାଏ ନାହିଁ । ସେ ଜଡ଼ପିଣ୍ଡ ପରି ନିଶ୍ଚେଷ୍ଟ ଭାବରେ ପଡ଼ିରହିଥାଏ । ସଙ୍ଗାତ ଶୋଇଥିବାବେଳେ ମୁଁ ଯୋଗବଳରେ ମୋର ଆତ୍ମାକୁ ତାହା ଦେହରେ ପୂରାଇ ଦେଲି । ତାହାର ଆତ୍ମା ବାହାରୁ ଆସି ସ୍ଥାନ ନ ପାଇ ମୋ ଦେହରେ ପଶିଗଲା । ତହୁଁ ମୁଁ ସେ ହୋଇଗଲି ଆଉ ସେ ମୁଁ ହୋଇଗଲା । ମୋର ଯୋଗବଳ ଯାଇ ତାକୁ ଆଶ୍ରାକଲା । ସଙ୍ଗାତ ଯାଇ ସ୍ୱର୍ଗ ଦେଖିଆସିଲା; କିନ୍ତୁ ବିଶ୍ୱାସରେ ବିଷ ମିଶାଇ ମୋ ଆତ୍ମା ମୋତେ ଫେରାଇ ଦେଲାନାହିଁ । ସେ ଶୋଇଲେ ସିନା ମୋ ଆତ୍ମା ତା ଦେହରୁ ବାହାରି ଯାଆନ୍ତା । ଏହି ଅବସରରେ ତାହାର ଆତ୍ମା ତାକୁ ଦେଇ ମୋର ଆତ୍ମା ବଦଳାଇ ନିଅନ୍ତି; ମାତ୍ର ସେ ମୋତେ ଦେଖା ଦେଲାନାହିଁ-। ସବୁବେଳେ ଲୁଚି ଲୁଚି ବୁଲିଲା । ମୁଁ ମହାସଙ୍କଟରେ ପଡ଼ିଲି । ସଙ୍ଗାତର ମୋର ସବୁ ବଦଳିଗଲା-। ସେ ମୋ ପରି କଥା କହିଲା, ମୁଁ ତା ପରି କଥା କହିଲି; ସେ ମୋ ପରି ଚାଲିଲା, ମୁଁ ତା ପରି ଚାଲିଲି; ସେ ମୋ ପରି ହସିଲା, ମୁଁ ତା ପରି ହସିଲି; ସେ ମୋ ପରି କାଶିଲା, ମୁଁ ତା ପରି କାଶିଲି-। ଏହିପରି ଛିଙ୍କିବା, ରୁଷିବା, ଖାଇବା, ପିଇବା ସବୁ ଦୁହିଙ୍କର ବଦଳିଗଲା । ଲୋକେ ଦେଖି ତାଟକା ହୋଇଗଲେ । ସବୁ ଯେତେବେଳେ ବଦଳିଗଲା, ପରମାୟୁ ବି ବଦଳି ଯାଇଥିବ । ତାହାଙ୍କ ପରମାୟୁ ଅଳ୍ପ ହୋଇଥିଲେ ମୋତେ ଶୀଘ୍ର ମରିବାକୁ ହେବ, ଏହି ଚିନ୍ତା ମୋତେ ଘାରିଲା; ଅନ୍ନ ଜଳ ବିଷ ହେଲା । ଅନ୍ତର୍ଯ୍ୟାମୀ ଗୁରୁଦେବ ତାହା ଜାଣିପାରି ଆସି ଉପସ୍ଥିତ ହେଲେ । ସଙ୍ଗାତଠାରୁ ଯୋଗବଳରେ ମୋର ଆତ୍ମା ଛଡ଼ାଇ ଆଣି ମୋତେ ଦେଲେ ଆଉ ତା ଆତ୍ମା ତାକୁ ଦେଲେ । ଯିବାବେଳେ ମୋତେ ଢେର ଗାଳିଦେଇ କହିଗଲେ–‘‘ଦେଖି, ସାବଧାନ, ଫେର ଏପରି ମୂର୍ଖାମି କେବେ କରିବୁ ନାହିଁ । ମୁଁ ସେହିଦିନୁ ଗାଲକୁ ଚାପୁଡ଼ା ମାରି ହୋଇ ସତ୍ୟ କରିଛି, ଆଉ କେବେ କାହାରି ସାଙ୍ଗରେ ସଙ୍ଗାତ ବସିବି ନାହିଁ । ତ୍ରିବାର ପ୍ରତିଜ୍ଞା–ଇହଜନ୍ମରେ ନୁହେଁ, କି ପର ଜନ୍ମରେ ନୁହେଁ, କି ତହିଁପର ଜନ୍ମରେ ନୁହେଁ ।

 

ସତ୍ୟଭୂଷଣ–ସତେ କଅଣ ଯୋଗବଳରେ ଏହିପରି ହୋଇପାରେ ?

 

ସର୍ବଜ୍ଞ–ସତ ନୁହେଁ କଅଣ ଆଉ ମିଛ ? ଶାସ୍ତ୍ର କଅଣ ତେବେ ମିଛ ? ବଶିଷ୍ଠ ମହର୍ଷି ଯୋଗବଳରେ ପୃଥିବୀକୁ ସ୍ୱର୍ଗ ଓହ୍ଲାଇ ଆଣିଥିଲେ, ବିଶ୍ୱାମିତ୍ର କ୍ଷତ୍ରିୟ ହୋଇ ଯୋଗବଳରେ ବ୍ରାହ୍ମଣତ୍ୱ ପ୍ରାପ୍ତ ହୋଇଥିଲେ, ଅଧିକନ୍ତୁ ବ୍ରହ୍ମାଙ୍କର ପ୍ରତିଦ୍ୱନ୍ଦ୍ୱୀ ହୋଇ ଆଉ ଗୋଟାଏ ସ୍ୱତନ୍ତ୍ର ସୃଷ୍ଟି କରିଥିଲେ, ମହାତପା ଅଗସ୍ତ୍ୟ ଯୋଗବଳରେ ସପ୍ତସମୁଦ୍ର ଚଳୁରେ ଧରି ଶୋଷଣ କରିଥିଲେ, ମହାବୀରଚୂଡ଼ା ହନୁମାନ ଏକାରାତିକେ ଅଠର ବର୍ଷର ବାଟ ଗନ୍ଧମାଦନକୁ ଯାଇ ଫେରି ଆସିଥିଲେ, ଏ ସବୁ କଥା କଅଣ ମିଛ ? ଦିନେ ପରଖକରି ଦେଖ, ଯୋଗବିଦ୍ୟା ସତ କି ମିଛ ବୁଝିପାରିବ ।

 

ସତ୍ୟଭୂଷଣର ପରୀକ୍ଷା କରିବାକୁ ଇଚ୍ଛାହେଲା; ମାତ୍ର ସେଦିନ ସେ କିଛି କହିଲା ନାହିଁ । ସେଥିଲାଗି ମନେ ମନେ ଅନ୍ୟଦିନ ଧାର୍ଯ୍ୟକରି ରଖିଲା ।

•••

 

ଅଷ୍ଟମ ପରିଚ୍ଛେଦ

 

ସର୍ବଜ୍ଞର ଖ୍ୟାତି, ପୌରୁଷ ଚାରିଆଡ଼େ ବ୍ୟାପି ଗଲାଣି । କେହି କହେ–ସେ ଜଣେ ଖୁବ୍ ଜାଣିବାର ଲୋକ, କେହି କହେ–ସେ ଜଣେ ଟାଣୁଆ ଗୁଣିଆ, କେହି କହେ–ନା, ସେ ଜଣେ ଭଲ ବୈଦ୍ୟ । ପାତ୍ରପଡ଼ା ଗ୍ରାମରେ ପ୍ରତ୍ୟହ ସେହି ସମାଲୋଚନା ଲାଗିଛି । ଦିନେ କେତେଜଣ ବସି କଥାବର୍ତ୍ତା ହେଉଥିଲେ । ରଥ ମହାକୁଡ଼ କହିଲା–‘ଲୋକଟା ଖୁବ୍ ଜ୍ୟୋତିଷ ଜାଣିଲା ପରି ବୋଧ ହେଉଛି ।’ ସଦେଇ ଲେଙ୍କା କହିଲା–‘ନା ହୋ, ସେ କାକଚିରତ ଜାଣେ ।’ ରଘୁ ସାମୁଲ କହିଲା–‘କାହିଁ ହୋ, ସବୁକଥା ତ ସତ ହେଉନାହିଁ ।’ ପୁରି ପୃଷ୍ଟି କହିଲା–‘‘କି ସତ ନ ହେବ କାହିଁକି-? କେବେ କେବେ ଗୋଟେ ଗୋଟେ କଥା ସିନା ଘଟୁନାହିଁ, ମନୁଷ୍ୟମତି ସବୁବେଳେ ଠିକ୍ ଅଛି ନା-?’ ଦୁଃଖିଆ ରାଢ଼ୀର ସେହି ଖାଡ଼ିଆଶିଙ୍ଗୀ ବଳଦମୁହୀଁ ଗାଈଟା ତିନିଦିନଯାଏଁ ଘରକୁ ଆସିଲା ନାହିଁ-। ସେ ଖୋଜି ଖୋଜି ଥକିଲା–ତେବେ ବି ମିଳିଲା ନାହିଁ । ସର୍ବଜ୍ଞକୁ ପଚାରିବାରୁ ସେ କହିଲା, ‘‘ଗାଈ ପୂର୍ବଦିଗରେ ଦକ୍ଷିଣମୁଖା ହୋଇ ଚରୁଛି, ଆଜିକାଲି ମଧ୍ୟରେ ପାଇବୁ ।’’ ସତକୁ ସତ ଦିନେ ସଞ୍ଜବେଳେ ଦୁଃଖିଆ ଦେଖିଲା–ଗାଈଟା ଶଙ୍କରା ତନ୍ତୀ ବାଡ଼ିରେ ଚରୁଛି । ଆଛା ଶଙ୍କରା ଘର ପୂର୍ବଦିଗରେ ନୁହେଁ ନା ?’’ ରଘୁ ସାମୁଲ ପ୍ରତିବାଦ କରି କହିଲା–‘‘ହଁ, ତୁ ସବୁ ଜାଣୁ, ତୁ ବି ଗୋଟାଏ ସର୍ବଜାଣ ହୋଇଗଲୁଣିରେ ପୁରିଆ । ପୂର୍ବ ଏଣେ ନା ତେଣେ ? ସେଟା ତ ଦକ୍ଷିଣ-। କି ମହାକୁଢ଼ ପୁଅ, ମୋ କଥା ସତ ନା ମିଛ ?’’ ପୁରିପୁଷ୍ଟି କହିଲା–‘‘ହଁ, ସେହି କଥା ହେଉ-। ଆଚ୍ଛା, ମହାକୁଡ଼ ପୁଅ, ସତ କୁହନି ତୁମ ଜୋଇଁ ରାଣତି–କଉଁଟା ପୂର୍ବ ?’’ ମହାକୁଡ଼ କହିଲା–‘‘ହଳସୂତ୍ର ଦିନ ପହିଲୁ ଯେଉଁ କୋଣରୁ ହଳ କରନ୍ତି, ସେହିଟା ପୂର୍ବ କୋଣ । ଆଉ ଶଙ୍କରା ତନ୍ତୀଘର ପୂର୍ବ କୋଣକୁ ଟିକିଏ ତେରଛା ହେବ । ତେବ ପୂର୍ବଦିଗ ନ ହୋଇ କଅଣ ହେବ ?’’ ରଘୁ ସାମୁଲ କହିଲା–‘‘ହେଉ, ସେହି ପୂର୍ବଦିଗ ଜାଣି ହେଲା, ଆଉ କପିଳା ଗଉଡ଼ର ମେଣ୍ଢା ହଜିବା କଥାରେ ସର୍ବଜାଣ କଅଣ କହିଥିଲା ? କହିଥିଲା ପରା ଦେବାଳୟ ଆଶ୍ରା କରିଅଛି ? ଦେଖିଲାବେଳକୁ ପୋଖରୀରେ ଗଡ଼ିପଡ଼ି ବୁଡ଼ିମରି ଭାସୁଛି । ସର୍ବଜାଣ ଏହା ଶୁଣି କଥା ବଞ୍ଚାଇ କହିଲା–‘ମୋ କଥା ମିଛ କଅଣ ହେଲା ? ଜଳ ଯେ ଗଙ୍ଗା; ପୁଷ୍କରିଣୀରେ ଗଙ୍ଗା ଦେବୀଙ୍କର ଅଧିଷ୍ଠାନ, ତେବେ ପୁଷ୍କରଣୀ ଦେବାଳୟ ନୁହେଁ ଆଉ କଣ?’’ ଗ୍ରାମବାସୀମାନେ ସମୟ ଅସମୟରେ ସବୁବେଳେ ଏହିପରି ସର୍ବଜ୍ଞ କଥା ଚର୍ଚ୍ଚା କରନ୍ତି ।

 

ଜମିଦାର ଜାଣନ୍ତି–ଆଗନ୍ତୁକ ଜଣେ ସନ୍ନ୍ୟାସୀ । ତାଙ୍କୁ ସର୍ବଜ୍ଞ ଦୁଇଥର ସାକ୍ଷାତ୍‍ କରିଅଛି । ଜମିଦାରଙ୍କର ଗୋଟାଏ ଜଟିଳ ମକଦ୍ଦମା ଲାଗିଥିଲା । ସେଥିର ଫଳ କଅଣ ହେବ ବୋଲି ସେ ସର୍ବଜ୍ଞକୁ ପଚାରିଥିଲେ । ସର୍ବଜ୍ଞ ଜୟ ହେବ ବୋଲି ବୋଲି କହିଥିଲା । ଦୈବ ଯୋଗରୁ ଜମିଦାରଙ୍କର ଜୟ ମଧ୍ୟ ହେଲା । ସେହିଦିନଠାରୁ ତାହାପ୍ରତି ଜମିଦାରଙ୍କର ଭାରି ଭକ୍ତି । ସତ୍ୟଭୂଷଣ ସର୍ବଜ୍ଞପାଖକୁ ଯାତାୟାତ କରୁଥିବାର ଶୁଣି ତାହାପ୍ରତି ମଧ୍ୟ ସେ ଖୁବ୍ ସନ୍ତୁଷ୍ଟ । ସେ କହନ୍ତି, ‘ସାଧୁ ସହବାସର ଗୁଣ ଅସୀମ, ସେଥିରେ ସତ୍ୟଭୂଷଣର ଅବ୍ୟବସ୍ଥିତ ମତି ସ୍ଥିର ହୋଇପାରେ । ଅନଳ ସହବାସରେ ସୁବର୍ଣ୍ଣର ମଳିନତା ରହିପାରେ ନାହିଁ ।’’

 

ଯୋଗବଳର ମାହାତ୍ମ୍ୟ ଶୁଣି ସତ୍ୟଭୂଷଣର ଯୋଗ ସାଧନ କରିବାକୁ ଇଚ୍ଛା ହେଲା । ତହୁଁ ସେ ସର୍ବଜ୍ଞ ପାଖରେ ନିଜର ଅଭିପ୍ରାୟ ବ୍ୟକ୍ତ କଲା । ସର୍ବଜ୍ଞ କହିଲା–‘‘ସେ ବଡ଼ କଠୋର ସାଧନା, ସମସ୍ତେ ତାହା କରିପାରନ୍ତି ନାହିଁ । ସାଧନାରେ ପ୍ରବେଶ ପୂର୍ବରୁ ସାଧନାର ଯୋଗ୍ୟ ହେବା ଦରକାର । କଠିନ ସଂଯମ, ଏକାନ୍ତ ନିଷ୍ଠା, ଦୃଢ଼ ଏକାଗ୍ରତା ନ ଥିଲେ କେହି ସାଧନାର ଉପଯୁକ୍ତ ହୁଏ ନାହିଁ । ସାଧନାରେ ମନକୁ ବାନ୍ଧି ରଖିବାକୁ ହେବ । ଯୋଗ ସାଧନା ପୂର୍ବରୁ ତାହାର ଆନୁଷଙ୍ଗିକ କେତେକ ପ୍ରକ୍ରିୟା ସାଧନରେ ଅଭ୍ୟସ୍ତ ହେବାକୁ ହେବ । ଚିତ୍ତର ସ୍ଥିରତା, ଆସନ, ମୁଦ୍ରା, ପ୍ରଣାୟାମ, ଜପ, ଧ୍ୟାନ ପ୍ରଭୃତି ସହଜସାଧ୍ୟ ନୁହେଁ । ଭ୍ରମ ପ୍ରମାଦ ଘଟିଲେ ହିତରେ ବିପରୀତ ଫଳ ଘଟିବ । ପୁଣି ସେଥିପାଇଁ ଉପଯୁକ୍ତ ଗୁରୁ ଲୋଡ଼ା, କେବଳ ପୁସ୍ତକ ସାହାଯ୍ୟରେ ସେ କାର୍ଯ୍ୟ ସଂକଟମୟ ହୁଏ ।’’ ସତ୍ୟଭୂଷଣ କହିଲା, ‘‘ଯେଡେ ସଂକଟମୟ ହେଉପଛେ ମୁଁ କରିବି । ମୋର ପ୍ରତିଜ୍ଞା ପ୍ରାଣ ସଂକଟମୟ ହେଲେ ସୁଦ୍ଧା ମୁଁ ଯୋଗବିଦ୍ୟା ଶିକ୍ଷା କରିବି । ଆଉ ଗୁରୁପାଇଁ ଚିନ୍ତା କାହିଁକି ? ଗୁରୁ ତ ତୁମେ । ଆଚ୍ଛା, ସ୍ୱାମୀ, କହିଲ ଭଲା ଯୋଗବଳରେ ଅର୍ଥ ମିଳେ ନା ?’’ ସର୍ବଜ୍ଞ କହିଲା–‘‘ହଁ କୁବେର ମନ୍ତ୍ର ଜପକରି ପୂଜାକଲେ ଅର୍ଥ ମିଳିପାରେ । ମହାଭାରତରେ କୁନ୍ତୀ ଗାନ୍ଧାରୀଙ୍କ ଶିବପୂଜା ଆଖ୍ୟାନ ତ ତୁମେ ପଢ଼ିଥିବ । କୁରୁବଧୁ କୁନ୍ତୀ, ଗାନ୍ଧାରୀ ଉଭୟେ ଶିବଙ୍କୁ ନିଜର ଉପାସ୍ୟ ଦେବତା ବୋଲି ଦାବିକଲେ । ମହାଦେବ କହିଲେ-କାଲି ଉଷାକାଳରେ ମୋତେ ଯେ ଲକ୍ଷେ ସୁବର୍ଣ୍ଣ ଚମ୍ପା ଦେଇ ପୂଜା କରିବ, ମୁଁ ତାହାରି । ରାଜମାତା ଗାନ୍ଧାରୀ ଦୁର୍ଯ୍ୟୋଧନକୁ କହି ସହସ୍ର ସହସ୍ର ବଣିଆ ଡକାଇ ସ୍ୱର୍ଣ୍ଣ ଚମ୍ପା ଗଢ଼ାଇବାକୁ ବସିଲେ ଆଉ କୁନ୍ତୀ ଅଭିମାନସ ଜଳନେତ୍ରରେ ଅର୍ଜୁନ ଆଗରେ ଠିଆ ହୋଇ କହିଲେ–ଗାନ୍ଧାରୀ ଏକା ପୁତ୍ରବତୀ ଆଉ ଦୁର୍ଯ୍ୟୋଧନ ଏକା ସୁପୁତ୍ର । ଯେଉଁ ପୁଅ ମାଆର ମାନ ରକ୍ଷା ନ କଲା, ସେଭଳି ଲକ୍ଷେ ପୁଅ ଥାଇ କଅଣ ହେବ-? ମାର ବନ୍ଧ୍ୟା କଳଙ୍କ ବି ଘୁଞ୍ଚିବ ନାହିଁ । ଅର୍ଜୁନ ମାତୃ ଅଭିମାନର କାରଣ ବୁଝିନେଇ ମୃଦୁହାସ୍ୟ ସହ ମାତାଙ୍କୁ ସାନ୍ତ୍ୱନା ଦେଇ ତାଙ୍କର ଅଭିଳାଷ ପୂରଣ କରିବାକୁ ପ୍ରତିଶ୍ରୁତ ହେଲେ । ଅନନ୍ତର ସେ କୁବେର ମହାମନ୍ତ୍ର ଜପଦ୍ୱାରା ଧନେଶ୍ୱରଙ୍କୁ ତୁଷ୍ଟ କରି ଲକ୍ଷେ ସୁବର୍ଣ୍ଣ ଚମ୍ପା ଆଣି ମାତାଙ୍କୁ ଦେଲେ । ଏ ପୁରାଣ କଥା କଅଣ ମିଛ ? ଯାହାର ସାଧନା ସିଦ୍ଧ ହୁଏ, ସେ ସବୁ କରିପାରେ ।’’ ସତ୍ୟଭୂଷଣ କହିଲା ‘‘ଯୋଗ ବଳରେ ଅର୍ଥ ମିଳିବାର ଦେଖିଲେ ମୁଁ ବିଶ୍ୱାସ କରିବି, ତୁମେ ଦେଖାଇ ପାରିବ କି-?’’ ସର୍ବଜ୍ଞ କହିଲା, ‘‘ଅବଶ୍ୟ ଦେଖାଇ ପାରିବି ।’’ ତହୁଁ ପରୀକ୍ଷା ସକାଶେ ଦିନ ଧାର୍ଯ୍ୟହେଲା । ସତ୍ୟଭୂଷଣ ସେହି ଭବିଷ୍ୟତ ଉଜ୍ଜ୍ୱଳ ଦିବସ ପ୍ରତୀକ୍ଷାରେ ଅଧୀର ଆଗ୍ରହରେ କାଳାତିପାତ କରିବାକୁ ଲାଗିଲା । ଦିନଗୁଡ଼ାକୁ ହାତ ପାଖରେ ପାଇବାର ସୁବିଧା ଥିଲେ ସେ ବଳପୂର୍ବକ ପଛକୁଟାଣି ପକାଇ ଥାଆନ୍ତା–ତାହାର ଭାବ-ଭାଙ୍ଗୀରୁ ଏହିପରି ବୋଧହେଲା ।

 

ଯଥାସମୟରେ କଣ୍ଟ ଦିନ ଆସି ହାବୁଡ଼ି ଗଲା । ସର୍ବଜ୍ଞ ସତ୍ୟଭୂଷଣକୁ ସଙ୍ଗରେ ଘେନି ଗୋଟାଏ ଆମ୍ବ ବଗିଚାକୁ ଗଲା । ସତ୍ୟଭୂଷଣର ଆଦେଶରେ ଜଣେ ଲୋକ ଶାବଳ ଘେନି ସେମାନଙ୍କ ସଙ୍ଗରେ ଗଲା । ବଗିଚାଟି ନିର୍ଜନ ଏବଂ ବିବିଧ ପକ୍ଷୀର ଅସ୍ପଷ୍ଟ କୋଳାହଳରେ ମୁଖର-। ତାହା ଶାନ୍ତିଦେବୀଙ୍କର ପ୍ରିୟ ବାସସ୍ଥାନ । ପବନ ଅନାହୂତ ଭାବରେ ପଥିକକୁ ବ୍ୟଜନ କରି ତାହାର ଶାନ୍ତି ଅପମୋଦନ କରୁଅଛି । ବୃକ୍ଷମାନେ ଫଳଫୁଲ ଦେହରୁ ଝାଡ଼ି ଦେଇ ଅତିଥି ପୂଜା କରୁଅଛନ୍ତି । ସେମାନଙ୍କର ଜୀବନ ଧନ୍ୟ, ସ୍ୱାର୍ଥ ଶୂନ୍ୟ । ସେମାନେ ବିଶ୍ୱହିତ ସକାଶେ ଜୀବନ ଧାରଣ କରିଅଛନ୍ତି । ସେ ଜୀବନ ବ୍ୟକ୍ତିଗତତାରେ ଆବିଳ, ପଙ୍କିଳ ନୁହେଁ । ସାଧାରଣତାରେ ସ୍ୱଚ୍ଛ ଏବଂ ନିର୍ମଳ । ସର୍ବଜ୍ଞ ବଗିଚାରେ ବୁଲି ବୁଲି ଗୋଟାଏ ଗଛ ମୂଳରେ ଆସି ଠିଆହେଲା ଏବଂ କହିଲା, ‘‘ଏହି ଗଛମୂଳ ଖୋଳିଲେ ଅର୍ଥ ବାହାରିବ । ତହୁଁ ସତ୍ୟଭୂଷଣ ଖନକକୁ ଆଦେଶ ଦେଲା, ସେ ଖୋଳିବାକୁ ଲାଗିଲା । ଗଛର ଚାରିପାଖ ଖୋଳାଗଲା । ଆଣ୍ଠୁଏ ଗହୀର ହେଲାମାତ୍ର କିଛି ମିଳିଲା ନାହିଁ, ଖାଲି କେତେଗୁଡ଼ିଏ ଭଙ୍ଗା ପାତ୍ର ଆଉ ଖପରା ମୁହାଣ୍ଡି ବାହାରିଲା-। ସର୍ବଜ୍ଞ କହିଲା, ଆହୁରି ଖୋଳ ।’’ ପୁଣି ଜଙ୍ଘେ ଗହୀର ଯାଏ ଖୋଳାଗଲା ସେହିଠାରେ ଗୋଟାଏ ମାଟିର ଠେକି ବାହାରିଲା । ଠେକି ମୁହଁରେ ମୃତ୍ତିକା ପିଣ୍ଡର ଗୋଟାଏ ଆବରଣ ଅଛି । ସେହି ଆବରଣ ଖୋଲି ଦେଖାଗଲା, ଠେକି ଭିତରେ ତିନିଟା ସୁଉକି ଓ ଦୁଇଅଣା ପଇସା ଅଛି । ସତ୍ୟଭୂଷଣ ସେଗୁଡ଼ିକ ଓଲଟାଇ ପାଲଟାଇ ଦେଖି କହିଲା–‘‘ସ୍ୱାମୀ, ଏଥିରେ ତ ଗତସାଲର ତିଆରି ପଇସା ବି ଅଛି ।’’ ସର୍ବଜ୍ଞ କହିଲା–‘‘ହଁ, ଥାଇପାରେ, ପୁରୁଣା ମାଲ ବାହାରିବ ବୋଲି ତ ମୁଁ କହିନାହିଁ ଅର୍ଥ ବାହାରିବ ବୋଲି କହିଛି । ଅର୍ଥ ତ ବାହାରିଲା । ଯୋଗବଳରେ ଅର୍ଥ ଆସି ଏଠାରେ ରହିଥିଲା । ତାହା ନୂଆ ବି ହୋଇପାରେ ପୁରୁଣା ବି ହୋଇପାରେ ।’’ ସତ୍ୟଭୂଷଣ କହିଲା–‘‘ଅର୍ଥ ଏହି ଚଉଦଅଣା ପଇସା ବାହାରିଲା, ନା ?’’ ସର୍ବଜ୍ଞ ଆଶ୍ଚର୍ଯ୍ୟହୋଇ କହିଲା–‘‘ଆଉ କେତେ ବାହାରନ୍ତା ବାବୁ ? ମୁଁ ସନ୍ନ୍ୟାସୀ, ଲୋଭକରି ପାପ ଅର୍ଜିବି କାହିଁକି ? ଯାହା ମନାସିଥିଲି ତାହା ବାହାରିଲା, ଅଧିକ ଅର୍ଥ ମୋର କି ଲୋଡ଼ା ? ତୁମ୍ଭେ ସଂସାରୀ । ବଡ଼ଲୋକ, ଅର୍ଥ ତୁମ୍ଭର ଲୋଡ଼ା; ସୁତରାଂ ଅଧିକ ଅର୍ଥ ସଂଗ୍ରହ ତୁମ୍ଭ ପକ୍ଷରେ ପାପ ନୁହେଁ । ତୁମ୍ଭେ ହଜାରେ ମନାସିଲେ ପାଇବ, ଲକ୍ଷେ ମନାସିଲେ ପାଇବ, ଯାହା ମନାସିବ ତାହା ପାଇବ । ବର୍ତ୍ତମାନ ପରୀକ୍ଷା କରାଯାଉଥିଲା ପରୀକ୍ଷାର ଫଳ ହେଲା କି ନାହିଁ ଦେଖ । ଶାସ୍ତ୍ର କେବେ ମିଛ ନୁହେଁ ବାବୁ, ଆଉ ଯୋଗ ଶାସ୍ତ୍ରର ସଜୀବ ଶାସ୍ତ୍ର, ତାହାର ଫଳ ପ୍ରତ୍ୟକ୍ଷରେ ଦେଖାଯାଏ । କିନ୍ତୁ ସେ ସାଧନା ବଡ଼ କଠିନ–ଅତିଶୟ କଠିନ ।’’

 

ସର୍ବଜ୍ଞର କଥା ଶୁଣି ସତ୍ୟଭୂଷଣ ଆଉ ଅବିଶ୍ୱାସ କରିପାରିଲା ନାହିଁ । ସର୍ବଜ୍ଞ ତାହାକୁ ଏହିପରି ଆହୁରି କେତେଟା କୌଶଳପୂର୍ଣ୍ଣ କାର୍ଯ୍ୟଦେଖାଇ ତାହାର ବିଶ୍ୱାସକୁ ଆହୁରି ଦୃଢ଼ତର କରିଦେଲା । ସତ୍ୟଭୂଷଣ ପୁନଶ୍ଚ ପ୍ରତିଜ୍ଞା କଲା, ଯେଡ଼େ କଠିନ ହେଉପଛେ, ସେ ନିଶ୍ଚୟ କୁବେର ମନ୍ତ୍ର ସାଧନ କରି ଅର୍ଥସଂଗ୍ରହ କରିବ ଏବଂ ସେହି ଅର୍ଥରେ ସେ ଦେଶସେବା କରିବ । ମନ୍ତ୍ରଗ୍ରହଣ ସକାଶେ ସେ ସର୍ବଜ୍ଞକୁ ସର୍ବଦା ବ୍ୟସ୍ତ କଲା । ସର୍ବଜ୍ଞ ଉପରମନରେ ଯେତେ ବୁଝାଇଲେ ସୁଦ୍ଧା ନିରସ୍ତ ହେଲାନାହିଁ । ତହୁଁ ସର୍ବଜ୍ଞ କହିଲା–‘‘ଆଛା, ତେବେ ତୁମ୍ଭରି କଥା ହେଉ, ଆଗାମୀ ସ୍ନାନ ପୂର୍ଣ୍ଣିମା ଖୁବ୍ ଶୁଭଦିନ । ସେହିଦିନ ତୁମ୍ଭଙ୍କୁ ମନ୍ତ୍ର ପ୍ରଦାନ କରିବି । ସେଦିନ ପାଞ୍ଚ ସେର ଘିଅରେ କୁବେରଙ୍କ ନାମରେ ହୋମ ହେବ, ଷୋଡ଼ଶ ଉପଚାରରେ ପୂଜା ହେବ । ତୁମ୍ଭେ ସେଦିନ ଉପବାସ ରହିବ ଓ ରାତିରେ ପ୍ରସାଦ ସେବାକରି ମନ୍ତ୍ରଗ୍ରହଣ କରିବ । ତହିଁପରେ ଏକ ଆସନରେ ବସି ଶଏ ଆଠଥର ମନ୍ତ୍ର ଜପ କରିବ । ପୂଜାରେ ରୂପା ଗିନା, ତାଟିଆ, ରେକାବି ପାଞ୍ଚଟା ଲେଖାଏଁ ଆଉ ଗୋଟାଏ ସୁନାଦୀପ ଦରକାର ଏବଂ କିଛି ସୁବର୍ଣ୍ଣ ଦାନ କରିବାକୁ ହେବ । ତାହାଛଡ଼ା ଗୁରୁଦକ୍ଷିଣା ତୁମ୍ଭର ଯାହା ଇଚ୍ଛା, ତାହା ଦେବ । ଶାସ୍ତ୍ରରେ ତ ଲେଖୁଛି, ଭୂମି, ସ୍ୱର୍ଣ୍ଣବଳୟ, କୁଣ୍ଡଳ, ପଟ୍ଟବସ୍ତ୍ର ଆଉ ହଜାରେ ଏକଶ ଏକ ଟଙ୍କା ଏକଅଣା ଏକପାହି; ମାତ୍ର ତୁମ୍ଭେ ଖୁସିରେ ଯାହା ଦେବ ତୁମ୍ଭ ମନ । ସେଥିରେ ମୁଁ କିଛି କହିବି ନାହିଁ ।’’ ସତ୍ୟଭୂଷଣ ତୃପ୍ତ ସ୍ୱରରେ କହିଲା–‘‘ଓଃ, ଏହି ନା ଆଉ କିଛି ? ତୁମେ ଯାହା କହିବ, ସବୁ ଦିଆଯିବ । କଅଣ କଅଣ ପୂଜାରେ ଦରକାର, ତୁମେ ସେଥିର ଗୋଟାଏ ତାଲିକା ଲେଖି କାଲି ଉପରଓଳି ମୋତେ ଦେବ, ମୁଁ ସବୁ ସଜିଲ କରିଦେବି । ଶେଷରେ ତୁମ୍ଭକୁ ବି ଖୁବ୍ ଖୁସି କରିଦେବି । କିନ୍ତୁ ଏକଥା ତୁମେ କାହାରିକୁ କହିବି ନାହିଁ, ଖୁବ୍‍ ଗୋପନରେ କାମ କରିବାକୁ ହେବ । ମୋର ବିଶ୍ୱାସୀ ଲୋକଦ୍ୱାରା ମୁଁ ସବୁ କରାଇନେବି ।’’ ସର୍ବଜ୍ଞ ଏହା ଶୁଣି ଅତି ଆନନ୍ଦିତ ହୋଇ କହିଲା–‘‘ହଁ ବାବୁ, ମୁଁ ବି ସେହିକଥା କହି ଆଣୁଥିଲି, ଆଗରୁ ତୁମେ କହିପକାଇଲ-। ଷଡ଼କାନ ମନ୍ତ୍ରଭେଦ, ଆଉ କେହି ନ ଜାଣିବା ଭଲ । ଶୁଭ କାର୍ଯ୍ୟରେ ବିଘ୍ନ ଘଟାଇବୁ ଅନେକ ଅଛନ୍ତି । ବଡ଼ ଲୋକଙ୍କର କାନକୁହା ଢେର ଥାଆନ୍ତି, କାଳେ କେହି ତୁମ ବାପାଙ୍କ ପାଖରେ କହିଦିଅନ୍ତି, ମୋର ଏହି ଭୟ । ତାହା ହେଲେ ଯେ କାମଟା ଭଣ୍ଡୁର ହୋଇଯିବ-। ତୁମ ମନ ବି ଫିକା ପଡ଼ିଯିବ ଆଉ ମୋର ଗୋଟାଏ ଦୁର୍ନାମ ହେବ । ହେଉ ତୁମ୍ଭ କହିଲାପରି ପୂଜାର ଗୋଟାଏ ତାଲିକା କରିଦେବି । ଅନନ୍ତର ସର୍ବଜ୍ଞ ତାଲିକା ଫର୍ଦ୍ଦ ଲେଖିବାକୁ ବସିଲା, ସତ୍ୟଭୂଷଣ ଅନ୍ୟତ୍ର ପ୍ରସ୍ଥାନ କଲା ।

 

ଦେଖୁଁ ଦେଖୁଁ ସ୍ନାନପୂର୍ଣ୍ଣମା ଆସି ଉପସ୍ଥିତ ହେଲା । ସେଦିନ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ସେହିଗ୍ରହଣ ସମୟରେ ପୂଜାକରିବାକୁ ହେବ । ଯଥାସମୟରେ ଗ୍ରହଣ ଲାଗିଲା । ଗୋଟାଏ କୃଷ୍ଣଛାୟା ଆସି ଚନ୍ଦ୍ରକୁ କ୍ରମେ କ୍ରମେ ଗ୍ରାସ କରିବାକୁ ଲାଗିଲା । ଶେଷରେ ସମ୍ପୂର୍ଣ୍ଣ ଗିଳିଦେଲା । ମିଥ୍ୟା ଏହିପରି ସତ୍ୟକୁ ଗିଳିଦିଏ; ମାତ୍ର ଜୀର୍ଣ୍ଣ କରିପାରେ ନାହିଁ । ସତ୍ୟ ଅଗ୍ନିମୁଣ୍ଡା, ତାକୁ ଜୀର୍ଣ୍ଣ କରିବାର କ୍ଷମତା ମିଥ୍ୟାର ନାହିଁ । ସୁତରାଂ ସମ୍ଭାଳି ନ ପାରି ଓକାଳି ପକାଏ, ସତ୍ୟର ଜୟହୁଏ । କ୍ରମେ ଚନ୍ଦ୍ର ଛାୟା ଗର୍ଭରୁ ବାହାରିଲା । ବୃକ୍ଷପତ୍ରର ଛାୟା ଅର୍ଦ୍ଧ ବୃତ୍ତାକାର ଏବଂ ବୃତ୍ତଖଣ୍ଡାକାର ଧରି ଆସିଲା । ସର୍ବଜ୍ଞ ପୂଜାରେ ବସିଲା । ମାଟିରେ କୁବେର ମୂର୍ତ୍ତି ନିର୍ମାଣ କରି ତାକୁ ପୁଷ୍ପ ଚନ୍ଦନରେ ମଣ୍ଡିତ କଲା । ସୁବର୍ଣ୍ଣ ପ୍ରଦୀପ ଜଳିଲା, ରୌପ୍ୟ ପାତ୍ରମାନଙ୍କରେ କାହିଁରେ ସିନ୍ଦୂର, କାହିଁରେ ବେଲପତ୍ର, କାହିଁରେ ଚନ୍ଦନ, ଏହିପରି ନାନା ପଦାର୍ଥ ରହିଲା । ଆଉ ଖଣ୍ଡିଏ ରେକାବିରେ କୃଷ୍ଣବର୍ଣ୍ଣର ଦୁଇଟି ଗୋଳା ପ୍ରତିମା ସମ୍ମୁଖରେ ରକ୍ଷିତ ହେଲା । ବୋଧହୁଏ ତାହା ପୂଜାର କୌଣସି ଉପକରଣ । ଧୂପ ପୁଷ୍ପ ଗନ୍ଧରେ ପୂଜାସ୍ଥାନ ଆମୋଦିତ ହେବାକୁ ଲାଗିଲା । ଖୁବ୍ ଆଡ଼ମ୍ବରରେ ପୂଜା ଆରମ୍ଭ ହେଲା । ପୂଜକ ନାନା ଭଙ୍ଗୀରେ ମୁଦ୍ରାଭାଙ୍ଗି ଅସ୍ପଷ୍ଟ ମନ୍ତ୍ର ଆବୃତ୍ତି କରି ଯାଉଥାଏ । ପୂଜା ଶେଷରେ ଅଙ୍ଗୁଳି ରେଖା ଧରି ଜପ ଆରମ୍ଭ ହେଲା । ତହିଁ ପରେ ଯଜ୍ଞ ହେଲା । ସର୍ବଜ୍ଞର ପୂର୍ବାଦେଶ ମତେ ଉପବାସୀ ସତ୍ୟଭୂଷଣ ପୂଜାସ୍ଥାନରେ ବସି ସବୁ ଦେଖୁଥାଏ । ପୂଜା ଶେଷରେ ପୂଜକ ଆସନରୁ ଉଠି ସତ୍ୟଭୂଷଣଙ୍କୁ ଚାହିଁ ମୃଦୁ ହାସ୍ୟରେ କହିଲା–‘ଦେବତା ପ୍ରସନ୍ନ ।’ ଅନନ୍ତର ପୂର୍ବୋକ୍ତ ପାତ୍ରରୁ କୃଷ୍ଣବର୍ଣ୍ଣ ପଦାର୍ଥବିଶେଷ ଆଣି ସତ୍ୟଭୂଷଣର ହାତରେ ଦେଇ କହିଲା–‘‘ବାବୁ ଏହିକ୍ଷଣି ରାତ୍ରି ଦୁଇ ପ୍ରହର ହେବ, ତୁମେ ଏବେ ଘରକୁ ଯାଅ । ଏହି ପ୍ରସାଦରୁ ଗୋଟିଏ ସେବା କରି ନିର୍ଜନରେ ବସି ଶଏ ଆଠ ଥର କୁବେର ମହାମନ୍ତ୍ର ଜପ କରିବ । ଜପ ଶେଷରେ ଅନ୍ୟଟି ସେବନ କରି ଶୋଇବ । କୁବେର ଆସି ସ୍ୱପ୍ନରେ ତୁମ୍ଭଙ୍କୁ ଧନର ସନ୍ଧାନ କହି ଦେବେ । ଏହି ଲେଖା ଖଣ୍ଡ ଧର, ଏଥିରେ ମନ୍ତ୍ର ଲେଖାହୋଇଛି ।’’ ସର୍ବଜ୍ଞ ଏହା କହି, ଖଣ୍ଡେ ଲିଖିତ ତାଳପତ୍ର ସତ୍ୟଭୂଷଣକୁ ଦେଲା । ସତ୍ୟଭୂଷଣ ଗୁରୁଙ୍କୁ ଭକ୍ତିରେ ଦଣ୍ଡବତ କରି ପ୍ରସ୍ଥାନ କଲା । ଯିବାବେଳେ ସେ ବଇଦା ନାମକ ଚାକରକୁ ସଙ୍ଗରେ ନେଇ ଯାଇଥିଲା । ବଇଦା ତାହାର ଖୁବ୍ ବିଶ୍ୱାସୀ । ସତ୍ୟଭୂଷଣ ବଇଦାକୁ ଘେନି ଘରକୁ ଫେରିଆସିଲା ଏବଂ ଏସବୁ କଥା ପ୍ରକାଶ କରିବାକୁ ନିଷେଧ କରି ତାକୁ ବିଦାୟ ଦେଇ ନିଜର ବୈଠକଖାନାକୁ ଗଲା । ଘର ଭିତରେ ଗୋଟାଏ ଦୀପ ଆସନ୍ନମୃତ୍ୟୁର ପ୍ରାଣ ପରି ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା । ସତ୍ୟଭୂଷଣ ତାକୁ ତେଜେଇ ଦେଇ ଖଟ ଉପରୁ କମ୍ବଳ ଖଣ୍ଡେ ଟାଣିଆଣି ତଳେ ବିଛାଇ ବସିଲା । ପ୍ରସାଦ ଗୁଳାରୁ ଗୋଟିଏ ପାଟିରେ ପକାଇଦେଇ ଅପରଟି ଆସନ ଉପରେ ରଖିଦେଲା । ଅନନ୍ତର ତାଳପତ୍ର ଖଣ୍ଡ ଦୀପ ପାଖରେ ଧରି ପଢ଼ିବାକୁ ଲାଗିଲା ଏବଂ ପଢ଼ିସାରି ଜପରେ ନିଯୁକ୍ତ ହେଲା । ଜପ କରୁ କରୁ ଚାରି ପାଞ୍ଚଥର ଢୁଲାଇ ପଡ଼ିଲା । ଜପ ଅସ୍ପଷ୍ଟ ହୋଇଗଲା, ଚେତନା ହେଲାକ୍ଷଣି ଚମକିଉଠି ପୁଣି ଜପ କରିବାକୁ ଲାଗିଲା । ଏହିପରି ଭାବରେ ଘଡ଼ିଏକାଳ ଅତିବାହିତ ହେଲା । ତହିଁ ପରେ ସତ୍ୟଭୂଷଣ କମ୍ବଳ ଉପରେ ଢଳିପଡ଼ି ପ୍ରଗାଢ଼ ନିଦ୍ରାରେ ଅଚେତନ ହେଲା ।

 

ସତ୍ୟଭୂଷଣ ସ୍ୱପ୍ନ ଦେଖିଲା–‘‘ପୂର୍ବୋକ୍ତ ସର୍ବଜ୍ଞ ତାହା ପାଖରେ ଉପସ୍ଥିତ ହୋଇ କହିଲା–‘ବାବୁ, ଅର୍ଥର ସନ୍ଧାନ ମିଳିଛି, ତୁମେ ମୋ ସଙ୍ଗରେ ଆସ ।’ ସତ୍ୟଭୂଷଣ ଉଠି ତାହା ସଙ୍ଗେ ସଙ୍ଗେ ଗଲା, ଦୁହେଁ ଯାଇ ଗୋଟାଏ ଅରଣ୍ୟରେ ପଶିଲେ । ସେ ଅରଣ୍ୟ ଏତେ ନିଘଞ୍ଚି ଯେ, ଶବ୍ଦ ସୁଦ୍ଧା ତାହା ଭିତରେ ପଶି ପାରିବ ନାହିଁ । କୁଆଡ଼େ କିଛି ଦିଶୁନାହିଁ, ଚାରିଆଡ଼େ ଅନ୍ଧାର କିଟ୍‌ କିଟ୍ । ନୈଶକାନନ ନୀରବ, ନିସ୍ତବ୍‌ଧ, ବେଳେବେଳେ ସେହି ଗଭୀର ନୀରବତାର ବକ୍ଷ ବିଦୀର୍ଣ୍ଣ କରି ଝିଲ୍ଲୀ ଝଙ୍କାର ପୃଥୁଳ ଭାବରେ ଉଠୁଅଛି । ବନ ମଧ୍ୟରେ ପଶି ସର୍ବଜ୍ଞ ଅନ୍ଧାରରେ ମିଳାଇଗଲା । ସତ୍ୟଭୂଷଣ ଏକକୀ ଠିଆହୋଇ ରହିଲା । ଭୟରେ ତାହାର ଗୋଡ଼ଠାରୁ ମୁଣ୍ଡଯାଏ ବରଡ଼ାପତ୍ର ପରି ଥରିବାକୁ ଲାଗିଲା । ଏହି ସମୟରେ ରାତ୍ରିର ମୌନବ୍ରତ ଭଙ୍ଗ କରି ଗୋଟାଏ ଭୀଷଣ ଶବ୍ଦ ଉଠିଲା, ସତ୍ୟଭୂଷଣ ଚମକିପଡ଼ି ଭୟରେ ଆଖିବୁଜିଲା । କିଛିକ୍ଷଣ ପରେ ଅନାଇ ଦେଖିଲା, ଆଉ ସେ ଅନ୍ଧକାର ନାହିଁ, କି ଏକ ଅପୂର୍ବ ଜ୍ୟୋତିରେ ବନଗର୍ଭ ଆଲୋକିତ ହୋଇଅଛି-। ସେହି ଜ୍ୟୋତିରେ ଗଛପତ୍ର ସବୁ ସ୍ୱର୍ଣ୍ଣବର୍ଣ୍ଣ ଧାରଣ କରିଅଛି । ସୁନାର ବାଘ ଭାଲୁ ଦଳଦଳ ହୋଇ ବୁଲୁ ଅଛନ୍ତି । ସତ୍ୟଭୂଷଣ ନିଜକୁ ଚାହିଁ ଦେଖିଲା ତାହାର ଦେହ ସୁନା ହୋଇଯାଇଅଛି । ତାହାର ପିନ୍ଧିଥିବା ଲୁଗା ଖଣ୍ଡିମଧ୍ୟ ସୁନା ହୋଇଯାଇଅଛି । ସତ୍ୟଭୂଷଣ ଭାବିଲା, ଏସ୍ୱପ୍ନ କାନନ ନା ମାୟା କାନନ । ବନ ମଧ୍ୟରେ ସେ ଖଣ୍ଡେ ଦୂର ଅଗ୍ରସର ହେଲା, ବାଘ ଭାଲୁଗୁଡ଼ାକ ତାହା ଦେହରେ ଘଷିହୋଇ ଚାଲି ଯାଉଥାଆନ୍ତି; ମାତ୍ର କିଛି ଅନିଷ୍ଟ କରନ୍ତି ନାହିଁ । ସତ୍ୟଭୂଷଣ ମନେ ମନେ କହେ ଏସବୁ ସୁନାର ବାଘ, ଭାଲୁ, ସୁତରାଂ ହିଂସା ପାଶୋରି ଅଛନ୍ତି । କିଛି ଦୂର ଯାଇ ସେ ଗୋଟାଏ ପୁଷ୍କରିଣୀ ଦେଖିଲା । ସେଥିରେ ସୁନାର ପଦ୍ମ ଫୁଟିଅଛି, ସୁନାର ଭ୍ରମର ଉଡ଼ି ବୁଲୁଅଛନ୍ତି-। କେଉଁଠାରୁ ଗୋଟାଏ ପ୍ରଶସ୍ତ ପଥ ଆସି ପୁଷ୍କରିଣୀରେ ମିଶିଅଛି । ସତ୍ୟଭୂଷଣ ଅକୂଳରେ କୂଳ ଦେଖିଲା । ସେ ଭାବିଲା, ଏହି ପଥ ଧରି ଗଲେ ସେ ଅବଶ୍ୟ କୌଣସି ଗ୍ରାମ ବା ନଗରରେ ପହଞ୍ଚିପାରିବ । ସେ ଯାଇ ସେହି ବାଟମୁହଁରେ ଠିଆ ହେଲା । ଏହି ସମୟରେ ଅଳ୍ପ ଦୂରରେ ଘଣ୍ଟିଶବ୍ଦ ଶୁଭିଲା, ଦେଖୁଁ ଦେଖୁଁ ଅରଣ୍ୟ ଭେଦକରି ଗୋଟାଏ ସୁନ୍ଦର ସୁସଜ୍ଜିତ ଶ୍ୱେତହସ୍ତୀ ବାହାରି ଆସିଲା । ତାହାର ମସ୍ତକରେ ଆମ୍ରପଲ୍ଲବଯୁକ୍ତ ସୁବର୍ଣ୍ଣ କଳସ ଏବଂ ପୁଷ୍ପରେ ସବୁର୍ଣ୍ଣ ଅମାରୀ । ମୁକ୍ତାପ୍ରବାଳଗୁନ୍ଥା ଝାଲର କପାଳ ଜଡ଼ିତ ସୁବର୍ଣ୍ଣ କୁବେଣୀରେ ଝଲମଲ ହୋଇ ଝଟକୁ ଅଛି । ଦୀର୍ଘ ବକ୍ରଦନ୍ତଦ୍ୱୟ ମଣିମାଣିକ୍ୟ ଖଚିତ । ପୃଷ୍ଠର ବେନିପାର୍ଶ୍ୱରେ ପାଟଡ଼ୋର ବନ୍ଧା ସ୍ୱର୍ଣ୍ଣଘଣ୍ଟି ଦୋହଲି ଗତି ତାଳରେ ବାଜୁଅଛି । ମାତଙ୍ଗବର ଶୁଣ୍ଢରେ ଫୁଲମାଳ ଧରି ଉପରକୁ ଟେକିଅଛି । ତାହାର ଆକୃତି, ଚାହାଣି, ଚାଲିଚଳଣ ସବୁ ସୁନ୍ଦର, କିନ୍ତୁ ତା ମୁହଁ ଠିକ୍‍ ପୂର୍ବୋକ୍ତ ସର୍ବଜ୍ଞର ମୁହଁ ପରି । ଚାହୁଁ ଚାହୁଁ ହାତୀ ଆସି ସତ୍ୟଭୂଷଣ ପାଖରେ ପହଞ୍ଚିଲା ଏବଂ ତାହା ବେକରେ ଫୁଲମାଳଟି ଲମ୍ବାଇଦେଇ ମୁଣ୍ଡରେ କଳସ ପାଣି ଢାଳିଦେଲା । ଅନନ୍ତର ଗଭୀର ଗର୍ଜନ ଛଳରେ ମାତଙ୍ଗୀୟ ଭାଷାରେ ଆନନ୍ଦ ପ୍ରକାଶପୂର୍ବକ ସତ୍ୟଭୂଷଣକୁ ଥୋର–ହସ୍ତରେ ଟେକି ନେଇ ପୃଷ୍ଟବଦ୍ଧ ହାଉଦା ଉପରେ ବସାଇ ଦେଇ ଯେଉଁଆଡ଼ୁ ଆସିଥିଲା ସେହିଆଡ଼କୁ ଫେରି ଚାଲିଲା । ସେହି ସମୟରେ ଅନେକ ଲୋକ ଭେରୀ, ତୁରୀ, ନାଗରା, ଜଗଝାମ୍ପ ପ୍ରଭୃତି ନାନା ବାଦ୍ୟ ବଜାଇ ଏବଂ ଛତା, ତରାସ, ନିଶାଣ, ଅଢ଼ଣୀ ଧରି ବନମଧ୍ୟରୁ ବାହାରିପଡ଼ି ହାତୀକୁ ଘେରି ଚାଲିଲେ ଏବଂ ପଟୁଆର କରି ସତ୍ୟଭୂଷଣକୁ ନେଇଗଲେ । ସତ୍ୟଭୂଷଣ ଏସବୁ କାଣ୍ଡକୁ ସ୍ୱପ୍ନାବସ୍ଥାରେ ସ୍ୱପ୍ନପରି ମଣୁଥାଏ, ମାତ୍ର କିଛି ନ କହି ନୀରବରେ ବିବାହାର୍ଥୀ ବର ପରି ରତ୍ନ ହାଉଦାରେ ବସିରହିଥାଏ । କିଛିକ୍ଷଣ ପରେ ପଟୁଆର ଅରଣ୍ୟ ପାର ହୋଇ ଗୋଟାଏ ନଗର ମଧ୍ୟ ଦେଇ ଚାଲିଲା । ନଗରର ସମସ୍ତ ଅଟ୍ଟାଳିକା ସୁବର୍ଣ୍ଣ ନିର୍ମିତ ଆଉ ଏତେ ଉଚ୍ଚ ଯେ, ମୂଳରୁ ଚାହିଁଲେ ଚୂଡ଼ା ଦିଶେ ନାହିଁ । ପ୍ରତି ହର୍ମ୍ୟରୁ ଅତର ସୁବାସ ସହ ଗୀତ ବାଦ୍ୟର ମୋହନ ମୂର୍ଚ୍ଛନା ବାୟୁସ୍ରୋତରେ ଭାସିଆସୁଅଛି । ନଗର ବିଭବ ଦେଖି ପ୍ରତୀତ ହୁଏ–ସେଠାକାର ଅଭିଧାନରେ ଦରିଦ୍ରଶବ୍ଦ ଦୂରେଥାଉ ମଧ୍ୟବିତ୍ତ ଶବ୍ଦ ବି ନାହିଁ । ଯେଉଁ ଘରର ଘରଣୀ ଅଳସେଇ ସେ ଘରର ଅଗଣାରେ କୁଟା ପାଉଁଶ ପ୍ରଭୃତି ଅନାବନା କୁଢ଼ କୁଢ଼ ହୋଇ ରହିଲା ପ୍ରାୟ ସେହି ଅଦ୍ଭୁତ ନଗରର ପ୍ରତିଗୃହ ପ୍ରାଙ୍ଗଣରେ ମଣି, ମୁକ୍ତା, ହୀରା, ନୀଳା ଇତସ୍ତତଃ ବିକ୍ଷିପ୍ତ ରହିଅଛି । ନଗରର ବିଭବ ବର୍ଣ୍ଣନା ଏତିକିରେ ଯଥେଷ୍ଟ । ଆଉ ଅଧିକ ହେଲେ ଅତ୍ୟୁକ୍ତି ବୋଲି ବ୍ୟାକରଣ ଚିତ୍କାର କରିଉଠିବ । ଶ୍ୱେତହସ୍ତୀ ଯାଇ ଗୋଟାଏ ପ୍ରକାଣ୍ଡ ପ୍ରଶସ୍ତ ସୁସଜ୍ଜିତ ଅଟ୍ଟାଳିକାର ସିଂହଦ୍ୱାରରେ ଠିଆହେଲା । ଚୌକାଠ ବନ୍ଧରେ ସ୍ୱର୍ଣ୍ଣାକ୍ଷରରେ ଯକ୍ଷରାଜ କୁବେର ଭବନ ବୋଲି ଲେଖାଥିବାର ଦେଖି ସତ୍ୟଭୂଷଣ ବୁଝିଲା, ତାହା ରାଜାଙ୍କ ନଅର-। ତତ୍‌କ୍ଷଣାତ୍‍ ରାଜା ଆସି ସତ୍ୟଭୂଷଣର ହାତ ଧରି ପାଛୋଟି ଘେନି ଗଲେ । ସତ୍ୟଭୂଷଣ ଯନ୍ତ୍ରଚାଳିତ ପରି ଚାଲିଲା । ଦରବାର ପ୍ରାଙ୍ଗଣରେ ପ୍ରହଞ୍ଚି ଦେଖିଲା, ଅସଂଖ୍ୟ ସଭ୍ୟ ବ୍ୟକ୍ତିରେ ଦରବାର ପୂର୍ଣ୍ଣ । ସମସ୍ତଙ୍କର ମୁଣ୍ଡରେ ରତ୍ନ ମୁକୁଟ, ସମସ୍ତଙ୍କର ରତ୍ନ ପରିଚ୍ଛଦ । ରାଜା ସତ୍ୟଭୂଷଣକୁ ଗୋଟାଏ ମହାର୍ହ ଆସନରେ ବସାଇ ନିଜେ ସିଂହାସନରେ ବସିଲେ । ଅନନ୍ତର ରାଜା କହିଲେ–‘ତୁମ୍ଭେ ଏ ସବୁ ଦେଖି ଆଶ୍ଚର୍ଯ୍ୟ ହେଉଥିବ । ଏ କୁବେର ପୁରୀ, ମୁଁ ଏଥିର ରାଜା–କୁବେର । ଏ ରାଜ୍ୟର ମନ୍ତ୍ରୀ ନିର୍ବାଚନ ସକାଶେ ପାଟହସ୍ତୀ କଳସ ଘେନି ବୁଲୁଥିଲା । ତୁମ୍ଭଙ୍କୁ ଉପଯୁକ୍ତ ମଣି ଅଭିଷେକ କରି ଘେନି ଆସିଅଛି । ଆଜିଠାରୁ ତୁମ୍ଭେ ଏ ରାଜ୍ୟର ମନ୍ତ୍ରୀ ହେଲ ।’’ ସତ୍ୟଭୂଷଣ କହିଲା–‘‘ଏଁ, ଏ କଅଣ ? ମୁଁ ଦେଶସେବା କରିବି ବୋଲି ଧନ ନେବାପାଇଁ ଆସିଛି ।’’ କୁବେର ହସି ହସି କହିଲେ, ‘‘ଯେ କୁବେରର ମନ୍ତ୍ରୀ, ତାହାର ଧନର ଅଭାବ କଅଣ । ଆଉ ଦେଶସେବା ଏଠାରେ କଅଣ କରିବ, ଦେଶର ଉନ୍ନତି ତ ? ସବୁ ଉନ୍ନତି ପେଟ ଲାଗି, ଆମ ଏ ଦେଶରେ ପେଟଚିନ୍ତା ନାହିଁ । ସମସ୍ତେ ସୁନା ଚାଉଳର ଭାତ ଖାଉଁ । ତେବେ ଯଦି ତୁମ୍ଭ ଗାଁରେ ଦେଶସେବା କରିବାକୁ ଇଚ୍ଛାକର, ତେବେ ଏଠାରୁ ପେନ୍‌ସନ ନେଇ ଯିବାବେଳେ ୫୦ ଶଗଡ଼ ଧନ ନେଇଯିବ ।’’ ସତ୍ୟ ଭୂଷଣ ଆଉ ଦ୍ୱରୁକ୍ତି ନ କରି ମନ୍ତ୍ରିତ୍ୱ କରିବାକୁ ଲାଗିଲା । ତାହାଙ୍କର ଖ୍ୟାତି, ସମ୍ମାନ କ୍ରମଶଃ ବଢ଼ିଉଠିଲା । ଏହା ଦେଖି ଅନେକେ ତାକୁ ଜାମାତୃ ପଦରେ ବରଣ କରିବାକୁ ଲାଳାୟିତ ହେଲେ । ଶେଷରେ ସେ ପ୍ରସିଦ୍ଧ ଯକ୍ଷ ଭାଗ୍ୟଧର ଧନପତିଙ୍କ କନ୍ୟା ବିମଳାର ପାଣି ଗ୍ରହଣ କଲା । ଦେଢ଼ଶହ ଜାହାଜ ଧନରତ୍ନ ଯୌତୁକ ପାଇଲା । ଶଶୁର ଘରେ ପରମ ସୁଖରେ ବାସକଲା । ଏହିପରି ଭାବରେ କିଛିକାଳ ଅତିବାହିତ ହେଲା । ଯକ୍ଷ କନ୍ୟା ବିମଳାର ପତିଭକ୍ତିରେ ସତ୍ୟଭୂଷଣ ନିଜକୁ ସୌଭାଗ୍ୟବାନ୍‍ ମଣିଲା । ଉଭୟ ଏକଆତ୍ମା, ଏକପ୍ରାଣ; ଜଣକୁ ଜଣେ ଘଡ଼ିଏ ନ ଦେଖିଲେ ଅନ୍ଧ ହୋଇଯାଆନ୍ତି । ମନ୍ତ୍ରୀ କାର୍ଯ୍ୟରେ ସତ୍ୟଭୂଷଣକୁ ଦାମ୍ପତ୍ୟ ଆମୋଦର ଅବସର ମିଳିଲା ନାହିଁ, ସେ ନିରୂପିତ ସମୟରେ ରାଜ ଦରବାରରେ ଉପସ୍ଥିତ ନ ହୋଇ ବିଳମ୍ବ କରିବାକୁ ଲାଗିଲା । ରାଜାଙ୍କ ପକ୍ଷରୁ ଅନେକ ଥର ସତର୍କ କରାଇ ଦିଆଗଲା; ମାତ୍ର ସେଥିରେ ସେ କର୍ଣ୍ଣଦାନ କଲାନାହିଁ । ଯକ୍ଷରାଜ କୁବେର ରୁଷ୍ଟ ହୋଇ କହିଲେ, ‘‘ତୁମ୍ଭେ ସଦରରେ ଥିଲେ ଏହିପରି କାମ ଢିଲା କରିବ; ସୁତରାଂ ତୁମ୍ଭଙ୍କୁ ରାମଗିରି ପ୍ରେସିଡେନ୍‌ସିର ଗଭର୍ଣ୍ଣର କାର୍ଯ୍ୟକୁ ବଦଳି କରାଗଲା । ସେଠାରେ କୃତିତ୍ୱ ଦେଖାଇଲେ ଛମାସ ପରେ ସୁନିଶ୍ଚ ମନ୍ତ୍ରିତ୍ୱ ପାଇବ ।’’ ଏ ଆଦେଶ ଶୁଣି ସତ୍ୟଭୂଷଣର ମୁଣ୍ଡରେ ଚଡ଼କ ପଡ଼ିଲା, ସେ ରାଜାଙ୍କ ଗୋଡ଼ଧରି ବାହୁନି କାନ୍ଦିଲା, ସକେଇ କାନ୍ଦିଲା, ନାକରେ କାନ୍ଦିଲା; ମାତ୍ର ରାଜରୋଷ ଶାନ୍ତି ହେଲାନାହିଁ । କଅଣ କରିବ, ରାଜ ଆଦେଶ ତ ଲଙ୍ଘନ କରିହେବ ନାହିଁ, କାନ୍ଦି କୁନ୍ଥାଇ ରାମଗିରି ଗଲା । ସେଠାରେ ବିରହର ଅଗ୍ନିକୁଣ୍ଡରେ ପଡ଼ି କାଳିଦାସ ପାଲଟି ଯାଇ ଦ୍ୱିତୀୟ ମେଘଦୂତ କାବ୍ୟ ଆରମ୍ଭ କରିବସିଲା । କଷ୍ଟେ ମଷ୍ଟେ ଛମାସ ଅତୀତ ହେଲା । ହଂସଦୂତ, ଭ୍ରମରଦୂତ, ପବନଦୂତ ପ୍ରଭୃତି ଆହୁରି ଅନେକ ଦୂତ ରଚନା କଲା । ରାଜରୋଷ ଶାନ୍ତି ଭଜିଲା । ଯଥା ସମୟରେ ଶୁଶୁରାଳୟରେ ଉପସ୍ଥିତ ହୋଇ ଶ୍ୱଶୂର କନ୍ୟାକୁ ସମ୍ଭାଷଣ କରିବା ସମୟରେ । ନିଦ ଭାଙ୍ଗିଗଲା ।’’

 

ତିନିଦିନ ପରେ ସତ୍ୟଭୂଷଣର ନିଦ୍ରା ଭଙ୍ଗ ହେଲା । ସେ ଆଖି ମେଲି ଦେଖିଲା, ଘର ଲୋକାରଣ୍ୟ । ଔଷଧ ଶିଶି ଧାଡ଼ି ଧାଡ଼ି ହୋଇ ଥୁଆ ହୋଇଅଛି । ତାହାର ପିତା, ତାରନାଥ, ରଙ୍ଗାଧର ଚିକିତ୍ସାରେ ଲାଗିଅଛନ୍ତି । କିଏ ବିଞ୍ଚୁଛି–କିଏ ମୁହଁରେ ପାଣିଛିଟା ଦେଉଛି । ବୃନ୍ଦାବତୀ ବାୟାଣୀ ପରି ହୋଇ କାନ୍ଦି କାନ୍ଦି କହୁଛନ୍ତି–‘‘ମୋର ଦୁଧର ଛୁଆ, କିଛି ଜାଣେ ନାହିଁ, ତାକୁ କେଉଁ ସତ୍ୟାନାଶୀ କଅଣ କଲା ଲୋ ମା, ମୁଁ କଅଣ କରିବି ଲୋ ବାପ, ହେ ଜଗନ୍ନାଥ, ମୋ ଛୁଆକୁ ଭଲ କରିଦିଅ । ମୁଁ ତମ ନୀଳଚକ୍ରରେ ଷାଠିଏ ହାତ ବାନା ବାନ୍ଧିବି ।’’ ସତ୍ୟଭୂଷଣ ଉଠି ବସିଲା । ସମସ୍ତଙ୍କ ମୁଖ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା । ଲୋକସମାଗମ କ୍ରମେ ବଢ଼ିବାକୁ ଲାଗିଲା । ଏତେ ଲୋକଦେଖି ରୋଗୀ ଛାନିଆ ହୋଇଯାଇ ପୁନଶ୍ଚ ମୂର୍ଚ୍ଛିତ ହୋଇପାରେ ଭାବି ତାରାନାଥ ସେଠାରୁ ସମସ୍ତଙ୍କୁ ଅନ୍ତର କରିଦେଲା । ଜମିଦାର ସହଧର୍ମିଣୀଙ୍କୁ ଘେନି ନଅର ଭିତରକୁ ଗଲେ । କେବଳ ତାରାନାଥ ଏବଂ ରଙ୍ଗାଧର ସତ୍ୟଭୂଷଣ ପାଖରେ ରହିଲେ । କିଛିକ୍ଷଣ ପରେ ସତ୍ୟଭୂଷଣ ଦୂର୍ବଳ ସ୍ୱରରେ ପଚାରିଲା, ‘‘ତାରା, ଘଟଣା କଅଣ ?’’ ତାରାନାଥ କହିଲା, ‘‘ଘଟଣା ତୋର କୀର୍ତ୍ତି-। ତୁ ଆଜିକି ତିନିଦିନ ହେଲା ଅଚେତନ ଥିଲୁ । ମୁହଁରୁ ଲାଳ ଗଡ଼ି ବିଛଣା ତିନ୍ତି ଯାଇଥିଲା । ତୋର ବାପ ମା କାନ୍ଦକଟା କଲେ । ମୁଁ ରଙ୍ଗୁ ଦୁହେଁ ଆସି କିଛି ସ୍ଥିର କରିପାରିଲୁ ନାହିଁ । ଶେଷରେ ବଇଦାକୁ ଧମକ ଚମକ କରିବାରୁ ସେ କହିଲା, ‘ସର୍ବଜ୍ଞ ବାବୁଙ୍କୁ କଅଣ ଖାଇବାକୁ ଦେଇଥିଲା ।’ ତୋ ବିଛଣାରୁ ବି ଗୋଟାଏ ମୋଦକ ମିଳିଲା । ରାସାୟନିକ ପରୀକ୍ଷାରେ ଦେଖାଗଲା, ସେଥିରେ ଧୁତୁରା ଅଛି, ଗଞ୍ଜେଇ ପଡ଼ିଅଛି, ଆଉ ଗୋଟାଏ ଉଗ୍ର ମାଦକ ପଦାର୍ଥ ଅଛି, ସେଟା ଖୁବ୍ ସ୍ୱପ୍ନକାରକ । ପ୍ରତିଷେଧ ଚିକିତ୍ସା କରି ବହୁ କଷ୍ଟରେ ଆଜି ତୋର ମୂର୍ଚ୍ଛା ଭାଙ୍ଗିଲୁ । ତୁ ଜଣେ ଡାକ୍ତର ହୋଇ ଏ ବିଷଗୁଡ଼ାକ କାହିଁକି ଖାଇଲୁ ? ଆଉ ସେ ସର୍ବଜ୍ଞ ଲୋକଟା ବା କିଏ ? ଘଟଣା କଅଣ କହିଲୁ ।’’ ସତ୍ୟଭୂଷଣ ସବୁ କଥା ଅକପଟରେ ବନ୍ଧୁ ଆଗରେ କହିଗଲା । ତାହା ଶୁଣି ତାରାନାଥର ଚକ୍ଷୁ କ୍ରୋଧରେ ଲାଲ ହୋଇଆସିଲା । ରଙ୍ଗାଧର କହିଲା–‘‘ଏହିକ୍ଷଣି ଚାଲ, ସେ ସର୍ବଜ୍ଞକୁ ଉପଯୁକ୍ତ ଶିକ୍ଷା ଦେଇଆସିବା ।’’ ଅନନ୍ତର ତିନିବନ୍ଧୁ ଯାଇ ଖମାର ଘରେ ପହଞ୍ଚି ଦେଖିଲେ, ସର୍ବଜ୍ଞ ତହିଁ ପୂର୍ବଦିନରୁ ପଳାଇ ଯାଇଅଛି । ସେ ଯେଉଁ ଘରେ ଥିଲା, ସେ ଘରେ ଗୋଟାଏ ଖୁଦ ଗୁଣ୍ଡି ସୁଦ୍ଧା ନାହିଁ । ଧୂର୍ତ୍ତ ରୌପ୍ୟ ପାତ୍ର, ସ୍ୱର୍ଣ୍ଣଦୀପ ପ୍ରଭୃତି ସବୁ ନେଇ ଯାଇଅଛି । ଚାରିଆଡ଼କୁ ଲୋକ ପଠାଇ ଅନୁସନ୍ଧାନ କରାଗଲା; ମାତ୍ର ସର୍ବଜ୍ଞାର ଗନ୍ଧବାସ ସୁଦ୍ଧା ମିଳିଲା ନାହିଁ । ଜମିଦାର ଦାନ୍ତ କଡ଼୍‌ମଡ଼ କରି କହିଲେ-‘‘ବଦଜାତ୍‍ଟା ମିଳିଥିଲେ ତାକୁ ବିଶାବଳୀ ଦେଇଥାନ୍ତି ।’’ ବୃନ୍ଦାବତୀ କହିଲେ-‘‘ମୁଣ୍ଡି ଛାଞ୍ଚୁଣୀରେ ପିଟି ଡାକୁଣୀ ଖିଆର ତାଳୁ କଣା କରିଦେଇଥାନ୍ତି ।’’ ଜମିଦାରଙ୍କ କର୍ମଚାରୀ ପାଖରୁ ଚାକର ବାକର ପର୍ଯ୍ୟନ୍ତ ସମସ୍ତେ ଏହିପରି ଅନେକ ବିଫଳ ଆସ୍ଫାଳନ କଲେ । ଜମିଦାରଙ୍କ ଉଆସରେ ସପ୍ତ ଦିବାନିଶ ଏହି ଚର୍ଚ୍ଚା ଲାଗିଲା ।

•••

 

ନବମ ପରିଚ୍ଛେଦ

 

ଜମିଦାର ଅନ୍ତର୍ଯ୍ୟାମୀ ରାୟ ପୁଅର ଆଡ଼ବାୟା ରୀତି ଦେଖି ମନେ ମନେ ଭାରି ବିରକ୍ତ; ମାତ୍ର ତାକୁ ମୁହଁରେ କିଛି କହନ୍ତି ନାହିଁ । ନ କହିବାର କାରଣ ସ୍ନେହାଧିକ୍ୟ । ପିତୃହୃଦୟରେ ବିରକ୍ତ ଯେତେ ବଢ଼ୁ ପଛକେ, ଅପତ୍ୟସ୍ନେହକୁ ସେ ସମ୍ପୂର୍ଣ୍ଣ ଢାଙ୍କିପାରେ ନାହିଁ । ଅନ୍ୟ କାରଣ, ଚାଣକ୍ୟ ପଣ୍ଡିତଙ୍କ ଉପଦେଶ । ସେ କହିଅଛନ୍ତି -‘ପୁଅକୁ ଷୋଳବର୍ଷ ହେଲେ ତାହା ସହିତ ମିତ୍ର ବ୍ୟବହାର କରିବ ।’ ଏ ତ ଗଲା ଦୁଇଟି ଗୌଣ କାରଣ, ତହିଁ ଉପରେ ଗୃହିଣୀଙ୍କ କୋପକୁ ମୁଖ୍ୟ କାରଣ ବୋଲି ନିର୍ଦ୍ଦେଶ କରାଯାଇପାରେ । ସେ ଯାହାହେଉ ପୁତ୍ରକୁ ସର୍ବଜ୍ଞ ଶିକ୍ଷାରେ ମାତି ଅବ୍ୟାପାରରେ ବ୍ୟାପାର କରିବାର ଦେଖି ସେ ଆଉ ସହିପାରିଲେ ନାହିଁ । ତାକୁ ପାଖକୁ ଡାକି କଟୁତିକ୍ତ ମିଶାଇ ଖୁବ୍‍ ପଦକାତେ ଶୋଧିଦେଲେ । କହିଲେ, ‘ତୁ କୁଳାଙ୍ଗର ବାର ଜୁଆଳିଆଙ୍କ ସଙ୍ଗରେ ପଡ଼ି ଇତର ହୋଇଗଲୁ । ତୁ କେଉଁ ମହତ୍‍ବଂଶରେ ଜାତ, କାହାର ପୁଅ, କାହାର ନାତି, କିଛି ଭାବିଲୁ ନାହିଁ । ବଢ଼ିଲୁ, ବୁଦ୍ଧି ସୁଦ୍ଧି ହେଲା, ଏଣିକି ଭଲଭାଜନ ହୁଅନ୍ତୁ କଅଣ ନା ସେହି ପିଲାଖେଳ ତୋର ଗଲାନାହିଁ । ଯେଉଁ କାର୍ଯ୍ୟରେ ପ୍ରାଣହାନି ଘଟିପାରେ, ସେ କାର୍ଯ୍ୟ ପଶୁ ବି କରିବ ନାହିଁ । ତୁ ପଶୁଠାରୁ ଅଧମ ହେଲୁ । ଗୋଟିଏ ଭଣ୍ଡ, ମୁର୍ଖ ତୋତେ ଠକାଇ ଦେଲା ପୁଣି ତୁ ପରା ଜଣେ ଡାକ୍ତର ? ମନୁଷ୍ୟର ସାହସ ଆବଶ୍ୟକ, ସାହସ ହିଁ ତାହାର ପୌରୁଷ । ମନର ବଳ ନ ଥିଲେ, ଶରୀରର ବଳ କ୍ଲୀବତ୍ୱ ପ୍ରାପ୍ତ ହୁଏ । ଭୀମ ପରି ବଳଶାଳୀ ହେଲେ ମଧ୍ୟ ସାହସ ଅଭାବରେ କେହି ବିରାଡ଼ିର ପାଖ ପଶିପାରିବ ନାହିଁ । ସାହସ ଅଭାବରେ ବୀର ସୁଦ୍ଧା କାପୁରୁଷ । ଇଚ୍ଛାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସାହସ ଆବଶ୍ୟକ । ସାହସ କାର୍ଯ୍ୟକୁ ପ୍ରାଣଦାନ କରେ, ଆଉ ଯତ୍ନ କାର୍ଯ୍ୟର ଶରୀର ଗଠନ କରେ । ସାହସ ମନୁଷ୍ୟର ସବୁବେଳେ ସବୁ କାର୍ଯ୍ୟରେ ଦରକାର; ମାତ୍ର ଅତିସାହସ ଭଲ ନୁହେଁ । ଦୁଃସାହସ ବିପଦର ସହୋଦର ଭ୍ରାତା । ଆଉ ତୁ ତାହାର ପଦଲେହନକାରୀ କିଣାକିଙ୍କର । ଉଚ୍ଚଃଶ୍ରବା ବଂଶରେ ତୁ ଘୋଡ଼ାମୁହାଁ ଗଧ ଆସି କାହୁଁ ଜନ୍ମହେଲୁ-? ଯା ଫେର ସେପରି କୁବୁଦ୍ଧି କେବେ କରିବୁ ନାହିଁ । ଆଉ କି ଯୁବକ ସମିତି କରିଛୁ, ତାକୁ ଭାଙ୍ଗି ଦେ; ନ ହେଲେ ଭଲଗତି ହେବନାହିଁ, ଜାଣିଥା । ସତ୍ୟଭୂଷଣ ତଳକୁ ମୁହିଁ ପୋତି ଠିଆହୋଇଥିଲା-। ନୀରବରେ ସେଠାରୁ ବାହାରି ଗଲା । ପିତାଙ୍କ ତିରସ୍କାରକୁ ସେ ଦେହକୁ ନେଲା ନାହିଁ । ପିତା ଯେପରି ଅନ୍ୟ କାହାକୁ ତିରସ୍କାର କରିଅଛନ୍ତି, ସେହିପରି ମଣିଲା ।‘‘ତୁ ଯେତେ ବୋଲିବୁ ବୋଲ ମୋ ଦେହ ଯାକ ଭମା ପୋଲ’’ ଏହି ଢଗଟିକୁ ସାର୍ଥକ କରି ସେ ନିର୍ବିକାର ମନରେ ବୈଠକଖାନାକୁ ଚାଲିଗଲା । ତିରସ୍କାରଗୁଡ଼ାକ ଗିଳିଦେଇ ସହଜରେ ଜୀର୍ଣ୍ଣ କରିଦେଲା ।

 

ଅନନ୍ତର ଜମିଦାର କ୍ରୋଧରେ କମ୍ପି କମ୍ପି ଅନ୍ତଃପୁରକୁ ବିଜେକଲେ । ବୃନ୍ଦାବତୀ ଗୋଡ଼ ଲମ୍ବାଇ ବସି ଗୋଟାଏ କାମ କରୁଥିଲେ । ସ୍ୱାମୀଙ୍କୁ ଦେଖି ତର ତର ହୋଇ ଉଠିପଡ଼ି ଓଢ଼ଣାଟା ଟିକିଏ ତଳକୁ ଟାଣିଆଣିଲେ । ସ୍ୱାମୀଙ୍କୁ ସେ ଅଭ୍ୟର୍ଥନା କରିବା ପୂର୍ବରୁ, ସ୍ୱାମୀ ଉଚ୍ଚ କର୍କଶ ସ୍ୱରରେ କହିଲେ, ‘ତୁମେ ଏକା ମୁହଁଦେଇ ଟୋକାଟାକୁ ମାଟି କଲ । ଟଙ୍କା ନ ଦେଲେ ସେ ଏତେ ପର୍ବ ଲଗାନ୍ତା କୁଆଡ଼ୁ ? ଛି ଛି ଦିନକୁ ଦିନ ସେ କଅଣ ହୋଇଉଠୁଛି ।’ ବୃନ୍ଦାବତୀ କିଛିକ୍ଷଣ ଯାଏଁ ସ୍ୱାମୀଙ୍କ ମୁଁହକୁ ଚାହିଁ ରହି କହିଲେ, ‘ମୁଁ ଟଙ୍କା ଦେଲି ? କାହାକୁ, ସତ୍ୟକୁ ନା ? କେତେ ଟଙ୍କା ଦେଲି ? ସେ ଦିନ ତ ସର୍ବଜାଣ କି ପୂଜା କରିବ ବୋଲି ତିନି କୋଡ଼ି ଦଶରୁ ଦି ଟଙ୍କା ଊଣା ନେଇଥିଲା । ଆଉ ତା ଆଗରୁ ଥରେ କୋଡ଼ିଏ ପାଞ୍ଚ ଆଉ ଅଢ଼େଇ ଟଙ୍କା ନେଇଥିଲା । ଦେଇ ଦେଇ ତ ଏତେ, ଆଉ କଅଣ ବୋଝେ ନା ଭାରେ ? ଏହାଛଡ଼ା ହାତ ଖର୍ଚ୍ଚକୁ କେତେବେଳେ ଦଶଟଙ୍କା, କେଉଁ ଦିନ ପାଞ୍ଚ ଟଙ୍କା ନିଏ; ତାହା ସବୁ ଧରି ବସିଲେ କଅଣ ହେବ ?’ ଜମିଦାର ଏତେ କ୍ରୋଧରେ ମଧ୍ୟ ହସିଉଠି କହିଲେ, ‘‘ନା ଦଶଟଙ୍କା ପାଞ୍ଚଟଙ୍କା କିଛି ନୁହେଁ । ସେଗୁଡ଼ାକ ମାଟି ଗୋଡ଼ି ।’’ ବୃନ୍ଦାବତୀ କହିଲେ, ‘‘ହଁ ଗୋ ହଁ, ସେ ଗୁଡ଼ାକ ଜୀବନ ପୁଟୁଳୀ ।’’ ଏହା ଉପରେ ଆଉ କିଛି କଥା ଖୋଜି ନ ପାଇ ଜମିଦାର ପରାସ୍ତ ହେଲେ । ଏଥି ଉତ୍ତାରୁ ପୁତ୍ରର ଭବିଷ୍ୟତ ସମ୍ବନ୍ଧରେ ଏବଂ ଅନ୍ୟାନ୍ୟ ବିଷୟରେ ଅନେକ କଥା ହେଲାପରେ କି ଗୋଟାଏ ଜରୁରି କାର୍ଯ୍ୟ ମନରେ ପଡ଼ିଯିବାରୁ ଜମିଦାର ପୁଣି କଚେରୀ ପରସ୍ତକୁ ଫେରିଗଲେ ।

 

ସ୍ୱାମୀ ଟିକିଏ ମିଠାକଡ଼ା ଭର୍ତ୍ସନା କରି ଚାଲିଗଲେ । ବୃନ୍ଦାବତୀ ସେହି କଥା ମନେ ମନେ ହେଜି ଦୁଃଖକରି ବସିଛନ୍ତି ଏବଂ ଥରେ ଥରେ ପୁତ୍ର ପ୍ରତି କ୍ରୁଦ୍ଧ ହୋଇଉଠୁ ଅଛନ୍ତି, ଏହି ସମୟରେ ସତ୍ୟଭୂଷଣ ଆସି ଉପସ୍ଥିତ ହେଲା । ବୃନ୍ଦାବତୀ ତାକୁ କିଛି କହିଲେ ନାହିଁ । ସତ୍ୟଭୂଷଣ ମାତାଙ୍କୁ ନୀରବ ଦେଖି ଟିକିଏ ଶଙ୍କିତ ହୋଇ କହିଲା, ‘‘କି ମା, କଥା କହୁନାହୁଁ, ରାଗିଛୁ କି ? କାହା ଉପରେ ରାଗୁଛ, ମୋ ଉପରେ ନା ? ଓଃ, ତୋ, ବାପର ବୁଜୁଳା ମୁଁ ଖାଇଯାଇଛି । ନା ନା ଭୁଲିଗଲି, ତୋ ବାପ ଆଉ କିଏ, ମୁଁ ପରା ତୋ ବାପ ?’’ ଏ କଥା ପଦକରେ କି ଅମୃତ ଥିଲା କେଜାଣି, ମାତୃହୃଦୟ ସେଥିରେ ମଧୁମୟ ହୋଇଉଠିଲା । କ୍ରୋଧ, ଦୁଃଖ କେଉଁଆଡ଼େ ଉଭେଇଗଲା । ଜନନୀ ହୃଦୟରେ ଆନନ୍ଦ ସିନ୍ଧୁ ଉଛୁଳି ଉଠିଲା । ବୃନ୍ଦାବତୀ ହସିଉଠି ପୁଅକୁ କହିଲେ, ‘‘ତୁ ବାୟାଟାର ବାୟା ବୁଦ୍ଧି ଆଉ କେବେ ଛାଡ଼ିବୁରେ ? ତୁ ଏସବୁ କଅଣ କରୁଛୁ ? କିଏ କହୁଛି ତୁ କାଳୀ ସାଧନା କରୁଛୁ, କିଏ କହୁଛି ବାଣ ଶିଙ୍ଗାର ଶିଖୁଛୁ, କିଏ କହୁଛି ହନୁମାନ ସାଧନା କରୁଛୁ । ଏହିପରି ନାନା ଲୋକେ ନାନା କଥା କହି ବୁଲୁଛନ୍ତି । ତାରା, ରଙ୍ଗୁ ନ ଥିଲେ କି ମୁଁ ତୋତେ ଆଉ ପାଇଥାନ୍ତିରେ ।’’ ସତ୍ୟଭୂଷଣ କହିଲା, ‘ନା ଲୋ ମୁଁ ସେଗୁଡ଼ାକ କାହିଁକି ଶିଖିବାକୁ ଯିବି । ତୁ ଜାଣୁନାହିଁ, ମୁଁ ଯୋଗବିଦ୍ୟା ଶିଖୁଥିଲି । ତୁଛାଟାରେ କିଏ କଅଣ କହୁଛି, ତୁ ତାହା ଶୁଣୁଛୁ କାହିଁକି ?’’ ବୃନ୍ଦାବତୀ ପଚାରିଲେ–‘କଅଣ ଶିଖୁଛୁ, ଯୋଗବିଦ୍ୟା ? ସେ କଅଣରେ ?’

 

ସତ୍ୟ–ସେ ଖୁବ୍‌ଭଲ ବିଦ୍ୟା, ସେସବୁ ଧର୍ମର କଥା, ତୁ କଅଣ ବୁଝିବୁ ? ମୁନି-ଋଷି, ଯୋଗୀ, ସନ୍ନ୍ୟାସୀମାନେ ଯେଉଁ ତପ-ଜପ, ଧ୍ୟାନ-ଧାରଣା କରନ୍ତି, ସେଇଆ-ଏବେ ବୁଝିଲୁ ?

 

ବୃନ୍ଦା–ତପଜପ କରିବୁ ? କିରେ, ତୁ ବୁଢ଼ା ହେଲୁଣି କି ? ମା ଲୋ, କାଲିକାର ଅଣ୍ଡାଖଣ୍ଡ, ଗାଲ ଚିପିଦେଲେ ଦୁଧ ବାହାରିବ କହୁଛି ତପଜପ କରିବ । ନା ନା ବାପ, ତାହା ସବୁ ଛାଡ଼ିବୁ ତ ଛାଡ଼, ନ ହେଲେ ତୋହରି ଆଗରେ ମୁଣ୍ଡ ଫଟାଇ ଦେଇ ମରିଯିବି ।

 

ସତ୍ୟ–ତୁ ଏତେ ଛାନିଆ କାହିଁକି ହେଉଛୁ ?

 

ବୃନ୍ଦା–ନା, ମୁଁ ତୋର କିଛି କଥା ଶୁଣିବି ନାହିଁ । ତୁ ଛାଡ଼ିବୁ କି ନାହିଁ ଆଗେ କହ । ମୁଁ ମରିଗଲେ ପଛେ ତୁ ଯାହାଇଚ୍ଛା ତାହା କରିବୁ, ଉଛୁଣିକା ମୁଁ ତୋତେ କିଛି କରାଇ ଦେବିନାହିଁ । କଅଣ ଚୁଲିପାଉଁଶ କରୁଛ ତାହା ସବୁ ଛାଡ଼, ନ ହେଲେ ମାତୃହତ୍ୟା ଦୋଷ ନେବୁ । କହ ଛାଡ଼ିବୁ ନାହିଁ?

 

ସତ୍ୟ–ହଁ ଛାଡ଼ିବି, ତୁ ଆଉ ବ୍ୟସ୍ତ ହୋ ନା ।

ବୃନ୍ଦା–ମୋ ଦେହ ଛୁଇ ନିୟମ କର ।

 

ସତ୍ୟଭୂଷଣ ମାତୃପଦ ଛୁଇଁ ନିୟମ କଲା । ବୃନ୍ଦାବତୀ ପୁଅମୁଣ୍ଡରେ ହାତ ଦେଇ ଆଶୀର୍ବାଦ କଲେ । ତାଙ୍କର ନେତ୍ରଦ୍ୱୟ ଆନନ୍ଦାଶ୍ରୁରେ ଆର୍ଦ୍ର ହୋଇଆସିଲା ଏବଂ ତାଙ୍କ ଅଜ୍ଞାତରେ ଦୁଇଟୋପା ଅଶ୍ରୁ ସତ୍ୟଭୂଷଣର ମସ୍ତକରେ ଝରିପଡ଼ିଲା । ସତ୍ୟଭୂଷଣ, ତୁ ଭାଗ୍ୟବାନ୍‌, ଆଜି ଯେଉଁ ମହାତୀର୍ଥବାରିରେ ତୁ ଅଭିଷିକ୍ତ ହେଲୁ, ସେ ପବିତ୍ରବାରି ସ୍ୱର୍ଗରେ ଦୁର୍ଲ୍ଲଭ । ତାହା ଅଶ୍ରୁ ନୁହେଁ-ଆଶୀର୍ବାଦ । ତୁ ସତ୍ୟ ରକ୍ଷାକରି ସେ ପୁଣ୍ୟାଶ୍ରୁର ଗୌରବ ରକ୍ଷାକର । ତୋର ପୁତ୍ରନାମ ସାର୍ଥକ ହେଉ ।

 

ଅନନ୍ତର ସ୍ନେହମୟୀ ଜନନୀ ନାନାବିଧ ସୁଖାଦ୍ୟ ଥାଳୀରେ ସଜାଇ ପୁତ୍ରକୁ ଆଣି ଦେଲେ । ସତ୍ୟଭୂଷଣ ତାହା ଆକଣ୍ଠ ଭୋଜନ କରି ପରମ ପରିତୋଷ ଲାଭକଲା । ମାତୃହସ୍ତ ସ୍ପର୍ଶରେ ନଗଣ୍ୟ ଶାଗଟିକକୁ ସୁଦ୍ଧା ଅମୃତ ହୁଏ, ତାହା ଯଦି ପୁଣି ମାତୃସ୍ନେହ ରୂପ ମହାମୃତମଖା ହୁଏ, ତେବେ ତାହାର ତୁଳନା କଅଣ ଅଛି ? ଭୋଜନାନ୍ତେ ସତ୍ୟଭୂଷଣ ବୈଠକଖାନାରେ ଆସି ବସିଲା । ସେତେବେଳେ ସେଠାରେ ଆଉ କେହି ଥିଲେ ନାହିଁ । ସତ୍ୟଭୂଷଣ ନିର୍ଜନରେ ବସି ନାନା କଥା ଭାବିବାକୁ ଲାଗିଲା । ନିର୍ଜନତା ଚିନ୍ତାପ୍ରସ୍ରବଣର ମୁହଁ ମୁକୁଳା କରିଦିଏ । ସତ୍ୟଭୂଷଣ ନିଜ ଜୀବନର ପଛକୁ ଅନାଇଁ ସ୍ୱୀୟ କର୍ମପଞ୍ଜିକା ଦେଖିଲା । ସେଥିରେ କର୍ମର ସୀମାନାହିଁ; ମାତ୍ର ଗୋଟିକର ସୁଦ୍ଧା ଅସ୍ତିତ୍ୱ ନାହିଁ । ସେ ହତାଶପୂର୍ଣ୍ଣ ଦୀର୍ଘନିଃଶ୍ୱାସ ଛାଡ଼ି ଭାବିଲା ବାସ୍ତବରେ ମୁଁ ବଡ଼ ଭ୍ରାନ୍ତ ! ଅର୍ଥ ଏବଂ ସହକାରିତା ଅଭାବରେ ଏଡ଼େ ବଡ଼ କାର୍ଯ୍ୟସବୁ ହୋଇପାରେ ନାହିଁ, ଏହା ନ ବୁଝି ମୁଁ ଏକାକୀ ଅଞ୍ଜଳିଦ୍ୱାରା ସମୁଦ୍ର ବୋହିବାକୁ ଦୁଃସାହସ ବାନ୍ଧିଥିଲି । ଯେଉଁଠାରେ ଅର୍ଥ ସାହାଯ୍ୟ ତ ଦୂରର କଥା, ପଦେ କଥା ବି ସାହାଯ୍ୟ ମିଳେନାହିଁ, ମୋ ପରି ବାତୁଳ ଭିନ୍ନ କିଏ ସେଠାରେ କର୍ମର ଆଶ କରିବ ? ଯାହାହେଉ ଏବେ ମୋର ଯଥେଷ୍ଟ ନୁହେଁ, ଅତିରିକ୍ତ ଶିକ୍ଷା ହୋଇଅଛି । ଏଣିକି ସେ ମହୋତ ଆଶାରୁ ନିବୃତ୍ତ ହେବା ଉଚିତ । ଆଜିଠାରୁ ମୁଁ ସବୁ ଛାଡ଼ିଦେବି; ମାତ୍ର ଗୋଟିଏ କଥା ଛାଡ଼ିପାରିବି ନାହିଁ । ଯୁବକ ସମିତି ଭାଙ୍ଗି ଦେବାପାଇଁ ବାବା କହିଛନ୍ତି, ସେହିଟି ଏକା କରିପାରିବି ନାହିଁ । ବଡ଼ ଲୋକମାନେ ପୁଳାଏ ପୁଳାଏ ଦେଇ ଜୋଇଁ କିଣିବେ, ସୁନାରୂପା ଓଜନରେ ପୁଅ ବିକିବେ ଆଉ ଗରିବଗୁଡ଼ାଙ୍କର ପୁଅଝିଅ ବୁଢ଼ାବୁଢ଼ୀ ହୋଇ ଅଭିଆଡ଼ା ମରିବେ, ସେ ଖଞ୍ଜ ଆଉ ପଟିବ ନାହିଁ । ଏ ପୁନେଇରେ ସେ ପିଠା ନାହିଁ । ସମିତି ମୁଁ ଭାଙ୍ଗି ପାରିବି ନାହିଁ । ଏଣିକି ଯେ ମୋତେ ସମିତି ଭାଙ୍ଗିବାକୁ କହିବ, ମୁଁ ତାକୁ ଏତିକି କହିବି ଯେ, ତୁମେ ଆଗେ ବରପଣ ଉଠାଅ, ତେବେ ଆମେ ସମିତି ଭାଙ୍ଗିବୁ । ଥାଉ ସେ କଥା, ଯେତେବେଳେ କଥା ପଡ଼ିବ ସେତେବେଳେ କହିବି ଆଗରୁ ସେ ବିଚାର କାହିଁକି ? ସର୍ବଜ୍ଞ ଭଣ୍ଡଟାର କଥା ମୋ ମନରୁ ଭୁଲି ଯାଉନାହିଁ । ସେଟା ପକ୍‌କା ଠକ, ପୁରା ଯୁଆଚୋର, ଭାରି ବଦ୍‌ମାସ । ଆଛା, ସେଟା ଯେବେ ଗଣ୍ଡମୁର୍ଖ, ତେବେ ଏଡ଼େ ଉଚ୍ଚ ଉଚ୍ଚ କଥା କହେ କିପରି ? ବୋଧହୁଏ ସେଗୁଡ଼ାକ ତାହାର ବନ୍ଧାଗତ । ଏହିପରି କେତେକଥା ନ ଶିଖିଲେ ସେ ଲୋକ ଭୁଲାଇବ କିପରି ? ଓଃ, ମନୁଷ୍ୟ ଚିହ୍ନିବା ବଡ଼ କଠିନ । ଯାହା କହନ୍ତି, ‘‘ମଣିଷ ଦିଗୋଡ଼ିଆକୁ ବିଶ୍ୱାସ ନାହିଁ’’ ତାହା ସତ, ଖୁବ୍‌ ସତ, ଖାଣ୍ଟି ସତ । ଶାସ୍ତ୍ରରେ କହିଛି, ଅଜ୍ଞାତକୁଳଶୀଳକୁ ବିଶ୍ୱାସ କରିବ ନାହିଁ ।’’ ମୁଁ ସେହି ଶାସ୍ତ୍ରବାକ୍ୟ ଲଙ୍ଘନ କରି ସେଥିର ଫଳ ହାତେ ହାତେ ପାଇଲି । ମୁଁ ନ ବୁଝି ନ ଭାବି ତାକୁ ବିଶ୍ୱାସ କଲି, ଏହା ମୋର ଭୁଲ କି ଗ୍ରହଦୋଷ, କିଏ କହିପାରିବ ? ବିଶ୍ୱାସ ବଡ଼ ପବିତ୍ର ପଦାର୍ଥ, ଅପାତ୍ରରେ ତାହାର ସ୍ଥାନ ନାହିଁ, ଏ କଥା ମୁଁ ବୁଝି ନ ଥିଲି । କୁବେରକୁ ପୂଜା କରି ଅର୍ଥ ସଂଗ୍ରହ କରିବାର ଶକ୍ତି ଯାହାର ଅଛି, ତାହାର ଅବସ୍ଥା ଏଡ଼େ ହୀନ କାହିଁକି ହେବ କିମ୍ବା ସେ ପେଟ ଲାଗି ଅଇଁଠାଚଟା କୁକୁର ପରି ବାରଦ୍ୱାରରେ ବୁଲିବ କାହିଁକି, ଏହି ସହଜ କଥାଟା ମୋ ଦୁର୍ବଳ ମସ୍ତିଷ୍କରେ ପଶିଲା ନାହିଁ । କୁବେର ସାଧନାରେ ଅର୍ଥ ମିଳୁଥିଲେ, ତାହା ଯେଡ଼େ କଠୋର ହେଉ ପଛେ ଲୋକେ ଅବଶ୍ୟ କରୁଥାନ୍ତେ । ସମସ୍ତେ ନ ହେଲେ ଅନେକେ କରୁଥାଆନ୍ତେ, ତେବେ ସେ ଦେବତାଙ୍କଠାରୁ ଅଧିକ ପୂଜା ପାଉଥାଆନ୍ତା ଏବଂ ତାହାର ସିଂହାସନ ସମ୍ରାଟ୍‌ ସାହାଜାହାନଙ୍କ ମୟୂର ସିଂହାସନଠାରୁ ବଳିଥାଆନ୍ତା ଅଧିକନ୍ତୁ କେତେ ରାଜା ମହାରାଜାଙ୍କର ମହାର୍ହ ମଣିରତ୍ନଖଚିତ ମୁକୁଟ ତାହା ଚରଣତଳେ ଅବଲୁଣ୍ଠିତ ହେଉଥାଆନ୍ତା । ପାଷଣ୍ଡ ନିଜକୁ ଯୋଗସିଦ୍ଧ ବୋଲି କହେ । ଯୋଗବିଦ୍ୟା କି ଏଡ଼େ ସହଜ ଯେ, ଏହିପରି ଲୋକ ମଧ୍ୟ ଆୟତ୍ତ କରିପାରିବେ । ଯୋଗୀ ଋଷୀମାନେ ସୁକଠୋର ନିୟମ ପାଳନ କରି ସହସ୍ର ସହସ୍ର ବର୍ଷର ସାଧନାରେ ଯେଉଁ ମହାବିଦ୍ୟା ଅର୍ଜନ କରୁଥିଲେ, ସେ ବିଦ୍ୟା କି ସାମାନ୍ୟ କେତେଟା ବର୍ଷରେ ସାଧାରଣ ଲୋକ ଆୟତ୍ତ କରିପାରେ ? ଏସବୁ କଥା ମୁଁ ଏବେ ବୁଝୁଛି, ସେତେବେଳେ କଅଣ ମୋର ଏ ଜ୍ଞାନ ନ ଥିଲା ? ଅବଶ୍ୟ ଥିଲା; ମାତ୍ର ଗୋଟାଏ ମାନସିକ ଉନ୍ମାଦନା ମୋତେ ଆଚ୍ଛନ୍ନ କରିଥିଲା । ସେ ମୋ ଆଗରେ ମାୟାପୁରୀର କୁହୁକଜାଲ ବିସ୍ତାର କରିଥିଲା । ଏହିପରି ଉନ୍ମାଦନା ସମସ୍ତଙ୍କ ଜୀବନରେ ଆସେ, ସେତେବେଳେ ମିଥ୍ୟା ସତ୍ୟ ପରି ବୋଧହୁଏ । ତେବେ ପ୍ରଭେଦ ଏତିକି ଯେ, ସମସ୍ତଙ୍କୁ ଏ ଉନ୍ମାଦନା ଯେଉଁ ପରିମାଣରେ ଆକ୍ରମଣ କରେ, ମୋ ପରି ଅର୍ଦ୍ଧପାଗଳକୁ ତାହାଠାରୁ ଖୁବ୍‌ବେଶି ଆକ୍ରମଣ କରେ । ଅନ୍ୟ ପାଖରେ ତାହାର ସୀମା ଅଛି; ମାତ୍ର ମୋ ପାଖରେ ସେ ସୀମା ଲଙ୍ଘନ କରିଯାଏ । ସେଦିନର ଘଟନା ଦେଖି ଶୁଣି ଲୋକେ ମୋତେ କଅଣ ଜ୍ଞାନ କରୁଥିବେ ? ଛି ଛି, କି ଲଜ୍ଜା !
 

ସତ୍ୟଭୂଷଣ ଏହିପରି ଭାବି ପ୍ରତିଜ୍ଞା କଲା ସେ ଆଉ ଦେଶସେବା, ବକ୍ତୃତା, ଯୋଗସାଧନ ଇତ୍ୟାଦି କିଛି କରିବ ନାହିଁ । ପ୍ରତିଜ୍ଞାକୁ କାର୍ଯ୍ୟରେ ମଧ୍ୟ ପରିଣତ କଲା । ସେହିଦିନୁ ସବୁ ଛାଡ଼ିଲା, ରହିଲା କେବଳ ଯୁବକ ସମିତି ଆଉ ପ୍ରେତତତ୍ତ୍ୱର ଆଲୋଚନା । କିନ୍ତୁ ଏହି ଦୁଇଟି ବିଷୟ ଘେନି ସେ ଦିନ କଟାଏ ନାହିଁ, ସମୟ ସମୟରେ ଜମିଦାରୀ ସିରସ୍ତାର କାର୍ଯ୍ୟ ମଧ୍ୟ ଶିକ୍ଷା କରେ । ସମୟରେ ଜମିଦାରୀ ଭାର ଏବଂ ଦାୟିତ୍ୱ ତାହାରି କାନ୍ଧରେ ପଡ଼ିବ, ଏହା ସେ ଏବେ ବୁଝିପାରିଲାଣି ।

•••

 

ଦଶମ ପରିଚ୍ଛେଦ

 

ଜମିଦାର ଅନ୍ତର୍ଯ୍ୟାମୀ ରାୟଙ୍କର ପୁଅ ପ୍ରତି ପୂର୍ବପରି ବିରକ୍ତି ଆଉ ନାହିଁ ଏବଂ ପୁଅ ମଧ୍ୟ ସେ ପୁଅ ନାହିଁ; ତାହାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଅଛି । ଏଥିମଧ୍ୟରେ ତାହାର ଗୋଟାଏ ଶୋଭନ ରାଜସଂସ୍କରଣ ହୋଇଯାଇଅଛି । କିଏ ଯେପରି ତାହାର ବିଶୃଙ୍ଖଳ ମତିକୁ ସଜାଡ଼ି ଶୃଙ୍ଖଳାବଦ୍ଧ କରିଦେଲାଣି । ସଂସାର ବିଚିତ୍ର, ବୈଚିତ୍ୟହିଁ ତାହାର ପ୍ରାଣ । ଏଠାରେ କେଉଁ ବୈଚିତ୍ୟ ବା ନାହିଁ ? ଭଲ ବି ସମୟରେ ମନ୍ଦ ହୁଏ ଆଉ ମନ୍ଦ ମଧ୍ୟ ସମୟରେ ଭଲ ହୁଏ । ଲୋକେ କହନ୍ତି–‘ସ୍ୱଭାବର ପରିବର୍ତ୍ତନ ଘଟେ ନାହିଁ; ମାତ୍ର ଅନେକ ସ୍ଥଳରେ ଘଟିବାର ଦେଖାଯାଏ-। ସାଧୁ ସହବାସ, ବିବେକର ଶାସନ, ବିପଦ, ବୟୋଧର୍ମ ଏବଂ ଠକି ଶିଖିବାଦ୍ୱାରା ସ୍ୱଭାବର ପରିବର୍ତ୍ତନ ଘଟେ, ସେଥିର ଦୃଷ୍ଟାନ୍ତ ବିରଳ ନୁହେଁ । ସତ୍ୟଭୂଷଣର ହୃଦୟ ଆଉ ଦୁରାକାଙ୍‍କ୍ଷାରେ ଉଦ୍‌ବେଳିତ ହୁଏ ନାହିଁ । ତାହାର ହୃଦୟ ଏବେ ନିର୍ଘାତ ନିସ୍ତରଙ୍ଗ ସାଗର ପରି ସ୍ଥିର ଏବଂ ଗଭୀର-। ସେ ଅଳ୍ପଦିନ ମଧ୍ୟରେ ଜମିଦାରୀ ସଂକ୍ରାନ୍ତ ସମସ୍ତ ବିଷୟ ଶିଖିସାରିଲାଣି । ଅମଲାମାନଙ୍କର ଫନ୍ଦି ଫିକର ବି ଭଲରୂପେ ବୁଝିନେଲାଣି । ଏଣିକି ସେ ଜମିଦାରୀ ସମ୍ପର୍କୀୟ ଅନେକ କାର୍ଯ୍ୟରେ ପିତାଙ୍କୁ ସାହାଯ୍ୟ କରେ । ସାମାନ୍ୟ ସାମାନ୍ୟ ହାରୀଫେରାଦୀ ବୁଝେ, ସମୟ ସମୟରେ ମଫସଲ ଯାଇ ପ୍ରଜାମାନଙ୍କର ଅବସ୍ଥା, ଶସ୍ୟର ଅବସ୍ଥା ପ୍ରଭୃତି ବୁଝେ । ମାଲିମକଦ୍ଦମା ଉପଲକ୍ଷରେ ଅମଲାମାନେ କଟକ, କଲିକତା ପ୍ରଭୃତି ସ୍ଥାନକୁ ଗଲେ ସେମାନଙ୍କୁ ଏକାଦଶ ବୃହସ୍ପତି ଯୋଗ ପଡ଼େ । ସେମାନେ ପଇସାକ ଜାଗାରେ ଟଙ୍କାଏ ଖର୍ଚ୍ଚ ଲେଖି ଉଦର ନାମକ ଦୁର୍ଦ୍ଦାନ୍ତ ଦେବତାକୁ ତୁଷ୍ଟ କରନ୍ତି, ଏକଥା ସେ ଜାଣେ; ତେଣୁ ସେ ଅନେକ ମାଲିମକଦ୍ଦମାରେ ନିଜେ ଯାଇ ଯୋଗାଡ଼ଯନ୍ତ୍ର କରେ । ଏଥିରେ ଅମଲାମାନେ ବୃତ୍ତିଚ୍ଛେଦ ହେତୁ ଟିକିଏ ଅସନ୍ତୁଷ୍ଟ ହୁଅନ୍ତି; ମାତ୍ର ପିତା ସନ୍ତୁଷ୍ଟ । ପୁଅର ଗୁଣଗରିମା ବର୍ଣ୍ଣନାରେ ସେ ଏଣିକି ବହୁମୁଖ ହୋଇ ଉଠିଲେଣି । ମା’ଙ୍କର ତ ଫୁଲାଣର ସୀମା ନାହିଁ । ସେ କହନ୍ତି–‘ପୁଅ ତ ପୁଅ, ଏକା ମୋ ପୁଅ । ଇମିତି ଗୁଣବାନ୍‌ ପୁଅ ଦେଶ ଦୁନିଆଁରେ ନାହିଁ, ନ ଥିଲା, ନ ହେବ ।’ ବାସ୍ତବରେ ସତ୍ୟଭୂଷଣର ବର୍ତ୍ତମାନ ସ୍ୱଭାବ ଦେଖିଲେ ଯେ ବର୍ଷକ ପୂର୍ବେ ତାକୁ ଦେଖିଥିଲା, ସେ ସ୍ତମ୍ଭୀଭୂତ ହେବ । ତାହାର ଗୁଣରେ ତାହାର ଶତ୍ରୁସୁଦ୍ଧା ମୁଗ୍‌ଧ ନ ହୋଇ ରହିପାରିବ ନାହିଁ । ପୁତ୍ରର ଯୋଗ୍ୟତା ଦେଖି ପିତା ଆଉ ଖଣ୍ଡେ ଜମିଦାରୀର ଭରସା ବାନ୍ଧିଲେ । ବର୍ତ୍ତମାନ ନିଜର ଏବଂ ଶ୍ୱଶୁରଙ୍କ ଜମିଦାରୀ ମିଶି ଦୁଇଖଣ୍ଡ ଅଛି, ଆଉ ଖଣ୍ଡେ ହେଲେ ତିନିଖଣ୍ଡ ହେବ, ସେ ବିଶାଳ ଜମିଦାରୀର ଅଧୀଶ୍ୱର ହେବେ, ଏହି ଭବିଷ୍ୟତ ଆଶାରେ ସେ ଉତ୍‌ଫୁଲ୍ଲ; କିନ୍ତୁ ଆଶା ବଡ଼ ମାୟାବିନୀ, ସେ କଅଣ କରିବ, ତାହା ଅନ୍ଧକାର ଗର୍ଭ ଭବିତବ୍ୟତାକୁ ଗୋଚର ।

 

ରାଧାନାଥ ମହାପାତ୍ର ବିଷ୍ଣୁପୁରର ଜଣେ ଅଧିବାସୀ । ତାଙ୍କ ଘର ଜମିଦାରଙ୍କ ଜ୍ଞାତି ନୁହନ୍ତି ସ୍ୱଜାତି । ତାଙ୍କର ବୟସ ପ୍ରାୟ ଜମିଦାରଙ୍କ ବୟସର ନିକଟବର୍ତ୍ତୀ । ମହାପାତ୍ରେ ଏବଂ ଜମିଦାର ଅନ୍ତର୍ଯ୍ୟାମୀ ରାୟ ଏକ ସଙ୍ଗରେ ପାଠ ପଢ଼ିଥିଲେ । ପିଲାଦିନେ ପାଠ ପଢ଼ିବାବେଳେ ସମସ୍ତେ ସମାନ ଥାଆନ୍ତି; ମାତ୍ର ବଢ଼ିଲେ ସାନ ବଡ଼ ହୋଇଉଠନ୍ତି । ସେତେବେଳେ ଜଣେ ଜଣକ ପ୍ରତି ଭିନ୍ନ ବ୍ୟବହାର କରେ । ପିଲାକାଳର କାନମୋଡ଼ାମୋଡ଼ି କୁଆଡ଼େ ପାସୋରି ଯାଏ । ଏହା ସଂସାରର ରୀତି; ସୁତରାଂ ଅନ୍ତର୍ଯ୍ୟାମୀ, ରାଧାନାଥ ମଧ୍ୟ ସେହି ରୀତିର ଅଧୀନ ଥିଲେ । ଅନ୍ତର୍ଯ୍ୟାମୀ ବଡ଼ ଲୋକ, ରାଧାନାଥ ଗରିବ । କିନ୍ତୁ ଦୁହିଙ୍କର ଅସଦ୍‌ଭାବ ନାହିଁ । ସମୟ ସମୟରେ ରାଧାନାଥ ଜମିଦାରଙ୍କଠାରୁ ଧାର ଉଧାର ନିଅନ୍ତି ଏବଂ ସୁବିଧାକ୍ରମେ ପରିଶୋଧ କରିଦିଅନ୍ତି । ଅବଶ୍ୟ ବିନା ସୁଧ ବା ବିନା ତମସୁକରେ ଏ କାର୍ଯ୍ୟ ହୁଏନାହିଁ; ତଥାପି ଆବଶ୍ୟକବେଳେ ଠିଆହେଲେ ମିଳେ । ଏତକ ଅଳ୍ପ ସୁବିଧାର କଥା ନୁହେଁ । ରାଧାନାଥଙ୍କ ଘରପାଖରେ ଜମିଦାରଙ୍କର ଅମାର ଘର ଅଛି; ମାତ୍ର ଉକ୍ତ ଘରକୁ ବଢ଼ାଇବାର ଉପାୟ ନାହିଁ । ରାଧାନାଥଙ୍କ ଘରଡ଼ିହ ଖଣ୍ଡି ହେଲେ ଅମାରଘର ବଡ଼କରି ତୋଳିବାର ସୁବିଧା ହୁଅନ୍ତା । ତାହା ବଦଳରେ ଜମିଦାର ରାଧାନାଥକୁ ଘର ତୋଳିବା ପାଇଁ ଖୁବ୍‌ ଭଲ ଯାଗା ଦିଅନ୍ତେ । ଥରେ ଏହି ପ୍ରସ୍ତାବ ହୋଇଥିଲା, ମାତ୍ର ରାଧାନାଥଙ୍କ ପିତା ମଙ୍ଗିଲେ ନାହିଁ । କେତେବର୍ଷ ପରେ ରାଧାନାଥଙ୍କର ପିତୃବିଯୋଗ ଘଟିଲା । ସେ ଅନନ୍ୟୋପାୟ ହୋଇ ପିତାଙ୍କ ଶୁଦ୍ଧକ୍ରିୟା ସକାଶେ ଘରତଳି ଖଣ୍ଡି ବନ୍ଧା ଦେଇ ଜମିଦାରଙ୍କଠାରୁ କିଛି ଟଙ୍କା ଋଣ ନେଲେ । ସେ ଟଙ୍କା ସେ ପରିଶୋଧ କରିପାରି ନାହାନ୍ତି । ତାଙ୍କର ଆୟ ଅଳ୍ପ, ବ୍ୟୟ ଅଧିକ; ସେଥିପାଇଁ ତାଙ୍କୁ ଋଣ କରିବାକୁ ପଡ଼େ । ଆଉ ସେ ଋଣ ସହଜରେ ପରିଶୋଧ କରିହୁଏ ନାହିଁ । ତାଙ୍କର ଚାକିରି ପୋଷ୍ଟ ବିଭାଗରେ, ମାସିକ ବେତନ ଚାଳିଶଟଙ୍କା । ପୋଷ୍ଟ ବିଭାଗ ପରି ବନ୍ଧ୍ୟା ବିଭାଗ ଜଗତରେ ନାହିଁ । ସେଥିରେ ଦରମା ଗଣ୍ଡାକ ଛଡ଼ା କାଣୀ କଉଡ଼ି କଡ଼େ ବି ଉପୁରି ମିଳେନାହିଁ । ରାଧାନାଥଙ୍କର ପୋଷ୍ୟ ଅଳ୍ପ ନୁହନ୍ତି । ସେ, ତାଙ୍କର ସ୍ତ୍ରୀ, କନ୍ୟା, ପୁଞ୍ଜେ କି ଛଅଟା ମାଉସୀ ପିଉସୀ, ଗୋଟାଏ ଚାକର, ଏହିପରି ଦଶନ୍ଦିରୁ ଉପର । ତାହାଛଡ଼ା ଗୋଟିଏ ଗାଈ ଆଉ ଗୋଟିଏ ତେସାଲୀ ଛଡ଼ା ଅଛି । ସାମାନ୍ୟ ଚାଳିଶଟି ଟଙ୍କାରେ ଏତେଗୁଡ଼ିଏ ପ୍ରାଣୀଙ୍କର ଭରଣପୋଷଣ ଚଳେ । ଘରତଳି ଖଣ୍ଡିକ ଛଡ଼ା ରାଧାନାଥଙ୍କର ଆଉ ଭୂମିବାଡ଼ି ବିଶ୍ୱାଏ ନାହିଁ । ତାଙ୍କର ସହଧର୍ମିଣୀ କମଳା ଦେବୀ ଖୁବ୍‌ ପ୍ରବୀଣା ଗୃହିଣୀ । ସେ ଅଟାକୁ ଚାହିଁ ପିଠା କରି ଜାଣନ୍ତି । ତାଙ୍କର ସୁବ୍ୟବସ୍ଥା ଫଳରେ ସଂସାର ଏକ ପ୍ରକାର ଚଳିଯାଏ, ତେତେ କିଛି ଅଭାବ ଅନୁଭୂତି ହୁଏନାହିଁ । କମଳା ଦେବୀ ସବୁ ବିଷୟରେ ସାବଧାନ । ସେ ବୃଥା କୌଣସି ପଦାର୍ଥ ନଷ୍ଟକରନ୍ତି ନାହିଁ । ଯେ ପ୍ରତ୍ୟେକ ପଦାର୍ଥର ସଦ୍‌ବ୍ୟବହାର କରେ, ସେ ଜୀବନରେ ଅଧିକ ଅଭାବ ଅନୁଭବ କରେନାହିଁ । ପରିମିତତା ଅଭାବର ପ୍ରହରୀ, ସେ ଅଭାବକୁ ବାଟ ଛାଡ଼ିଦିଏ ନାହିଁ । କନ୍ୟାଟିର ନାମ ଯୋଗବିଦ୍ୟା । ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ଦୁଇଘଡ଼ି ଯାଏ ତାହାର ଆଖି ଫିଟିଲା ନାହିଁ; ତହୁଁ ତାହାର ରହସ୍ୟପ୍ରିୟ ପିତାମହ କହିଥିଲେ–‘‘ଏ ସ୍ୱୟଂ ଯୋଗବିଦ୍ୟା ଆସି ଜନ୍ମଗ୍ରହଣ କରିଛନ୍ତି । ଯୋଗପୁରୁଷ ବା ଯୋଗ୍ୟପୁରୁଷ ଆସି ଆଗରେ ଠିଆହେଲେ ସେ ନେତ୍ର ଫେଡ଼ି ଚାହିଁବେ । ଏବେ ଯୋଗ୍ୟପୁରୁଷ କିଏ ହେବ ? ଦୁଃଖର କଥା ଏ ବୃଦ୍ଧର ସେ ସୌଭାଗ୍ୟ ନାହିଁ ।’’ ସଦ୍ୟଜାତ ପୌତ୍ରୀ ପ୍ରତି ରସରାଜ ପିତାମହଙ୍କର ଏ ପରିହାସ ଶୁଣି ସୂତିକା ଗୃହରୁ ଉଚ୍ଚହାସ୍ୟରୋଳ ଉଠିଥିଲା । ସ୍ୱୟଂ ପ୍ରସୂତି ମଧ୍ୟ ହସିପକାଇ ଥିଲେ । କନ୍ୟାଟିର ସେହି ପିତାମହଦତ୍ତ ଯୋଗବିଦ୍ୟା ନାମ ରହିଗଲା । ଲୋକେ ତାକୁ ସଂକ୍ଷେପ କରି ଯୋଗ କାଟିଦେଇ କେବଳ ‘‘ବିଦ୍ୟା’’ ବୋଲି ଡାକନ୍ତି । କନ୍ୟାଟି ଖଣ୍ଡିଏ ଛବି ପରି ସୁନ୍ଦର । ବର୍ତ୍ତମାନ ତାହାର ବୟସ ୧୩ ।୧୪ ବର୍ଷ ହେବ । ଯୋଗବିଦ୍ୟାର ରୂପ, ଗୁଣ, ଶୀଳ ସବୁ ସୁନ୍ଦର, ସବୁ ମଧୁର । ସାମାନ୍ୟ ଶିକ୍ଷା ମଧ୍ୟ ଅଛି । ଅନ୍ୟାନ୍ୟ ପୁସ୍ତକ ଅପେକ୍ଷା ଧର୍ମ-ଗ୍ରନ୍ଥକୁ ସେ ଅଧିକ ଆଦର କରେ । ତାହାର ପିତୃସେବା ଅନ୍ୟର ଆଦର୍ଶ । ସେ ପିତାଙ୍କ ପାଇଁ ଦୁଧ ଆଉଟିଦିଏ, ପାନ ଭାଙ୍ଗିଦିଏ, ଜଳଖିଆ ଆଣିଦିଏ । ରାଧାନାଥ ମହାପାତ୍ର କି ରୋଗ ହେତୁ ଡାକ୍ତରଙ୍କ ପରାମର୍ଶାନୁସାରେ ଟିକିଏ ଅଫିମ ସେବନ କରନ୍ତି । ଚା ଅଫିମର ସହଧର୍ମ୍ମିଣୀ; ସୁତରାଂ ଅଫିମ ଯେଉଁଠାରେ ଚା ମଧ୍ୟ ସେହିଠାରେ । ସେମାନେ ବିଚ୍ଛେଦ ଯନ୍ତ୍ରଣା ସହିପାରନ୍ତି ନାହିଁ । ଯୁଗଳମୂର୍ତ୍ତି ହାତ ଧରାଧରି ହୋଇ ରହିଥାଆନ୍ତି । ମହାପାତ୍ରେ ଅଫିମ ସେବା କଲାବେଳେ ଟିକିଏ ଚା ଉଷ୍ଣ ମଣୋହି କରନ୍ତି । କନ୍ୟା ହସ୍ତପ୍ରସ୍ତୁତ ଚା ତାଙ୍କର ଖୁବ୍‌ ମୁଖରୋଚିତ ହୁଏ । ସେ ଡାଆଣୀ ଭୂତର ଅଦ୍ଭୁତ କାହାଣୀ ଅନେକ ଜାଣନ୍ତି । ଯୋଗବିଦ୍ୟା ସନ୍ଧ୍ୟାବେଳେ ତାଙ୍କ ପାଖରେ ବସି ସେହି ସବୁ କଥା ଶୁଣେ । କେବେ କେବେ ଧର୍ମଗ୍ରନ୍ଥ ପଢ଼ି ପିତାଙ୍କୁ ଶୁଣାଏ । କନ୍ୟା ଯେପରି ପିତୃଗତପ୍ରାଣା, ପିତା ସେହିପରି କନ୍ୟାଗତ ପ୍ରାଣ । ପିତା ୠଣଜାଲରେ ଆବଦ୍ଧ ହେତୁ ସର୍ବଦା ତାଙ୍କର ମନ ବିଷର୍ଣ୍ଣ-। ଯୋଗବିଦ୍ୟା ଏହା ଜାଣେ; ସୁତରାଂ ନାନା କୌଶଳରେ ପିତାଙ୍କ ମନ ପ୍ରସନ୍ନ କରିବାକୁ ଚେଷ୍ଟାକରେ । ପିତାଙ୍କ ମନକୁ ସେ ସର୍ବଦା ଏପରି ଆକର୍ଷଣ କରି ରଖେ ଯେ, ସେ ଦୁଃଖ କରିବାକୁ ପ୍ରାୟ ଅବସର ପାଆନ୍ତି ନାହିଁ । ପିତା ପୋଷ୍ଟଅଫିସ କାର୍ଯ୍ୟ କରୁଥିବାବେଳେ କନ୍ୟା ତାଙ୍କ ପାଖରେ ଠିଆହୋଇ ଅଙ୍କ ମିଶାଇବାରେ ସାହାଯ୍ୟ କରେ । ପିତା ଆହାର କରି ବସିଲେ କନ୍ୟା ପରିବେଷଣ କରେ, ପିତା ଶୋଇଲେ କନ୍ୟା ପଙ୍ଖା ଧରି ବିଞ୍ଚିଦିଏ, ଏହିପରି ପିତାଙ୍କ ସଙ୍ଗରେ ସେ ଛାୟା ପରି ଲାଗି ରହୁଥାଏ । ପିତା ମଧ୍ୟ କନ୍ୟାକୁ ଦଣ୍ଡେ ନ ଦେଖିଲେ ଆତୁର । ବାହାରେ ଥିବାବେଳେ ଜୀବନର ଦୈନ୍ୟ ତାଙ୍କୁ ମୁଖମଣ୍ଡଳକୁ ଆଚ୍ଛନ୍ନ କରିଥାଏ; ମାତ୍ର ଘରକୁ ଆସି ଆନନ୍ଦମୟୀ କନ୍ୟାର ସହାସ୍ୟ ମୁଖ ଦେଖିବାମାତ୍ରେ ସେହି ବିଷର୍ଣ୍ଣ ମୁଖରେ ଆନନ୍ଦର ବିମଳ ଜ୍ୟୋତି ଫୁଟିଉଠେ । ଅମାବାସ୍ୟାରେ ଚନ୍ଦ୍ରୋଦୟ ହୁଏ । ମହାପାତ୍ରେ ଦୁଃଖ, ଚିନ୍ତା ସବୁ ଭୁଲିଯାଆନ୍ତି ।

 

ରାଧାନାଥ ମହାପାତ୍ରଙ୍କ ସଙ୍ଗରେ ସତ୍ୟଭୂଷଣର ଖୁବ୍‌ ମନ ମିଳେ । ଉଭୟେ ସମଧର୍ମୀ-। ରାଧାନାଥଙ୍କର ଗଳ୍ପ କହିବାର ଅଦ୍ଭୁତ ଶକ୍ତି ଅଛି । ବିଶେଷତଃ ଡାଆଣୀ ଭୂତ ଗଳ୍ପକୁ ସେ ଯେପରି ବୀର କରୁଣାଦି ନବ ରସରେ ସିକ୍ତ କରି ସାଳଙ୍କାରରେ ବର୍ଣ୍ଣନା କରନ୍ତି, ତାହା ନ ଶୁଣିଲା ଲୋକ ବି ଶୁଣିବାକୁ ଆଗ୍ରହ କରିବ । ପ୍ରେତତତ୍ତ୍ୱ ଆଲୋଚନାରେ ଉଭୟଙ୍କର ଅନୁରାଗ ସମାନ । ଅନେକ ସମୟରେ ଦୁହେଁ ବସି ସେହି ଆଲୋଚନା କରନ୍ତି । ସତ୍ୟଭୂଷଣ ସେହି ଲୋଭରେ ପ୍ରତ୍ୟହ ସନ୍ଧ୍ୟା ସମୟରେ ରାଧାନାଥଙ୍କ ଘରକୁ ଆସେ । ଚା ପାନ ପରେ ଗଳ୍ପାରମ୍ଭ ହୁଏ । ରାଧାନାଥଙ୍କ ଅନୁରୋଧରେ ସତ୍ୟଭୂଷଣ ଟିକିଏ ଟିକିଏ ଚା ଚାଖୁ ଚାଖୁ ଏଣିକି ପ୍ରଧାନ ‘‘ଚା ଖୋର’’ ହୋଇପଡ଼ିଲାଣି । ପ୍ରଥମ ପ୍ରଥମ ସେ ଗଳ୍ପଲୋଭରେ ରାଧାନାଥଙ୍କ ଘରକୁ ଆସୁଥିଲା; ମାତ୍ର ଏବେ ଗଳ୍ପ ଏବଂ ଚା ଉଭୟ ଲୋଭରେ ଆସେ । ସେ ରାଧାନାଥଙ୍କୁ ପିତୃବ୍ୟ ସମ୍ପର୍କ ଧରି ରାଧା ଦାଦା ବୋଲି ଡାକେ ଏବଂ କମଳାଙ୍କୁ ଖୁଡ଼ୀ ବୋଲି ସମ୍ବୋଧନ କରେ । ରାଧାନାଥଙ୍କ ଘରେ ତାହାର ଖୁବ୍‌ ଆଦର । କମଳା ତାକୁ ପୁତ୍ରପରି ସ୍ନେହ କରନ୍ତି । ଯୋଗବିଦ୍ୟା ତାକୁ ସତ୍ୟ ଭାଇ ବୋଲି ଡାକେ, ଆଉ ସେ ମଧ୍ୟ ଯୋଗବିଦ୍ୟାକୁ ଠିକ୍‌ ସାନ ଭଉଣୀ ପରି ସ୍ନେହ କରେ । ପଲ୍ଲୀବାସୀମାନେ ପରସ୍ପର ପ୍ରତି ଗୋଟାଏ ଗୋଟାଏ ସମ୍ପର୍କ ଧରି ଡକାଡକି ହୁଅନ୍ତି । ସେ ସମ୍ପର୍କରେ ଜାତି ଗୋତ୍ରର ଭେଦାଭେଦ ନାହିଁ । ଏକ ଜାତିର ଲୋକ ଅନ୍ୟଜାତିକୁ ସମ୍ପର୍କ ଧରି ଡାକେ । ଏରୂପ ସୁନ୍ଦର ଧାରା ସହରରେ ନାହିଁ । ସହରିଆ ଲୋକେ ରାମ ବାବୁ, ଶାମ ବାବୁ ବୋଲି ଡାକିବେ ସିନା; ମାତ୍ର ରାମା ଭାଇ, ଶାମା କକା ବୋଲି କହିବେ ନାହିଁ । ସେମାନଙ୍କର ପରସ୍ପର ସଙ୍ଗରେ ଏକଶୂଳିଆ ବାବୁ ସମ୍ପର୍କ ଛଡ଼ା ଅନ୍ୟକିଛି ସମ୍ପର୍କ ନାହିଁ । ପଲ୍ଲୀର ଏହି ଅଜା, ଆଈ, ପିଉସା, ମଉସା, ମାମୁ, ମାଈଁ ପ୍ରଭୃତି ସମ୍ପର୍କ କି ମଧୁର, କି ମୂଲ୍ୟବାନ ! ଏହି ସଂପର୍କ ମଧ୍ୟରେ ମାନବସୁଲଭ ଆତ୍ମୀୟତା, ଏକପ୍ରାଣତା, ସ୍ନେହ, ମମତା ଆତ୍ମପ୍ରକାଶ କରିଉଠେ, ଆଉ ଏକ ସମ୍ପର୍କ ପରକୁ ଆପଣାର କରିଦିଏ । ଏହି ସମ୍ପର୍କ ହେତୁ ପରସ୍ପର ମଧ୍ୟରେ ସାହାଯ୍ୟ, ସହାନୁଭୂତି ପ୍ରଭୃତି ହିତକର ଶୁଭଭାବର ଆନନ୍ଦ ପ୍ରଦାନ ହୁଏ । ଏହାହିଁ ପଲ୍ଲୀ ସମାଜର ମହତ୍ତ୍ୱ । ଏହି ମହତ୍ତ୍ୱ ହିଁ ତାହାର ପ୍ରାଣ ଏବଂ ଏହି ସଜୀବ ମହତ୍ତ୍ୱ ହେତୁ ପଲ୍ଲୀସମାଜ ଆଦର୍ଶ । ଯୋଗବିଦ୍ୟା ପିତାଙ୍କ ପାଖରେ ଥାଏ । ସତ୍ୟଭୂଷଣକୁ ଆସିବାର ଦେଖିଲେ ସଙ୍କୁଚିତ ହୋଇ ବସେ । ସତ୍ୟଭୂଷଣ ତାହା ଲକ୍ଷ୍ୟକରି ଦିନେ କହିଲା–‘‘ବିଦ୍ୟା, ତୁ ମୋତେ ଦେଖିଲେ କାହିଁକି ଶୁଖିଯାଉ ? ମୁଁ ତ ତୋର ଭାଇଟା ଆଉ ବାଘ ନା ଭାଲୁ ଯେ, ଗିଳି ପକାଇବି, ତୋ ଚା ମନ୍ଦାକ ଭଉଣି ବଡ଼ ସୁଆଦ ଲାଗେ । ଆଛା କହନି ବିଦ୍ୟା, ତୁ ଚା ଆଣି ଦାଦାକୁ ଦେଉ ମୋତେ ଦେଉ, ଆଉ ତୁ ଖାଉନାହିଁ କାହିଁକି ?’’ ଯୋଗବିଦ୍ୟା ଏହାଶୁଣି ଆଶ୍ଚର୍ଯ୍ୟମିଶା ମୃଦୁ ହାସ୍ୟରେ କହିଲା ତମେ ଯେଉଁ ଅଘନ କଥା କୁହ ନା ସତ୍ୟ ଭାଇ, ମୁଁ ମାଇକିନିଆ ଝିଅଟା ଚା, ପିଇବି ?’’ ସତ୍ୟଭୂଷଣ ହୋ ହୋ କରି ହସିଉଠି କହିଲା–‘କି, ଚା ଖାଇଲେ ତୋର ଜାତି ଯିବ ନା ଧର୍ମ ନଷ୍ଟ ହେବ ।’ ଯୋଗବିଦ୍ୟା କହିଲା–‘‘ନା ତାହା ନୁହେଁ, ମାଇକିନିଆ ଝିଅଙ୍କୁ ଯାହା ମନା, ତାହା ଖାଇଲେ ଲକ୍ଷ୍ମୀ ଛାଡ଼ିଯାଏ ।’’ ଆଉ ସତ୍ୟଭୂଷଣକୁ ସମ୍ଭାଳେ କିଏ, ସେ ହସି ହସି, କାଶି କାଶି ବେଦମ୍‌ ହୋଇଗଲା । ହାସ୍ୟର ବେଗ କମିଗଲା ପରେ କହିଲା–‘‘ଆରେ, ଏ ଚୁଲୀପଶୀଟା ଏହିଦିନୁ ଏତେ କଥା ଜାଣିଲାଣି । ସତ କହୁଛୁ ବିଦ୍ୟା, ମାଇକିନିଆ ଝିଅଙ୍କର ଏ ଉତ୍ତେଜକ ଖାଦ୍ୟ ଖାଇବା ଭଲ ନୁହେଁ ? ତେବେ ତୋର ବୁଦ୍ଧିଶୁଦ୍ଧି ଅଛି, ମୁଁ ଜାଣିଥିଲି ତୁ ଗୋଟାଏ ହୁଣ୍ଡୀ ।’’ ଏହିପରି ଦୁହିଙ୍କ ମଧ୍ୟରେ ଅନେକ ସମୟରେ ଅନେକ କଥା ହୁଏ । ସତ୍ୟଭୂଷଣ ଯୋଗବିଦ୍ୟାର ବୁଦ୍ଧିକୁ ପ୍ରଶଂସା କରେ । ସେ ଯୋଗବିଦ୍ୟାକୁ ଯେପରି ଭଲପାଏ, ଯୋଗବିଦ୍ୟା ମଧ୍ୟ ତାକୁ ସେହିପରି ଆଦର ଗୌରବ କରେ । ସତ୍ୟଭୂଷଣ କଟକ, କଲିକତା ପ୍ରଭୃତି ସହରକୁ ଗଲେ ଯୋଗବିଦ୍ୟା ପାଇଁ କୁଣ୍ଢେଇ, ଖେଳନା ପ୍ରଭୃତି ଆଣିଦିଏ-। କେବେ କେବେ ଭଲ ଲୁଗାଖଣ୍ଡେ ବା ଭଲ ଅଳଙ୍କାରଟାଏ ମଧ୍ୟ ଆଣିଦିଏ । ସତ୍ୟ ଭାଇଙ୍କ ସ୍ନେହଦତ୍ତ ପଦାର୍ଥକୁ ଯୋଗବିଦ୍ୟା କୋଟିନିଧି ତୁଲ୍ୟ ମଣେ ।

 

ରାଧାନାଥ ଓ ସତ୍ୟଭୂଷଣ ଗପ କରନ୍ତି । ସେଥିରେ ପ୍ରେତତତ୍ତ୍ୱଠାରୁ ଆରମ୍ଭ କରି ଧର୍ମତତ୍ତ୍ୱ, କର୍ମତତ୍ତ୍ୱ ଏମନ୍ତ କି ସୃଷ୍ଟିତତ୍ତ୍ୱ ପର୍ଯ୍ୟନ୍ତ ସବୁକଥା ଥାଏ । ସମୟ ସମୟରେ ପୁସ୍ତକ, ପତ୍ରିକା ପାଠହୁଏ । ଯୋଗବିଦ୍ୟା ବସି ନିବିଷ୍ଟଚିତ୍ତରେ ସବୁ ଶୁଣେ । କନ୍ୟାଟି ପାଖରେ ବସି ପ୍ରତିବାକ୍ୟ ଶେଷରେ ‘ହୁଁ’ ନ ମାରିଲେ ରାଧାନାଥଙ୍କର ଉତ୍ସାହ ବଢ଼େନାହିଁ କି ଗଳ୍ପ ବି ଜମାଟ ବାନ୍ଧେ ନାହିଁ । କିନ୍ତୁ ସ୍ୱାମୀଙ୍କର ଏ ରୀତିକୁ କମଳା ପସନ୍ଦ କରନ୍ତି ନାହିଁ । ସେ ଦିନେ ସ୍ୱାମୀଙ୍କୁ କହିଲେ–‘‘ତୁମର ଭଲା ଏକି ଖିଆଲ କହିଲ । ତୁମେ କୁଆଁରୀ ଝିଅଟାକୁ ସଭାରେ ବସାଇ ଗୀତ ଶୁଣାଉଛ ? ଛି ଛି, ଯେ ଦେଖିବ କଅଣ କହିବ ?’’ ରାଧାନାଥ ଚମକିପଡ଼ି କହିଲେ–‘‘କି, ଦୋଷଟା କଅଣ ହେଲା ? ବାପ ପାଖରେ ଝିଅର ବସିବାଟା କଅଣ ଦୋଷର କଥା ? ଆଉ ସଭା କେଉଁଠି ଲାଗିଥାଏ, ମୁଁ ଥାଏ ଆଉ ସତ୍ୟ ଥାଏ, ସେ ତ ଆମ ଘରର ପୁଅ ତାକୁ ଲଜ୍ଜା କଅଣ ?’’ କମଳା ଜିହ୍ୱା ଦଂଶନପୂର୍ବକ କହିଲେ, ‘‘ହାୟ ମୋ ପୋଡ଼ାକପାଳ, ତୁମେ ଆଛା ବୁଝିଲ, ମୁଁ ସତ୍ୟକୁ କାହିଁକି କହିବି ? ସେ ମୋର ଜନ୍ମକଲା ପୁଅଠାରୁ ବଳେ । ବାପ ତ ମୋର ତୁଳସୀ ଗଛ, ତାକୁ ବାଛିବାକୁ ଅଛି ନା ? ବିଦ୍ୟାକୁ ସେ କେତେ ଶରଧା କରେ, ସାନ ଭଉଣୀ ପରି କେତେ ଚଳାଏ, ମୋତେ ତ ତାହା ଖୁସିଲାଗେ । ମୁଁ କହୁଚି କଅଣ କି ସବୁବେଳେ ମିଣିପଙ୍କ ମେଳରେ ରହିଲେ ତାହାର ରୀତିଗତି ମିଣିପଙ୍କ ପରି ହୋଇଯିବ । କଥାଟା ଠୋସ୍‌ ହୋଇଯିବ, ଚାଲିଟା ଧସ୍‌ଧସ୍‌ ହୋଇଯିବ, ଚାହାଣୀଟା ଫସ୍‌ଫସ୍‌ ହୋଇଯିବ, ଆଉ ସ୍ୱଭାବଟା ରସ୍‍ରସ୍ ହୋଇଯିବ ।’’ କମଳାଙ୍କର ଏରୂପ ଅନୁମାନ ନିରର୍ଥକ ନୁହେଁ । ଅନେକତ୍ର ତାଙ୍କ ଉକ୍ତିର ସାର୍ଥକତା ଦେଖାଯାଏ; ମାତ୍ର ଯୋଗବିଦ୍ୟାର କୌଣସି ପରିବର୍ତ୍ତନ ଘଟି ନ ଥିଲା । ପୁରୁଷସୁଲଭ କଠୋରତା ତାକୁ ସ୍ପର୍ଶ କରି ନ ଥିଲା । ସହବାସଦ୍ୱାରା ସ୍ୱଭାବର ପରିବର୍ତ୍ତନ ଘଟେ ସତ୍ୟ; ମାତ୍ର ନିଜତ୍ୱ ରକ୍ଷାକରି ଚଳିଲେ ସହସ୍ର ସହବାସ କିଛି କରିପାରେନାହିଁ । କଥାରେ କହନ୍ତି–‘ଆଲୋ ସଖି, ଆପଣା ମହତ ଆପେ ରଖି ।’ ନିଜର ମହତ୍ତ୍ୱକୁ ଯେ ରକ୍ଷାକରେ, ମହତ୍ତ୍ୱ ତାକୁ ରକ୍ଷାକରେ । ରାଧାନାଥ ପତ୍ନୀଙ୍କ କଥାରେ ହସିଉଠି କହିଲେ–‘‘କବି ପରି ତ ତୁଣ୍ଡେ ତୁଣ୍ଡେ କବିତା ଯୋଖିଦେଇ ଗଲ, ଆଉ ଝିଅର ସେପରି ଖସ୍‌ଖସ୍‌, ମସ୍‍ମସ୍, ଧସ୍‌ଧସ୍‌ଭାବ କେବେ ଦେଖିଛ ନା ? ନ ଦେଖି ଖାଲି ଗୋଟାଏ ଅନୁମାନ କରି ତୁଚ୍ଛା ମାହାଳିଆ କଥାଗୁଡ଼ାଏ କାହିଁକି କହୁଛ ? ଆଉ କାହା କଥାରେ ବା କଅଣ ଅଛି, ଲୋକେ ତ ଆକାଶରେ ପର୍ବତ ଉଡ଼ାନ୍ତି, ବିନା ସୂତାରେ ହାଟ କରନ୍ତି, ଲୋକଙ୍କର ଅସାଧ୍ୟ କଣ ଅଛି ? ଲୋକେ ଆମ ଘରଟାକୁ ବାଛିଲେ ଆମେ କଅଣ ଘରଟା ଭାଙ୍ଗିଦେବା ?’’ ସ୍ୱାମୀଙ୍କର ଏ ଯୁକ୍ତି ଶୁଣି କମଳା ଆଉ କଥା କହିବାକୁ ବାଟ ପାଇଲେ ନାହିଁ; ସୁତରାଂ ନୀରବ ରହିଲେ ।

 

ଦିନେ କଥାପ୍ରସଙ୍ଗରେ ସତ୍ୟଭୂଷଣ ରାଧାନାଥଙ୍କୁ ପଚାରିଲା–‘‘ରାଧୁ ଦାଦା, ଆଛା କହିଲ ଭଲା ମନୁଷ୍ୟ ମଲେ କଅଣ ହୁଏ ?’’ ରାଧାନାଥ କହିଲେ, ‘‘ମନୁଷ୍ୟ ମଲେ ଆଉ କଅଣ ହେବ, ହାତୀଘୋଡ଼ା ନା କଂସା ପିତଳ ହେବ ! ମନୁଷ୍ୟ ମଲେ ଭୂତ, ପ୍ରେତ ହୁଏ ।’’ ସତ୍ୟଭୂଷଣ ଅତ୍ୟନ୍ତ କୌତୁହଳୀ ହୋଇ ପୁନଶ୍ଚ ପଚାରିଲା–‘‘କିମିତି କଅଣ ହୁଏ ବିସ୍ତୃତ ଭାବରେ କହ ?’’ ରାଧାନାଥ ଢକ ଢକ କରି ଦୁଇ ତିନି ଢୋକ ଗରମ ଚା ପିଇଦେଇ କୁଞ୍ଚକାନିରେ ମୁହଁପୋଛି ସଳଖ ହୋଇ ବସିଲେ । ଗରମ ଚା ସ୍ପର୍ଶରେ ବୁଦ୍ଧି ଗରମ ହୋଇଉଠିଲା, ତହିଁ ପରେ ଗଳ୍ପାରମ୍ଭ ହେଲା । ରାଧାନାଥ କହିଲେ–‘‘ଶରୀରଟା ଆତ୍ମାର ଘର, ଆତ୍ମା ବହୁକାଳଯାଏଁ ସେହି ଘରେ ବନ୍ଦୀ ହୋଇଥାଏ । ବନ୍ଦୀରୁ ମୁକ୍ତ ହେଲାକ୍ଷଣି ସେ ହାଇମାରିଲା ପରି ନିର୍ଲକ୍ଷ୍ୟ ଭାବରେ ବହୁଦୂର ପର୍ଯ୍ୟନ୍ତ ଛୁଟି ଚାଲିଯାଏ । ଏହିପରି ଧାଇଁ ଧାଇଁ ଯେତେବେଳେ ସେ ଥକିପଡ଼େ ସେତେବେଳେ ଫେରିଆସି ଦେଖେ ତାହାର ଘରଟି ନାହିଁ । ତହୁଁ ସେ ତାହାର ଶରୀରକୁ ଖୋଜି ବୁଲେ । ଘରର ପ୍ରତ୍ୟେକ ସ୍ଥାନରେ ପ୍ରତି ପଦାର୍ଥ ମଧ୍ୟରେ ବାରମ୍ବାର ଖୋଜେ । ଆତ୍ମାର ରୂପନାହିଁ, ସେ ଗୋଟାଏ ବାଷ୍ପ, ବାୟୁ ସଙ୍ଗରେ ମିଶିକରି ଥାଏ; ସୁତରାଂ ତାହାର ଗତି ଅବ୍ୟାହତ । ସେ ନାନା ପ୍ରକାର ଛାୟାରୂପ ଧରିପାରେ । ବିରାଡ଼ି, କୁକୁର, ହାତୀ, ଘୋଡ଼ା, ମୟୂର, କୁକୁଡ଼ା, ପାରା ପ୍ରଭୃତି ରୂପଧରି ନିଜର ଶରୀରକୁ ଆସି ଖୋଜିବୁଲେ । ଏହାକୁ ପୁଷ୍କର ବୋଲି କହନ୍ତି । ଆତ୍ମା ଶରୀରରେ ପୁଣି ପଶିବା ପାଇଁ ତାକୁ ଖୋଜେ ନାହିଁ; କେବଳ ଦେଖିବା ପାଇଁ ଖୋଜେ । ସେତେବେଳେ ସେ ପବିତ୍ର ଏବଂ ମୃତ ଶରୀର ଅପବିତ୍ର । ସୁତରାଂ ସେ ଛାଡ଼ିଗଲା ପରେ ଅପବିତ୍ର ଶରୀରକୁ ପୁନଶ୍ଚ ସ୍ପର୍ଶ କରେନାହିଁ । କେବଳ ଯାହା ସଙ୍ଗରେ ତାହାର ବହୁଦିନରୁ ସମ୍ପର୍କ, ସେହି ଶରୀରର ମାୟା ତେଜି ନ ପାରି ତାକୁ ଦେଖିବାକୁ ଆସେ । ଅନେକ ସ୍ଥଳରେ ଦେଖାଯାଏ, ଆତ୍ମା ଫେରି ଆସିବାବେଳକୁ ତାହାର ତ୍ୟକ୍ତ ଶରୀର ସମ୍ପୂର୍ଣ୍ଣ ଦଗ୍‌ଧ ହୋଇ ନ ଥାଏ; ଆତ୍ମାଟି ତା ମଞ୍ଚର ବାରହାତ ଊର୍ଦ୍ଧ୍ୱରେ ଧୁମଚକ୍ର ଆକାରରେ ଘୁରିଘୁରି ତାର ଶରୀରକୁ ଦେଖୁଥାଏ । ଶବଦାହ ଶେଷପର୍ଯ୍ୟନ୍ତ ଧୂମଚକ୍ର ସେହିପରି ଘୁରି ବୁଲୁଥାଏ । ଶରୀର ସମ୍ପୁର୍ଣ୍ଣ ଦଗ୍‌ଧ ହୋଇ ଭସ୍ମରେ ପରିଣତ ହେଲେ ନକ୍ଷତ୍ରଗତିରେ ସେହି ଧୂମଚକ୍ର ଊର୍ଦ୍ଧ୍ୱାକାଶକୁ ଉଠିଯାଇ ଅଦୃଶ୍ୟ ହୋଇଯାଏ । ସତ୍ୟଭୂଷଣ ପଚାରିଲା, ‘ତାହାପରେ ଆତ୍ମା କୁଆଡ଼େ ଯାଏ ?’ ରାଧାନାଥ କହିଲେ, ‘ଆତ୍ମାର ତ ବିନାଶ ନାହିଁ, ସେ ପୁଣି ଯିବ କୁଆଡ଼େ ? ବାୟୁରେ ମିଶି ଊର୍ଦ୍ଧ୍ୱଲୋକରେ ଥାଏ, ସମୟ ସମୟରେ ପୃଥିବୀକୁ ଆସେ । କାମଗତି ହେତୁ ସେ ଯଦୃଚ୍ଛା ଭ୍ରମଣ କରିପାରେ ।’’ ସତ୍ୟଭୂଷଣ କହିଲା, ‘‘ପୃଥିବୀକୁ କାହିଁକି ଆସେ, ଭୂତପ୍ରେତ ହୋଇ ଲୋକଙ୍କର ଅନିଷ୍ଟ କରିବାଲାଗି, ନା କଅଣ ?’’ ରାଧାନାଥ କହିଲା, ‘‘ପ୍ରେତାତ୍ମାମାନେ କାହାରି ଅନିଷ୍ଟ କରନ୍ତି ନାହିଁ; ବରଂ ଇଷ୍ଟ କରନ୍ତି । ଏହିଠାରେ ଆମ୍ଭ ଚାରିପାଖରେ ଆମ୍ଭ ପୂର୍ବପୁରୁଷମାନଙ୍କର ପ୍ରେତାତ୍ମା ଅଛନ୍ତି ଏବଂ ଆମ୍ଭମାନଙ୍କ ମଙ୍ଗଳ ସକାଶେ ନାନା ପ୍ରକାର ସଙ୍କେତ କରୁଅଛନ୍ତି; ମାତ୍ର ଆମ୍ଭେମାନେ ତାହା କିଛି ଜାଣିପାରୁନାହୁଁ । ସେମାନେ ଅଲକ୍ଷ୍ୟରେ ଥାଇ ଆମ୍ଭମାନଙ୍କୁ ନାନା ପ୍ରକାର ଆକସ୍ମିକ ବିପଦରୁ ରକ୍ଷା କରୁଛନ୍ତି । କେହି କେହି ପୂର୍ବପୁରୁଷମାନଙ୍କ ସ୍ୱପ୍ନାଦେଶରେ ଭୂଗର୍ଭରୁ ଅର୍ଥ ପାଇଥିବାର ମଧ୍ୟ ଶୁଣାଯାଏ । ସେ ମୁକ୍ତ ହୋଇଯାଇଛନ୍ତି । ତାଙ୍କର କ୍ରୋଧ, ଈର୍ଷା କାହୁଁ ଆସିବ ଯେ, ସେମାନେ ଅନ୍ୟର ଅନିଷ୍ଟ କରିବେ । ଦ୍ୱେଷ, ହିଂସା ପ୍ରଭୃତି ପୃଥିବୀର ପଦାର୍ଥ, ପୃଥିବୀ ଛାଡ଼ିଲେ ତାହା ଆଉ ରହେନାହିଁ । ପ୍ରେତରାଜ୍ୟ ପରମ ପାବନ ଆନନ୍ଦମୟ ପୁଣ୍ୟରାଜ୍ୟ, ପାପର ଛାୟା ସୁଦ୍ଧା ତାକୁ ସ୍ପର୍ଶ କରିପାରେନାହିଁ ।’’ ସତ୍ୟଭୂଷଣ କହିଲା, ‘‘ଯେ ମରେ ତାହାର ଆତ୍ମା ତ ଏହିପରି ଉଡ଼ିବୁଲେ, ତେବେ ମନୁଷ୍ୟ କୁଆଡ଼ୁ ଆସନ୍ତି ?’ ରାଧାନାଥ କହିଲେ, ‘‘ଆତ୍ମା କିଛିକାଳ ଊର୍ଦ୍ଧ୍ୱଲୋକରେ ଉଡ଼ିବୁଲେ, ପୁଣି ବର୍ଷାବାରି ସଙ୍ଗରେ ପୃଥିବୀକୁ ଆସି ମାଟିରେ ମିଶି ରହେ । ମାଟିରୁ ଶସ୍ୟଦେହକୁ ଯାଏ ଏବଂ ଖାଦ୍ୟ ରୂପରେ ପୁରୁଷର ଉଦରସ୍ଥ ହୋଇ ସାର ପଦାର୍ଥରେ ପରିଣତ ହୁଏ । ସେହି ସାର ପଦାର୍ଥ ସ୍ତ୍ରୀଗର୍ଭକୁ ଗଲେ ମନୁଷ୍ୟର ଆକୃତି ଧାରଣ କରେ ଏବଂ ଯଥାସମୟରେ ଭୂମିଷ୍ଠ ହୁଏ ।’’ ସତ୍ୟଭୂଷଣର ଅନୁରୋଧରେ ରାଧାନାଥ ଏହିପରି ଅନେକ ଗଳ୍ପ କରନ୍ତି । ଗ୍ରନ୍ଥବାହୁଲ୍ୟ ଆଶଙ୍କାରେ ତାହା ସବୁ ପରିତ୍ୟକ୍ତ ହେଲା ।

•••

 

Unknown

ଏକାଦଶ ପରିଚ୍ଛେଦ

 

ବ୍ୟାଧିବିଶେଷ ହେତୁ ରାଧାନାଥ ଅଫିମ ସେବନ କରନ୍ତି, ଏହା ପୂର୍ବରୁ ଉକ୍ତ ହୋଇଅଛି-। ସେ ଅଫିମ ଖାଆନ୍ତି; ମାତ୍ର ଅଫିମ ତାଙ୍କୁ ଖାଏ ନାହିଁ । ଅର୍ଥାତ୍ ଅନ୍ୟାନ୍ୟ କୃଷ୍ଣପରାୟଣଙ୍କ ପରି ସେ ଅଳସୁଆ ନୁହନ୍ତି । ତାଙ୍କର ପୋଷ୍ଟଅଫିସ କାର୍ଯ୍ୟ, ସେଥିରେ ଗଧପରି ଖଟଣୀ ଦରକାର; ସୁତରାଂ ଅଳସୁଆ ହେଲେ ଚଳିବ କିପରି ? ତାଙ୍କର କର୍ତ୍ତବ୍ୟ ତାଙ୍କୁ ଅଳସୁଆ କରିଦିଏ ନାହିଁ । କର୍ତ୍ତବ୍ୟର ଶକ୍ତି ଏତେ ଯେ, ‘ଅହିଫେନର’ ରୁଦ୍ର ତେଜକୁ ସେ ପରାସ୍ତ କରେ । ରାଧାନାଥ ମାଛିଅନ୍ଧାରରୁ ଉଠି ଝାଡ଼ାଫେରା ଦାନ୍ତଘଷା ପ୍ରଭୃତି ପ୍ରାତଃକୃତ୍ୟ ଶେଷକରି ଟେଳାଏ ଅଫିମ ଗିଳି ଦିଅନ୍ତି । ପିତୃଦତ୍ତ ଶିକ୍ଷାନୁସାରେ ଯୋଗବିଦ୍ୟା ମଧ୍ୟ ବ୍ରାହ୍ମମୁହୂର୍ତ୍ତରୁ ଉଠି ମୁହଁ ଧୋଇ ଚଞ୍ଚଳ ଚା ଗିଲାସେ ତିଆରି କରିଦିଏ । ରାତିରୁ ଗୋଟିଏ ସାନ ପିଠା ପୋଡ଼ି ରଖିଥାଏ । ପିଠା ଏବଂ ଚା ଆଣି ପିତାଙ୍କୁ ଦିଏ, ସେ ତେତିକର ସଦ୍‌ବ୍ୟବାହର କରି କର୍ମସ୍ଥାନକୁ ଯାଆନ୍ତି । ପିଠାଖଣ୍ଡିକରୁ ଯାହା ବଳିଥାଏ, ଯୋଗବିଦ୍ୟା ଦାନ୍ତଘଷି ତାହାଖାଏ । ସେ ଅତ୍ୟନ୍ତ ପିତୃବତ୍ସଳା । ସ୍ୱହସ୍ତରେ ସୁଖାଦ୍ୟ ପ୍ରସ୍ତୁତ କରି ପିତାଙ୍କୁ ଖୁଆଇଲେ ସେ ଗୋଟାଏ ଅନିର୍ବଚନୀୟ ତୃପ୍ତି ଏବଂ ଆନନ୍ଦ ଉପଭୋଗ କରେ । ବୟୋଧର୍ମରେ ପିତାଙ୍କର ବଳକ୍ଷୟ ହୋଇଆସୁଅଛି ଜାଣି, ବଳବୃଦ୍ଧି ସକାଶେ ତାଙ୍କୁ ପ୍ରତ୍ୟୟ ଦୁଧ ଏବଂ ପୋଡ଼ାପିଠା ଖୁଆଏ । ସେ ପିତାଙ୍କୁ ଅଗାଧ ଭକ୍ତି କରେ । ଅଜ୍ଞାନ ବାଳିକା ପିତୃଭକ୍ତିର ମହିମା ବୁଝେନାହିଁ; କେବଳ ଏତିକି ବୁଝିଅଛି ଏବଂ ବିଶ୍ୱାସ କରେ ଯେ, ପିତାଙ୍କୁ ପ୍ରାଣପଣରେ ସେବା, ଭକ୍ତି କରିବା ସକାଶେ ତାହାର ଜନ୍ମ । ଯୋଗବିଦ୍ୟା, ତୁ ଆୟୁଷ୍ମତୀ ହୋ, ତୋପରି ସୁକନ୍ୟା, ଦେବୀକନ୍ୟା, ନନୀକଳ୍ପ କନ୍ୟା ପ୍ରତିଗୃହ ଅଳଂକୃତ କରନ୍ତୁ । ଯେ ଭାଗ୍ୟବାନ୍, ଯାହାର ପୂର୍ବ ତପସ୍ୟା ଥାଏ ସେ ତୋହପରି କନ୍ୟା-ରତ୍ନ ଲାଭ କରି ଧନ୍ୟହୁଏ । ତୋହପରି ପିତୃପ୍ରାଣା ସୁକନ୍ୟା ଯାହାର ଥିବ, ତାହାର ପୁତ୍ର କି ଲୋଡ଼ା ? ଚା ପାନ ପରେ ରାଧାନାଥ ଗୋଛାଏ କୁଞ୍ଚିକାଠି ଧରି ପୋଷ୍ଟଅଫିସକୁ ବାହାରିଲେ । ଦାଣ୍ଡଦ୍ୱାର ପାର ହେଲାକ୍ଷଣି ଜମିଦାରଙ୍କ ପିଆଦା ଧତେଇ ଜେନାକୁ ଦେଖି ଚମକି ପଡ଼ିଲେ । ଧତେଇ ଗୋଟାଏ ଦଣ୍ଡବତ କରି ଖଣ୍ଡେ ଦୂରରେ ଠିଆହେଲା । ରାଧାନାଥ ପଚାରିଲେ, ‘‘କିରେ ଧତା, ଏତେ ଚାଣ୍ଡେ କୁଆଡ଼େ ଆସିଲୁ ?’’ ଧତେଇ କହିଲା, ‘‘ଆଜ୍ଞା, ସାଆନ୍ତଙ୍କର ହୁକୁମ ହେଲା–ଆପଣ ଯେଉଁ ରହଣବନ୍ଧକ ଲେଖିଦେଇଥିଲ, ତାହାର ମିଆଦ ପୂରିଯାଉଛି । ଅସଲ ସୁଧ ମିଶି ପାଞ୍ଚଶ ଟଙ୍କା ହେଲାଣି, ଆପଣ ସାତଦିନ ଭିତରେ ଯାଇ ଟଙ୍କା ଦେଇଆସିବେ ।’’ ଏକଥା ଶୁଣି ରାଧାନାଥଙ୍କ ମୁଣ୍ଡରେ ବଜ୍ର ଭାଙ୍ଗିପଡ଼ିଲା, ଅନ୍ତରାତ୍ମା ଥରିଉଠିଲା, ସେ କାଠପରି ଠିଆହୋଇ ରହିଲେ । ତାଙ୍କ ମନର ଭାବ ମୁଖ ଏବଂ ଚକ୍ଷୁରେ ଫୁଟି ନ ଉଠୁଣୁ ସେ ଆତ୍ମସମ୍ୱରଣ କରି ମୃଦୁହାସ୍ୟ ସହ ଧୀର ଭାବରେ କହିଲେ, ‘‘ଧତା, ହଉ ତୁ ଯା, ମୁଁ କାଲିଯିବି ।’’ ଧତେଇ ଆଉ ବାକ୍ୟବ୍ୟୟ ନ କରି ବିଶାଳ ବାଉଁଶଠେଙ୍ଗାଟା କାନ୍ଧରେ ପକାଇ ଚାଲିଗଲା; ମାତ୍ର ସଦ୍ୟ ଆୟର କୌଣସି ଆଶା ନ ଦେଖି ଫେରିଯିବାବେଳେ ଆଉ ଦଣ୍ଡବତ କଲାନାହିଁ । ରାଧାନାଥ ଚିନ୍ତିତ ମନରେ ପୋଷ୍ଟ ଅଫିସକୁ ଗଲେ-। କାର୍ଯ୍ୟରେ ମନ ଲାଗିଲା ନାହିଁ; ଯାହାହେଉ ଯନ୍ତ୍ରଚାଳିତ ପରି କର୍ତ୍ତବ୍ୟ ସମ୍ପାଦନ କରିଗଲେ ।

 

ରାଧାନାଥଙ୍କ ବଙ୍ଗଳାର ଗୋଟାଏ ପାଖରେ କ୍ଷୁଦ୍ର କୋଠରୀଟିଏ ଅଛି, ରାଧାନାଥଙ୍କର ତାହା ବିଶ୍ରାମକକ୍ଷ । ତାହାକୁ ବୈଠକଖାନା ବୋଲିବା ସଙ୍ଗତ ନୁହେଁ; ଯେହେତୁ ତାହା ବାବୁଗର୍ଭ ନୁହେଁ, କି ସୁସଜ୍ଜିତ ନୁହେଁ, ପ୍ରତ୍ୟୁତଃ ଦାରିଦ୍ୟର ବହୁଚିହ୍ନରେ ଚିହ୍ନିତ । ଘରଭିତରେ ଏକପାଖିଆ ହୋଇ ଗୋଟାଏ ଖଟ ପଡ଼ିଛି, ତାହାର ଗୋଟାଏ ଖୁରା ନାହିଁ । ସେ ସ୍ଥାନରେ ଖଣ୍ଡେ ବାଉଁଶ ଠେଁସ ଦିଆଯାଇଅଛି । ଚଉକି ଦୁଇଟି ଅତି ବୃଦ୍ଧ । ଉଇର ଗ୍ରାସବଶିଷ୍ଟ ଯାହା ଅଛି, ସେଥିରେ ବସିଲେ ପ୍ରାଣହାନିର ତେତେ ଆଶଙ୍କା ନାହିଁ; ମାତ୍ର ସ୍ଥୂଳକାୟ ଲୋକ ହେଲେ ଖଞ୍ଜତ୍ୱ ଲାଭ ନିଃସଂଶୟ । ରାଧାନାଥ ସନ୍ଧ୍ୟାପରେ ସେହି ଖଟ ଉପରେ ବସି ଋଣପରିଶୋଧର ଉପାୟ ଭାବୁଛନ୍ତି, ମୁଖର ଜ୍ୟୋତି ମଳିନରୁ ମଳିନତର ହୋଇଉଠୁଅଛି । ସେଥିରୁ ବୋଧହେଉଅଛି, ଯେମନ୍ତ କି ଅକୂଳ ସମୁଦ୍ରରେ ସେ କୂଳ ପାଉନାହାନ୍ତି । ଏହି ସମୟରେ ସତ୍ୟଭୂଷଣ ଆସି ଉପସ୍ଥିତ ହେଲା । ଭିତରୁ ତାହାର ଶବ୍ଦ ଣୁଣି ଯୋଗବିଦ୍ୟା ଦୁଇ ଗ୍ଲାସ ଚା ଆଣି ଦୁହିଁଙ୍କ ଆଗରେ ଥୋଇଦେଲା । ଚା ପାନ ଶେଷରେ ନାନାପ୍ରକାର ଗଳ୍ପ ଲାଗିଲା । କଥା ପ୍ରସଙ୍ଗରେ ରାଧାନାଥ ସତ୍ୟଭୂଷଣକୁ କହିଲେ, ‘‘ବାବା, ମୁଁ ବଡ଼ ସଂଙ୍କଟରେ ପଡ଼ିଛି । ବାବାଙ୍କ କ୍ରିୟା ସକାଶେ ଘରତଳି ବନ୍ଧା ଦେଇ ତୁମ୍ଭ ବାପାଙ୍କଠାରୁ ଶହେ ଟଙ୍କା ଋଣ ଆଣିଥିଲି । ତାହା ସୁଧ ଅସଲ ମିଶି ପାଞ୍ଚଶ ହେଲାଣି । ଦଲିଲର ମିଆଦ ପୂରିଯିବାରୁ ସେ ଟଙ୍କା ମାଗୁଛନ୍ତି । ସେଥିପାଇଁ ସାତଦିନ ମାତ୍ର ସମୟ ଦେଇଛନ୍ତି । ସାତଦିନ କାହିଁକି, ସାତବର୍ଷ ମଧ୍ୟରେ ବି ମୁଁ ଟଙ୍କା ସଂଗ୍ରହ କରିପାରିବି ନାହିଁ । ଏବେ କଅଣ କରିବି କିଛି ବୁଦ୍ଧି ଦିଶୁନାହିଁ ।’’ ସତ୍ୟଭୂଷଣ କହିଲା, ‘‘ବର୍ତ୍ତମାନ ଦଲିଲଟା ବଦଳାଇ ଦେଲେ ତ ଚଳିବ ।’’ ରାଧାନାଥ କହିଲେ, ‘‘ତାହା ଛଡ଼ା ଆଉ ଉପାୟ କଅଣ ? କିନ୍ତୁ ଭାଇ କି ସେ କଥାରେ ରାଜି ହେବେ ? ରାଧାନାଥ ଅନ୍ତର୍ଯ୍ୟାମୀ ରାୟଙ୍କୁ ଭାଇ ବୋଲି ଡାକନ୍ତି । ସତ୍ୟଭୂଷଣ କଥାରେ ଟିକିଏ ଜୋର ଦେଇ କହିଲା, ‘‘ହଁ, ତମେ ଯାଇ ବାବାଙ୍କୁ କହିଲେ ସେ ନିଶ୍ଚେ ମାନିବେ ବୋଲି ମୋର ବିଶ୍ୱାସ । ମୁଁ କାଲି କଟକ ଯିବି ଦାଦା, ଦୁଇଦିନ ପରେ ଫେରିଆସିବି ।’’ ଅନନ୍ତର ସତ୍ୟଭୂଷଣ ଯୋଗବିଦ୍ୟାକୁ ଚାହିଁ ପଚାରିଲା, ‘‘କଟକରୁ ତୋ ଲାଗି କଅଣ ଆଣିବି ବିଦ୍ୟା ?’’ ବିଦ୍ୟା ଉତ୍ତର ଦେଲା, ‘‘ପେଣ୍ଡୁଳେ ଉଲ୍ ସୂତା ।’’ ସତ୍ୟଭୂଷଣ ଉଚ୍ଚଶବ୍ଦରେ ହସିଉଠି କହିଲା, ‘‘ଦୂର ଦୂର ପେଚାମୁହିଁ, ନିର୍ବୁଦ୍ଧିଆଣି, କିଛି ଭଲ ଦାମିକା ଜିନିଷ ନ କହି ସୂତା ପେଣ୍ଡୁଳେ ମାଗୁଛୁ, ଲାଜ ମାଡ଼ୁନାହିଁ ତୋତେ ?’’ ଏହିକଥା ପଦକରେ କଣ ଥିଲା କେଜାଣି, ବାଳିକାର କୋମଳ ହୃଦୟରେ କି ଭାବ ଜାତହେଲା କେଜାଣି, ତାହାର ନେତ୍ର ପଲ୍ଲବ ଈଷତ୍ ଆର୍ଦ୍ର ହୋଇଆସିଲା । ସେ ଗଦ୍‌ଗଦ୍‍ କଣ୍ଠରେ କହିଲା, ‘‘ଆଉ କି ଦାମିକା ଜିନିଷ ମାଗିବି ଭାଇ ? ମୁଁ ଯାହା ମାଗି ନାହିଁ, ତାହା ବି ତ ତୁମେ ମୋତେ ଆଣି ଦେଇଛ । ତୁମେ ମୋତେ ଯିମିତି ଶରଧା କର, କେଉଁ ଗାଁର କେଉଁ ଭାଇ ଭଲା ଭଉଣୀକି ସିମିତ ଶରଧା କରେ ?’’ ସତ୍ୟଭୂଷଣ ଆଉ ତାକୁ କହିବାକୁ ଅବସର ନ ଦେଇ କୃତ୍ରିମ ରୋଷ ପ୍ରକାଶପୂର୍ବକ କହିଲା, ‘‘ଚୁପ୍, ଚୁପ୍, ଚୁଲୀପଶି, ଫେର ଯେବେ ସେ କଥା କହିବୁ ତେବେ ଜାଣିଥା–’’ ଏହା କହି ଗୋଟାଏ ପ୍ରକାଣ୍ଡ ବିଧା ଉଞ୍ଚାଇଲା । ତାହା ଦେଖି ଯୋଗବିଦ୍ୟା ହସିଉଠିଲା । ବର୍ଷାବାରିସିକ୍ତ ଶତଦଳ ଉପରେ ରବିରଶ୍ମି ଖେଳିଗଲା । ରାଧାନାଥ ସବୁ ଦେଖୁଥିଲେ । ଭ୍ରାତା ଭଗିନୀର ସ୍ନେହ ଭକ୍ତିର ପ୍ରବଳ ଉଚ୍ଛ୍ୱାସରେ ତାଙ୍କ ହୃଦୟ ପୂରିଉଠିଲା । ସେ ମନେ ମନେ ଭାବିଲେ, ‘ଭଗବାନଙ୍କର ମହିଁମା କି ବିଚିତ୍ର, ସେ ନିଃସମ୍ପର୍କୀୟ ପର ପାଇଁ ସୁଦ୍ଧା ପର ହୃଦୟରେ ସ୍ଥାନ ରଖିଥାଆନ୍ତି ।’’ ରାତ୍ରି ଅଧିକ ହୋଇଯିବାରୁ ସତ୍ୟଭୂଷଣ ବିଦାୟ ନେଲା, ପିତାପୁତ୍ରୀ ଉଠି ଘର ଭିତରକୁ ଗଲେ ।

 

ତହିଁ ପରଦିନ ରାଧାନାଥ ପୋଷ୍ଟଅଫିସ କାର୍ଯ୍ୟସାରି ଜମିଦାରଙ୍କ ଉଆସକୁ ଗଲେ । ଜମିଦାର ଦୂରରୁ ଦେଖି କହିଲେ । ‘‘କି ରାଧୁ, ଆଜି ଅପୂର୍ବ ଯେ ? ମୁଁ ଭାବିଥିଲି ତମେ ଆମକୁ ପାସୋରି ସାରିଲଣି । ଯାହାହେଉ ଆଜି କୁଆଡ଼େ ଏଣେ ଆସିଲ ? ଟଙ୍କା ଆଣିଛ ତ ? ରାଧାନାଥ ଇତସ୍ତତଃ ହୋଇ ଧୀର ଅନୁଚ୍ଚ ସ୍ୱରରେ କହିଲେ, ‘‘ଆଜ୍ଞା-ନା, ଟଙ୍କା କାହୁଁ ଆଣିବି, ଦସ୍ତାବିଜ ବଦଳାଇ ଦେବି ।’’ ଜମିଦାର ଗର୍ଜିଉଠି କହିଲେ, ‘‘ହଁ, ଦଲିଲ ବଦଳାଇ ଦିଅ, ଆମେ କାଗଜ ଖଣ୍ଡକରେ ଗୁଡ଼ ଲଗାଇ ଚାଟୁ, ଆଉ ତୁମେ ନିଶ୍ଚିନ୍ତ ହୋଇ ମଉଜ କର । ଏ ଦୁନିଆ ଏହିପରି ହୋ, ସବୁ ଖାଇବୁଡ଼ା ଏକା । ନେବାବେଳେ ଦାନ୍ତ ନିଫିଡ଼ି ଗୋଡ଼ରେ ତେଲ ଘଷିଘଷି ହାତରେ ଫୋଟକା ହୋଇଯାଏ, ଆଉ ନେଇ ସାରିଲେ ନବାବଙ୍କ ନାତି, କିଏ କାହାକୁ ପଚାରେ । ସତେ ଯିମିତି ଚୌଦପୁରୁଷର ଅର୍ଜନ ଏଠି ରଖିଯାଇଥିଲେ । ଆସିଲେ ନେଲେ, ଖାଇପିଇସାରି ମୁହଁ ପୋଛିଦେଲେ, ବାସ କାମ ଶେଷ, ବାହାଘର ସରିଲା, ଏବେ ବେଦୀମୁହଁ ପୋଡ଼ିଦିଅ ।’’ ରାଧାନାଥ କହିଲେ, ‘‘କାହିଁକି ଆଉ ଲଜ୍ଜା ଦେଉଛନ୍ତି, ମୁଁ ବର୍ତ୍ତମାନ ଟଙ୍କା କେଉଁଠୁ ପାଇବି ?’’ ଜମିଦାର ଅଭିନୟ କଲାପରି ହସ୍ତମୁଖ ହଲାଇ କହିଲେ, ‘‘ଓ ହୋ, ଲଜ୍ଜା ହୋଇଗଲା । ଆହା, କି ମହାମାନୀ ଦୁର୍ଯ୍ୟୋଧନରେ ! ଯେତେବେଳେ ବାପାଙ୍କ କ୍ରିୟା ବନ୍ଦ ହେଉଥିଲା, ମୁଣ୍ଡରେ ଆଣ୍ଠିଏ ରୁଢ଼ ବଢ଼ିଥିଲା, ତେତେବେଳେ ଲାଜ ମାଡ଼ୁଥିଲା ନା ? ଯାଅ, ଯାଅ, କଉଁଠୁ ଆଣିବ ମୁଁ କି ଜାଣେ । ସାତଦିନ ଭିତରେ ଟଙ୍କା ଦେଇଯାଅ, ନ ହେଲେ ଭଲ ହେବନାହିଁ ।’’ ଜମିଦାର ଏହାକହି ଉଠି ଚାଲିଗଲେ । ରାଧାନାଥ ଦୀର୍ଘ ନିଃଶ୍ୱାସ ଛାଡ଼ି ଘରକୁ ଫେରିଆସିଲେ । ବାଟରେ ଆସୁଁ ଆସୁଁ ଏହି ଭର୍ତ୍ସନା ତାଙ୍କ ମନରେ ବାରମ୍ବାର ପୀଡ଼ା ଦେଲା । ତାଙ୍କର ସର୍ବାଙ୍ଗ ଜଳିଗଲା । ସେ ତଳେ ଚାଲିଛନ୍ତି କି ଆକାଶରେ ଉଡ଼ୁଛନ୍ତି, ପୃଥିବୀ ତାଙ୍କ ଗୋଡ଼ତଳେ ଅଛି କି ମୁଣ୍ଡ ଉପରକୁ ଉଠିଗଲାଣି, କିଛି ସ୍ଥିର କରିପାରିଲେ ନାହିଁ । ମୁଣ୍ଡ ଘୁରାଉଅଛି, ସେ ଚାଲିଅଛନ୍ତି; ମାତ୍ର ବାଟ ସରିବାକୁ ନାହିଁ । କେତେକ୍ଷଣ ପରେ ଘରେ ପହଞ୍ଚି ପୂର୍ବୋକ୍ତ କୋଠରୀରେ ଯାଇଁ ବସିଲେ । ଏହି କୋଠରୀରେ ତାଙ୍କ ଜୀବନର କେତେ ସୁଖ ଦୁଃଖ ଜଡ଼ିତ ଅଛି, କେତେ ଆଶା ଆକାଙ୍‌କ୍ଷା ଏହିଠାରେ ଜନ୍ମି ଏହିଠାରେ ବିଳୟ ଲଭିଛି, କେତେ ହାସ୍ୟ କଲ୍ଲୋଳ, କେତେ ବେଦନାଭରୀ ତପ୍ତ ନିଃଶ୍ୱାସ ଏହି ଗୃହର ବାୟୁରେ ମିଶିଅଛି, ଗୃହର ପ୍ରତ୍ୟେକ ଉପକରଣ ଓ ଉପକରଣର ପ୍ରତ୍ୟେକ ପରମାଣୁ ସେଥିର ଜୀବନ୍ତ ମୂକ ସାକ୍ଷୀ । ରାଧାନାଥ ସେହି ଗୃହକୋଣରେ ବସି କେତେ କଅଣ ଭାବୁଛନ୍ତି । ସେ ଭାବନାରେ ଏକାନ୍ତ ତନ୍ମୟ ଏବଂ ବାହ୍ୟଜ୍ଞାନଶୂନ୍ୟ । ଏହିପରି ଭାବରେ ପ୍ରହରେ କାଳ ଅତିବାହିତ ହୋଇଗଲାଣି । ଯୋଗବିଦ୍ୟା ଭାତ ଖାଇବା ପାଇଁ ପିତାଙ୍କୁ ଡାକିବାକୁ ଆସିଲା । ପିତାଙ୍କର ଅବସ୍ଥା ଦେଖି ଭୀତ ଏବଂ ତଟସ୍ଥ ହୋଇ ଠିଆହେଲା । କ୍ଷଣକ ପରେ ଡାକିଲା, ‘‘ବାବା-!’’ ରାଧାନାଥ ନୀରବ । ପୁନଶ୍ଚ ଡାକିଲା, ‘‘ବାବା !’’ ରାଧାନାଥ ପୂର୍ବପରି ନୀରବ, ନିଶ୍ଚଳ । ବାଳିକା ଉଚ୍ଚ ସ୍ୱରରେ କାନ୍ଦିଉଠି କହିଲା, ‘‘ବାବା, ଶୁଣୁନାହଁ କାହିଁକି ?’’ କନ୍ୟାର ଚିତ୍କାରରେ ପିତାଙ୍କର ଚେତନା ହେଲା, ସେ ଚମକିଉଠି କହିଲେ, ‘‘କି ମା, ମୋତେ ଡାକୁଥିଲୁ ? ଓଃ, ମୁଁ ଟିକିଏ ଶୋଇପଡ଼ିଥିଲି, ଚାଲ ମା, ଚାଲ ।’’ ମନୋଭାବ ଗୋପନ ରଖି କନ୍ୟାକୁ ଏହିପରି ଭୁଲାଇଦେଲେ; ମାତ୍ର ବୁଦ୍ଧିମତୀ ବାଳିକା ସେଥିରେ ଭୁଲିଲା ନାହିଁ । ସେ ପିତାଙ୍କର ଅଜ୍ଞାତ ମନୋବେଦନା ବୁଝିପାରିଲା; କେବଳ କାରଣ ବୁଝିପାରିଲାନାହିଁ; ମାତ୍ର କିଛି ନ କହି ନୀରବରେ ପିତାଙ୍କର ଅନୁଗମନ କଲା । ରାଧାନାଥ ଭାତଥାଳୀ ପାଖରେ ବସି ଲୁଣ ମେଞ୍ଚାଏ ଧରି ଡାଲିରେ ଗୋଳାଇ ଦେଲେ, ପୁଣି ଭଜା ଦୁଇଖଣ୍ଡ ଆଣି ଭାତରେ ଗୋଳାଇବାକୁ ଚେଷ୍ଟା କଲେ; ମାତ୍ର କିଛି ମୁହଁକୁ ନେଲେ ନାହିଁ । ଆଖିରୁ ଦୁଇଧାର ଲୋତକ ଭାତ ଥାଳୀରେ ଗଡ଼ିପଡ଼ିଲା । କମଳା ସ୍ୱାମୀଙ୍କର ଏରୂପ ଅବସ୍ଥା ଦେଖି କହିଲେ, ‘‘ତୁମେ କାନ୍ଦୁଛ କାହିଁକି ?’’ ରାଧାନାଥ ଆଉ ସମ୍ଭାଳି ପାରିଲେ ନାହିଁ, ପିଲାଙ୍କ ପରି ଧକେଇ ହୋଇ କାନ୍ଦି କାନ୍ଦି କହିଲେ, ‘‘ବିଦ୍ୟାବୋଉ ଆଜି ଅନ୍ତର୍ଯ୍ୟାମୀ ଭାଇ ଟଙ୍କା ଲାଗି ଖୁବ୍ କଡ଼ା କଡ଼ା ପାଞ୍ଚକଥା ବକିଦେଲେ ।’’ କହୁଁ କହୁଁ ବାଷ୍ପରୁଦ୍ଧ ହୋଇଗଲା, ଆଉ କହି ପାରିଲେନାହିଁ । କମଳା କହିଲେ, ‘‘ଏଇଥି ଲାଗି ପରା ତମେ କାନ୍ଦୁଛ ? ଆମେ ତାଙ୍କର ଧାରନ୍ତି, ସେ ଯାହା କହିବେ ତାହା ସହିବା, ସେଥିପାଇଁ ଦୁଃଖ କଲେ କଅଣ ହେବ ? ବିଧାତା ବଡ଼ଲୋକଙ୍କୁ କହିବା ପାଇଁ ଆଉ ଗରିବଙ୍କୁ ସହିବା ପାଇଁ ଜନ୍ମ ଦେଇଛି ।’’ ରାଧାନାଥ କହିଲେ, ‘‘ଭାଇ ତ ଏମିତି କଥା ମୋତେ କେବେ କହନ୍ତି ନାହିଁ, ଆଜି କାହିଁକି କହିଲେ ?’’ କମଳା କହିଲେ, ‘‘କାହିଁକି ଆଉ କଅଣ ? କହନ୍ତି ପରା–ଟଙ୍କା ମୁହଁ ବଙ୍କା ।’ ତାହା ଆଗରେ ଭାଇ ବନ୍ଧୁ, ପ୍ରିୟାପ୍ରୀତି, ମୁଖଲଜ୍ଜା, ଚକ୍ଷୁଲଜ୍ଜା କିଛି ନାହିଁ । ତୁମେ ଆଉ ଦୁଃଖ କରନାହିଁ, ଭାତ ଶୁଖିଯାଉଛି, ଖାଅ ।’’ ରାଧାନାଥ ସ୍ତ୍ରୀଙ୍କର ଏହିପରି ଆଶ୍ୱାସନାରେ କିଞ୍ଚିତ ଶାନ୍ତହୋଇ ଖାଇବାକୁ ବସିଲେ; ମାତ୍ର ଖାଇପାରିଲେ ନାହିଁ, ଗୁଣ୍ଡେ ଦୁଇଗୁଣ୍ଡା ମାତ୍ର ଖାଇ ଉଠିଗଲେ।

 

ଦୁଇଦିନ ପରେ ସତ୍ୟଭୂଷଣ କଟକରୁ ଫେରିଆସିଲା । ସେହିଦିନ ସନ୍ଧ୍ୟାବେଳେ ରାଧାନାଥ ତାଙ୍କର ପୂର୍ବ କଥିତ କୋଠରୀଟିରେ ମୌନହୋଇ ବସିଥିଲେ । ତାଙ୍କର ଜୀବନଯାକର ଦୈନ୍ୟ ଆସି ମୁଖମଣ୍ଡଳରେ ରେଖାପାତ କରିଥିଲା । ପିତାଙ୍କୁ ତଦବସ୍ଥ ଦେଖି ଯୋଗବିଦ୍ୟା କହିଲା, ‘‘ବାବା ! ତୁମେ ଆଉ ଏତେ ଚିନ୍ତା କରନାହିଁ; ଯାହା କପାଳରେ ଥିବ, ତାହା ହେବ । ତୁମେ କିଛି ଖାଉନାହଁ, ଦେହ ଶୁଖିଗଲାଣି, ତୁମେ ଇମିତି ହେଲେ ମୁଁ କାନ୍ଦିବି ।’’ ରାଧାନାଥ ବାଳିକାର ଏ ଅଭିମାନ ମିଶା ପ୍ରବୋଧବାଣୀ ଶୁଣି ତାକୁ ପାଖକୁ ଟାଣି ଆଣି ଆଦର କରି କଅଣ କହିବାକୁ ଯାଉଅଛନ୍ତି, କଥା ଆସି ତାଙ୍କ ଜିଭ ଆଗରେ ହେଲାଣି, ଏହି ସମୟରେ ସତ୍ୟଭୂଷଣ ଆସି ଉପସ୍ଥିତ ହେଲା । ପ୍ରଥମେ ସେ ରାଧାନାଥକୁ ଦେଖି ଚମକି ଉଠି କହିଲା, ‘‘କି ରାଧୁ ଦାଦା, ତମ ମୁହଁ ଶୁଖି କଳାପଡ଼ି ଯାଇଛି କାହିଁକି ? ଯେପରି କି ଭାରି ଚିନ୍ତା ଗୋଟାଏ ତମ ମନ ଉପରେ ଲଦି ହୋଇପଡ଼ିଛି ।’’ ରାଧାନାଥ ବଳତ୍କାରରେ ଟିକିଏ ଶୁଷ୍କ ହାସ୍ୟରେଖା ଟାଣି ଆଣି କହିଲେ, ରୋଗଚିନ୍ତା, ଋଣଚିନ୍ତା ଆଉ ପେଟଚିନ୍ତା ଯାହାର ନିତ୍ୟ ସହଚର, ତାହାର ଚିନ୍ତାର ଅଭାବ କଅଣ ବାବା ? ତେବେ ସେ ସବୁ ଚିନ୍ତା ମୋତେ ତେତେ ପୀଡ଼ା ଦେଇପାରେନାହିଁ । ଅଭ୍ୟାସ ବଶତଃ ଦେହରେ ତାହା ସହିଗଲାଣି । ପେଟ ତ ଏକ ପ୍ରକାର ଚଳୁଛି–ଆଉ ରୋଗ, ସେ ତ ମୋର ପରମାତ୍ମୀୟ, ମୋତେ ଛାଡ଼ି ସେ କେଉଁଠାରେ ବା ଯାଇ ଅନାଥ ହୋଇ ବୁଲିବ ? ଋଣ ସୁଝି ନ ପାରିଲେ ଘରବାଡ଼ି ନିଲାମ ହେବ, ତାହା ତ ଆଇନରେ ଅଛି । ଯାହା ଅବଶ୍ୟ ଘଟିବ ତାହାପାଇଁ ଚିନ୍ତାକରି ଅବା ଫଳ କଅଣ ? ଚିନ୍ତା ଏକା ମୋର ଏହି ବାୟାଣୀ ମାଆଟି ଲାଗି ।’’ ନିଜ ସମ୍ପର୍କର କଥା ଶୁଣି ଯୋଗବିଦ୍ୟା ସେଠାରୁ ପଳାଇଗଲା । ରାଧାନାଥ କନ୍ୟାକୁ ଲଜ୍ଜାରେ ପଳାଇବାର ଦେଖି ଟିକିଏ ହସିଦେଇ କହିଲେ–‘‘ମୋପରି ଦରିଦ୍ରର ଘରେ ବିଧାତା ଏ ରତ୍ନ ଆଣି କାହିଁକି ଦେଲେ ? ବିଦ୍ୟା ମୋର ଜୀବନ ପ୍ରହରୀ । କିପରି ମୋର ମନ ସବୁବେଳେ ପ୍ରଫୁଲ୍ଲ ରହିବ, କିପରି ମୁଁ ସନ୍ତୋଷରେ ଖାଇବି, ଦିନରାତି ତାହାର ଏହି ଚେଷ୍ଟା । ଶୁଣିବ ବାୟାଣୀର କଥା, ମୁଁ ଦୁର୍ବଳ ହୋଇଗଲି ବୋଲି ଦୁଇଓଳି ମୋତେ ଦୁଧ, ପୋଡ଼ାପିଠା ଖୁଆଉଛି । ତାହାର ଇଚ୍ଛା, ସେ ତାହା ବାପକୁ ଯମପୁରକୁ ବି ଛାଡ଼ିଦେବ ନାହିଁ–ଅମର କରି ରଖିଥିବ । ଏ ରତ୍ନଟି ମୁଁ କାହାକୁ ଦେବି, ଗରିବର କନ୍ୟାକୁ ଯୋଗ୍ୟପାତ୍ର ମିଳିବା କି ସହଜ ? ଆଉ ବର କିଣିବାକୁ ବା ମୋର ଶକ୍ତି କାହିଁ ।’’ ସତ୍ୟଭୂଷଣ ତାଙ୍କୁ ଆଉ ଅଧିକ ଅଗ୍ରସର ହେବାକୁ ନ ଦେଇ କହିଲା–‘‘ଓଃ, ସେ କଥା ରହିଯିବ । ଗରିବ ଘରର କନ୍ୟାଙ୍କୁ କଅଣ ଯୋଗ୍ୟପାତ୍ର ମିଳିବ ନାହିଁ ବୋଲି ବିଧାତାର ଅଭିଶାପ ଅଛି ? ସେଥିଲାଗି ତମେ ଚିନ୍ତାକର ନାହିଁ ଦାଦା । ବିଦ୍ୟା ଖୁବ୍ ଭାଗ୍ୟବତୀ, ତାହାର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ ହେବ । ହଁ, ପଚାରିବାକୁ ଭୁଲିଯାଇଛି, ତୁମେ ବାପାଙ୍କ ପାଖକୁ ଯାଇଥିଲ ?’’ ରାଧାନାଥ ଆମୂଳଚୂଳ ସବୁ କହିଗଲେ । ସତ୍ୟଭୂଷଣ ଶୁଣି ତାଟଙ୍କା ହୋଇଗଲା ଏବଂ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲା–‘‘ବାବା ତ ଏପରି ଇତର କଥା କାହାକୁ କହନ୍ତି ନାହିଁ । ଆଚ୍ଛା, ତୁମେ ଭଲା କହିଲ ଦାଦା, ଭଦ୍ରଲୋକକୁ ବାବା ଏତେଦୂର ତୁଟି କରି କଥା କହନ୍ତି, ଏହା ତୁମ୍ଭେ କେବେ ଶୁଣିଛ ?’ ରାଧାନାଥ କହିଲେ–‘‘ଆଉ କାହାକୁ କହନ୍ତି କି ନା ଜାଣେ ନାହିଁ; ମାତ୍ର ମୋତେ କେବେ କହନ୍ତି ନାହିଁ । ତାଙ୍କ କ୍ରୋଧରୁ ମୁଁ ବୁଝିଛି, ସେ ମୋତେ ସହଜରେ ଛାଡ଼ିବେ ନାହିଁ, ମୋର ଘରବାଡ଼ି ନିଲାମ କରି ତାଙ୍କ ଟଙ୍କା ଆଦାୟ କରିବେ ।’’ ସତ୍ୟଭୂଷଣ କହିଲା–‘‘ମୁଁ ଶୁଣିଥିଲି, ବାବା ତୁମ ବାପାଙ୍କୁ ତିନିଗୁଣ ଭୂମି ଦେବାର ଲୋଭ ଦେଖାଇ ତମ ଘରଡ଼ିହଖଣ୍ଡି ମାଗିଥିଲେ । ତମ ବାବା ରାଜିହେଲେ ନାହିଁ, କହିଥିଲେ–ଦଶଗୁଣ ଦେଲେ ସୁଦ୍ଧା ମୋର ପିତୃପିତାମହଙ୍କ ବାସ୍ତୁଭୂମି ମୁଁ ବିକ୍ରୟ କରିବି ନାହିଁ । ଏଥିରେ ମୋର ପୂର୍ବପୁରୁଷର ପୁଣ୍ୟସ୍ମୃତି ଜଡ଼ିତ ଅଛି, ଏହା ମୋ ପକ୍ଷରେ ପବିତ୍ରତୀର୍ଥ । ତୁମେ ସେହି ପିତାଙ୍କର ପୁତ୍ର ହୋଇ କଅଣ ଘରଡ଼ିହଖଣ୍ଡି ଛାଡ଼ିଦେବ ? ସେଥିରେ ତୁମ, ପିତାଙ୍କର ସତ୍ୟଭଙ୍ଗ ହେବ ନାହିଁ ?’’ ରାଧାନାଥ କହିଲେ, ‘ଯାହା ହେଉ, ଆଉ ଉପାୟ କଅଣ ଅଛି ?’ ସତ୍ୟଭୂଷଣ କହିଲା–‘ହଁ ଉପାୟ ଅଛି, ସେ ପାଞ୍ଚଶ ଟଙ୍କା ମୁଁ ତୁମ୍ଭକୁ ଦେବି ।’ ରାଧାନାଥ ଦଣ୍ଡେଯାଏ ତାହା ମୁଁହକୁ ଅନାଇ ରହି କହିଲେ–‘‘ତୁମେ ଦେବ ?’’ ସତ୍ୟଭୂଷଣ ଦୃଢ଼ ସ୍ୱରରେ କହିଲା–‘‘ହଁ, ଦେବି ।’’ ରାଧାନାଥ ପଚାରିଲେ–‘‘କାହିଁକି ଦେବ ?’’ ସତ୍ୟଭୂଷଣ ଉତ୍ତେଜିତ ହୋଇ କହିଲା–‘‘କାହିଁକି ଦେବି ଜାଣେ ନାହିଁ, ତେବେ ଏତିକି ଜାଣେ ଯେ, ବିପନ୍ନକୁ ସାହାଯ୍ୟ କରିବା ମନୁଷ୍ୟର କର୍ତ୍ତବ୍ୟ ।’’ ରାଧାନାଥ କହିଲେ, ‘ଏ କଥା କେହି ଜାଣିଲେ ତୁମ ବାପ କି ଆଉ ମୋର ମୁଣ୍ଡ ରଖିବେ ?’ ସତ୍ୟଭୂଷଣ କହିଲା–‘‘କେହି ଜାଣିବେ ନାହିଁ, ସେ ଭୟ ନାହିଁ । ଆଉ ବାବାଙ୍କ କ୍ରୋଧର କାରଣ ବୁଝିଛ ତ ? ତାହା ଆମର କେତେଜଣ କର୍ମଚାରୀଙ୍କର ଷଡ଼ଯନ୍ତ୍ର । ସେମାନେ ବାବାଙ୍କୁ ସରଳ ଦେଖି ଦୁଇ ହାତରେ ଖାଉଥିଲେ, ମୁଁ ଧରାଧରି କରିବାରୁ ସେମାନେ ବିରକ୍ତ । ମୁଁ ଏଠିକି ଆସି ବସାଉଠା କରେ, ଏହା ତାଙ୍କର ଚକ୍ଷୁଶୁଳ । ଶୁଣିଲି ସେମାନେ ଗୋଟାଏ ଜଘନ୍ୟ ମିଥ୍ୟା କଥା ରଟନା କରିଅଛନ୍ତି, ତାହା ବାବାଙ୍କର କର୍ଣ୍ଣଗୋଚର ହୋଇଅଛି । ସେ ଯାହାହେଉ ନୀଚ ଲୋକଙ୍କର କୁତ୍ସିତ କଥାକୁ କିଏ ଡରିଛି ? ମୁଁ ଯାଉଛି, କାଲି ଟଙ୍କା ଆଣିଦେବି ।’’ ଏହା କହି ସତ୍ୟଭୂଷଣ ଉଠି ଠିଆହେଲା ଏବଂ ପକେଟରୁ ପେଣ୍ଡୁଳାଏ ଉଲ ସୂତା ବାହାରକରି ରାଧାନାଥଙ୍କ ହାତରେ ଦେଇ ତାହା ଯୋଗବିଦ୍ୟାକୁ ଦେବାପାଇଁ କହି ଶୀଘ୍ର ବାହାରିଗଲା ।

 

ସତ୍ୟଭୂଷଣ ଯେତେବେଳ ଯାଏ ଦେଖାଗଲା, ରାଧାନାଥ ତାହାକୁ ଏକ ଧ୍ୟାନରେ ଚାହିଁରହିଲେ । ସେ ଦୃଷ୍ଟିପଥରୁ ଉହାଡ଼ ହୋଇଗଲା ପରେ ମନେ ମନେ କହିଲେ–‘‘ଏହା ମୋର ସ୍ୱପ୍ନର ବିକାର ନୁହେଁ ତ ?’’ ଚାରିଆଡ଼କୁ ଚକ୍ଷୁ ଫେରାଇ ଭଲରୂପେ ଦେଖିଲେ–ନା ତାଙ୍କର କିଛି ଭୁଲ ହୋଇନାହିଁ । ବାସ୍ତବ କି ଭୁଲ ହୋଇପାରେ ? ସେ କହିଲେ, ‘ଟଙ୍କା ଯାହାର ଜୀବନ, ଏ କି ସେହି ବାପର ପୁଅ, ଏ ଫଳ କି ସେହି ଗଛର ! ନୁହେଁ ବୋଲି ଅବା କିପରି କହିବି ? ଆମ୍ବଗଛର ଛାଲି, ପତ୍ର, ଫୁଲ ସବୁ କଷା; କିନ୍ତୁ ଫଳ ମଧୁର । ପଙ୍କରୁ ପଦ୍ମ ଜାତହୁଏ, ଅଙ୍ଗାର ଖଣିରୁ ହୀରା ବାହାରେ, ବିଷଦଗ୍‌ଧ ସର୍ପଫଣାରୁ ମଣି ଜାତହୁଏ; ଅତଃ ଅସମ୍ଭବ କଅଣ ?’’ ପିତା ହୃଦୟହୀନ ବୋଲି ପୁତ୍ର ହୃଦୟବାନ ନ ହେବ କାହିଁକି ? ସିନ୍ଧୁର ହୃଦୟ ଲବଣାକ୍ତ; କିନ୍ତୁ ସିନ୍ଧୁପୁତ୍ର ଇନ୍ଦୁର ହୃଦୟ ଅମୃତିତ । ସତ୍ୟ, ବାବା ସତ୍ୟଭୂଷଣ ତୁ ଦୀର୍ଘାୟୁ ହୋ, ମୋହରି ପରମାୟୁ ଘେନି ବଞ୍ଚିଥା ବାପ ! ତୁ ନର ନୋହୁ, ନରର ଭୂଷଣ । ତୋର ଦେବଚରିତ୍ରକୁ ଯେ ଈର୍ଷା କରିବ, ତାହାର ବି ପରମ ଲାଭ-। ତୋର ହୃଦୟ ଅଛି, ବିପନ୍ନ ଦୁଃଖୀର ବ୍ୟଥା ସେ ହୃଦୟକୁ ଘାରିପକାଏ । ତୁ ଅଳ୍ପବୟସ୍କ ହେଲେ ହେଁ ମହାପ୍ରାଣ ମାନବର ପବିତ୍ର ଶୂଭାଦର୍ଶ ତୋ ପ୍ରାଣରେ ଫୁଟିଉଠିଅଛି । ରାଧାନାଥ ଏହିପରି ଅନେକ କଥା ମନେ ମନେ କହିହୋଇ ରାତି ଅଧିକ ହୋଇଯିବାରୁ ଘରକୁ ଉଠିଗଲେ ।

•••

 

ଦ୍ୱାଦଶ ପରିଚ୍ଛେଦ

 

ବୃନ୍ଦାବତୀ ପ୍ରତ୍ୟହ ସକାଳେ ସ୍ୱହସ୍ତପ୍ରସ୍ତୁତ ଜଳଖିଆ ପୁଅକୁ ଖୁଆନ୍ତି । ସତ୍ୟଭୂଷଣ ପ୍ରାତଃସ୍ନାୟୀ, ସେ ସ୍ନାନ କରି ଆସି ଜଳଖିଆ ଖାଏ । ବଜାର ଜଳଖିଆରେ ତାହାର ପେଟ ପୂରେନାହିଁ କି ତୃପ୍ତି ମଧ୍ୟ ହୁଏ ନାହିଁ । ସତ୍ୟଭୂଷଣ ଭାରି ଜଳଖିଆ ପ୍ରିୟ । ସଂସାରରେ ଜଳଖିଆ ଛଡ଼ା ତାହାର ପ୍ରିୟ ପଦାର୍ଥ କିଛିନାହିଁ । ସେହି ଲାଳିଚାରେ ରାତି ଘଡ଼ିଏ ଥାଉଣୁ ତାହାର ନିଦ ଭାଙ୍ଗିଯାଏ; ମାତ୍ର ଆଜି ତାହାର ସେ ଲାଳସା ନାହିଁ, କିପରି ମାତାଙ୍କଠାରୁ ଟଙ୍କା ହସ୍ତଗତ ହେବ, ଏହି ଚିନ୍ତାରେ ସେ ଅଧୀର ଜଳଖିଆ ଖାଇବାରେ ତାହାର ମନ ଲାଗୁନାହିଁ । ସେ ଆଖିରେ, କାନରେ ଗୁଞ୍ଜି ଦେଉଅଛି । ଜନନୀ ପୁତ୍ରର ଏ ଭାବ ଲକ୍ଷ୍ୟକରି କହିଲେ–‘‘କିରେ, ତୁ ଆଜି ଏତେ ଟାଉ ଟାଉ ହଉଛୁ କାହିଁକି, ତୋର କି ତଡ଼ବଡ଼ି କାମ କେଉଁଠି ଅଟକିଛିକି ? ଭଲକରି ବସି ପେଟପୁରାଇ ଖା, ସେହି ପାଟକପୂରା କଦଳୀ ଦିଟା ଖାଇଦେ, ତୋହରି ଲାଗି ତାକୁ ପଚାଇଥିଲି । ମୋ ବାବାଟା, ମୋ ସଙ୍ଖାଳିଟା, ସେ କାକରା ଖଣ୍ଡକ ସବୁ ଖାଇଦେ, ନ ଖାଇଲେ ମୋ ମୁଣ୍ଡ ଖାଇବୁ ।’’ ସତ୍ୟଭୂଷଣ ମୃଦୁ ମୃଦୁ ହସି ସ୍ନେହମୟୀ ଜନନୀଙ୍କ ମୁଣ୍ଡଟି ଛାଡ଼ି ଆଉ ସବୁ ଖାଇଦେଲା-। ହାତ ଧୋଇସାରି କହିଲା–‘‘ମା, କିଛି ଟଙ୍କା ଦେଇପାରିବୁ ? ମା କହିଲେ–‘‘କି ଟଙ୍କା, କଅଣ କରିବୁ ? ଫେର୍ ସେହି ଦେଶସଭା ଫେଶସଭା କଅଣ କରୁଛୁ କିରେ ?’’ ସତ୍ୟଭୂଷଣ କହିଲା–‘‘ନା, ଜଣକୁ ବିପଦରୁ ଉଦ୍ଧାର କରିବି । ରାଧୁ ଦାଦାଙ୍କ ବାପ ମରିବାବେଳେ ସେ ଘରବାଡ଼ି ରହଣ ଲେଖିଦେଇ ଶହେ ଟଙ୍କା ନେଇଥିଲେ, ତାହା ସୁଧ ଅସଲ ମିଶି ପାଞ୍ଚଶ ହେଲାଣି । ବାବା କହୁଛନ୍ତି–ଟଙ୍କା ନ ଦେଲେ ତାଙ୍କ ଘରତଳି ନିଲାମ କରିନେବେ । ତାଙ୍କ ଅବସ୍ଥା କଥା କଅଣ କହିବି ମା, ଦୁଇ ଓଳି ଚୁଲୀ ଜଳୁଛି, ଏତକ ଭାଗ୍ୟର କଥା, ନ ହେଲେ ଚାରି ଚାଳ ଖରକି ଆଣିଲେ ଗୋଟେ ଖୁଦଗୁଣ୍ଡି ବି ମିଳିବ ନାହିଁ । ସେ ଟଙ୍କା କେଉଁଠୁ ଆଣି ଦେବେ, ନ ଦେଲେ ଘର ନିଲାମ ହେବ, ଆଉ ଗୋଟାଏ ଭଦ୍ର ପରିବାର ମାନମହତ୍ତ୍ୱ ହରାଇ ପର ଓଳିରେ ଯାଇ ଠିଆହେବ । ରାଧୁ ଦାଦା ଢେର କହିଲେ; ମାତ୍ର ବାବା ମାନିଲେ ନାହିଁ ।’’ ବୃନ୍ଦାବତୀ ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ–‘‘ହଁରେ ବାପ, ତୋ ବାପ ପରି ଏକବୁଝା ଦୁନିଆରେ କିଏ ଅଛି ? ଯାହା ବୁଝିଥିବେ ସେଇଆ । ଜଣକୁ ସେ ବାସଛଡ଼ା କରିବେ, ଉଃ, କି ଅନ୍ୟାୟ ଲୋ ମା । ନାରେ ବାପ, ମୋ ଦିହ ଥରୁଛି, ମୋର ଗୋଟିଏ ପୁଅ ତୁ, ତୋର ଅକଲ୍ୟାଣ ହେବ । ତୁ ଯାହା ନେବୁ ସିନ୍ଦୁକରୁ ନେଇ ତୋ ରାଧୁଦାଦାଙ୍କୁ ଦେ, ଏକଥା କେହି ଜାଣିବେ ନାହିଁ । ତୋ ବାପ ବି ଜାଣିବେ ନାହିଁ । ଆରେ ସତୁ, ରାଧୁର ଝିଅ ବିଦ୍ୟାଟି ଭଲ ଅଛି ନା ? ଉଃ, କି ଲାଜକୁଳୀ ଲୋ ମା, ସାଇ ପଡ଼ିଶାକୁ ବି ଟିକିଏ ବୁଲିବାକୁ ଆସେ ନାହିଁ । ଆରଶି ଭିତରର ଛବି ପରି ଆଛା ସୁନ୍ଦର ଝିଅଟିଏ । ଦିହ ପାକଲା ଆମ୍ବପରି ଗୋରା, ହାତଗୋଡ଼ କୁନ୍ଦିଲା ପରି, ଆଉ କପାଳ ତ ଅଷ୍ଟମୀ ଜହ୍ନ । ମୋର ସେହି ବିଦ୍ୟାପରି ଗୋଟିଏ ବୋହୂ ହୁଅନ୍ତା କି !’’ ସତ୍ୟଭୂଷଣ ଏ କଥା ଶୁଣି ଟିକିଏ ଲଜ୍ଜିତ ହେଲା, ଖାଲି ଏତିକି କହିଲା–‘‘ହଁ ବିଦ୍ୟା ଭଲ ଅଛି’’ । ଅନନ୍ତର ସିନ୍ଦୁକ ଫିଟାଇ ଟଙ୍କା ନେଇ ଶୀଘ୍ର ସେଠାରୁ ଅନ୍ତର ହୋଇଗଲା ।

 

ସନ୍ଧ୍ୟା ସମୟରେ ସତ୍ୟଭୂଷଣ ରାଧାନାଥ ହାତରେ ଟଙ୍କା ଦେଇ କହିଲା–‘‘ଏ କଥା ଯେପରି କେହି ଜାଣିବେ ନାହିଁ, ସାବଧାନ ! ଖୁଡ଼ୀଙ୍କ ପାଖରେ ବି କହିବ ନାହିଁ, ସ୍ତ୍ରୀଲୋକମାନଙ୍କର ହୃଦୟ ବଡ଼ ଉଶ୍ୱାସ, ହୁଏ ତ ସେ କାହାରି ପାଖରେ କହିଦେଇ ପାରନ୍ତି । ଷଡ଼କାନ ମନ୍ତ୍ରଭେଦ ବୋଲି କହନ୍ତି ପରା ।’’ ଏହା କହି ସତ୍ୟଭୂଷଣ ତାହାର ସ୍ୱାଭାବିକ ଉଚ୍ଚହାସ୍ୟରେ ଗୃହ କମ୍ପାଇଦେଲା ଏବଂ ରାଧାନାଥଙ୍କୁ କୃତଜ୍ଞତା ପ୍ରକାଶର ଅବସର ନ ଦେଇ ଅନ୍ୟକାର୍ଯ୍ୟ ଛଳନାରେ ଅତିଶୀଘ୍ର ସେଠାରୁ ପ୍ରସ୍ଥାନ କଲା । ରାଧାନାଥ ମନ୍ତ୍ରମୁଗ୍‌ଧ ପ୍ରାୟ ଠିଆହୋଇ ରହିଲେ, ତାଙ୍କର ଗୋଡ଼ ଉଠିଲା ନାହିଁ କି ତୁଣ୍ଡ ଫିଟିଲା ନାହିଁ ।

 

ଜମିଦାର ଅନ୍ତର୍ଯ୍ୟାମୀ ରାୟ କଚେରୀ ମଧ୍ୟରେ ଉଚ୍ଚାସନରେ ବସି ରୂପାବନ୍ଧା ହୁକାର ଅଧର ଚୁମ୍ବନ କରୁଅଛନ୍ତି । ସମ୍ମୁଖରେ, ପାର୍ଶ୍ୱଭାଗରେ କେତେଜଣ କର୍ମଚାରୀ ଖଜୁରିଚଟ ଉପରେ ବସି ଲେଖାଲେଖିରେ ବ୍ୟାପୃତ ଅଛନ୍ତି, ବଜ୍ରବାହୁ ବେବର୍ତ୍ତା ଟିକିଏ ଦୂରରେ ଖଣ୍ଡେ ଅମସୃଣ କାଠପିଢ଼ାରେ ବସି ବିଡ଼ାଏ କାଗଜ ଧରି ଲେଉଟା ଲେଉଟି କରୁଅଛନ୍ତି, ତାଙ୍କ ପଛରେ କେତେଜଣ ପ୍ରଜା ଗମ୍ଭୀର ମୁଖରେ ଗାଲରେ ହାତ ଦେଇ ବସିଅଛନ୍ତି । ବୋଧହୁଏ ସେମାନେ କୌଣସି ଗୁରୁତର ଅଭିଯୋଗରେ ଅଭିଯୁକ୍ତ । ଏହି ସମୟରେ ରାଧାନାଥ ଟଙ୍କା ଘେନି ଆସି ଉପସ୍ଥିତ ହେଲେ ଏବଂ ଜମିଦାରଙ୍କୁ ଦଣ୍ଡବତ କରି ତାଙ୍କ ଆସନ ଉପରେ ପାଞ୍ଚଖଣ୍ଡ ଶହେଟଙ୍କିଆ ନୋଟ ଥୋଇଦେଇ କହିଲେ–‘‘ଆପଣଙ୍କ ଟଙ୍କା ନେଇ ମୋର ତମସୁକ ଖଣ୍ଡି ବାହାର କରି ଦେଉନ୍ତୁ ।’’ ଏହା ଶୁଣି ସମସ୍ତେ କାର୍ଯ୍ୟ ଛାଡ଼ି ରାଧାନାଥଙ୍କୁ ଅନାଇ ରହିଲେ; ମାତ୍ର କେହି କିଛି କହିଲେ ନାହିଁ, କେବଳ ପରସ୍ପର ମୁହଁ ଚୁହାଁଚୁହିଁ ହୋଇ ମୁରକିହସା ଦେଲେ ଏବଂ ଫୁସୁରଫାସର ହେବାକୁ ଲାଗିଲେ । ଜମିଦାର କହିଲେ–‘‘ଟଙ୍କା ଆଣିଛ ? ହେଉ, ବେଶ୍ ଭଲ କଥା । ବେବର୍ତ୍ତା, ନୋଟ ଗଣି ରିଖି ତାଙ୍କ ଦଲିଲ ଖଣ୍ଡ ବାହାର କରିଦିଅ ।’’ ବେବର୍ତ୍ତା ନୀରବରେ ପ୍ରଭୃଙ୍କର ଆଦେଶ ପାଳନ କଲେ । ରାଧାନାଥ ଦଲିଲ ଧରି ପ୍ରସ୍ଥାନୋଦ୍ୟତ ହୁଅନ୍ତେ, ଜମିଦାର ସ୍ମିତମୁଖରେ କହିଲେ–‘‘ଭାଇ ରାଧୁ, ସେଦିନ ଗୋଟାଏ କଥାରେ ମନଭାରି ଖରାପ ଥିଲା, ତୁମକୁ କଣଗୁଡ଼ାଏ କହିପକାଇଲି, ତାହା ମନରେ ଧରିବ ନାହିଁ, କାରବାରରେ ସିମିତି ହୁଏ । ମନେ କରନି, ପିଲାବେଳେ କେତେ ମରାମରି ହୁଅନ୍ତି, କେତେ ଗାଳି ଦିଆଦେଇ ହୁଅନ୍ତି ପୁଣି ଦଣ୍ଡକ ମଧ୍ୟରେ ସବୁ କୁଆଡ଼େ ଯାଏ, ଯେଉଁ ଭାବକୁ ସେହି ଭାବ । ମୋ କଥାକୁ ଠିକ୍ ସେହିପରି ମଣିବ, ରାଗ କରିବ ନାହିଁ । ନେବା ଦେବା ଏହିପରି ଲାଗିଥାଉ, ଫେର୍ ଦରକାର ପଡ଼ିଲେ ରାତି ଅଧରେ ଆସି ନେଇଯିବ । ତମେ ମୋର ବାଲ୍ୟବନ୍ଧୁ, ତମ ସାଙ୍ଗରେ ଗୋଟାଏ ଧରିସାରଣା କଅଣ ? ଫେର ଥରେ କହୁଛି ଭାଇ, ମୋ ରାଣଟି ମନରେ କିଛି ଦୁଃଖ କରିବ ନାହିଁ । ହଁ ଆଉ ଗୋଟିଏ କଥା ପଚାରି ଆଣୁଥିଲି, କଥା ନଅସରେ ରହିଗଲି । ଝିଅଟି ଲାଗି କେଉଁଠି ପାତ୍ର ସଜିଲ କଲଣି ନା ? ଦେଖ ଦେଖ, ଆଖି ଫେରାଉଥାଅ, ଘଟିଲାମାତ୍ରେ ବୋଝ ଉଠାଇଦିଅ । କନ୍ୟାଦାୟ ବଡ଼ ବିଷମ ଦାୟ ଭାଇ, ସେଥିରେ ହେଳା କରିବ ନାହିଁ । ଟଙ୍କାର ଦରକାର ହେଲେ ମୋତେ କହିବ ମୁଁ ବିନା ତମସୁକରେ, ବିନା ସୁଧରେ ଟଙ୍କା ଉଧାର ଦେବି, କିଛି ଚିନ୍ତା କରିବ ନାହିଁ । ରାଧାନାଥ ସବୁ ଶୁଣିଲେ; ମାତ୍ର କିଛି କହିଲେ ନାହିଁ ।’’ ମନେ ମନେ ଭାବିଲେ–‘‘ଖସିଗଲା ଶିକାରକୁ ପୁନଶ୍ଚ ଧରିବାର ଏ ସୁନ୍ଦର କୌଶଳ ।’’ ରାଧାନାଥ ଟିକିଏ ମୁରୁକିହସା ଦେଇ ଜମିଦାରଙ୍କୁ ଗୋଟାଏ ନମସ୍କାର କରି ଘରକୁ ଫେରିଆସିଲେ । ଜମିଦାରଙ୍କ ମୂଲ୍ୟବାନ୍ ସଦୁପଦେଶଗୁଡ଼ାକ ସଙ୍ଗରେ ଆଣିଲେ କି ସେହିଠାରେ ଅଗ୍ନିସଂସ୍କାର କରିଆସିଲେ ତାହା ନ ଜାଣିଲେ କାହାରି କିଛି କ୍ଷତିର ଆଶଙ୍କା ନାହିଁ କିମ୍ବା କେହି ମନଊଣା କରିବେ ନାହିଁ । ସୁତରାଂ ତାହା ବ୍ୟାକରଣ ଆଇନ ଅନୁସାରେ ଊହ୍ୟ ରହିଲା ।

 

ରାଧାନାଥ ଚାଲିଗଲା ପରେ ତାହା ସମ୍ବନ୍ଧରେ ଗୋଟାଏ ଆଲୋଚନା ଲାଗିଲା । ଜମିଦାର କହିଲେ–‘‘ଦେଖିଲ ତୁଳାମୂହାଁ କାଙ୍କର ଗୁଣ, ଟଙ୍କା ରଖି ବାହାରକୁ ଧୂଳିଆଧୂସର । ନାଲିଶ୍ ନାମ ଶୁଣି ପିଳେଇ ପାଣି ହୋଇଗଲା । ଏ ସବୁ ଧୂଳିଆଜନ୍ଦାଙ୍କୁ ଚିହ୍ନିବା କଠିନ ।’’ ବେବର୍ତ୍ତା କହିଲେ–‘‘ସେ କଅଣ ଟଙ୍କା ଘରେ ରଖିଥିଲା ? ଏହା ମୁଁ କେବେ ବିଶ୍ୱାସ କରିବି ନାହିଁ, ବେକେ ଗଙ୍ଗାଜଳରେ ପଶି କେହି କହିଲେ ବି ମାନିବି ନାହିଁ । ଟଙ୍କା ରଖିଥିବା ଲୋକର କଥା ଭିନେ, ଚାଲିଚଳଣ ଭିନେ, ମତିଗତି ଭିନେ, ଏ ଗୋଟାଏ ଉପୁରି ଲାଭ ।

 

ଜମିଦାର–ଏଁ, ଏତେଟଙ୍କା ତାକୁ କିଏ ଦେଲା ?

 

ବେବର୍ତ୍ତା –ସେହିପରି ଦାତା ନ ହେଲେ ଆଉ କିଏ ଦେବ ? ଆମ ବାବୁଙ୍କ ପ୍ରାଣ ମନ ତ ତାହା ଘରେ ବନ୍ଧା, ଯେତେବେଳେ ଦେଖିଲେ ସେଇଠି ।

 

ଜମିଦାର–ସେ ଯିବା ଆସିବା କରେ, ବସାଉଠା କରେ ସତ; ହେଲେ କିଛି ଦୋଷର କଥା ମୋର ବିଶ୍ୱାସ ହୁଏ ନାହିଁ ।

 

ବେବର୍ତ୍ତା–କଳିକାଳର ପିଲାଏ ଓଳିଆରୁ ଗଜା, ତାଙ୍କୁ ବିଶ୍ୱାସ କଅଣ ? ନିଆଁ ନ ଥିଲେ କି ଧୂଆଁ ବାହାରେ ?

 

ଜମିଦାର–ତେବେ ଏତେଟଙ୍କା କେଉଁଠୁ ଆଣି ସତ୍ୟ ତାକୁ ଦେଲା ?

 

ବେବର୍ତ୍ତା କିଛି ନ କହୁଣୁ ଜଣେ ଗୁମାସ୍ତା କହିଲା, ‘‘ବାବୁଙ୍କୁ ଟଙ୍କା ଅପୂର୍ବ ନା ? ହଜାର ହଜାର ଟଙ୍କାର କାରବାର ଯେ ହାତରେ କରୁଛନ୍ତି, ଟଙ୍କା ପାଞ୍ଚଶ ତାଙ୍କ ପକ୍ଷରେ ବିଚିତ୍ର ନୁହେଁ ।’’ ଏହି ଗୁମାସ୍ତାଟିର ଉପୁରି ଗଣ୍ଡାକ ସତ୍ୟଭୂଷଣ ଯୋଗୁଁ ମରାଯାଇଥିଲା; ସୁତରାଂ ତାକୁ ଗୋଟାଏ ମାହେନ୍ଦ୍ର ସୁଯୋଗ ମିଳିଲା । ଜମିଦାର ଏଥର ବିଶ୍ୱାସ କଲେ । ପୁଅର ଚରିତ୍ର ପ୍ରତି ତାଙ୍କର ଗୋଟାଏ ତୀବ୍ର ଘୃଣା ଜାତହେଲା । ସେ ଆଉକିଛି କହିଲେ ନାହିଁ, ତାଙ୍କୁ ନୀରବ ଦେଖି ସମସ୍ତେ ନୀରବ ହେଲେ ।

 

କିଛିକ୍ଷଣ ପରେ ବେବର୍ତ୍ତା ସେହି ନୀରବତା ଭଙ୍ଗକରି କହିଲେ, ‘‘ଏବେ ବିବାହର ଚେଷ୍ଟା କରିବା ଉଚିତ । ମୋ ବିଚାରରେ ଶଙ୍କରପୁର ଭୂୟାଁଘରେ ସମ୍ବନ୍ଧ କଲେ ଭଲ ହୁଅନ୍ତା, ସେ ଆମର ସମକକ୍ଷ । ତାଙ୍କର ଦୁଇଖଣ୍ଡ ଜମିଦାରୀ ମଧ୍ୟରୁ ପୁଅକୁ ଶଙ୍କରପୁର ଆଉ ଝିଅକୁ ରଣପଦା ଦେବେ ବୋଲି ଉଇଲ କରି ରଖିଛନ୍ତି । ରଣପଦା ତ ଆମ ଜମିଦାରୀକୁ ଲାଗିଛି, ସାମିଲିକରି ନେବାକୁ ଅତି ସୁବିଧା ହେବ ।’’ ଜମିଦାର ଉତ୍ସାହିତ ହୋଇ କହିଲେ–‘‘ହଁ ବେବର୍ତ୍ତା, ତମେ ଯାହା କହିଲ ଠିକ୍ କଥା । ଶଙ୍କରପୁରରୁ ତ ଚାରିମାସ ତଳେ ସମ୍ବନ୍ଧ ଆସିଥିଲା, ଖାଲି ଆମ ହେଳାରୁ, ସିନା କିଛି ହୋଇନାହିଁ । କାଲି ତୁମେ ନିଜେ ଯାଇ କଥା ସାର କରିଆସ । ଯେବେ ଏଥିମଧ୍ୟରେ ସେ ଆଉ କେଉଁଠି ପାତ୍ର ଦେଖିଥାନ୍ତି, ତେବେ କୌଶଳରେ ସେ ସମ୍ପର୍କ ଭାଙ୍ଗିଦେବ । ଦରକାର ପଡ଼ିଲେ ଭୂୟାଁଙ୍କ ପାଖଲୋକ ପ୍ରଭୃତିଙ୍କୁ ପ୍ରଲୋଭନ ଦେଖାଇ ବା କିଛି କିଛି ପାନଖିଆ ଦେଇ କାମ ହାସଲ କରିବ । ବିବାହ ପରେ ତୁମକୁ ଖୁସିକରି ପୁରସ୍କାର ଦିଆଯିବ । କନ୍ୟାଟି ଏକା ଡଉଲ-ଡାଉଲ ହୋଇଥିବ କି !’’ ବେବର୍ତ୍ତା କହିଲେ–‘‘କନ୍ୟାର ଡଉଲ ଡାଉଲରେ ଯାଏ ବା ଆସେ କଅଣ-? ବଡ଼ଲୋକର ଝିଅ, ପୁଣି ବଡ଼ଲୋକର ବୋହୂ ହେବେ; ସୁନା, ରୂପା, ହୀରା, ନୀଳା, ମୋତି, ମାଣିକ୍ୟରେ ତ ଦେହ ଛାଇ ହୋଇଯିବ ଆଉ ଅସୁନ୍ଦର ରହିବ କେଉଁଠାରେ ? ଆଉ ଯୋଗ୍ୟତା ବି ତାଙ୍କର କି ଦରକାର ? କାମ-ଦାମ କରିବେ ନା ରନ୍ଧାବଢ଼ା କରିବେ ? ସୁନାଖଟୁଲିରେ ସୁନାକଣ୍ଢେଇ ପରି ବସିବେ, ପୁଣି ଆଉ ତିନିଜଣ ତାଙ୍କ ପିଛେ ଖଟିବେ । ଯେ ସେବା କରିବେ ତାଙ୍କରି ଯୋଗ୍ୟତା ଦରକାର, ଯେ ସେବା ପାଇବେ ତାଙ୍କର କି ଲୋଡ଼ା ?’’ ଜମିଦାର ବେବର୍ତ୍ତାଙ୍କ କହିବା ଭଙ୍ଗୀରେ ହସିଉଠି କହିଲେ–‘‘ଆଛା କଥା କହିଲ ବେବର୍ତ୍ତା, ଯେ ସେବା କରିବେ ତାଙ୍କରି ଯୋଗ୍ୟତା ଦରକାର । ତେବେ ବୋହୂ କାଣୀ ହେଉ ବା କୁଜୀ ହେଉ ଅଥବା ଜାଡ଼ୀ, ହାଉଡ଼ୀ, ଲକ୍ଷ୍ମୀଛଡ଼ା ଯାହା ହେଉ ପଛେ ବିଷୟ ପାଇଲେ କିଛି ବାଛିବା ଦରକାର ନାହିଁ ?’’ ବେବର୍ତ୍ତା କହିଲେ–‘ଆଜ୍ଞା ଯାହାର ବିଷୟ ବିଭବ ଅଛି, ତାହାର ରୂପ, ଗୁଣ ସବୁ ଅଛି । ସେ କୂରୁପା ହେଲେ ସୁଦ୍ଧା ଅପ୍‌ସରୀ, ଅଲକ୍ଷଣୀ ହେଲେ ସୁଦ୍ଧା ସୁଲକ୍ଷଣୀ ।’’ ଜମିଦାର କହିଲେ–‘‘ରଙ୍ଗ ରହସ୍ୟ, କବିତା ରଚନା ଏତିକି ହେଉ, ଏବେ ତୁମ୍ଭେ କାଲି ଶୀଘ୍ର ଯିବାର ବ୍ୟବସ୍ଥା କର । ଶୁଭସ୍ୟ ଶୀଘ୍ରଂ ପରା ?’’ ବେବର୍ତ୍ତା କହିଲେ–‘‘ନା–ଆଜ୍ଞା, ଛାମୁଙ୍କ କାମରେ ମୋର କଅଣ ହେଳା ଅଛି ? ମୁଁ ଏବେ ସୁଆରି ବେହେରାର ବନ୍ଦୋବସ୍ତ କରୁଛି, କାଲି ସକାଳେ ଶୁଭମାହେନ୍ଦ୍ର ବେଳାରେ ଯାହା କରିବି । ଅନୁକୂଳଟା ଶୁଭବେଳାରେ କରିବା ଉଚିତ ।’’ ଅନନ୍ତର କଚେରୀ ଭାଙ୍ଗିଲା, ସମସ୍ତେ ଉଠି ସ୍ୱ ସ୍ୱ ଗୃହାଭିମୁଖରେ ପ୍ରସ୍ଥାନ କଲେ ।

 

ବଜ୍ରବାହୁ ବେବର୍ତ୍ତା ପଟ୍ଟନାୟକ ଶଙ୍କରପୁର ଭୂୟାଁଘରେ ସମ୍ବନ୍ଧ ସ୍ଥିରକରି ଫେରି ଆସିଲେ । ଭୂୟାଁଙ୍କ ଉଆସରେ ତାଙ୍କର ଆଦର, ସମ୍ମାନ ଯଥେଷ୍ଟ ହୋଇଥିଲା । ତାଙ୍କୁ ବ୍ରହ୍ମପୁରୀ ଗୌତାରା ପାଟଯଥା ବେଭାର ମିଳିଛି । ତାହା ଧଡ଼ିରେ ଚାରିଆଙ୍ଗୁଳି ଓସାରିରେ ସୁନାଜରୀର କାରୁକାର୍ଯ୍ୟ ହୋଇଅଛି । ଭୂୟାଁ ତାଙ୍କୁ ଯେଉଁ ସୁନାମୁଦିଟି ଦେଇଅଛନ୍ତି, ସେଥିରେ ତିନିଖଣ୍ଡ ଚୂନାହୀରା ବସିଛି । ମୁଦିଟିର ମୂଲ୍ୟ ତିନିଶରୁ ଊଣା ନୁହେଁ । ବିଦାକି ମଧ୍ୟ ଖୁବ୍ ଉଚ୍ଚଧରଣର । ବିଦାକି ଶହେ ଷୋଳଟଙ୍କା ଏବଂ ବାଟଖର୍ଚ୍ଚ କୋଡ଼ିଏ ଟଙ୍କା ମିଳିଅଛି । ତାଙ୍କର ଯେଉଁ ରାନ୍ଧୁଣିଆ ଯାଇଥିଲା, ତାକୁ ଶାନ୍ତିପୁରୀ ଯୋଡ଼ ଏବଂ ଭଣ୍ଡାରିକୁ ମାଣିଆବନ୍ଦି ଯୋଡ଼ ବକଶିସ ମିଳିଅଛି । ବେବର୍ତ୍ତାଙ୍କ ଆନନ୍ଦର ସୀମା ନାହିଁ । ସେ ନିଜର କୃତିତ୍ୱ ଏବଂ ଭୂୟାଁ ଘରର ବିଭବ ବର୍ଣ୍ଣନାରେ ଶତଜିହ୍ୱ । ସେ କହି ବୁଲୁଅଛନ୍ତି–‘‘ଘର ପରି ଘରଟାଏ ଏକା ! ଉଃ, କି ମାହାଳିଆ କାରଖାନା ଲାଗିଛି । କିଏ କଅଣ ଖାଇଛି, କିଏ କଅଣ ବୋହି ନେଇଯାଉଛି, ସବୁବେଳେ ଦିଆନିଆ ଖିଆପିଆ ଲାଗିଛି । ଉଆସକୁ ଯେ ଯାଉଛି ସେ ଖାଲିହାତରେ ଫେରୁନାହିଁ । ପ୍ରଥମ ଦିନ ଆମ ବସାକୁ ଯେଉଁ ସଞ୍ଚା ଆସିଲା, ତାହାର ଦାମ ପଚାଶ ଟଙ୍କାରୁ ଊଣା ହେବନାହିଁ । ଭୂୟାଁଙ୍କର ହୃଦୟ ଖୁବ୍ ଉଦାର, ନାହିଁ ଶବ୍ଦ ତ ତାଙ୍କ ମୁହଁରେ ନାହିଁ । ‘ମହତ ଲୋକ ନିକଟରେ ପ୍ରାର୍ଥନା ବିଫଳ ହୁଏନାହିଁ, ଏକଥାର ସାର୍ଥକତା ମୁଁ ତାଙ୍କରିଠାରେ ଦେଖିଲି । ରାୟ ବଂଶରେ ସମ୍ବନ୍ଧ କରିବାକୁ ତାଙ୍କର ଭାରି ଇଚ୍ଛା । କହିଲେ–‘ସେ ଆମର ପୁରୁଣା ବନ୍ଧୁ, ତିନି ଚାରି ପୁରୁଷ ହେଲା ବନ୍ଧୁତ୍ୱ ଛାଡ଼ିଯାଇଥିଲା, ଏଣିକି ଫେର ଲାଗିବ, ଏହା ବଡ଼ ଭାଗ୍ୟର କଥା ।’ ଆସିବାବେଳେ ପୁଣି କହିଲେ–‘ସମୁଦୀ ସାଆନ୍ତଙ୍କୁ ମୋର ନମସ୍କାର କହିବ ।’ ବିବାହ ନ ହେଉଣୁ ଆଗରୁ ସମୁଦୀ ବୋଲି ସମ୍ବୋଧନ କଲେଣି, ଏହିଥିରୁ କଣ ତାଙ୍କ ହୃଦୟର ମହତ୍ତ୍ୱ ବୁଝାଯାଉ ନାହିଁ ? ଝିଅକୁ ସେ ଜମିଦାରୀ ଖଣ୍ଡିଏ ଦେବେ । ତାଙ୍କର ଝିଅ ସେହି ଗୋଟିକ । ତାକୁ ରୂପାଗହଣା ଦେବେ ନାହିଁ, ପାଞ୍ଚପରସ୍ତ ସୁନା ଗହଣା ଦେବେ । ଆଉ ଜୋଇଁକୁ ଦେବେ ପାଞ୍ଚଆଙ୍ଗୁଳିକୁ ସୁନା ମୁଦି, ସୁନାହାର, ସୁନାପଇତା, ସୁନାଘଡ଼ି, ଶୂନଗାଡ଼ି ଏବଂ ଗୋଟାଏ ଘୋଡ଼ା । ଏହାପରେ ବରପକ୍ଷକୁ ବାଟଖର୍ଚ୍ଚସ୍ୱରୂପ ଦଶହଜାର ଟଙ୍କା ଦେବେ ।’’ ପାଠକେ ଦାନର ତାଲିକା ଦେଖି ଆଶ୍ଚର୍ଯ୍ୟ ହେବେ ନାହିଁ, ଏ ବିପୁଳ ଦାନର କାରଣ ଅଛି । ଭୂୟାଁଙ୍କ କନ୍ୟାର ଟିକିଏ ସୌନ୍ଦର୍ଯ୍ୟଦୋଷ ଅଛି । ସେ ଗ୍ରହଣଖଣ୍ଡୀ, ତାହା ନାକର ବାମପୁଡ଼ାଟା ନାହିଁ । ଏରୂପ ଦୋଷ ଗରିବଘରେ କେତେ ଚଳିଅଛି । ମାତ୍ର ଗରିବଘରେ କନ୍ୟା ଦେବାକୁ ଭୂୟାଁ ଅସ୍ୱୀକୃତ । ସେଥିରେ ତାଙ୍କର ମାନହାନି ହେବ, ବିଶେଷତଃ ତାଙ୍କ ବଂଶର ଝିଅମାନେ କେହି ଗରିବଘରେ ପଡ଼ି ନାହାନ୍ତି । ଭୂୟାଁ ଯଦି ଗରିବଘରେ ଝିଅ ଦିଅନ୍ତି, ତେବେ ତାଙ୍କ ବଂଶରେ କଳଙ୍କ ଲାଗିବ ଏବଂ ସେ ଲଜ୍ଜାରେ ମୁଣ୍ଡ ଟେକିପାରିବେ ନାହିଁ । ଏହା କି ତାଙ୍କ ପକ୍ଷରେ ତଥା ତାଙ୍କ ବଂଶ ପକ୍ଷରେ ଅଳ୍ପ ଅପମାନର କଥା ? ବଡ଼ଘରେ ଝିଅ ଦେଇ କୌଳିକ ରୀତି ଅକ୍ଷତ ରଖିବା ତାଙ୍କର ଖାଲି ଅଭିପ୍ରାୟ ନୁହେଁ, ଦୃଢ଼ ପ୍ରତିଜ୍ଞା । ଝିଅ ପଛେ ଚିରକୁମାରୀ ହୋଇ ଘରେ ରହିବ; ମାତ୍ର ସେ ତାଙ୍କୁ ଗରିବଘରେ ଦେଇ କୁଳରୀତି ଲଙ୍ଘନ ପାପରେ ଲିପ୍ତ ହୋଇପାରିବେ ନାହିଁ । ତାହା କେବେ ହେବନାହିଁ, ଯୁଗ ପ୍ରଳୟ ହେଲେ ବି ହେବନାହିଁ; ଏହା ତାଙ୍କର ଧନୁର୍ଭଙ୍ଗ ପଣ । କିନ୍ତୁ ଝିଅଟି ବେରୂପା ବୋଲି ବଡ଼ ଘରର ପାତ୍ରମାନେ ତାକୁ ବିବାହ କରିବାକୁ ଅନିଚ୍ଛୁକ । ଏହି ହେତୁରୁ ବିପୁଳ ଦାନର ବ୍ୟବସ୍ଥା ହୋଇଅଛି । ଉଚ୍ଚ ଧରଣର ପ୍ରାପ୍ତି ଆଶା ନ ଦେଖିଲେ କିଏ ପ୍ରଲ୍ଲୁବ୍‌ଧ ହେବ କାହିଁକି ?

 

ବେବର୍ତ୍ତାଙ୍କଠାରୁ ସବୁ ଶୁଣି ଜମିଦାର ଅନ୍ତର୍ଯ୍ୟାମୀ ରାୟଙ୍କର ଛାତି କୁଣ୍ଢେମୋଟ ହୋଇଉଠିଲା । ସେ ଆକାଶର ଚନ୍ଦ୍ର କରଗତ ହେବା ତୁଲ୍ୟ ମଣିଲେ । ସେ ମନେ ମନେ କହିଲେ–‘‘ମୋଠାରୁ ମୋ ପୁଅ ଭାଗ୍ୟବାନ୍ । ଖଣ୍ଡେ ବିଶାଳ ଜମିଦାର ଲାଭ କି ଯାହା ତାହା ଭାଗ୍ୟରେ ଘଟେ !’’ ଭାବୀ ଜମିଦାରୀକୁ କିପରି ଚଳାଇବେ ସେଥିପାଇଁ କଅଣ କଅଣ କରିବେ, ପୁଣି କେଉଁ କେଉଁ କାର୍ଯ୍ୟ ଆଗେ କରିବା ଦରକାର, ଏହିସବୁ ବିଷୟରେ ଅନେକ କଳ୍ପନା କରିଗଲେ । ଅନନ୍ତର ଏହି ଶୁଭ ସମ୍ବାଦ ଗୃହିଣୀଙ୍କ କର୍ଣ୍ଣଗୋଚର କରିବା ସକାଶେ ଅନ୍ତଃପୁରକୁ ଗମନ କଲେ । ଗୃହିଣୀଙ୍କୁ ଦେଖି କହିଲେ, ‘‘ସତୁ ବୋଉ, ମୋତେ କଅଣ ଦେବ କୁହ, ଗୋଟିଏ ଶୁଭ ଖବର ଶୁଣାଇବି ?’’ ବୃନ୍ଦାବତୀ କହିଲେ–‘‘ଏ କି ଓଲଟା କଥା ଗୋ, ତମେ ମୋତେ ଦେବ ନା ମୁଁ ତମକୁ ଦେବି, ଆଉ ପଦାର୍ଥ ନ ଦେଖି ମୂଲାଏ ବା କିଏ ? କି ଶୁଭ କଥା ଆଗେ କୁହ ପଛେ ପୁରସ୍କାର ଖୋଜିବ ।’’ ଜମିଦାର ପଚାରିଲେ, ‘କହିଲ କଅଣ ପୁରସ୍କାର ମିଳିବ ?’ ବୃନ୍ଦାବତୀ ମୃଦୁ ହସି କହିଲେ, ‘‘ଖଣ୍ଡେ କୁଣ୍ଡାପିଠା ।’ ଜମିଦାର ଉଚ୍ଚରବରେ ହସି ହସି କହିଲେ–‘‘ବାଃ ଆଛା ଦାନୀ ତମେ ।’’ ବୃନ୍ଦାବତୀ ଟିକିଏ ଚଞ୍ଚଳ ହୋଇ କହିଲେ–‘‘ନା ଗୋ ନା, ମୁଁ ଦାନୀ ନୁହେଁ କି ମଶାଲ ନୁହେଁ–ତୁମେ କଅଣ କହିବ କହୁନାହଁ କାହିଁକି ?’’ ଜମିଦାର କହିଲେ, ‘‘ଶଙ୍କରପୁର ଭୂୟାଁଙ୍କ ଝିଅ ସାଙ୍ଗରେ ସତୁର ବିବାହ ସମ୍ବନ୍ଧସ୍ଥିର ହେଲା, ଦିନଧରା ହେଲେ ବିଭାଘର ହେବ ?’’ ବୃନ୍ଦାବତୀ ଶୁଣି ଏତେ ଆନନ୍ଦିତା ହେଲେ ଯେ, ଆନନ୍ଦାତିଶଯ୍ୟରେ କଥା କହିପାରିଲେ ନାହିଁ । ସେ ପୁତ୍ରବଧୁ ମୁଖ ଦେଖିବେ, ତାଙ୍କ କହ୍ନେଇ ପାଖରେ ରାଧିକାକୁ ଦେଖି ନାରୀଜୀବନ ସାର୍ଥକ କରିବେ, ବୋହୂକୁ ଘେନି ଘର କରିବେ, ଏହା ଅପେକ୍ଷା ନାରୀ ଜୀବନର ଶ୍ରେଷ୍ଠ କାମନା ଆଉ କଅଣ ଅଛି । ସୁତରାଂ ତାଙ୍କ ହୃଦୟରେ ଆନନ୍ଦର ବନ୍ୟା ଉଛୁଳିବା ସ୍ୱାଭାବିକ । ତାଙ୍କ ମୁହଁରୁ କଥା ନ ବାହାରୁଣୁ ଜମିଦାର କହିଲେ–‘‘ତୁମକୁ ଏ ଶୁଭ ଖବର ଦେବା ପାଇଁ ଆସିଥିଲି, ଏହି ବୈଶାଖମାସରେ ବିଭାଘର ହେବ-। ଅଧିକ ସମୟ ନାହିଁ, ଏଥି ମଧ୍ୟରେ ସବୁ ଆୟୋଜନ କରିବାକୁ ହେବ–ମୁଁ ଏବେ ଯାଉଛି, ତୁମର ଯାହା ଯାହା କରିବା ଦରକାର, ଆଜିଠାରୁ ସେହିଥିରେ ଲାଗ । ଜମିଦାର ଏହା କହି ଶୀଘ୍ରଗତିରେ କଚେରୀ ପରସ୍ତ ଆଡ଼କୁ ଚାଲିଗଲେ । ବୃନ୍ଦାବତୀ ଏ ଶୁଭ ସମ୍ବାଦ ବାଣ୍ଟିବା ପାଇଁ ଦାସୀ, ଚାକର ପ୍ରଭୃତିଙ୍କୁ ଖୋଜି ବୁଲିଲେ ଏବଂ ଯାହାକୁ ଆଗରେ ପାଇଲେ ତାହାକୁ ଏ ସମ୍ବାଦ ଦେଇ ଆପ୍ୟାୟିତ କଲେ । ଅନ୍ତଃପୁର ମଧ୍ୟରେ ଆନନ୍ଦର ସ୍ରୋତ ବହିଗଲା, ଆଶାର ଗୋଟାଏ ବିରାଟ ହାଟ ମଧ୍ୟ ବସିଗଲା । କେହି କହିଲା-ମୋ କପାଳରେ ହଳଦିଆ ଲୁଗା ପାଚିଲା, କେହି କହିଲା–ମୁଁ ଏଥର କସ୍ତାଶାଢ଼ୀ ନ ନେଇ ଛାଡ଼ିବି ନାହିଁ, କେହି ଭାବିଲା ଚାରି ପଇସା ହାତ ପୈଠର ଗୋଟାଏ ସୁବିଧା ହେଲା, ଆଉ କେହି ପେଟୁ କହିଲା–କି ପରବାଏରେ ଭାଇ, ଉଛୁଣିକା ଦିନାକେତେ କ୍ଷୀରୀ, ପିଠା, ପୂରି ମାଲପୁଆରେ ଆମର ଅରୁଚା ଧରିଯିବ । ଏହିପରି ସମସ୍ତେ ଗୋଟାଏ ଗୋଟାଏ ସୁଯୋଗ ଭାବିଗଲେ ।

 

ସମସ୍ତଙ୍କର ଏତେ ଆଶା, ଏତେ ଆକାଙ୍‌କ୍ଷା, ଏତେ ଆନନ୍ଦ ସତ୍ୟଭୂଷଣ ସବୁ ଚୂର୍ଣ୍ଣ କରିଦେଲା । ମନୁଷ୍ୟ ଆଶାର ମୂର୍ତ୍ତି ଗଢ଼େ; କିନ୍ତୁ ସେ ମୂର୍ତ୍ତିକୁ ଜୀବନ ଦାନ ଦେବାର କ୍ଷମତା ତାହାର ନାହିଁ । ସତ୍ୟଭୂଷଣ ବିବାହ ପ୍ରସଙ୍ଗ ଶୁଣି ବଡ଼ଘରେ ବିବାହ କରିବ ନାହିଁ ବୋଲି ଅଡ଼ି ବସିଲା । ସେ କହିଲା–‘‘ମୁଁ ପ୍ରତିଜ୍ଞା ଭାଙ୍ଗିପାରିବି ନାହିଁ ।’’ ଅନେକେ ତାକୁ ଅନେକ ପ୍ରକାର ବୁଝାଇଲେ । କହିଲେ–ପିତୃ ଆଜ୍ଞା ପାଳନ କରିବା ପୁତ୍ରର କର୍ତ୍ତବ୍ୟ, ତୁମ୍ଭେ ଅବାଧ୍ୟ ହୋଇ ତାଙ୍କ ମନରେ କ୍ଳେଶ ଦିଅନାହିଁ । ତୁମ୍ଭ ଉପରେ ତାଙ୍କର ପୂର୍ଣ୍ଣ ଅଧିକାର ଅଛି । ସେ ଯାହା କହିବେ ତାହା ମାନିବାକୁ ହେବ । ଏହିପରି କେତେ ବୁଝାଇଲେ; ମାତ୍ର ସତ୍ୟଭୂଷଣ ପ୍ରତିଜ୍ଞାରୁ ଗାରେ ସୁଦ୍ଧ ଟଳିଲା ନାହିଁ । ଅଧିକନ୍ତୁ କହିଲା–‘‘ପିତାଙ୍କର ମୋ ଉପରେ ଅଧିକାର ଅଛି ବୋଲି କଅଣ ଅର୍ଥଲୋଭରେ ସେ ମୋତେ ବିକିଦେଇ ପାରିବେ ? ତେବେ ମୋ ଅପେକ୍ଷା ଅର୍ଥ ତାଙ୍କର ଅଧିକ ପ୍ରିୟ । ଜମିଦାରୀ କଅଣ ଆମର ନାହିଁ ? ମାଟିର ଜମିଦାରୀ କଥା କିଏ ପଚାରେ, ସୁନାର ଜମିଦାରୀ ଦେଲେ ସୁଦ୍ଧା ମୁଁ ବଡ଼ଘରେ ବିବାହ କରିବି ନାହିଁ । ମୁଁ ବିବାହ କରିବାକୁ କୁଣ୍ଠିତ ନୁହେଁ, ମୋର ଇଚ୍ଛା–ମୁଁ ଗରିବଘରେ ବିବାହ କହିବି; ମାତ୍ର ବିକ୍ରି ହୋଇପାରିବି ନାହିଁ ।’’ କେହି ଯଦି କହେ–ନା ବାବୁ, ଏ ବିକାକିଣାର କଥା ନୁହେ–ଏହାର ନାମ କନ୍ୟାଦାନ, ତେବେ ସତ୍ୟଭୂଷଣ ଅବଜ୍ଞାସୂଚକ ହାସ୍ୟ ବିସ୍ତାରକରି ଉତ୍ତର ଦିଏ–‘‘ଏ ପୁଣି କି ଭଳି ସୃଷ୍ଟିଛଡ଼ା ଦାନ ! ମୋତେ କିଣିନେଇ ପୁଣି ଦାନ କରିବ ? ମୋତେ ନ କିଣିଲେ କି ଦାନ ସାର୍ଥକ ହେବ ନାହିଁ ? ଯେ ଅର୍ଥ ଗ୍ରହଣ କରି ପୁଅକୁ ବିବାହ କରାଏ, ସେ ପୁଅର ମାଂସ ବିକ୍ରୟ କରେ ।’’ ସତ୍ୟଭୂଷଣ ଏହିପରି ନାନା ଯୁକ୍ତି ପ୍ରୟୋଗକରି ପ୍ରତିଜ୍ଞା ରକ୍ଷା ସକାଶେ ଦୃଢ଼ ହୋଇ ବସିଲା ।

•••

 

ତ୍ରୟୋଦଶ ପରିଚ୍ଛେଦ

 

ପୁତ୍ରର ସ୍ୱେଚ୍ଛାଚାରରେ ପିତା ବିରକ୍ତ; ମାତ୍ର ମାତା ବିରକ୍ତ ନୁହନ୍ତି, ଦୁଃଖିତ । କିନ୍ତୁ କଅଣ କରିବେ, ବିବାହ ସମ୍ପର୍କରେ ପୁଅକୁ ତ ମୁହଁ ଫିଟାଇ କହିହେବ ନାହିଁ । ସେମାନେ ଅନ୍ୟ ଲୋକଦ୍ୱାରା ପୁଅକୁ ବୁଝାଇଲେ । ଦିନେ ବେବର୍ତ୍ତା ଯାଇ ସତ୍ୟଭୂଷଣକୁ କହିଲେ–‘‘କି ବାବୁ, ବଡ଼ଘର ଝିଅଙ୍କୁ ବିଭାହବ ନାହିଁ କାହିଁକି, ସେମାନଙ୍କର ଅପରାଧ କଅଣ ?’’ ସତ୍ୟଭୂଷଣ ଶାନ୍ତ ସ୍ୱରରେ କହିଲା–‘‘ଦୋଷ ଏହି ଯେ, ସେମାନେ ବଡ଼ଘରର ଝିଅ । ବଡ଼ଘରର ଝିଅ ବୋଲି ତାହାର ମଗଜ ସାଙ୍ଗିରେ ଉଠିବ ନାହିଁ, ପୁଣି ବାପଘରୁ ଜମିଦାରୀ ଆଣିଥିବା ହେତୁ ସେ ସବୁବେଳେ ମୋ ଉପରେ ତାହାର ଆସନ ନିର୍ଦ୍ଦେଶ କରିବ । ସେଥିଯୋଗୁ ମୁଁ ମଧ୍ୟ ତାକୁ ଘୃଣା କରିବି । ଏଥିରେ କାହାର କି ସୁଖ ହେବ ? ହୃଦୟ, ପ୍ରାଣ, ଆତ୍ମା ନ ମିଶିଲେ ବିବାହର ଉଦ୍ଦେଶ୍ୟ ବିଫଳ ହୁଏ । ଆଉ ଅଶାନ୍ତିରେ ହୃଦୟ ବିଷମୟ ହୋଇଯାଏ । ଶାଶୁ, ଶଶୁର ପ୍ରଭୃତି ଗୁରୁଜନଙ୍କୁ ସେବା କରିବା ନାରୀମାନଙ୍କର ଧର୍ମ୍ମ; ମାତ୍ର ଯାହାକୁ ତିନି ଜଣ ଦାସୀ ପରିଚାରୀ ଖଟିବେ, ସେ ପୁଣି କାହାକୁ ସେବା କରିବ ?’’ ବେବର୍ତ୍ତା କହିଲେ, ‘‘ତୁମେ କଅଣ ଗରିବ ଯେ, ବୋହୂ ସେବା ନ କଲେ ଶାଶୁ ଶଶୁରଙ୍କୁ ସେବା କରିବାକୁ ଆଉ ଲୋକ ନାହାନ୍ତି ?’’ ସତ୍ୟଭୂଷଣ କହିଲା–‘‘ଯାହା ନାରୀମାତ୍ରର ଧର୍ମ, ସେଥିରେ ଗରିବ, ବଡ଼ ଲୋକର ଭେଦ କଅଣ ? ବଡ଼ଘର ଝିଅଙ୍କର କି ଧର୍ମ ସୁଦ୍ଧା ଲୋଡ଼ା ନାହିଁ ? ଆଛା ବଡ଼ଲୋକମାନେ ଗରିବ ଘରେ ଝିଅ ଦେବାକୁ ବା ଗରିବଘରୁ ଝିଅ ଆଣିବାକୁ ଅସମାନ ମଣନ୍ତି କାହିଁକି ? ଗରିବ କଅଣ ମନୁଷ୍ୟ ନୁହେଁ ନା ଗରିବ ବଡ଼ଲୋକ ହୋଇପାରେନାହିଁ-? ରାଜକନ୍ୟା କାଠୁରିଆର ହାତ ଧରିଥିବା ଦୃଷ୍ଟାନ୍ତ ଯେ ଦେଶର ମହତ୍ତ୍ୱ ପ୍ରଚାର କରେ, ସେ ଦେଶରେ ଏ ହୀନ ଭେଦନୀତି କାହିଁକି ? ବଡ଼ଘରର ଝିଅ ଗରବିଘରେ ପଡ଼ିଲେ ତାହାର ସ୍ତ୍ରୀଧର୍ମ ଶିକ୍ଷାହୁଏ ଏବଂ ଦାରିଦ୍ର୍ୟ ମଧ୍ୟରେ ତାହାର ଚରିତ୍ର ସଂସ୍କୃତ ହୁଏ । ବଡ଼ଘରର ଶିକ୍ଷା କେବଳ ବିଳାସିତା ଆଉ ଅଭିମାନ । ଆଉ ବଡ଼ଲୋକ ବା କିଏ ? ମୁଁ ବଡ଼, ସେ ସାନ ଏ ଭାବ ଯାହାର ଯାଇନାହିଁ ସେ ବଡ଼ଲୋକ ନୁହେଁ । ବଡ଼ଲୋକ ଦୃଷ୍ଟିରେ ସବୁ ବଡ଼ ।’’ ବେବର୍ତ୍ତା ସତ୍ୟଭୂଷଣର ଏହିପରି ଯୁକ୍ତି ଶୁଣି ନିର୍ବାକ୍ ହୋଇ ରହିଲେ । ଯୁକ୍ତି ଖଣ୍ଡନ କରିବା ଦୂରେଥାଉ, ସତ୍ୟଭୂଷଣ ମୁହଁରେ କଥା କହିବାକୁ ସେ ଆଉ ସାହସ କଲେନାହିଁ । ଫେରିଯାଇ ଜମିଦାରଙ୍କୁ ସବୁକଥା କହିଲେ । ଜମିଦାର କ୍ରୁଦ୍ଧ ହୋଇ କହିଲେ, ‘‘ମୋତେ ଭଲ ଲୋକରେ ଭାଣ୍ଡିଆ କଲା । ମୁଁ ଭୂୟାଁଙ୍କ ଆଗରେ ଆଉ ମୁହଁ ଦେଖାଇପାରିବି ନାହିଁ । ତାଙ୍କୁ କଅଣ କହି ମନା କରିବି, ଲଜ୍ଜାରେ ମୋର ମୁଣ୍ଡ କଟିଯିବ । ହାୟ ହାୟ, ପୁଅ ହୋଇ ମୋତେ ଏ ଶାସ୍ତି ଦେଲା, ମୋ ଗାଲରେ ଚୂନକାଳୀ ଲଗାଇଲା, ଏପରି କୁପୁତ୍ରର ମୁହଁ ଚାହିଁବା ଉଚିତ ନୁହେଁ । ଇମିତି ମେଡ଼ୁଆର ଏକଛାୟାଁ ପିଲା ମୁଁ ଦୁନିଆରେ ଦେଖିନାହିଁ । ତାହାର ଯାହା ଇଚ୍ଛା କରୁ, ମୁଁ ତାକୁ ଆଉ କଥା ବି କହିବି ନାହିଁ-।’’ ସେହିଦିନଠାରୁ ପିତାପୁତ୍ର ମଧ୍ୟରେ ଦେଖା ସାକ୍ଷାତ୍‍ କଥାବାର୍ତ୍ତା ବନ୍ଦ । ଜଣେ ଏ ବାଟେ ଗଲେ ଆଉ ଜଣେ ସେବାଟେ ଯାଏ । ସତ୍ୟଭୂଷଣ ପୂର୍ବପରି ବୁଝାଶୁଝା ସବୁ କରେ; ମାତ୍ର ବାପ ପୁଅଙ୍କର କଥାବାର୍ତ୍ତା ହୁଏ ନାହିଁ । ଆବଶ୍ୟକ ପଡ଼ିଲେ ଜଣେ ମଧ୍ୟସ୍ଥଦ୍ୱାରା ପୁଅ ବାପକୁ, ବାପ ପୁଅକୁ କହିପଠାନ୍ତି । ଏହିପରି ଭାବରେ କିଛିଦିନ କାର୍ଯ୍ୟ ଚଳିଲା ।

 

ପିତାପୁତ୍ର ମଧ୍ୟରେ ଏରୂପ ବ୍ୟବହାର ଦେଖି ବୃନ୍ଦାବତୀ ବିଶେଷ ଶଙ୍କିତ ହେଲେ । ସ୍ୱାମୀଙ୍କ ପ୍ରକୃତି ତାଙ୍କୁ ଜଣା, ସ୍ୱାମୀଙ୍କୁ ନିବୃତ୍ତ କରିବା ତାଙ୍କର କାହିଁକି ଜଗତର ସାଧ୍ୟାତୀତ, ଆଉ ପୁଅ ତ ସେହି ଗଛର ଫଳ, ସେ କାହାକୁ କଅଣ କହିବେ, କିଛି ସ୍ଥିର କରିପାରିଲେ ନାହିଁ, ଦାରୁଣ ମନକଷ୍ଟରେ କାନ୍ଦିବାକୁ ଲାଗିଲେ । ସେ କେବେ ପୁଅର ଦୋଷ ଧରନ୍ତି ନାହିଁ । ସବୁବେଳେ ପୁଅର ପଟ ଧରି କଥା କହନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ସେହି ଭାବ । ସେ ହୃଦୟର ବ୍ୟଥା ଆଉ ସମ୍ଭାଳି ପାରିଲେ ନାହିଁ । ସ୍ୱାମୀଙ୍କୁ କହିଲେ, ‘‘ପିଲାଟ ଜାଣି ଅଡ଼ିବସିଲା ଆଉ ତୁମର ଭଲା ଏ କି ବିଚାର କହିଲ । ସେ ତ ବାହାହେବାକୁ ମନା କରୁନାହିଁ, ବଡ଼ଘରେ ବାହା ହେବନାହିଁ ବୋଲି କହୁଛି । ହେଉ, ତାହାରି ମନ ପଛକେ ରହୁ, ତୁମର ସେଥିରେ ହାନି କଅଣ ? ବଡ଼ଘରେ ବାହା ନ ହେଲା ତ ନାହିଁ, ଗୋଟିଏ ଗରିବ ଘରେ ବନ୍ଧୁକର । ତୁମେ ଜମିଦାରୀ ଖୋଜୁଛ କାହିଁକି, ଆଉ ଟଙ୍କାକୁ ବା ଲୋଭ କରୁଛ କାହିଁକି ? ତୁମର ଜମିଦାରୀ ନାହିଁ ନା ଟଙ୍କା ନାହିଁ ? ମୋ ପୁଅର ଜମିଦାରୀ କଅଣ ହେବ ? ତାହା ଅଜା ତାକୁ ଯାହା ଦେଇଯାଇଛି ସେହି ତାର ଢେର । ସେହିଆକୁ ଖାଇଲେ ତ ସରିବ ନାହିଁ, ଆଉ ଜମିଦାରୀ କଣ କରିବ ? ଖାଲି ବୋଝ ଲଦି ହୋଇ ଧନ୍ଦିହେବ କାହିଁକି ? ନିଜର ଚଳିବା ଭଳି ବିଷୟ ହେଲେ ହେଲା, ଅଧିକ ବିଷୟ କଲେ ଅଧିକ ଚିନ୍ତା, ଅଧିକ ଜଞ୍ଜାଳରେ ପଡ଼ିବ । ଯେ ଆପଣାର ଚଳିବା ଭଳି ବିଷୟ କରେ, ସେ ବିଷୟକୁ ଭୋଗକରେ, ଆଉ ଯେ ଅଧିକ ବିଷୟ ଆଶାରେ ଦଉଡ଼େ, ବିଷୟ ତାକୁ ଭୋଗକରେ । ବିଷୟ ଠିକ୍‌ ଅଫିମ ଖାଇବା ପରି, ଅଳ୍ପ ହେଲେ ଅମୃତ, ଅଧିକ ହେଲେ ବିଷ । ବହୁବିଷୟୀ ଲୋକକୁ ସୁଖ ଛାଡ଼ପତ୍ର ଦିଏ । କଳହ, ଅଶାନ୍ତି, ଉପବାସ ତାହାର ସୁଖ । ଆଛା, ମୁଁ ଗୋଟିଏ କଥା କହିବି ମାନିବ ? ପୁଅ ଯେବେ ବଡ଼ଘରେ ବାହାହେବାକୁ ମନାକରୁଛି, ତେବେ ଆମ ରାଧୁଙ୍କ ଝିଅ ବିଦ୍ୟାଟି କଥା ସଜିଲ କଲେ କେମିତି ହୁଅନ୍ତା ? ଝିଅଟି ଖୁବ୍‍ ସୁଲକ୍ଷଣୀ, ଆଉ ଲକ୍ଷ୍ମୀ ପ୍ରତିମା ପରି ସୁନ୍ଦରୀ । ଏଡ଼େ ଥଣ୍ଡା ଯେ, ଉଞ୍ଚ କରି କଥା କହେନାହିଁ ।’’ ବୃନ୍ଦାବତୀଙ୍କୁ ଆଉ ଅଧିକ ରୂପଗୁଣ ବର୍ଣ୍ଣନା କରିବାକୁ ହେଲା ନାହିଁ । ସ୍ୱାମୀ ତୀବ୍ର ବ୍ୟଙ୍ଗ ହାସ୍ୟ ପ୍ରକାଶ କରି କହିଲେ, ‘‘ଆଛା ପାତ୍ରୀ ବାଛି ରଖିଛ ! ରାଧୁ ମହାପାତ୍ର ଘରେ ବନ୍ଧୁପଣ ନ କଲେ ମୋର ସପ୍ତପୁରୁଷ ନରକରେ ପଡ଼ିବେ । ଛି ଛି, ଆଉ କାହା ପାଖରେ କହିବ ନାହିଁ, ଶୁଣିଲେ ଲୋକେ ନାକରେ ଲୁଗା ଗୁଞ୍ଜି ହସିବେ; ମହାପାତ୍ର ଘରେ ଆମର କେଉଁକାଳେ କେହି ସମ୍ବନ୍ଧ କରିଥିବାର ତୁମେ ଜାଣ ? ତେବେ ଆମ ବଂଶକୁ ତଳକୁ ଦେବା ତୁମର ଇଚ୍ଛା ।’’ ବୃନ୍ଦାବତୀ କହିଲେ, ‘‘କି, ତୁମ ବଂଶ କାହିଁକି ତଳକୁ ଯିବ ? ଯାହା ସାଙ୍ଗରେ ଯାହାର ବନ୍ଧୁପଣ ଥାଏ, ତାହାରି ସାଙ୍ଗରେ ଏକା ସବୁଦିନେ ସେ ବନ୍ଧୁପଣ କରେ, ଆଉ ନୂଆ କାହାରି ସାଙ୍ଗରେ କରେନାହିଁ ? ମହାପାତ୍ର ବଂଶ କଅଣ ଅଜାତି ଯେ, ତୁମେ ଅଜାତି ହୋଇଯିବ ?’’ ଜମିଦାର କହିଲେ–‘‘ଖାଲି ଜାତି ଦେଖି ବନ୍ଧୁପଣ କରାଯାଏ ନାହିଁ । ସମାନ ସମାନରେ ବନ୍ଧୁପଣ ସୁନ୍ଦର ଦିଶେ, ଅସମାନରେ ଖାପ ଖାଏନାହିଁ । ଯାହାର ବୃତ୍ତି ବାଡ଼ି ବିଶ୍ୱାଏ ନାହିଁ, ଆଜି ଆଣିଲେ ଆଜି ଖାଇବ, ତାହା ସଙ୍ଗରେ କି ରାୟବଂଶର ବନ୍ଧୁପଣ ଶୋଭାପାଇବ ? ସେ ଆମର ମର୍ଯ୍ୟାଦା କଅଣ ବୁଝିବ ?’’ ବୃନ୍ଦାବତୀ କହିଲେ, ‘‘ହଁ, ଏବେ ବୁଝିଲି, ରାଧୁ ଗରିବ ବୋଲି ପରା ଇମିତି କଥା କହୁଛ ? ଗରିବ କିଏ ନୁହେଁ ? ସମସ୍ତେ ଗରିବ ହୋଇ ବଡ଼ଲୋକ ହୁଅନ୍ତି, ନ ହେଲେ ବଡ଼ଲୋକ ଗଛରେ ଫଳନ୍ତି ନାହିଁ । ସତ୍ୟଯୁଗ ଆରମ୍ଭରୁ ତୁମ ବଂଶ ବଡ଼ଲୋକ ହୋଇନାହାନ୍ତି । ଅବଶ୍ୟ କେହି ଦରିଦ୍ର ଅବସ୍ଥାରୁ ଉଠି ବଡ଼ଲୋକ ହୋଇଥିବେ । ତେବେ ଗରିବ ବୋଲି କାହାକୁ ତୁମେ ଘୃଣା କରିବ କାହିଁକି ? ଭୂୟାଁ ଘର ପରି ରାଧୁ ଦାନ-ଯୌତୁକ ଦେଇପାରିବ ନାହିଁ । ସେ ଖାଲି କନ୍ୟାରତ୍ନଟିଏ ଦେବ । ରତ୍ନଠାରୁ କି ଦାନଯୌତୁକର ଦାମ ବେଶି ? ତୁମେ ସେ ଆଶା ରଖ ନାହିଁ-। ତୁମର ଏତେ ଅଛି, ତେବେ ତୁମେ କାହିଁକି ପରଧନକୁ ଲୋଭ କରୁଛ ? ବଡ଼ଲୋକ କଅଣ ଗରିବ ଘରେ ସମ୍ବନ୍ଧ କରନ୍ତି ନାହିଁ ? ଗରିବ ଯେଉଁ ମଣିଷ, ତୁମେ ସେହି ମଣିଷ । ନିଜେ ମଣିଷ ହୋଇ ମଣିଷକୁ ହୀନଦୃଷ୍ଟିରେ ଦେଖିଲେ ଧର୍ମ ସହିବ ନାହିଁ । ତୁମେ ପୁଅକୁ ଚାହଁ–ଟଙ୍କା ସୁନାକୁ ଚାହଁ ନାହିଁ । ମୁଁ ନେହୁରା ହୋଇ କହୁଛି, ତୁମେ ପୁଅ ମନରେ ଆଉ ଦୁଃଖ ଦିଅନାହିଁ ।’’ ଜମିଦାର ସହଧର୍ମିଣୀଙ୍କ କଥା ଶୁଣି ରାଗିଉଠି କହିଲେ, ‘‘ତୁମ ସ୍ତ୍ରୀ ଜାତିର ସ୍ୱଭାବ ଏହିପରି । ତୁମେ ଯାହା ବୁଝିଥିବ ସେଇଆ । ନ ଜାଣି କହନ୍ତି କି-ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ।’’ ବୃନ୍ଦାବତୀ ସ୍ତ୍ରୀଜାତିର ଅପବାଦ ଶୁଣି ଆଉକିଛି ନ କହି ନୀରବ ହେଲେ, କେବଳ ତାଙ୍କ ନେତ୍ରରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ଜମିଦାର ରାଗରେ କମ୍ପି କମ୍ପି ମୁହଁ ଭାରିକରି ଉଠି ଚାଲିଗଲେ ।

 

ସତ୍ୟଭୂଷଣ ପ୍ରସାଦରୁ ରାଧାନାଥ ଘରଡ଼ିହ ଖଣ୍ଡି ଉଦ୍ଧାର କରି ଗୋଟାଏ ପ୍ରଧାନ ଚିନ୍ତାରୁ ମୁକ୍ତ ହେଲେ; ମାତ୍ର ଏକାବେଳକେ ନିଶ୍ଚିନ୍ତ ହୋଇପାରିଲେ ନାହିଁ । ଏବେ କନ୍ୟାର ବିବାହ ଚିନ୍ତା ତାଙ୍କୁ ଘାରିଲା । ଚିନ୍ତାର ଧାରା ଏହିପରି–ଗୋଟିଏ ଚିନ୍ତା ନିଭି ଆସିଲାବେଳେ ଆଉ ଗୋଟିଏ ଆସି ପହଞ୍ଚେ । କନ୍ୟାରୂପ ବଡ଼ବୋଝ ଯାହାର ମୁଣ୍ଡରେ ବସିଛି ସେ କି ନିଶ୍ଚିନ୍ତ ହୋଇପାରେ । ରାଧାନାଥ ଯୋଗବିଦ୍ୟା ସକାଶେ ଯୋଗ୍ୟପାତ୍ର ଅନ୍ୱେଷଣ କରିବାକୁ ଲାଗିଲେ । ଯେ କିଛି ପଢ଼ାଶୁଣା କରିଥିବ, ରୂପବାନ୍ ହୋଇଥିବ, ନିର୍ମଳସ୍ୱଭାବ ହୋଇଥିବ, ଏହିପରି ପାତ୍ର ତାଙ୍କର ଲୋଡ଼ା । ସେ ବର–ବଜାରରେ ପଶି ଦେଖିଲେ–ତାଙ୍କ ମନୋମତ ବରର ଅଭାବ ନାହିଁ; ମାତ୍ର ଦର ତେତେ ସୁବିଧାଜନକ ନୁହେଁ । ବରକର୍ତ୍ତାମାନେ ପାଞ୍ଚଶ, ହଜାରେ, ସ୍ଥଳ ବିଶେଷରେ ତହିଁରୁ ଅଧିକ ହାଙ୍କୁ ଅଛନ୍ତି । ସାମାନ୍ୟ ପୁଞ୍ଜି ଘେନି ବା ବିନା ପୁଞ୍ଜିରେ ସେ ବଜାରକୁ ଗଲେ ହାସ୍ୟାସ୍ପଦ ହେବାକୁ ହୁଏ । ମାଛ ମୂଲାଇ ନ ନେଇ ଉଠିଗଲେ କୈବର୍ତ୍ତରାଣୀ କ୍ରେତା ଉପରକୁ ଆଇଁଷପାଣି ଛାଟିଦିଏ । କଲିକତାରେ ଏ ଦୃଶ୍ୟ ଅନେକେ ଦେଖିଥିବେ । ସାମାନ୍ୟ କଥାରେ ତ ଏପରି, ଆଉ ବରବିକ୍ରି ତ ବଡ଼ କଥା । ବରର ଦରଦାମ କରିସାରି ପଛଘୁଞ୍ଚା ଦେଲେ ବରକର୍ତ୍ତାର ତୀବ୍ର ଉପହାସ ବା ତିରସ୍କାର ସହିବାକୁ କନ୍ୟାକର୍ତ୍ତା ନ୍ୟାୟତଃ, ଧର୍ମତଃ ବାଧ୍ୟ, ଏହା ଆଧୁନିକ ବରବିକ୍ରୟ ଆଇନର ଗୋଟାଏ ପ୍ରବଳଧାରା । ରାଧାନାଥଙ୍କୁ ମଧ୍ୟ ସ୍ଥାନବିଶେଷରେ ଏହି ଅବ୍ୟର୍ଥ ମହାଧାରର କବଳରେ ପଡ଼ିବାକୁ ହେଲା; ମାତ୍ର ସେଥିପାଇଁ ସେ କ୍ଷୁବ୍‌ଧ ବା ବ୍ୟଥିତ ହେଲେନାହିଁ; ଯେହେତୁ ସେ କନ୍ୟାର ପିତା । ଯେ କନ୍ୟାର ପିତାହୁଏ ତାହାର ଅପରାଧ ଅତି ଗୁରୁତର; ସୁତରାଂ ସେ ସର୍ବଂସହ ନ ହେଲେ ଚଳିବ କିପରି ? ରାଧାନାଥ ଅନେକ ସ୍ଥାନରେ ପାତ୍ର ଖୋଜିଲେ ଏବଂ ଅନ୍ୟଦ୍ୱାରା ଖୋଜାଇଲେ । କେହି କହିଲା, ‘‘ମୋ ପୁଅକୁ ବି. ଏ. ପଢ଼ାଇଲେ ମୁଁ ତାଙ୍କ ଘରେ ସମ୍ବନ୍ଧ କରିବି ।’’ କେହି କହିଲା,‘‘ମୋ ପୁଅକୁ ଆଗେ ଖଣ୍ଡେ ଚାକିରି କରାଇଦେଲେ ମୁଁ ଦୟାକରି ତାଙ୍କ ଝିଅଟିକୁ ଘରେ ଆଣି ଆଶ୍ରୟ ଦେଇପାରେ ।’’ କେହି ନିର୍ଲୋଭ ବ୍ୟକ୍ତି କହିଲା–‘‘ଆମକୁ ପଛକେ କିଛି ନ ଦେଉନ୍ତୁ, ଆମେ ମାଗୁନାହୁଁ, ଭଗବାନ ଆମକୁ ଯାହା ଦେଇଛନ୍ତି ସେହି ଆମର ଢେର । ପର ଅଦୃଷ୍ଟ ଭାଙ୍ଗିଆଣି ନିଜ ଅଦୃଷ୍ଟ ଗଢ଼ିବା ଆମ ବଂଶରେ ନାହିଁ କି ପରଧନ ଉପରେ ଆମର ଲୋଭନାହିଁ । ତେବେ ତାଙ୍କ ଝିଅକୁ ତ ସେ କିଛି ଦେବେ ? ଭଦ୍ର ଘରମାନଙ୍କର ଝିଅକୁ ଯେପରି ଦିଅନ୍ତି, ସେହିପରି ସବୁ ତ ସେ ଦେବେ, ତାହାଛଡ଼ା ତାଙ୍କ ଝିଅ ହାତକୁ ଦୁଇଟି ସୁନାଖଡ଼ୁ ଆଉ ବେକକୁ ସୁନାର ଗୋଟିଏ ପଞ୍ଚଲହରୀ ହାର ଦିଅନ୍ତୁ । ବାଟଖର୍ଚ୍ଚ ଆମେ ବେଶି ମାଗୁନାହୁଁ, ଦୁଇଶ ଟଙ୍କା ଦେଲେ ଆମେ ସନ୍ତୁଷ୍ଟ । ଆମେ କିଛି ଅନ୍ୟାୟ କହୁନାହୁଁ କି ହାତୀଘୋଡ଼ା ମାଗୁନାହୁଁ । ଆଉ କେହି ହୋଇଥିଲେ ନଗଦ ହଜାରେ ଟଙ୍କାରୁ କଡ଼େ ଊଣା କରନ୍ତା ନାହିଁ । ଏହିଥିରେ ବସିବାକୁ ଥିଲେ ବସ, ନ ହେଲେ ବାଟ ଦେଖ । ଆମର ଏକ ଜବାବ, ଦୁନାବୁଡ଼ିଆଁ କଥା ଆମେ ଜାଣୁନାହୁଁ । କେହି ଅତି ଭଦ୍ରଲୋକ ଚୂଡ଼ାନ୍ତ ମହତ୍ତ୍ୱ ଦେଖାଇ କହିଲା, ‘‘କପାଳରେ ଯାହାଥିବ ତାହା ହେବ । ଆଉ ପରଘରୁ ପୁଳାଏ ମାରିଆଣିଲେ କି ବଡ଼ଲୋକୀରେ ଯୁଗ କଟିଯିବ ? ସେ ଅଲଗା କଥାକୁ ମୁଁ ଖାତର କରେନାହିଁ । ବିଧାତା ଯେଉଁ ଗାର ମାରିଥିବ ତାକୁ ଆନ କରିବ କିଏ ? ଟଙ୍କା ବଡ଼ ନା ବନ୍ଧୁତା ବଡ଼ ? ଯାହା ସାଙ୍ଗରେ ବନ୍ଧୁପଣ କରିବ, ତାହାର ତ ରକ୍ତ ଶୋଷିବ ଆଉ ବନ୍ଧୁପଣର ସ୍ୱାଦ କଅଣ ରହିଲା ? ମୋର ଇଚ୍ଛା–ସେ ସବୁ କୁପ୍ରଥା ସମାଜରୁ ଉଠିଗଲେ ମଙ୍ଗଳ ହୁଅନ୍ତା । ମହାପାତ୍ରେ ତାଙ୍କ ଝିଅନାଁରେ ପାଞ୍ଚମାଣ ବାହେଇ ଜମି କିଣିଦିଅନ୍ତୁ, ଏହାଛଡ଼ା ମୁଁ ତାଙ୍କୁ ଫଟା ପାହୁଲାଟାଏ ବି ମାଗୁନାହିଁ ।’’ ଏହିପରି କେତେଜଣ କେତେକଥା କହିଲେ । ରାଧାନାଥ ସବୁ ଶୁଣି ଶୁଣି ହତାଶ ହୋଇଉଠିଲେ; ମାତ୍ର ଚେଷ୍ଟାରୁ ବିରତ ହେଲେନାହିଁ । ଶେଷରେ ତାଙ୍କର ଚେଷ୍ଟା ସଫଳ ହେଲା, ସେ ମନୋମତ ପାତ୍ର ପାଇଲେ ।

 

ବାହାବଳପୁର ହରି ଚୌଧୁରୀ ଜଣେ ଜଣାଶୁଣା ଲୋକ । ତାଙ୍କର ଦୁର୍ବାର କ୍ରୋଧ ତାଙ୍କୁ ସର୍ବତ୍ର ପରିଚିତ କରାଇଅଛି । ସେ ଅବଧାନୀ କାର୍ଯ୍ୟ କରନ୍ତି । ତାଙ୍କର କ୍ରୋଧବୃତ୍ତି ତାଙ୍କୁ କେଉଁଠାରେ ଅଧିକ ଦିନ ସ୍ଥାୟୀ କରିଦିଏ ନାହିଁ । ତାଙ୍କର ପୁଅଟି ଏଣ୍ଟ୍ରାନ୍‌ସ ପାସ୍‍ କରି କୋଡ଼ିଏ ଟଙ୍କାରେ ଖଣ୍ଡିଏ ଚାକିରି କଲା ଦିନୁ ସେ ଅବଧାନୀ ଛାଡ଼ି ଘରେ ଅଛନ୍ତି । ଏଣ୍ଟ୍ରାନ୍‌ସ ପାସ୍‍ର ପିତା ବୋଲି ସେ ଖୁବ୍ ଗର୍ବ ପ୍ରକାଶ କରନ୍ତି । ରାଧାନାଥ ତାଙ୍କରି ଘରେ ସମ୍ବନ୍ଧ ସ୍ଥିରକଲେ । କଥା ହେଲା ସାଧାରଣ ଭଦ୍ର ଗୃହସ୍ଥମାନେ ଗହଣାଗଣ୍ଠି, ବେଲାବାସନ ପ୍ରଭୃତି ଯାହା ଯାହା ଦିଅନ୍ତି ସେ ତାହା ସବୁ ଦେବେ, ଅଧିକନ୍ତୁ ଦୁଇଶଟଙ୍କା ବାଟଖର୍ଚ୍ଚ ଦେବେ । ଏହାଠାରୁ ଶସ୍ତାରେ ଭଲ ବର ମିଳିବାର ଆଶା ନାହିଁ; ସୁତରାଂ ତାଙ୍କୁ ଅଗତ୍ୟା ସ୍ୱୀକୃତି ହେବାକୁ ହେଲା । ବିବାହର ଦିନ ମଧ୍ୟ ଧାର୍ଯ୍ୟ ହୋଇଗଲା । ସବୁ ହେଲା; ମାତ୍ର ଟଙ୍କା କେଉଁଠୁ ଆସିବ ଭାଳେଣି ପଡ଼ିଲା । ସତ୍ୟଭୂଷଣ ପାଞ୍ଚଶ ଦେଇଛି, ତାକୁ ଅବା କେଉଁ ମୁହଁରେ ମାଗିବେ । ଯାହା ହେଉ ଅରକ୍ଷିତକୁ ଭଗବାନ୍ ସାହା, ତାଙ୍କର ଏ ସଙ୍କଟ ଦେଖି ତାଙ୍କର ଜଣେ ବନ୍ଧୁ ସ୍ୱତଃପ୍ରବୃତ୍ତ ହୋଇ ଦୁଇଶ ଟଙ୍କା ହାତ ଉଧାର ଦେଲେ । ତେତକ ପାଇ ତାଙ୍କର ଟିକିଏ ସାହସ ହେଲା, ଗୃହିଣୀଙ୍କ ଦେହରେ ପ୍ରାୟ ଶତାଧିକ ଟଙ୍କାର ଅଳଙ୍କାର ଥିଲା, ସେ ତାହା ବାହାର କରିଦେଲେ । ତାକୁ ଭାଙ୍ଗି ଝିଅପାଇଁ ନୂଆ ଗହଣା ତିଆରି ହେଲା । ମାସକର ଦରମା ଚାଳିଶିଟି ଟଙ୍କା ହାତରେ ଥିଲା, ସେଥିରେ ଅନ୍ୟାନ୍ୟ ପଦାର୍ଥ କିଣାଗଲା । କିଛି ଦେଇ କିଛି କାଳି ରଖି କାର୍ଯ୍ୟ ଚଳାଇବାକୁ ହେଲା । ଏହିପରି ବିବାହର ଆୟୋଜନ ପ୍ରାୟ ସବୁ ହୋଇଗଲା । କମଳା ଗୁଆ ମଙ୍ଗଳା, ଜାଇ ମଙ୍ଗଳା, ଢିଙ୍କି, ପେଷା, କୁଲା ଚାଲୁଣୀ ମଙ୍ଗଳା ପ୍ରଭୃତି ମାଙ୍ଗଳିକ କାର୍ଯ୍ୟରେ ଲାଗିଲେ । ଗ୍ରାମର ସାତ ଅହ୍ୟ ତାଙ୍କୁ ଏ କାର୍ଯ୍ୟରେ ସାହାଯ୍ୟ କଲେ । ଯୋଗବିଦ୍ୟା ଘରେ ଘରେ ବୁଲି ଜଣ ଜଣକୁ ଧରି ବାହୁନି କାନ୍ଦିଲା ।

 

ଦେଖୁଁ ଦେଖୁଁ ବିବାହ ଦିବସ ଆସି ଉପସ୍ଥିତ ହେଲା । ଯଥାସମୟରେ ବର ସପଟୁଆରରେ ଆସି ପହଞ୍ଚିଲା । ବରଣୀ ପୂର୍ବରୁ ବାଟଖର୍ଚ୍ଚ ଟଙ୍କା ଦେବାକୁ ହେବ । ରାଧାନାଥ ବନ୍ଧୁଦତ୍ତ ଦୁଇଶ ଟଙ୍କା ମଧ୍ୟରୁ ଶଏ ଟଙ୍କା ଖର୍ଚ୍ଚ କରିପକାଇ ଅଛନ୍ତି । ଅବଶିଷ୍ଟ ଶଏ ଟଙ୍କା ଘେନି ବର ବରଣୀ କରିବାକୁ ଗଲେ । ତେତିକି ଦେଇ ବିନୀତ ଭାବରେ କହିଲେ, ‘‘ବାକି ଶଏ ଟଙ୍କା ମୁଁ ପ୍ରତିମାସରେ ଦଶଟଙ୍କା ଲେଖାଁଏ ଦେଇ ପରିଶୋଧ କରି ଦେବି ।’’ ଏହା ଶୁଣି ବରକର୍ତ୍ତା ଗର୍ଜିଉଠି କହିଲେ. ‘‘ଠକାଇବାକୁ ଆଉ ଜାଗା ମିଳିଲାନାହିଁ ପରା ? ଭଦ୍ରଲୋକ ବୋଲାଇ ଏ କି ଚୋଠାମି କଥା ।’’ ରାଧାନାଥ କିଛି ନ କହୁଣୁ ଗ୍ରାମସୀମାନେ କହିଲେ, ‘‘ସେ ତ ଦେବେ ବୋଲି କହୁଛନ୍ତି, ଆଉ ଠକାଇଲେ କଅଣ ? ହରି ଚୌଧୁରୀ ସେମାନଙ୍କୁ ଆଉ ଅଧିକ କହିବାକୁ ନ ଦେଇ କ୍ଷିପ୍ତ କୁକୁର ପରି ଖେଁ ଖେଁ ହୋଇ କହିଲେ, ‘‘ହଁ ହୋ ଦେବେ; ଆମେ ଦୁମୁହାଁ ଥଳୀରେ ନେବୁ । ଚକେ ଗଲେ ବାରହାତ । ହାତରୁ ଖସିଲେ ଗଲା: ବିବାହ ସରିଲେ ଆଉ କିଏ କାହାକୁ ପଚାରେ । ଆମେ ଇମିତି ଢେର ଜୁଆଚୋର ଦେଖିଛୁ ହୋ ! ତମେ ଆପଣା ଆପଣା ବାଟ ଦେଖ, କିଏ ତମକୁ କଜ୍ଜ୍ୱଳପାତିଆ ଭଲଲୋକୀ କରିବାକୁ ଡାକିଛି ।’’ ଗ୍ରାମବାସୀଙ୍କୁ ମଧ୍ୟରୁ କେହି କେହି ଏହା ସହ୍ୟକରି ନ ପାରି କହିଲେ ‘‘ହରି ଅବଧାନେ ! ଆଖି ଚାଳକୁ ଉଠିଗଲା କି ? ମୁହଁ ସମ୍ଭାଳି କଥା କହ । ଜଣେ ଭଦ୍ରଲୋକକୁ ତୁମେ ମନଇଚ୍ଛା ଅପମାନ ଦେଲଣି । ରାଧାନାଥା ମହାପାତ୍ରଙ୍କ ପରି ଲୋକଙ୍କୁ ତୁମେ ଚିହ୍ନିବ କଅଣ, ତୁମ ବାପ ବି ଚିହ୍ନିପାରିବେ ନାହିଁ । ସଂଯତ ହୋଇ ଭଦ୍ରଲୋକ ପରି କଥାକହ; ନଚେତ୍‌ ଉଚିତ ପରାଭବ ପାଇବ ।’’ ଏ କଥାରେ ଚୌଧୁରୀ ଟିକିଏ ଦମିତ ହୋଇଗଲେ; ମାତ୍ର ତାଙ୍କର ଭିତରେ ଭିତରେ ତୁଷାନଳ କୁହୁଳିଲା । କାହିଁରେ ବିଖଡ଼ ବାହାରିବ ସେ ମନେ ମନେ ସୂତ୍ର ଖୋଜି ବୁଲିଲେ । ଛିଦ୍ର ଖୋଜିଲେ ଛିଦ୍ର ବାହାରେ । କିଛିକ୍ଷଣ ପରେ କହିଲେ, ‘‘ଆମ ବିରାଦରଙ୍କୁ ପାଞ୍ଚଯୋଡ଼ କ୍ଷୀରୋଦ୍ର ପାଟ ଦିଅ, ଆମର ଏହିପରି ଧାରା ଅଛି ।’’ ମାହାପାତ୍ରେ କହିଲେ, ‘‘ସେପରି କଥା ତ ପୂର୍ବରୁ ହୋଇନାହିଁ ।’’ ଚୌଧୁରୀଏ ଉଠିପଡ଼ି କହିଲେ, ‘‘ଉଠରେ ବେହେରା ! ପାଲିଙ୍କି ଉଠାଅ, ଉଠରେ ବାଜାଦାରେ ! ଚାଲ ମୋ ପୁଅ ଇଂରାଜିରେ ପାସ୍‍ କରିଛି, ତାକୁ କଅଣ କନ୍ୟା ଅପୂର୍ବ ହେବ, କେତେ ଲୋକ ଆସି ଗୋଡ଼ ଧରିବେ ।’’ ଏହା କହି ବରକୁ ଫେରାଇ ନେଇ ଚାଲିଗଲେ । ରାଧାନାଥଙ୍କ ମୁଣ୍ଡରେ ଆକାଶ ଭାଙ୍ଗିପଡ଼ିଲା, ସେ ଧସ୍‌କରି ବସିଗଲେ । କମଳା ଗୃହ ମଝିରେ ପଡ଼ି ମୂର୍ଚ୍ଛିତ ହେଲେ । ଅନେକ ଚେଷ୍ଟାରେ ଦୁଇଘଡ଼ି ପରେ ତାଙ୍କର ମୂର୍ଚ୍ଛା ଭାଙ୍ଗିଲା । ବେଦୀରୁ ବର ବାହୁଡ଼ିଯିବା କଥା ଗାଁସାରା ରାଷ୍ଟ୍ର ହୋଇଗଲା । ସତ୍ୟଭୂଷଣ ବୈଠକଖାନାରେ ବସିଥିଲା । ଏକଥା ଶୁଣି ଧାଇଁଆସି ରାଧାନାଥଙ୍କ ଘରେ ଉପସ୍ଥିତ ହୋଇ କହିଲା, ‘‘ରାଧୁ ଦାଦା ! ଦୁଃଖିତ ହୁଅ ନାହିଁ । ଖୁଡ଼ି ! ତୁମେ କିଛି ଚିନ୍ତା କରନାହିଁ–ମୁଁ ବର, ଡାକ ପୁରୋହିତଙ୍କୁ, ଏହାକହି ବେଦୀ ଉପରେ ଯାଇ ବସିପଡ଼ିଲା । ରାଧାନାଥ ବକ୍‌ ବକ୍‌ ହୋଇ ତାହା ମୁହଁକୁ ଅନାଇ ରହିଲେ । ସତ୍ୟଭୂଷଣ ତାଙ୍କୁ ତବଦସ୍ଥ ଦେଖି ଟିକିଏ ଜୋର କରି କହିଲା, ‘‘ଠିଆହୋଇ ଦେଖୁଛ କଅଣ, ଚଞ୍ଚଳ ପୁରୋହିତଙ୍କୁ ଡାକ ।’’ ପୁରୋହିତ ଜ୍ୟୋତିଷ ପ୍ରଭୃତି ସମସ୍ତେ ସେଠାରେ ଉପସ୍ଥିତ ଥିଲେ । ସତ୍ୟଭୂଷଣର କଥା ଶୁଣି ସମସ୍ତେ ଆସି ନିଜ ନିଜ କାର୍ଯ୍ୟରେ ଲାଗିଗଲେ ଏବଂ ଜମିଦାର ପୁତ୍ରର ମହତ୍ତ୍ୱକୁ ବାରମ୍ବାର ପ୍ରଶଂସା କରିବାକୁ ଲାଗିଲେ । ଯଥା ସମୟରେ କନ୍ୟା ବେଦୀକୁ ଆସିଲା ଏବଂ ଯଥାରୀତି ବିବାହ କାର୍ଯ୍ୟ ଶେଷ ହେଲା ।

 

ଜମିଦାର ଏ କଥା ଶୁଣି କ୍ରୋଧରେ ଏତେ କଚାଡ଼ି-ମଚାଡ଼ି ହେଲେ ଯେ, ତାଙ୍କ ଦେହ ଯେତେ ବଥା ନ କଲା, ମନ ତେତେ ବଥା କଲା । ସେ କଣ୍ଟିଆମାଛ ପରି କଁ କଁ ହୋଇ କମ୍ପିତ ସ୍ୱରରେ କହିଲେ, ‘‘ଯାଉ କୁଳାଙ୍ଗାର, ଦୂର ହେଉ, ମୋ ଘରେ ତାହାର ସ୍ଥାନ ନାହିଁ । ମୁଁ ଆଜିଠାରୁ ତାକୁ ତ୍ୟଜ୍ୟପୁତ୍ର କଲି । ମୋ କଥା ନ ମାନି ମୋ ଅଜ୍ଞାତରେ ସେ ଇତର ଘରେ ବିବାହ କଲା, ଏବେ ତାହାର ଉପଯୁକ୍ତ ଶାସ୍ତି ଭୋଗକରୁ ।’’ ତାଙ୍କର ଏ ପ୍ରତିଜ୍ଞା ଶୁଣି ଅନେକେ ଆସି ତାଙ୍କୁ ବୁଝାଇଲେ; ମାତ୍ର ସେ କାହାରି କଥାରେ କର୍ଣ୍ଣପାତ କଲେ ନାହିଁ । ଶେଷରେ ବୃନ୍ଦାବତୀ ବୁଝାଇ କହିଲେ, ‘‘ଯାହା ହେବାର ତ ହୋଇଗଲାଣି, ଆଉ ରାଗିମାଗି ହେଲେ କଅଣ ହେବ ? ପୁଅକୁ ଘରକୁ ଆସିବାକୁ ଦେବ ନାହିଁ, ଏଟା କେଡ଼େ ନିନ୍ଦାର କଥା । ତାହାର ତ ପିଲାବୁଦ୍ଧି ଯାଇନାହିଁ, ତାକୁ କଅଣ କରିବ ? ପୁଅ ଯେବେ ହାତରେ ଅକର୍ମ କରିପକାଏ, ତେବେ କଣ ହାତଟା କାଟି ଫୋପାଡ଼ି ଦିଅନ୍ତି ? ବାଜା ପାଲିଙ୍କି ନେଇ ପଟୁଆର କରି ପୁଅ ବୋହୁଙ୍କୁ ଘରକୁ ଆଣ, ଆଉ ତୁଚ୍ଛାରେ ଗୋଟାଏ କଳଙ୍କ କରନାହିଁ ।’’ ଜମିଦାର ତର୍ଜନୀ କମ୍ପାଇ ଦୃପ୍ତ ସ୍ୱରରେ କହିଲେ, ସୂର୍ଯ୍ୟ ପୂର୍ବରେ ଅସ୍ତ ହେଲେ ସୁଦ୍ଧା ମୋକଥା ଅନ୍ୟଥା ହେବ ନାହିଁ । ସେ ଘରକୁ ଆସିଲେ ମୁଁ ରାଜ୍ୟଛାଡ଼ି ଚାଲିଯିବି, ଏହା ମୋର ସତ୍ୟ ସତ୍ୟ ସତ୍ୟ; ତ୍ରିବାର ସତ୍ୟ ।’’ ବୃନ୍ଦାବତୀ ଅନେକ ବୁଝାଇଲେ, ସ୍ୱାମୀଙ୍କ ଗୋଡ଼ଧରି କାନ୍ଦିଲେ; ମାତ୍ର ସ୍ୱାମୀଙ୍କ ମୁହଁରେ ସେହି ଏକ କଥା, ‘‘ସେ ଘରେ ରହିଲେ ମୁଁ ଗୃହତ୍ୟାଗୀ ହେବି ।’’ ଶେଷରେ ବୃନ୍ଦାବତୀ ଅଭିମାନ ମିଶା କ୍ରୁଦ୍ଧ ସ୍ୱରରେ କହିଲେ, ‘‘ହେଉ ତୁମ ଘରକୁ ମୋର ପୁଅବୋହୂ ନ ଆସନ୍ତୁ ପଛକେ, ପାତ୍ରପଡ଼ା ଖମାରଘର ତ ମୋର, ମୁଁ ତାକୁ ତୋଳାଇଛି, ମୋର ପୁଅବୋହୁ ସେଇଠି ରହିବେ ।’’ ଏହା ଶୁଣି ଜମିଦାର କହିଲେ, ‘‘ଯେଉଁଠି ଇଚ୍ଛା ସେଠିକି ଯାଉନ୍ତୁ ମୋର କଅଣ ଯାଏ ।’’ ଅନ୍ତରର ଜମିଦାର ରାଗରେ ଗରଗର ହୋଇ ସ୍ତ୍ରୀଙ୍କ ନିକଟରୁ ଉଠି ଚାଲିଗଲେ । ବୃନ୍ଦାବତୀ ଲୋକ ପଠାଇ ପୁଅବୋହୂଙ୍କୁ ସମାରୋହରେ ପାତ୍ରପଡ଼ା ଖମାରଘରକୁ ନେଇଗଲେ । ବରକନ୍ୟା ସେହିଠାରେ ରହିଲେ । ବୃନ୍ଦାବତୀ ସେମାନଙ୍କ ପାଇଁ ଦାସଦାସୀ ନିଯୁକ୍ତ କରି ପଠାଇଦେଲେ ଏବଂ ଅନ୍ୟାନ୍ୟ ସୁବବ୍ୟସ୍ଥା ମଧ୍ୟ କରିଦେଲେ ।

•••

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ମହାପାତ୍ର ଦମ୍ପତିଙ୍କ ହୃଦୟରେ ଆନନ୍ଦର ଉତ୍ତାଳ ତରଙ୍ଗ ଖେଳିଯାଉଅଛି । କନ୍ୟା ଉପଯୁକ୍ତ ପାତ୍ରର ହାତଧରିଲା, ଏହା ଅପେକ୍ଷା ପିତାମାତାଙ୍କର ଉଚ୍ଚତର ସ୍ଫୃହଣୀୟ କଅଣ ଅଛି ? ଯାହା କଳ୍ପନାର ଅତୀତ, ତାହା ଯଦି ହସ୍ତଗତ ହୁଏ ତେବେ ଆନନ୍ଦ ରଖିବାକୁ ସ୍ଥାନ ମିଳେନାହିଁ । ସେ ଆନନ୍ଦ ବନ୍ୟାବାରି ପରି ଉଛୁଳିପଡ଼ି ମନ, ଆତ୍ମା ହୃଦୟକୁ ଆଚ୍ଛନ୍ନ କରିପକାଏ । କନ୍ୟା ଭାଗ୍ୟରେ ବିଧାତା ଏଭଳି ଶୁଭଯୋଗ ଲେଖିଥିଲା କି ଅମୂଲ୍ୟନିଧି ତାହାର ହସ୍ତଗତ ହେଲା, ଏହି ଭାବନା ଏବଂ ଭାବନାଗତ ଆନନ୍ଦ ମହାପାତ୍ର ଦମ୍ପତିଙ୍କୁ ସ୍ୱର୍ଗର ସିଂହାସନ ଆଣିଦେଲା । କମଳା ଗର୍ବକରି କହିଲେ, ‘‘ବିଦ୍ୟା ମୋର ସାକ୍ଷାତ୍‌ ଲକ୍ଷ୍ମୀଠାକୁାଣୀ, ସେ ରାଜରାଣୀ ନ ହୋଇ ହୀନଲୋକର ହାତ କାହିଁକି ଧରନ୍ତା ? ଯାହାହଉ ଠାକୁରେ ହରିଆ ଅବଧାନର ଦର୍ପ ଚୂନାକଲେ, ଅଳ୍ପାଇଷ ଗାଲରେ ଚୂନକଳା ଲାଗିଲା । ଭାରି ଗୁମାନ କରି ବେଦୀରୁ ବର ଉଠାଇ ନେଇଯାଇଥିଲା, ସେ ଗୁମାନ କଉଁଠି ରହିଲା ? ମୋର ଝିଅକୁ କି ବର ମିଳିଲା ନାହିଁ, ଚନ୍ଦେଇ ପାଣିବିନା ଲୁଣ ଅମରା ରହିଲା ? ମୋ ଝିଅକୁ ଯେଉଁ ବର ମିଳିଲା, ତୋ ପୁଅ ତା ଗୋଡ଼ତଳକୁ ଲଚ୍ଛ ନୁହେଁରେ ପୋଡ଼ାମୁହାଁ ।’’ କମଳା ‘‘ସପ୍ତ ଦିବାନିଶି’’ ହରି ଚୌଧୁରୀକୁ ଏହିପରି ଶପାକଟା କଲେ । ମହାପାତ୍ର ଦମ୍ପତିଙ୍କ ଆନନ୍ଦ ମଧ୍ୟରେ ଗୋଟାଏ ଆଶଙ୍କାର ଛାୟା ଲୁଚକାଳି ଖେଳି ବୁଲୁଥିଲା । ସେ ଆଶଙ୍କା ଜମିଦାର ଅନ୍ତର୍ଯ୍ୟାମୀ ରାୟଙ୍କ ସକାଶେ । ସେ ଯେପରି ଏକବୁଝା ରାଢ, କାଳେ କି କୌଶଳରେ ମହାପାତ୍ରଙ୍କୁ ବିପନ୍ନ କରିପାରନ୍ତି, ଏହି ଭୟ ତାଙ୍କ ହୃଦୟରେ ବାରମ୍ବାର ଜାତ ହେଉଥିଲା । ତେବେ ଏ ଭୟ ମଧ୍ୟରେ ଭରସା ଏତିକି ଯେ, ବୃନ୍ଦାବତୀ ଏ ବିବାହରେ ଅସନ୍ତୁଷ୍ଟା ନୁହନ୍ତି । ସେ ଯାହା ଖୋଜୁଥିଲେ, ତାହା ପାଇଲେ । ଯୋଗବିଦ୍ୟାକୁ ବୋହୁ କରିବାକୁ ତାଙ୍କର ଏକାନ୍ତ ଇଚ୍ଛା ଥିଲା । ବିଧାତା ସେ ଇଚ୍ଛା ପୂର୍ଣ୍ଣକଲେ । ଆଶା ସଫଳ ହେଲେ ମନୁଷ୍ୟର ମନ ଯେଉଁପରି ହୁଏ, ତାଙ୍କର ମାନସିକ ଅବସ୍ଥା ଠିକ୍‌ ସେହିପରି ହେଲା । ସେ ଦିନେ ପାତ୍ରପଡ଼ା ଯାଇ ନବବଧୁକୁ ନାନାବିଧ ସ୍ୱର୍ଣ୍ଣରତ୍ନାଳଙ୍କାରରେ ସଜ୍ଜିତ କରିଦେଇ ଆସିଅଛନ୍ତି । ଯୋଗବିଦ୍ୟାର କାନ୍ତ ମଧୁର ରୂପଲାବଣ୍ୟ ସେହି ଅଳଙ୍କାର ପ୍ରଭାରେ ବହୁଗୁଣ ଝଟକି ଉଠୁଅଛି । ବୃନ୍ଦାବତୀ ଦିନରେ ତିନିଥର ଦାସଦାସୀମାନଙ୍କୁ ପାତ୍ରପଡ଼ା ପଠାଇ ପୁଅବୋହୂଙ୍କର ତତ୍ତ୍ୱ ନିଅନ୍ତି ଏବଂ ଖଜା, ପିଠା ପ୍ରଭୃତି ପ୍ରସ୍ତୁତ କରି ପଠାଇ ଦିଅନ୍ତି । ଦିନେ ସେ ସ୍ୱାମୀଙ୍କୁ କହିଲେ, ‘‘ଯାହା ତ ହେବାର ହେଲାଣି, ଗଲା କଥାକୁ ଭାବିଲେ ଆଉ କଅଣ ହେବ, ଏବେ ପୁଅବୋହୂଙ୍କୁ ଘରକୁ ଆଣ । ଯେତେହେଲେ ତ ତୁମର ପୁଅବୋହୁ, ସେ ଆଉ କେତେକାଳ ପଦାରେ ପଡ଼ିଥିବେ ? ଲୋକେ ନାନା କଥା କହୁଛନ୍ତି, ଆଗରେ ସିନା କେହି କିଛି କହୁନାହାନ୍ତି, ପଛରେ ଢେର ନିନ୍ଦା କରୁଛନ୍ତି ।’’ ଜିମଦାର ଦୃପ୍ତକଣ୍ଠରେ କହିଲେ, ‘‘ନିନ୍ଦାକୁ ମୁଁ ଭୟ କରେନାହିଁ, ଆଉ କିଏ ମୋର ବୋହୂ ? ସେହି ରାଧୁଆ ହୀନ ଲୋକଟାର ଝିଅ କି ଜିମଦାର ଅନ୍ତର୍ଯ୍ୟାମୀ ରାୟର ପୁତ୍ରବଧୂ ହେବାର ଯୋଗ୍ୟ ? ଫକଡ଼ ରାଧୁଆକୁ ଯେବେ ମୁଁ ଜେଲ ନ ଖଟାଏଁ, ତେବେ ମୋ ନା ଅନ୍ତର୍ଯ୍ୟାମୀ ନୁହେଁ । ସବୁ ଫିସାଦ ତାହାରି । ସେହି ମୋ ପୁଅକୁ କୁଶିକ୍ଷା ଦେଇ ସବୁ କାଣ୍ଡ ଲଗାଇଛି । ତାହା ବୁଦ୍ଧି ଶୁଣିଲଣି । ମୋହରି ପୁଅକୁ ଶିଖାଇ ବୁଝାଇ ପାଞ୍ଚଶ ଟଙ୍କା ନେଇ ମୋତେ ୠଣ ଶୁଝିଛି । ଏଡ଼େ ସିଆଣିଆ ଯେ, ମାଛ ତେଲରେ ମାଛ ଭାଜିଛି ।’’ ବୃନ୍ଦାବତୀ ନିର୍ଦ୍ଦୟ ହାକିମ ପରି କଠୋର ଦୃଷ୍ଟିରେ ସ୍ୱାମୀଙ୍କ ମୁହଁକୁ ଚାହିଁ କହିଲେ, ‘‘ମିଛ କଥା, ରାଧୁ ସତୁକୁ ଶିଖାଇ ଟଙ୍କା ନେଇନାହାନ୍ତି–ସେ ଟଙ୍କା ମୁଁ ଦେଇଛି ।’’ ଜମିଦାର ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ତମେ ଦେଇଛ କାହିଁକି ?’’ ବୃନ୍ଦାବତୀ ଦୃଢ଼ ସ୍ୱରରେ କହିଲେ, ‘‘ହଁ ମୁଁ ଦେଇଛି, କାହିଁକି ଆଉ କଅଣ ? ତମେ ଜଣକୁ ଘରଛଡ଼ା କରିବ, ସେ ପିଲା କୁଟୁମ୍ବ ଘେନି ଦାଣ୍ଡରେ ଯାଇ ଠିଆହେବ, ମୁଁ ପିଲାଛୁଆର ମା ହୋଇ ତାହା ସହିପାରିବି ନାହିଁ-। ତାହା ଦେଖିଲେ ମୋ ଆଖି ଫାଟିଯାଇ ରକ୍ତ ବୋହିବ । ପଶୁପକ୍ଷୀଙ୍କି ମଣିଷ ଆଶ୍ରା ଦେଉଛି, ଆଉ ତୁମେ ମଣିଷ ହୋଇ ମଣିଷକୁ ଘରୁ କାଢ଼ିଦେବ । ସେ ଗରିବର ଭୁଇଁଟିକ ଲାଗି ତୁମ୍ଭର ଏତେ ଜିଦି କାହିଁକି ?’’ ଜମିଦାର ଉତ୍ତେଜିତ ହୋଇ କହିଲେ, ‘‘ସେଥିରୁ ତୁମେ କଅଣ ପାଇବ ? ବୁଝିଲି, ତେବେ ତୁମ ମା ପୁଅ ଦୁହିଙ୍କର ଏ କୁଟ ।’’ ଅନନ୍ତର ସେ ଅବଜ୍ଞାବ୍ୟଞ୍ଜକ କଠୋର ସ୍ୱରରେ ହସିଉଠିଲେ । ସୂର୍ଯ୍ୟାସ୍ତ ପୂର୍ବରୁ ଖରା ଯେପରି ଚମ୍ପାଫୁଲିଆ ରଙ୍ଗ ଧରିଆସେ, ସେ ହସ ସେହିପରି ଫିକା । ବୃନ୍ଦାବତୀ ସ୍ୱାମୀଙ୍କ ହାସ୍ୟ ଦେଖି ଟିକିଏ ସଙ୍କୁଚିତ ହୋଇ କହିଲେ, ‘‘ହଉ, ମୁଁ ସେଥିରୁ କିଛି ନ ପାଏଁ ପଛେ, ତୁମେ ପୁଅକୁ କେବେ ଆଣିବ କହ ?’’ ସ୍ୱାମୀ ଉଦାସ ସ୍ୱରରେ କହିଲେ, ‘‘ପୁଅ ! ପୁଅ ନା ଜୀବନର ଅଭିଶାପ ? ଯାହାକୁ ମୁଁ ତ୍ୟଜ୍ୟପୁତ୍ର କରିଛି, ତାକୁ ପୁଣି ଘରକୁ ଆଣିବି ? ଚନ୍ଦ୍ରସୂର୍ଯ୍ୟ ଆକାଶରୁ ଖସିପଡ଼ିଲେ କି ମୋ କଥା ଟଳିବ ନାହିଁ ।’’ ବୃନ୍ଦାବତୀ ଆଉ ସହିପାରିଲେ ନାହିଁ, ରାଗରେ ଥମଥମ ହୋଇ କହିଲେ, ‘‘ଓଃ, କି ସାଧୁସଂକଳ୍ପ ଥରକୁଥର ତ୍ୟଜ୍ୟପୁତ୍ର ଭଜିହୋଇ ଧମକାଉଛ କାହିଁକି ? ତ୍ୟଜ୍ୟପୁତ୍ର କି ତେଜପତ୍ର କଅଣ କରିଛ ତାହା ତୁମେ ଜାଣ, ମୁଁ ମାଇପି ଲୋକ କଅଣ ବୁଝିବି ? ତୁମ ସମ୍ପତ୍ତି ତାକୁ ନ ଦିଅ, ତା’ ଅଜା ଯାହା ଦେଇଯାଇଛନ୍ତି, ସେହି ତାହାର ଢେର । ବାବାଙ୍କ ମାହାଲର କାଗଜପତ୍ର ତାକୁ ଦିଅ, ସେ ତାହାର ବୁଝାଶୁଝା କରୁ । ନ ହେଲେ କଅଣ ଓପାସରେ ଗଡ଼ିଯିବ ! ତୁମକୁ ପଛେ ଏ କଥାଟା ସୁନ୍ଦର ଦିଶୁ ଆଉ ଚାରିଆଡ଼େ ଯଶ ଡେଙ୍ଗୁରା ଡିବିଡିବି ହୋଇ ବାଜୁ ।’’ ଜମିଦାର ପତ୍ନୀଙ୍କର ବ୍ୟଙ୍ଗ ପୁରୁଷ ବାଣୀରେ କ୍ରୋଧାନ୍ୱିତ ହୋଇ କହିଲେ, ‘‘ଓଃ, ଭାରି ତ ମାହାଲପୁଣି କୋଡ଼ିଏ ଥର ସେହି କଥା । ହେଉ, ଏବେ ଯାଇ ତାହାର କାଗଜପତ୍ର ଆଉ ନଗଦ ତହବିଲ ଯାହାଥିବ, ତାହାସବୁ ପଠାଇଦେବି-!’’ ଜମିଦାର ଆଉ କିଛି ନ କହି ମୁହଁ ପେଡ଼ିପରି କରି ଉଠି ଚାଲିଗଲେ । ସେହିଦିନ ସତ୍ୟଭୂଷଣର ମାତାମହ ପ୍ରଦତ୍ତ ମାହାଲର ସମସ୍ତ ଖାତାପତ୍ର ଏବଂ ନଗଦ ତହବିଲ ସାତଶ ଟଙ୍କା ବେବର୍ତ୍ତାଙ୍କଦ୍ୱାରା ତାହାପାଖକୁ ପଠାଇ ଦେଲେ । ବେବେର୍ତ୍ତା ସେସବୁ ସତ୍ୟଭୂଷଣକୁ ଦେବାବେଳେ ସେ ଟିକିଏ ସଙ୍କୁଚିତ ହୋଇ କହିଲା, ‘‘ବାବା କାହିଁକି ଏହା କଲେ, ମୋତେ ତ ମାସିକ କିଛି କିଛି ଦେଲେ ଚଳନ୍ତା ।’’ ବେବର୍ତ୍ତା କହିଲେ, ‘‘ନା ବାବୁ, ତାଙ୍କ ଆଡ଼ଶୁଳିଆ କଥା ତ ତୁମେ ଜାଣ, ଆଉ ପଚାରୁଛ କାହିଁକି ? ତୁମ ଅଜା ମାହାଲ ସେ ଆଉ ଦେଖାରଖା କରିବେ ନାହିଁ । ଆମେ ସବୁ ଢେର କହିଲୁ, ସେ କାହାରି କଥା ଶୁଣିଲେ ନାହିଁ ।’’ ସତ୍ୟଭୂଷଣ କହିଲା, ‘‘ସେତ ମନାକଲେ ଦେଖିବେ ନାହିଁ, ମୁଁ ଯଦି ନ ଦେଖେ ତେବେ ମାହାଲର ଅବସ୍ଥା କଅଣ ହେବ ? ତେବେ ମୋତେ ଅନିଚ୍ଛାସତ୍ତ୍ୱେ ଦେଖିବାକୁ ହେବ ?’’ ସତ୍ୟଭୂଷଣ କାଗଜପତ୍ରାଦି ଗ୍ରହଣ କଲା । ବେବର୍ତ୍ତା ଅନ୍ୟାନ୍ୟ କଥା ପରେ ଫେରିଗଲେ ।

 

ଆକାଶରେ ଖଣ୍ଡିକ ପଛରେ ଖଣ୍ଡିଏ ମେଘ ଚାଲିଲା ପରି ଦିନ ଚାଲିଛି । ବସୁ ବସୁ ଦିନ ଚାଲିଯାଏ, କଥା କହୁକହୁ ଦିନ ଚାଲିଯାଏ, କାମ କରୁକରୁ ଦିନ ଚାଲିଯାଏ । ଚାଲିବା ତାହାର ଧର୍ମ, ବିଶ୍ରାମ ବା ଆଳସ୍ୟ ନାହିଁ । ଦେଖୁଁ ଦେଖୁଁ ଦୁଇବର୍ଷ ଅତୀତ ହୋଇଗଲା । ସତ୍ୟଭୂଷଣ ଖୁବ୍‌ ଅଳ୍ପ କର୍ମଚାରୀ ରଖି ଜମିଦାରୀ କାର୍ଯ୍ୟ ଚଳାଉଅଛି । ସେ ନିଜେ ଅନେକ କାର୍ଯ୍ୟ କରେ । ପ୍ରଜାମାନେ ତାହା ବ୍ୟବହାରରେ ବଶୀଭୂତ । କେଉଁଠାରେ ପ୍ରଜାବିଦ୍ରୋହ ନାହିଁ, ମାଲିମକଦ୍ଦମା ନାହିଁ, ପ୍ରବୀଣ ଚାଳକ ପରି ସେ ଖୁବ୍‌ ଶାନ୍ତିରେ ଏବଂ ଶୃଙ୍ଖଳାରେ କାର୍ଯ୍ୟ ଚଳାଉଅଛି । ସେ ଜଣେ ପରିମିତବ୍ୟୟୀ-। ଦୁଇବର୍ଷ ମଧ୍ୟରେ ଖର୍ଚ୍ଚ ଯାଇ ଅନେକ ଟଙ୍କା ଜମା ହୋଇଅଛି । ସେହି ଟଙ୍କାରେ ଜଳାଧାର ଖନନ ଏବଂ ସଂସ୍କାର, ପଥ ପ୍ରସ୍ତୁତ, ପାଠଶାଳା ସ୍ଥାପନ ପ୍ରଭୃତି ଲାଗିଅଛି । କୃଷି, ଶିଳ୍ପ, ବାଣିଜ୍ୟରେ ଉନ୍ନତି ପ୍ରତି ତାହାର ପ୍ରଧାନ ଲକ୍ଷ୍ୟ ଅଛି । ପାତ୍ରପଡ଼ାରେ ତାହାର ନୂତନ କଚେରୀ ଏବଂ ଆବଶ୍ୟକ ଗୃହ ପ୍ରସ୍ତୁତ ହୋଇଅଛି । ଯୋଗବିଦ୍ୟାକୁ ଘେନି ସେଠାରେ ସେ ବେଶ୍‌ ସୁଖରେ କାଳଯାପନ କରୁଅଛି । ସେ ଯୋଗବିଦ୍ୟାକୁ ପ୍ରାଣ ପରି ଆଦର ଯତ୍ନକରେ । ଯୋଗବିଦ୍ୟା ମଧ୍ୟ ସ୍ୱାମୀକୁ ଦେବତା ତୁଲ୍ୟ ଭକ୍ତିସେବା କରେ । ସେ ବାଳିକା ହେଲେ ହେଁ ମାତୃଶିକ୍ଷା ଗୁଣରେ ପ୍ରାଚୀନ ଗୃହିଣୀ ପରି ଚାରିଆଡ଼କୁ ଦୃଷ୍ଟି ରଖି ଘରକରଣା କରୁଅଛି । ସ୍ୱାମୀ ସ୍ତ୍ରୀର ଏକ ମନ, ଏକ ପ୍ରାଣ । ଉଭୟ ପ୍ରାଣରେ ଅଖଣ୍ଡ ପ୍ରେମମିଳନର ପବିତ୍ର ଅନାବିଳ ଧାରା ବହିଯାଉଅଛି । ଜଣକର ମନର ଭାବ ଅନ୍ୟର ମନରେ ପ୍ରତିବିମ୍ବିତ ହୁଏ । ଉଭୟେ ପକ୍ଷୀ ପକ୍ଷିଣୀ ପରି ଦାମ୍ପତ୍ୟ ଅମୋଦରେ ବିଭୋର ହୋଇ ପ୍ରଣୟ-ପିୟୁଷ ପାନ କରୁଅଛନ୍ତି । ଗୋଟିଏ ମୂର୍ତ୍ତି, ଅପରଟି ତାହାର ଦର୍ପଣବିମ୍ବିତ ପ୍ରତିଚ୍ଛାୟା । ସୁଖରେ ଶାନ୍ତିରେ, ଆନନ୍ଦରେ ଦୁହିଙ୍କର କାଳ କଟିଯାଉଅଛି ।

 

ଶୀତୠତୁର ଆରମ୍ଭରେ ବିଷ୍ଣୁପୁର ଗ୍ରାମରେ ବସନ୍ତ ରୋଗ ଦେଖାଗଲା । ଅଳ୍ପଦିନ ମଧ୍ୟରେ ରୋଗ ପ୍ରବଳ ଭାବରେ ସଂକ୍ରମିତ ହୋଇଉଠିଲା । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଲା । ଅନେକ ପରିବାର ଘରଛାଡ଼ି ପଳାଇଗଲେ । କେହି ବନ୍ଧୁଘରେ ଯାଇ ଆଶ୍ରୟ ନେଲେ, କେହି ଭିନ୍ନ ଗ୍ରାମରେ ଘର ମାଗି ରହିଲେ, କେହି କଲିକତା ଚାଲିଗଲେ । ସେମାନଙ୍କୁ ଦୁଇଟା ସୁଯୋଗ ଘଟିଲା–ରୋଗ ଆକ୍ରମଣରୁ ରକ୍ଷା ପାଇଲେ ଏବଂ କଲିକତାରେ କିଛି କିଛି ଉପାର୍ଜନ ମଧ୍ୟ କଲେ । ବିଷ୍ଣୁପୁର ଗ୍ରାମରେ କକୁଆ ଭୟ ଜାତ ହେଲା । ଯେଉଁମାନେ ଧନ ସମ୍ପତ୍ତିର ମାୟା ଛାଡ଼ି ନ ପାରି ଗ୍ରାମରେ ରହିଲେ ସେମାନେ ନିଜକୁ ମୃତ୍ୟୁ-ନଦୀର ପତନୋନ୍ମୁଖ ତଡ଼ା ଉପରେ ଠିଆହେଲା ପ୍ରାୟ ମଣିଲେ । ଗ୍ରାମରୁ ଅଧିକାଂଶ ଲୋକ ପଳାଇଲେ, ଅଳ୍ପସଂଖ୍ୟକ ଯାହା ଥିଲେ, ସେମାନେ ମଡ଼ା ବହି ବହି ଥକିଲେ ଏବଂ କେହି କେହି ନିଜେ ମଧ୍ୟ ମଡ଼ା ହେଲେ । ତିନି ଚାରି ଦିନ ଯାଏଁ ଘରେ ମଡ଼ା ପଡ଼ିରହିଲା । ଉଠାଇବାକୁ ଲୋକ ମିଲିଲେ ନାହିଁ । ଅନେକ ଲୋକ ବିନା ରୋଗରେ ଛାନିଆଁରେ ମରିଗଲେ । ଶବାହାରୀ ଜନ୍ତୁଏ ଅଜୀର୍ଣ୍ଣ ରୋଗରେ ଆକ୍ରାନ୍ତ ହେଲେ । ସେମାନଙ୍କର ବିକଟ ଶବ୍ଦ ଭୟର ଭୟଙ୍କର ରୂପ ଧରି ବୁଲିଲା । ଶ୍ମଶାନର ପ୍ରାଣଶୋଷୀ ଦୃଶ୍ୟ ବର୍ଣ୍ଣନାନୀତ, ତାହା ଶୁଣିଲେ ଦିନରେ ସୁଦ୍ଧା ଭୟଜାତ ହେବ । ସେଠାରେ ଶବ ପ୍ରଦର୍ଶନୀ ଖୋଲା ହୋଇଅଛି । ସେ ପ୍ରଦର୍ଶନୀ ଦେଖିଲେ ଜୀବନର ପରିମାଣ ଶିକ୍ଷା ଯଥେଷ୍ଟ ହୁଏ । କେତେକ ଲୋକ ଜୀବନର କେତେ ଆଶା, କେତେ ଆକାଙ୍‌କ୍ଷାରୁ ହଠାତ୍‌ ବିଚ୍ୟୁତ ଶ୍ମଶାନରେ ନିଶ୍ଚିନ୍ତ ନିର୍ଭଙ୍ଗ ମହାନିଦ୍ରାରେ ଅଭିଭୂତ ଅଛନ୍ତି । କାହାର ମୂଖ ବିକୃତ, କାହାର ନିର୍ନିମେଷ ଦୃଷ୍ଟି ଅତ୍ୟନ୍ତ ଭୀଷଣ । କେହି ଏକ ହସ୍ତ, ଏକ ଚକ୍ଷୁ, କାହାର ନାସିକା ନାହିଁ, କିଏ ଶରୀର ପ୍ରେତ ପରି ଭୟଙ୍କର । କାହା ଉପରେ କୁକୁର ଶିଆଳ ମୂତ୍ରତ୍ୟାଗ କରି ଚାଲିଯାଉ ଅଛନ୍ତି । ମାନବ ଶରୀର ପରିଣାମରେ କି ବୀଭତ୍ସ ଅସାର ହୁଏ; ଯେଉଁ ଦେହ ଚନ୍ଦନ, ପୁସ୍ପସାର ପ୍ରଭୃତିରେ ସୁଗନ୍ଧୀକୃତ ହୁଏ, ହାୟ ! ସେହି ଦେହ ଉପରେ ପୁଣି ଘୃଣ୍ୟ ଅଧମ ପଶୁ ପ୍ରସାବ କରେ । ହେ ବ୍ୟସନପ୍ରାଣ ଦାମ୍ଭିକ, ହେ ଈର୍ଷାପଟୁ ମତ୍ସରି, ଏଥିରୁ ତୁମ୍ଭର କିଛି ଶିକ୍ଷା ହେଲା କି ? ଯାଉ ସେ କଥା । ଗ୍ରାମବାସୀଏ ଠାକୁରାଣୀ ମାଜଣା, ହରିସଂକୀର୍ତ୍ତନ, ଭାଗବତ ସପ୍ତା ପ୍ରଭୃତିରେ ଦିନରାତି ଲିପ୍ତ ରହିଲେ । ପ୍ରଥମ ପ୍ରଥମ ରୋଗର ଚିକିତ୍ସା ଚଳୁଥିଲା; ମାତ୍ର ପଛକୁ ଚିକିତ୍ସକମାନେ ଭୟକରି ରୋଗୀ ଦେଖିବାକୁ ଆସିଲେ ନାହିଁ । ଏରୂପ ମରୁଡ଼ି ସେ ଗ୍ରାମରେ କେବେ ଘଟି ନ ଥିଲା । ଯେ ଯାହାକୁ ଶୁଶ୍ରୂଷା କଲା ସେ ମଲା, ଯେ ଯାହାକୁ ଦେଖିବାକୁ ଗଲା ସେ ମଲା । ଶବବାହୀ ଶ୍ମଶାନରୁ ଫେରିଆସି ରୋଗରେ ଆକ୍ରାନ୍ତହୋଇ ମଲା । ଭୟରେ କେହି କାହା ଘରକୁ ଗଲେନାହିଁ । ରାତି କଥା କିଏ ପଚାରେ, ଦିନରେ ବି ଗାଁରେ ତାଟି କବାଟ ପଡ଼ିଲା । ଦିନରେ ଶିଆଳ କୁକୁର ଆସି ଗାଁରେ ବୁଲିଲେ ଏବଂ ମୃତର ହସ୍ତ ପଦ ଆଣି ପକାଇଲେ । ଗ୍ରାମରେ କ୍ରନ୍ଦନର ଶବ୍ଦ ସୁଦ୍ଧା ନାହିଁ । ସମସ୍ତେ ନିଜ ନିଜ ପ୍ରାଣ ଭୟରେ ଅସ୍ଥିର: ସୁତରାଂ କାହା ପାଇଁ କିଏ କାନ୍ଦୁଛି । ଆଉ ଶୋକର ତୀବ୍ର ଉତ୍ତାପରେ କାହାରି ଅଶ୍ରୁଝର ବି ଶୁଖିଯାଇଥିଲା ।

 

ରୋଗର ଆକ୍ରମଣରୁ ଆତ୍ମରକ୍ଷା କରିବା ସକାଶେ ଜମିଦାର ଅନ୍ତର୍ଯ୍ୟାମୀ ରାୟ ଖୁବ୍‌ ସତର୍କ । ଝୁଣା ଗନ୍ଧକ ଧୂଆଁରେ ସେ ରୋଗର ପଥରୁଦ୍ଧ କରି ଦେଇଅଛନ୍ତି ଏବଂ ବସନ୍ତ ରୋଗର ପ୍ରତିଷେଧକ ଅନେକ ମୂଲ୍ୟବାନ୍‌ ଔଷଧ କିଣି ରଖିଅଛନ୍ତି । ଉଆସ ମଧ୍ୟରେ ଶୋଧିତ ଜଳ ବ୍ୟବହାରର ବ୍ୟବସ୍ଥା କରିଅଛନ୍ତି ଏବଂ ମାଛ ଶୁଖୁଆ ଏକାବେଳକେ ବନ୍ଦ କରିଦେଇଅଛନ୍ତି । ଏତେ କଟକଣା; କିନ୍ତୁ ଚୋର କି ଧର୍ମର ଦ୍ୱାହି ମାନିବ ? ତାଙ୍କର ଗୋଟିଏ ଦାସୀ ବସନ୍ତରୋଗୀ ଘରୁ ପାଣି ପିଇ ଆସି ରୋଗରେ ଆକ୍ରାନ୍ତ ହେଲା । ଦେଖୁଁ ଦେଖୁଁ ଉଆସ ଭିତରେ ଆଉ କେତେଜଣଙ୍କ ଦେହରେ ବସନ୍ତ ବାହାରିଲା । ସେଥି ମଧ୍ୟରୁ କେତେଜଣ ମଲେ, ଏହାଦେଖି ଦାସଦାସୀମାନେ ପଳାଇଲେ, ଆଉ ଯେଉଁମାନେ ପ୍ରଭୃଭକ୍ତ ସେହି କେତେଜଣ ପ୍ରାଣଭୟ ସତ୍ତ୍ୱେ ବିପଦ ସମୟରେ ପ୍ରଭୁଗୃହ ଛାଡ଼ି ଗଲେନାହିଁ । କିଛିଦିନ ପରେ ନିଜେ ଜିମଦାର ରୋଗାକ୍ରାନ୍ତ ହେଲେ । ଗ୍ରାମସାରା ଭୟ ଭାବନାର ପ୍ରବଳ ସ୍ରୋତ ବହିବାକୁ ଲାଗିଲା । ବୃନ୍ଦାବତୀ କ୍ଷଣକ୍ଷଣକେ ଅଚେତନ ହେଲେ । ତାରାନାଥ, ରଙ୍ଗାଧର ଏବଂ ଦୁଇଜଣ ବୈଦ୍ୟ ପ୍ରାଣପଣରେ ଚିକିତ୍ସା କରିବାକୁ ଲାଗିଲେ; ମାତ୍ର କାହିଁରେ କିଛି ହେଲା ନାହିଁ, ରୋଗ ବଢ଼ିବାକୁ ଲାଗିଲା । ଦେହଯାକ ପାକଲା ଜାମୁକୋଳି ପରି ବସନ୍ତରେ ଛାଇଗଲା । ରୋଗୀ ଯନ୍ତ୍ରଣାରେ ଅସ୍ଥିର; ଏହି ସମୟରେ ବେବର୍ତ୍ତା ଆସି ପଚାରିଲେ, ‘‘ବାବୁଙ୍କୁ ଆଣିବାକୁ ସୁଆର ପଠାଇବି ?’’ ଜମିଦାର ଉଁ କି ଚୁଁ, ଚମ୍ପା କି ମଲ୍ଲୀ କିଛି ଉତ୍ତର ଦେଲେନାହିଁ । କଡ଼ ଲେଉଟାଇ ବେବର୍ତ୍ତାଙ୍କ ଆଡ଼କୁ ପିଠିକରି ଶୋଇଲେ । ବେବର୍ତ୍ତା ବୁଝିପାରିଲେ ଯେ, ମହାଯାତ୍ରା ପୂର୍ବରୁ କର୍ତ୍ତାଙ୍କର କ୍ରୋଧ ଯିବ ନାହିଁ; ସୁତରାଂ ସେ ଆଉ କିଛି କହିଲେ ନାହିଁ ।

 

ଯୋଗବିଦ୍ୟା ଶଶୁରଙ୍କର ପୀଡ଼ାକଥା ଶୁଣି କାନ୍ଦି ପକାଇ ସ୍ୱାମୀଙ୍କୁ କହିଲା, ‘ମୋତେ ଖଣ୍ଡେ ସୁଆରି କରିଦିଅ, ମୁଁ ଯାଇ ବାବାଙ୍କୁ ଦେଖିବି । ମୋ ମନ ଭାରି ଘାଣ୍ଟି ଚକଟି ହେଉଛି, ମୁଁ ଆଉ ସହିପାରିବି ନାହିଁ ।’ ଯେଗାବିଦ୍ୟା ଆଉ କଥା କହିପାରିଲା ନାହିଁ, ଦୁଃଖର ଆବେଗରେ ତାହାର କଣ୍ଠ ରୁଦ୍ଧ ହୋଇଗଲା । ସତ୍ୟଭୂଷଣ ତାହାର ଏ ଭାବ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟହୋଇ କହିଲା, ‘ତୁମେ ଯିବ ? ଯେଉଁଦ୍ୱାର ତୁମକୁ ମନା, ସେ ଦ୍ୱାରକୁ ତୁମେ କି ହିସାବରେ ଯିବ ? ଯଦି ଛାଡ଼ି ନ ଦିଅନ୍ତି ?’ ସ୍ୱାମୀ କଥା ଶୁଣି ଯୋଗବିଦ୍ୟାର ଅଶ୍ରୁମୁଖରେ କ୍ରୋଧ ଫୁଟିଉଠିଲା, ବର୍ଷା ମଧ୍ୟରୁ ବଜ୍ର ଗର୍ଜିଉଠିଲା, କୋମଳରେ କଠୋର ମିଶିଲା । ସେ ଉନ୍ମାଦିନୀ ପରି ହୋଇ କର୍କଶ ସ୍ୱରରେ କହିଲା, ‘‘ସେ ମୋର ଘର, କାହାର ସାଧ୍ୟ ମୋତେ ବାଟ ଓଗାଳିବ ? ମୁଁ ରୁଗ୍‌ଣ ଶ୍ୱଶୁରଙ୍କର ସେବା କରିବାକୁ ଯାଉଛି, ମୋର ସାଧୁ ଇଚ୍ଛାରେ କିଏ ବାଧା ଦେବ, କିଏ ଧର୍ମପଥରେ କଣ୍ଟକ ହେବ ? ମୋର ସେ ଭୟ ନାହିଁ ।’’ ସତ୍ୟଭୂଷଣ ସ୍ତ୍ରୀର ତେଜ ଦେଖି ହସିପକାଇଲା ଏବଂ ପରେ ଗୋଟାଏ ବ୍ୟଥାବୋଳା ଦୀର୍ଘନିଃଶ୍ୱାସ ଛାଡ଼ି ଉତ୍ସାହିତ ହୋଇ କହିଲା, ‘‘ହଁ ଚାଲ, ମୁଁ ବି ତୁମ ସାଙ୍ଗରେ ଯିବି । ପିତାମାତାଙ୍କର ଦେବଚରଣ ଦର୍ଶନ କାହାର ଇଚ୍ଛା ନୁହେଁ ? ତାହା ତ ସନ୍ତାନର ପରମ ପୂଣ୍ୟତୀର୍ଥ ।

 

ଠିକ୍‌ କଅଁଳ ଗାଧୁଆବେଳେ ଯୋଗବିଦ୍ୟାର ସୁଆରି ଆସି ଜମିଦାରଙ୍କ ସଦର ଦ୍ୱାରରେ ପହଞ୍ଚିଲା । ଘାଟ ପାଇକ ବେହେରାଙ୍କୁ ପଚାରି ବୁଝି ଅସ୍ତବ୍ୟସ୍ତ ହୋଇ ଭୂମିରେ ମୁଣ୍ଡଲଗାଇ କହିଲା, ‘‘ମୋର ଏଇଠି ଦଣ୍ଡବତ ବୋହୁ ମଣିମା, ଭିତରକୁ ବିଜେ ହେଉନ୍ତୁ ମା !’’ ଯୋଗବିଦ୍ୟା ସୁଆରିରୁ ଓହ୍ଲାଇ ଶଶୁରଙ୍କ ଶୋଇବା ଘରେ ଯାଇ ଦେଖିଲା–ତାହାର ରୁଗ୍‌ଣ ଶଶୁର ମୂର୍ଚ୍ଛିତ ଅବସ୍ଥାରେ ଖଟରେ ପଡ଼ିଅଛନ୍ତି । ବୃନ୍ଦାବତୀ ସ୍ୱାମୀଙ୍କ ପଦତଳେ ବସି କାନ୍ଦୁଅଛନ୍ତି । ଝୁଣାଗନ୍ଧରେ କକ୍ଷଟି ଆମୋଦିତ । ଝରକାରେ ଔଷଧଶିଶି ଧାଡ଼ିଧାଡ଼ି ହୋଇ ରହିଅଛି । ତାରାନାଥ ଏବଂ ରଙ୍ଗାଧର ରୋଗୀ ପାଖରୁ ଖଣ୍ଡେ ଦୂରରେ ହତାଶ ହୋଇ ବସିଥିଲେ । ଯୋଗବିଦ୍ୟାକୁ ଦେଖି ଘରୁ ବାହାରିଗଲେ । ବୃନ୍ଦାବତୀ ଉଠିଆସି ବୋହୁକୁ କୁଣ୍ଢାଇ ପକାଇ କ୍ରନ୍ଦନ ଗଦ୍‌ଗଦ କଣ୍ଠରେ କହିଲେ, ‘ମା, ଆସିଲୁ ?’ ଯୋଗବିଦ୍ୟା ଶାଶୁଙ୍କ ପଦଧୂଳି ମସ୍ତକରେ ଲଗାଇ କହିଲା, ‘‘ହଁ, ମା, ଆସିଲି । ବାବା କେତେବେଳୁ ଅସାଷ୍ଟମ ଅଛନ୍ତି ?’’ ବୃନ୍ଦାବତୀ କହିଲେ, ‘‘କାଲିରାତିରୁ ଆଉ କଥାବାର୍ତ୍ତା ନାହିଁ-। ତାରା, ରଙ୍ଗୁ ରାତିସାରା ଜଗିବସି ଉଷୁଦ ଦେଉଛନ୍ତି । ଆମ ଦାସୀ ସପନୀ ଆଉ ମୁଁ ଆଖି କଷା କରିନାହୁଁ । ସପନୀ ଘଡ଼ିଏ ହେଲା ଦାନ୍ତପତ୍ର ଘଷିବାକୁ ଉଠିଗଲା ।’’ ଯୋଗବିଦ୍ୟା କହିଲା, ‘‘ମୁଁ ବସିଛି, ତୁମେ ଯାଇ ମୁହଁରେ ପାଣି ଦିଅ ମା !’’ ବୃନ୍ଦାବତୀ ଘର ଆଡ଼କୁ ଚାଲିଗଲେ, ଯୋଗବିଦ୍ୟା ଶଶୁରଙ୍କ ମସ୍ତକ କୋଳରେ ରଖି ବସିରହିଲା । ରୋଗୀ ଦେହରୁ ପୂଜରକ୍ତ ବହିଥିଲା, ଲୁଗା କାନିରେ ତାହା ପୋଛିଦେଲା । ଠଣାରେ ଦୁଧ ତାଟିଆ ଥିଲା, ତାହା ଆଣି ତୁଳାରେ ଟିକିଏ ନେଇ ରୋଗୀ ମୁହଁରେ ଦେଲା । ଡାକ୍ତରମାନେ ବାହାରୁ ଔଷଧ ପଠାଇଦେଇ ଅର୍ଦ୍ଧଘଣ୍ଟା ଅନ୍ତରରେ ଖୁଆଇବା ପାଇଁ କହି ପଠାଇଥିଲେ । ଯୋଗବିଦ୍ୟା ତଦନୁସାରେ ଘଡ଼ି ଦେଖି ଔଷଧ ଖୁଆଇବାକୁ ଲାଗିଲା । ତାହାର ଘୃଣା ନାହିଁ, ବିକାର ନାହିଁ, ପୂଜରକ୍ତ ସବୁ ହାତରେ ପୋଛି ଦେଉଥାଏ ଏବଂ ଶଶୁରଙ୍କ ରୋଗମୁକ୍ତି ସକାଶେ ମନେ ମନେ ଈଶ୍ୱରଙ୍କ ନିକଟରେ ସକାତର ପ୍ରାର୍ଥନା କରୁଥାଏ । ସେ ଏକ ଆସନରେ ବସି ଶଶୁରଙ୍କ ସେବାରେ ନିଯୁକ୍ତ ରହିଲା । ଶାଶୁ ଏବଂ ଦାସୀମାନେ ଯେତେ କହିଲେ ମଧ୍ୟ ଉଠିଲାନାହିଁ । ଏହିପରି ଭାବରେ ଦୁଇଦିନ ଦୁଇରାତି କଟିଗଲା, ଯୋଗବିଦ୍ୟାର ବିଶ୍ରାମ ନାହିଁ କି ଅବସାଦ ନାହିଁ । ଯେମନ୍ତ କି ସାଧିକା ସିଦ୍ଧିଲାଭ ନିମିତ୍ତ ପଣ କରି ଉପାସନାରେ ବସିଅଛି । ଆହାର ନାହିଁ, ନିଦ୍ରା ନାହିଁ । ଏକ ଭାବରେ ସେବାରେ ଲାଗିଅଛି ଏବଂ ପ୍ରାଣର ଆତୁର ଭାଷାରେ ଈଶ୍ୱରଙ୍କୁ ଡାକୁଅଛି । ତାହାର ସାଧନାରେ ଭଗବାନଙ୍କର କୃପାସିଂହାସନ ଟଳିଲା, ସେ ବାଳିକାର କାତର ଗୁହାରି ଶୁଣିଲେ । ତୃତୀୟ ଦିନ ପ୍ରାତଃକାଳରେ ରୋଗୀଙ୍କର ଚେତନା ଫେରି ଆସିଲା । ସେ ଧୀରେ ଧୀରେ ଆଖିପତା ଟେକି କ୍ଷୀଣକଣ୍ଠରେ କହିଲେ, ‘‘କିଏ ସପନୀ ? ଉଃ, ରାତିସାରା ଜଗି ବସିଛୁ ମା । ତୋ ଋଣ ମୁଁ ଶୁଝିପାରିବି ନାହିଁ ।’’ ହତଚେତନ ରୋଗୀ ମୁହଁରୁ କଥା ବାହାରିଲା, ସମସ୍ତଙ୍କ ମୁଖ ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା । ବୃନ୍ଦାବତୀ ସ୍ୱାମୀଙ୍କ କାନପାଖକୁ ମୁହଁ ବଢ଼ାଇଦେଇ କହିଲେ, ‘‘ସେ ସପନୀ ନୁହେଁ, ଆମ ବୋହୂ । ମା ମୋର ଆସି ନ ଥିଲେ କି ମୁଁ ତୁମକୁ ଆଉ ପାଇଥାଆନ୍ତି । ତାହାରି ସେବାରେ ତୁମର ମୂର୍ଚ୍ଛା ଭାଙ୍ଗିଲା ।’’ ରୋଗୀ ଚମକି ଉଠି ଶିରୋପରି ଉପବିଷ୍ଟା ଦେବୀ ମୂର୍ତ୍ତିକୁ ଚାହିଁଦେଇ ମୁଗ୍‌ଧ ହୋଇଯାଇ ରୋଗ ଯନ୍ତ୍ରଣା ଭୁଲିଗଲେ । ବୋହୂର ହାତକୁ ଆଣି ନିଜର ବକ୍ଷ ଉପରେ ସ୍ଥାପନ କରି ଦୀନସ୍ୱରରେ କହିଲେ, ‘‘ଆଃ, ଏ ହାତରେ କି ଅମୃତ ଅଛି । ମା ବିଦ୍ୟା, ଆସିଛୁ ମା ?’’ କମ୍ପିତ କଣ୍ଠରେ ଏତିକିମାତ୍ର କହି ନୀରବ ହେଲେ । ତାଙ୍କ ଚକ୍ଷୁରୁ ଦୁଇଧାର ଲୋତକ ଗଡ଼ିଆସିଲା । ଯୋଗବିଦ୍ୟା ବ୍ୟସ୍ତହୋଇ କହିଲା, ‘‘ହଁ-ବାବା, ମୁଁ ତୁମରି ବିଦ୍ୟା । ଛି ବାବା, କାନ୍ଦ ନାହିଁ-ମୋ ରାଣତି ତୁମ ଆଖିରେ ଲୁହ ଦେଖିଲେ ମୁଁ ବି ଲୁହ ସମ୍ଭାଳି ପାରିବିନାହିଁ ।’ ଶେଷ କଥାଟି କହିବାବେଳେ ଯୋଗବିଦ୍ୟାର କଣ୍ଠ ଗଦ୍‌ଗଦ ହୋଇଆସିଲା । ରୋଗୀ ଉଦ୍‌ବିଗ୍ନ ହୋଇକହିଲେ–‘‘ନା ମା, ଆଉ କାନ୍ଦିବି ନାହିଁ । ମୁଁ କଅଣ ମୂର୍ଚ୍ଛିତ ହୋଇଥିଲି ?’’ ଯୋଗବିଦ୍ୟା କିଛି ନ କହୁଣୁ ବୃନ୍ଦାବତୀ କହିଲେ–‘‘ଚାରିଦିନ କାଳ ମୂର୍ଚ୍ଛିତ ଥିଲ, ତିନିଦିନ ହେଲା ବୋହୂ ଆସି ତୁମ ସେବାରେ ଲାଗିଛି । ଉଃ, ଅଣ୍ଡାଖଣ୍ଡକର କି କାଷ୍ଠା ଲୋ ମା । ତିନିଦିନ ହେଲା ଯେଉଁଠି ବସିଛି ସେଇଠି । ଆଉ କଥା କଅଣ କହିବି, ଦାନ୍ତ ବି ଘଷି ନାହିଁ । ରାତିରେ ତ ଆଖି କଷା ହୁଏ ନାହିଁ । କେତେବେଳେ ତୁଳାରେ ଦୁଧ ନେଇ ତୁମ ପାଟିରେ ଦିଏ, କେତେବେଳେ ଶାମୁକାରେ ଉଷୁଦ ଢାଳି କଅଁଳିଆ ପିଲାଙ୍କୁ ଦୁଧ ପିଆଇଲା ପରି ପିଆଇଦିଏ, ଘାରେ ମଲମ ଲଗାଇ ଦିଏ । କେତେବେଳେ ଝାଳ ପୋଛି ଦେଇ ବିଞ୍ଚିଦିଏ । ପିଲା କଣ୍ଢେଇ ଖେଳରେ ମାତିଲାପରି ସବୁବେଳେ ନାନା ଛୁଟୁପୁଟୁରେ ଲାଗିଥାଏ ।’’ ଜିମଦାର ସବୁ ଶୁଣି ଫଁକରି ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ଅପରାଧୀ ପରି ଦୀନ ଦୃଷ୍ଟିରେ ଯୋଗବିଦ୍ୟାକୁ ଚାହିଁ କହିଲେ–‘‘ମା, ତୋର ଏ ବୃଦ୍ଧ ଶଶୁରକୁ କ୍ଷମାକଲୁ; କିନ୍ତୁ ମୁଁ କ୍ଷମାର ଅଯୋଗ୍ୟ । ମୋହରି କ୍ରୋଧର ଅନଳ ଉତ୍ତାପରେ ତୋର ସୁଖର ଉତ୍ସ ଶୁଖିଯାଇଥିଲା ମା । ଆଉକିଛି କହିପାରିବି ନାହିଁ, ଅନୁଶୋଚନାରେ ମନଃପ୍ରାଣ, ଶରୀର ଜଳିଯାଉଛି ମା । ଅନୁତାପର ମର୍ମଚ୍ଛେଦିନୀ ଶକ୍ତି ଅସୀମ ।’’ ଯୋଗବିଦ୍ୟା ଶଶୁରଙ୍କ ଏହି କ୍ଷୋଭକ୍ତି ଶୁଣି କହିଲା–‘‘ସିମିତି କଥା କାହିଁକି କହୁଛ ବାବା, ସେଥିରେ ମୋ ମନରେ ଦୁଃଖ ହେବ । ତୁମେ ଇମିତି ସନ୍ତାପି ହେଲେ ମୋ ମନରେ ବଜ୍ରାଘାତଠାରୁ ବଳି ଆଘାତ ଲାଗିବ ।’’ ବୃଦ୍ଧ ଆଉ କିଛି କହିଲେ ନାହିଁ ।

 

ଯୋଗବିଦ୍ୟା ଶଶୁରଙ୍କ ବସନ୍ତକ୍ଷତକୁ ଦିନରେ ତିନିଥର ନିମପତ୍ରସିଝା ପାଣିରେ ଧୋଇ ଉତ୍ତମରୂପେ ପରିଷ୍କାର କରି ମଲମ ଲଗାଇ ଦିଏ; ସ୍ୱହସ୍ତରେ ପଥ୍ୟ ପ୍ରସ୍ତୁତ କରି ଶଶୁରଙ୍କୁ ଖୁଆଏ-। ତାଙ୍କ ମନ ପ୍ରଫୁଲ୍ଲ ରଖିବାକୁ ନାନା ପ୍ରକାର ଚେଷ୍ଟାକରେ ଏବଂ ଦିନରାତି ସେବାରେ ଲାଗିଥାଏ । ତାହାର ନିପୁଣ ହସ୍ତର ପ୍ରାଣପଣ ସେବାରେ ସପ୍ତାହକ ମଧ୍ୟରେ ଜମିଦାର ଆରୋଗ୍ୟଲାଭ କଲେ । ଆରୋଗ୍ୟ ସ୍ନାନ ପରେ ଯୋଗବିଦ୍ୟାର ମସ୍ତକରେ ହାତଦେଇ କହିଲେ–‘ମା, ଆର୍ଶୀବାଦ କରୁଛି–ଚିର ସୌଭାଗ୍ୟବତୀ ହୋଇ ଥା । ଶେଷରଜନୀର ତୈଳଶୂନ୍ୟ ଦୀପପରି ମୋର ପ୍ରାଣ ନିଭି ଆସୁଥିଲା, ତୁ ତାକୁ ପୁଣି ଉତ୍ତେଜିତ କରିଦେଲୁ । ତୋର ଯୋଗବିଦ୍ୟା ନାମ ସାର୍ଥକ ମା, ତୁ ଅଦ୍ଭୁତ ଯୋଗବଳରେ ମୋତେ ଯମଦ୍ୱାରରୁ ଫେରାଇ ଆଣିଲୁ । ମୁଁ ତୋତେ କଟୁକଥା କହିଛି, ଅବଜ୍ଞା କରିଛି; ତାହା ସବୁ ମନରେ ଧରିବୁ ନାହିଁ । ତୁ ଦେବୀ, ମୁଁ ତୋର ପିଶାଚ ଶଶୁର: କିନ୍ତୁ ଦେବୀର ଶଶୁର ବୋଲି ମୁଁ ଅକଥନୀୟ ଗୌରବ ଅନୁଭବ କରୁଛି । ତୋହରି ପରି ବଧୂରତ୍ନ ମୋତେ ଜନ୍ମେଜନ୍ମେ ମିଳୁଥାଉ ।’’ ଏହି ସମୟରେ ସତ୍ୟଭୂଷଣ ଆସି ପିତୃପଦତଳେ ସାଷ୍ଟାଙ୍ଗ ପ୍ରଣାମ କଲା-। ଯୋଗବିଦ୍ୟା ସେଠାରୁ ଅନ୍ତର ହୋଇଗଲା । ବୃଦ୍ଧ ଜିମଦାର ପୁତ୍ରକୁ ଉଠାଇ ସ୍ନେହ ହସ୍ତରେ ତାହା ମୁଣ୍ଡରୁ ଧୂଳି ଝାଡ଼ିଦେଇ କହିଲେ, ‘‘ବାବା ନିଜର ବିଷରେ ମୁଁ ନିଜେ ଘାରି ହେଉଛି, ଲଜ୍ଜାରେ ତୋ ମୁହଁକୁ ଅନାଇ କଥାକହି ପାରୁନାହିଁ । ମୋର ବିବେକ ଦେବତା ମୋତେ ଯଥେଷ୍ଟ ଧିକ୍‌କାର କରୁଛି-। କୃତକାର୍ଯ୍ୟ ସୁଦ୍ଧା ଅଳ୍ପ ପରିହାସ କରୁନାହିଁ-। ଅନୁତାପର ବ୍ୟଙ୍ଗ ବିଦ୍ରୂପ-ବଦ୍ୟୁତ୍‌ ବହ୍ନି ମୋର ପ୍ରତି ଶିରାରେ ବହିଯାଉଛି । ମୁଁ ତୋର କୁପିତା; କିନ୍ତୁ ସୁପୁତ୍ର କୁପିତାର ଅପରାଧ ଧରେନାହିଁ, ଏହାହିଁ ମୋର ସାନ୍ତ୍ୱନା କୁପିତା ବୋଲି ମୋର ଯେତେ ଅଖ୍ୟାତି ହେଉ ପଛେ ସୁପୁତ୍ରବାନ୍‌ ଗୌରବ କେବେ ମଳିନ ହେବନାହିଁ । ତୋପରି ପୁଅ ଆଉ ବିଦ୍ୟା ପରି ବୋହୂ ମୋ ପକ୍ଷରେ ଭାଗ୍ୟ ଦେବତାର ମହାଦୀପ; କିନ୍ତୁ ମୁଁ ନିର୍ବୋଧ ତୁମ୍ଭ ଦୁହିଙ୍କୁ ଚିହ୍ନିପାରିଲି ନାହିଁ । ଦୁହେଁ ଶିବଦୁର୍ଗା ପରି ହୋଇ ଅଖଣ୍ଡ ସୁଖ ଭୋଗକର, ମୋର ଏହି ଆର୍ଶୀବାଦ । ମୁଁ ବୃଦ୍ଧ, ଜରା ମୋର ଶକ୍ତି ହରଣ କରୁଅଛି; ସୁତରାଂ ରାଜ୍ୟଭାର ମୋ ପକ୍ଷରେ ଦୁର୍ବହ ହୋଇ ଉଠୁଅଛି । ଆଜିଠାରୁ ତୁ ଏହି ବିଷ୍ଣୁପୁର ତାଲୁକାରେ ଜମିଦାର, ଆଉ ମୁଁ ଏ ତାଲୁକାରେ ଜଣେ ସାମାନ୍ୟ ପ୍ରଜା । ମୋର ବଧୁମାତା ମାନବୀ ନୁହେଁ–ସର୍ବଗୁଣ ବିଚକ୍ଷଣା ମହିମିତା ଦେବୀ । ତୁ ପ୍ରତ୍ୟେକ କାର୍ଯ୍ୟରେ ତାହାର ପରାମର୍ଶ ଗ୍ରହଣ କରିବୁ । ତୋ ପ୍ରତି ଏହା ମୋର ଶେଷ ଆଦେଶ ।’’ ସତ୍ୟଭୂଷଣ ଆଉଥରେ ପିତାଙ୍କୁ ପ୍ରଣାମ କରି କହିଲା ‘‘ପିତୃ ଆଜ୍ଞା ଶିରୋଧାର୍ଯ୍ୟ ।’’

Image